BJD Bijuli 480×75 Mob

ଏନ୍‌ଆର୍‌ସି: ଆସାମ, ପଶ୍ଚିମବଙ୍ଗ ଏବଂ ଓଡ଼ିଶା

BJD Bijuli 480×75 Mob
0

ଅରୁଣ କୁମାର ପଣ୍ଡା

ଆସାମରେ ୧୯୭୧ରୁ ୨୦୧୧ ମଧ୍ୟରେ ଚାଳିଶ ବର୍ଷ ଭିତରେ ପ୍ରାୟ ୧କୋଟି ୨୫ଲକ୍ଷ ମତଦାତା ପଞ୍ଜିକୃତ ହୋଇଛନ୍ତି। ଅବଶ୍ୟ ସ୍ବାଭାବିକ ଭାବରେ ରାଜ୍ୟରେ ଜନସଂଖ୍ୟା ବୃଦ୍ଧି ପାଇଥିଲା, କିନ୍ତୁ ୧୯୭୧ ପରେ ଏଥିରେ ତୀବ୍ରତା ଆସିଲା। ଜନସଂଖ୍ୟା ଏବଂ ମତଦାତାଙ୍କର ଏହି ଆକସ୍ମିକ ବୃଦ୍ଧିର ସବୁଠାରୁ ବଡ଼ କାରଣ ବାଂଲାଦେଶରୁ ବ୍ୟାପକ ଅନୁପ୍ରବେଶ ବୋଲି କୁହାଯାଇପାରେ। ଆସାମ ଏବଂ ଉତ୍ତର-ପୂର୍ବ ରାଜ୍ୟମାନଙ୍କରେ ଅବୈଧ ଅନୁପ୍ରବେଶ ଭାରତ ସ୍ବାଧୀନ ହେବା ପୂର୍ବରୁ ହିଁ ଆରମ୍ଭ ହୋଇଯାଇଥିଲା। ସ୍ବାଧୀନତା ପୂର୍ବରୁ ଆସାମର ସୀମା ପୂର୍ବବଙ୍ଗ ସହିତ ଲାଗି ହୋଇରହିଥିଲା ଯାହାକୁ ଏବେ ବାଂଲାଦେଶ କୁହାଯାଉଛି। ଆସାମ ଏବଂ ପୂର୍ବବଙ୍ଗ ମଧ୍ୟରେ ଭୌଗୋଳିକ ନିକଟତାକୁ ତତ୍କାଳୀନ ମୁସଲିମ୍‌ ଲିଗ୍‌ ନିଜର ପ୍ରଭାବ ବିସ୍ତାର ପାଇଁ ସୁବର୍ଣ୍ଣ ସୁଯୋଗ ବୋଲି ଦେଖି ପୂର୍ବବଙ୍ଗରୁ କୃଷକମାନଙ୍କୁ ଅନୁପ୍ରବେଶ ପାଇଁ ପ୍ରୋତ୍ସାହିତ କରିବାକୁ ଲାଗିଲା। ସ୍ବାଧୀନତା ପୂର୍ବରୁ ଆସାମର କୌଣସି ଜିଲା ମୁସଲିମ୍‌ବହୁଳ ନଥିଲା, ପରନ୍ତୁ ଆଜି ଅାଧିକାରିକ ରୂପେ ସମୁଦାୟ ୨୭ଟି ଜିଲାରୁ ୯ଟି ଜିଲାରେ ମୁସଲମାନଙ୍କ ସଂଖ୍ୟା ହିନ୍ଦୁଙ୍କଠାରୁ ଅଧିକ। ଅନ୍ୟ ଜିଲାଗୁଡ଼ିକରେ ମଧ୍ୟ କ୍ରମାଗତ ଭାବରେ ମୁସଲମାନମାନଙ୍କର ସଂଖ୍ୟା ବଢ଼ିବାରେ ଲାଗିଛି।
୧୯୭୧ରେ ଆସାମରେ ହିନ୍ଦୁ ଜନସଂଖ୍ୟା ଥିଲା ୭୨.୫ ପ୍ରତିଶତ। ଏହି ସଂଖ୍ୟା ୨୦୦୧ରେ ହ୍ରାସ ପାଇ ହେଲା ୬୪.୯ ପ୍ରତିଶତ ଏବଂ ୨୦୧୧ରେ ଏହି ସଂଖ୍ୟା ୬୧.୪୬ ରହିଛି। ଅପରପକ୍ଷରେ ଆସାମରେ ମୁସଲିମ୍‌ ଜନସଂଖ୍ୟା ୧୯୭୧ରେ ମାତ୍ର ୨୪.୫୬ ପ୍ରତିଶତ ଥିଲାବେଳେ ୨୦୦୧ରେ ବୃଦ୍ଧି ପାଇ ୩୦.୯ ପ୍ରତିଶତ ଏବଂ ୨୦୧୧ରେ ୩୪.୨୨ ପ୍ରତିଶତରେ ପହଞ୍ଚିଛି। ୩୦ ବର୍ଷମଧ୍ୟରେ ରାଜ୍ୟରେ ମୁସଲମାନ ଜନସଂଖ୍ୟାରେ ୬.୩୯ ପ୍ରତିଶତ ବୃଦ୍ଧି ଘଟିଥିବାବେଳେ ହିନ୍ଦୁ ଜନସଂଖ୍ୟା ୭.୨ ପ୍ରତିଶତ ହ୍ରାସ ପାଇଛି। ଏ ସମ୍ପର୍କରେ ହୋଇଥିବା ତିନିଟି ସର୍ବେକ୍ଷଣରୁ ଜଣାପଡ଼େ ଯେ ଜନସଂଖ୍ୟା ବୃଦ୍ଧିର ଏହି ଧାରା ଅବ୍ୟାହତ ରହିଲେ ୨୦୪୭ରୁ ୨୦୫୦ ମସିହା ମଧ୍ୟରେ ଆସାମରେ ହିନ୍ଦୁ (ମୂଳନିବାସୀ) ଅଳ୍ପସଂଖ୍ୟକ ବା ସଂଖ୍ୟାଲଘୁରେ ପରିଣତ ହେବେ।
ଆସାମ ଜନସଂଖ୍ୟା ବୃଦ୍ଧିର ଆକଳନ କରାଗଲେ ଜଣାପଡ଼େ ଯେ ୧୯୫୧ରେ ରାଜ୍ୟର ଜନସଂଖ୍ୟା ୮୦ଲକ୍ଷ ୩୦ହଜାର ଥିବାବେଳେ ୨୦୧୧ରେ ଏହା ବୃଦ୍ଧି ପାଇ ୩କୋଟି ୧୨ଲକ୍ଷ ହୋଇଛି। ୧୯୫୧-୬୧ ମଧ୍ୟରେ ରାଷ୍ଟ୍ରୀୟ ଜନସଂଖ୍ୟା ବୃଦ୍ଧି ଭାର ୩ ଦଶମିକ ୨ ଥିବାବେଳେ ଆସାମରେ ଏହା ୩୬ ପ୍ରତିଶତ ଥିଲା। ଏଥିରୁ ସ୍ପଷ୍ଟ ହୁଏ ଯେ ଆସାମରେ ଅବିଶ୍ବସନୀୟ ଜନସଂଖ୍ୟା ବୃଦ୍ଧିର କାରଣ ବାଂଲାଦେଶରୁ କ୍ରମାଗତ ବହୁ ସଂଖ୍ୟାରେ ଅନୁପ୍ରବେଶ।
ଇତିମଧ୍ୟରେ ଆସାମରେ ରାଷ୍ଟ୍ରୀୟ ନାଗରିକ ପଞ୍ଜିକାର (ଏନଆରସି) ଦ୍ବିତୀୟ ଡ୍ରାଫ୍ଟ ଜାରି କଲାପରେ ଦେଶରେ ଏପ୍ରକାର ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି। ଏହି ନୂତନ ଚିଠାରେ ଆସାମର ୪୦ଲକ୍ଷ ବାହାରୁ ଆସି (ଅନୁପ୍ରବେଶକାରୀ) ରହିଥିବା ଲୋକଙ୍କୁ ଭାରତୀୟ ନାଗରିକତାରୁ ବଞ୍ଚିତ କରାଯାଉଛି। ଏ ନେଇ ଅଣଏନଡିଏ ବିରୋଧୀଦଳଗୁଡ଼ିକ କେନ୍ଦ୍ର ସରକାରଙ୍କୁ କଠୋର ଭାବରେ ସମାଲୋଚନା କରିବା ଆରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମଓ)ର ରାଷ୍ଟ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ ଏନଆରସି ସମ୍ପର୍କରେ କେନ୍ଦ୍ର ସରକାରଙ୍କ ନୀତି ସମ୍ପର୍କରେ ସ୍ପଷ୍ଟ କରି କହିଛନ୍ତି ଯେ ଆସାମରେ ଏ ନେଇ ଯାହା କିଛି ହୋଇଛି ସେଥିରେ କେନ୍ଦ୍ର ସରକାରଙ୍କ ଆଦୌ ହାତ ନାହିଁ। ସମ୍ପୂର୍ଣ୍ଣ ପ୍ରକ୍ରିୟା ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦେଖାଶୁଣାରେ ହେଉଛି। ଏହି ଚିଠା ଅନ୍ତିମ ନୁହେଁ, ଏଥିରେ ସଂଶୋଧନ ପାଇଁ ମଧ୍ୟ ବ୍ୟବସ୍ଥା ରହିଛି। ଲୋକେ ଏବେ ବି ସେମାନଙ୍କ ଦାବି ଉପସ୍ଥାପନ କରିପାରିବେ।
୧୯୫୧ ମସିହାରେ ଭାରତୀୟ ନାଗରିକଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ ପାଇଁ ରାଷ୍ଟ୍ରୀୟ ନାଗରିକତା ପଞ୍ଜିକାର ପ୍ରସ୍ତୁତ କରାଗଲା। ୧୯୬୦ରେ ଏହି ତଥ୍ୟ ପୁଲିସକୁ ଦିଆଗଲା। ୧୯୫୧ରୁ ୧୯୭୧ ମଧ୍ୟରେ ଦେଶରେ ମୁସଲମମାନ ଜନସଂଖ୍ୟା ୫୧ପ୍ରତିଶତ ବୃଦ୍ଧି ପାଇବା ଏକ ଉଲ୍ଲେଖନୀୟ ଘଟଣା। ୧୯୭୯ରେ ଅବୈଧ ଅନୁପ୍ରବେଶକାରୀଙ୍କ ବିରୋଧରେ ବିଭିନ୍ନ ସ୍ଥାନରେ ହିଂସାତ୍ମକ ଆନ୍ଦୋଳନ ହେଲା। ୧୯୮୫ରେ ରାଜୀବ ଗାନ୍ଧୀ ସରକାର ‘ଆସାମ ବୁଝାମଣା’ ଅନୁସାରେ ଏନ୍‌ଆରସିକୁ ଅପ୍‌ଡେଟ୍‌ କରିବାପାଇଁ ନିର୍ଦେଶ ଦେଲେ। ଆସାମ ବୁଝାମଣାରେ ସ୍ପଷ୍ଟ କରାଯାଇଥିଲା ଯେ ୧୯୭୧, ୨୪ ମାର୍ଚ୍ଚ ମଧ୍ୟରାତ୍ରି ମଧ୍ୟରେ ଯେଉଁମାନେ ଭାରତ ଆସିଥିବେ ସେମାନଙ୍କୁ ଏହି ଦେଶର ନାଗରିକ ଭାବେ ଗ୍ରହଣ କରାଯିବ। ୧୯୫୧ରୁ ୧୯୬୧ ମଧ୍ୟରେ ଆସାମକୁ ଆସିଥିବା ଅନ୍ୟଦେଶର ଲୋକଙ୍କୁ ପୂର୍ଣ୍ଣ ନାଗରିକତା ଏବଂ ଭୋଟ ଦେବାର ଅଧିକାର ଦିଆଯିବ। ୧୯୬୧ରୁ ୧୯୭୧ ମଧ୍ୟରେ ଆସିଥିବା ଅନୁପ୍ରବେଶକାରୀଙ୍କୁ ନାଗରିକତା ସହିତ ଅନ୍ୟ ଅଧିକାର ଦିଆଯିବ, କିନ୍ତୁ ଭୋଟଦାନର ଅଧିକାର ଦିଆଯିବ ନାହିଁ। ୧୯୭୧ ମସିହାପରେ ଆସାମରେ ପ୍ରବେଶ କରିଥିବା ଲୋକଙ୍କୁ ସେମାନଙ୍କ ଦେଶକୁ ପଠାଇ ଦେବାପାଇଁ ବୁଝାମଣାରେ ସମ୍ମତି ପ୍ରକାଶ ପାଇଥିଲା।
ଏନଆରସିର ନବୀକରଣ ପ୍ରସଙ୍ଗ ସର୍ବୋଚ୍ଚନ୍ୟାୟାଳୟରେ ପହଞ୍ଚିବା ପରେ ୨୦୧୪, ଡିସେମ୍ବର-୧୭ରେ ଅଦାଲତ ଏହାକୁ ନୂଆ କରି ପ୍ରକାଶ କରିବା ପାଇଁ ସମୟସୀମା ଧାର୍ଯ୍ୟ କଲେ। ସର୍ବୋଚ୍ଚ ଅଦାଲତଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି କାର୍ଯ୍ୟ ଆରମ୍ଭ ହେଲା। ନବୀକରଣ ପରେ ୪୦ଲକ୍ଷ ୫୨ହଜାର ୭୦୩ଜଣ ବାଂଲାଦେଶୀଙ୍କୁ ନାଗରିକତା ସୂଚୀର ଅନ୍ତିମ ପର୍ଯ୍ୟାୟରୁ ବାଦ୍‌ ଦିଆଗଲା। ସେହିପରି ୨କୋଟି ୮୯ଲକ୍ଷ ୩୮ହଜାର ୬୭୭ ଜଣଙ୍କୁ ଆସାମ ପ୍ରଦେଶର ବୈଧ ଅଧିବାସୀ ଭାବେ ଗ୍ରହଣ କରାଯାଇ ନାଗରିକ ଅଧିକାର ପ୍ରଦାନ କରାଗଲା।
ଆସାମରେ ଅନୁପ୍ରବେଶକାରୀଙ୍କ ବୃଦ୍ଧି ପାଉଥିବା ଚିନ୍ତାଜନକ ସଂଖ୍ୟାକୁ ନେଇ ପଚାଶ ଦଶକରୁ ବିବାଦ ଆରମ୍ଭ ହୋଇଥିଲା। ଏହାର କାରଣ ଥିଲା ଦେଶ ବିଭାଜନ ପରେ ବାଂଲାଦେଶକୁ ଯାଉଥିବା ଲୋକେ ପୁଣି ଫେରିବା। ଏହାପରେ ରାଷ୍ଟ୍ରୀୟ ନାଗରିକତା ପଞ୍ଜିକା ପ୍ରସ୍ତୁତ କରାଗଲା ଏବଂ ସେତେବେଳେ କେନ୍ଦ୍ର ଓ ରାଜ୍ୟରେ କଂଗ୍ରେସ ସରକାର ଥିଲା। ସେ ସମୟରେ ଘରକୁ ଘର ଯାଇ ଜଣେଜଣେ ବ୍ୟକ୍ତିଙ୍କଠାରୁ ମୂଳ ତଥ୍ୟ ସଂଗ୍ରହ କରାଗଲା। ଏହାପରେ ଏହି ଦସ୍ତାବିଜ ଜିଲାପାଳମାନଙ୍କ କାର୍ଯ୍ୟାଳୟରେ ରଖାଗଲା ଏବଂ ପରବର୍ତ୍ତୀ ସମୟରେ ସେହିସବୁ ତଥ୍ୟ ସମ୍ବଳିତ ଦସ୍ତାବିଜ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଜିମା ଦିଆଗଲା।
ଅସମିୟା ଏବଂ ଅଣଅସମିୟାଙ୍କୁ ନେଇ ବିବାଦ ୧୯୭୧ରେ ବାଂଲାଦେଶ ଯୁଦ୍ଧ ପରେ ଉଗ୍ରରୂପ ଧାରଣ କଲା। ଅନୁମାନ କରାଯାଏ ଯେ ଯୁଦ୍ଧ ସମୟରେ ପାଖାପାଖି ୧୦ଲକ୍ଷ ବଙ୍ଗଳାଦେଶୀ ଆସାମ ଭିତରେ ଅନୁପ୍ରବେଶ କରିଥିଲେ ଏବଂ ଯୁଦ୍ଧଶେଷ ହେବା ପରେ ସେମାନଙ୍କ ମଧ୍ୟରୁ ପ୍ରାୟ ୯ଲକ୍ଷ ଫେରିଯାଇଥିଲେ। ରହିଯାଇଥିବା ଏକଲକ୍ଷ ବାଂଲାଦେଶୀଙ୍କୁ ଆସାମରୁ ତାଙ୍କ ଦେଶକୁ ପଠାଇ ଦେବା ପାଇଁ ପ୍ରବଳ ଦାବି ହେଲା। ସେ ସମୟରେ ବରାକ୍‌ ଘାଟିର ସବୁ ୯ଟି ଜିଲାରେ ମୁସଲମାନ ଜନସଂଖ୍ୟାରେ ଦ୍ରୁତ ବୃଦ୍ଧି କାରଣରୁ ୮୦ଦଶକରେ ଏହି ଆନ୍ଦୋଳନ ଜୋର୍‌ ଧରିଲା। ପରବର୍ତ୍ତୀ ସମୟରେ ଏହି ଆନ୍ଦୋଳନ ଆସାମ ଛାତ୍ର ଆନ୍ଦୋଳନର ରୂପ ନେଲା। ଅଲ ଆସାମ ଛାତ୍ର ୟୁନିୟନ ବ୍ୟାନର ତଳେ ଏହି ଆନ୍ଦୋଳନ ଦେଖୁଦେଖୁ ହିଂସ୍ର ରୂପ ଧାରଣ କଲା। ଏହି ଆନ୍ଦୋଳନ ଏତେ ହିଂସ୍ର ହେଲା ଯେ ଇନ୍ଦିରାଗାନ୍ଧୀଙ୍କ ହତ୍ୟାପରେ ହୋଇଥିବା ପାର୍ଲାମେଣ୍ଟ ନିର୍ବାଚନରେ ରାଜ୍ୟର ସମୁଦାୟ ୧୪ଟି ଆସନରେ ନିର୍ବାଚନ କମିସନ ନିର୍ବାଚନ କରିବା ପାଇଁ ସାହସ ଜୁଟାଇ ପାରିଲେ ନାହିଁ। ସ୍ବାଧୀନ ଭାରତରେ ପ୍ରଥମ ଥର ପାଇଁ ଆସାମ ଓ ପଞ୍ଜାବରେ ସେ ସମୟରେ ସଂସଦ ପାଇଁ ନିର୍ବାଚନ ହୋଇପାରି ନଥିଲା।
ଏବେ ଏନଆରସିରୁ ବଞ୍ଚିତ ଆସାମର ୪୦ଲକ୍ଷ ଲୋକଙ୍କ ପାଇଁ କଂଗ୍ରେସ, ତୃଣମୂଳ କଂଗ୍ରେସ ସମେତ କେତେକ ବିରୋଧୀଦଳ ଆୱାଜ ଉଠାଇଛନ୍ତି। ହୋଇପାରେ ଯେ ଠିକ୍‌ ତଥ୍ୟ ନଦେବା କାରଣରୁ କିଛି ଠିକ୍‌ ଲୋକେ ନାଗରିକ ଅଧିକାରରୁ ବଞ୍ଚିତ ହୋଇଥିବେ। ପରନ୍ତୁ ପୂର୍ବ ପ୍ରଧାନମନ୍ତ୍ରୀ, କଂଗ୍ରେସନେତା ରାଜୀବ ଗାନ୍ଧୀ ଯେଉଁ ‘ଆସାମ ବୁଝାମଣା’କୁ ସ୍ବୀକାର କରିଥିଲେ ତାକୁ ମଧ୍ୟ ମାନିବା ପାଇଁ ତାଙ୍କରି ଦଳର ନେତା ପ୍ରସ୍ତୁତ ନୁହନ୍ତି।
ଏବେ ପଶ୍ଚିମବଙ୍ଗ କଥା ଚିନ୍ତା କରିବା। ୨୦୦୧ରେ ପଶ୍ଚିମବଙ୍ଗରେ ମୁସଲମାନ ଜନସଂଖ୍ୟା ୨୫ ପ୍ରତିଶତ ଥିଲା। ୨୦୧୦ରେ ଏହା ବଢ଼ି ୨୭ ପ୍ରତିଶତ ହୋଇଥିଲା। ଉତ୍ତରପ୍ରଦେଶ ପରେ ପଶ୍ଚିମବଙ୍ଗର ମୁସଲମାନ ଜନସଂଖ୍ୟା ଦ୍ବିତୀୟ ନମ୍ବରରେ ରହିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଧମକ ଦେଇ କହିଛନ୍ତି ଯେ ୪୦ଲକ୍ଷ ଲୋକଙ୍କୁ ଏନଆରସିକୁ ବାଦ ଦିଆଯିବା ଘଟଣାକୁ ନେଇ ଦେଶରେ ଗୃହଯୁଦ୍ଧ ହୋଇପାରେ। ତାଙ୍କର ଅଭିଯୋଗ ହେଲା ଏନଆରସିକୁ ନେଇ ବିଜେପି ଦେଶରେ ସାମ୍ପ୍ରଦାୟିକ ବି​‌େ​‌ଦ୍ବଷ ସୃଷ୍ଟି କରି ୨୦୧୯ ନିର୍ବାଚନରେ କ୍ଷମତାକୁ ଫେରିବା ପାଇଁ ଷଡ଼ଯନ୍ତ୍ର କରିଛି।
ଦେଶ​‌େ​‌ର ପ୍ରାୟ ୩ କୋଟି ଅନୁପ୍ରବେଶକାରୀ ଅଛନ୍ତି। ସହରାଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଅନୁପ୍ରବେଶକାରୀଙ୍କୁ ବାସଗୃହ ଯୋଗାଇ ଦିଆଯାଇ ସେମାନଙ୍କୁ ଥଇଥାନ କରାଯାଉଛି। ଗତ ୨୦୧୪ ସେପ୍ଟେମ୍ବର ୯ରେ ଓଡ଼ିଶା ବିଧାନସଭାର ୧୩ଜଣ ବିଧାୟକ କେନ୍ଦ୍ର ଗୃହମନ୍ତ୍ରୀ, ନଗର ଉନ୍ନୟନ ମନ୍ତ୍ରୀ ଏବଂ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଏନେଇ ସତର୍କ କରାଇଥିଲେ। କେବଳ ଓଡ଼ିଶାର ସ୍ଥାୟୀ ବାସିନ୍ଦାଙ୍କୁ ଏ ସୁଯୋଗ ମିଳିବା ଉଚିତ ବୋଲି ସେମାନେ କହିଛନ୍ତି। ୪୦୯୬ କି.ମି. ଦୈର୍ଘ୍ୟ ଭାରତ, ବାଂଲାଦେଶ ସୀମା ଏବେ ଅସୁରକ୍ଷିତ। ଓଡ଼ିଶାରେ ଅନୁପ୍ରବେଶ ସଂଖ୍ୟା କମ୍‌ ହେଲେ ବି ଚିନ୍ତାଜନକ। ବେଆଇନ ପାସପୋର୍ଟ ହାସଲ ପାଇଁ ଉଦ୍ୟମ କରୁଥିବା ୯ଜଣ ବାଂଲାଦେଶୀଙ୍କୁ ଓଡ଼ିଶା ପୁଲିସ ଗିରଫ କରିଥିଲା। ରାଜପଥରେ ରାହାଜାନି, ଡକାୟତି ଆଦିରେ ସଂପୃକ୍ତ ଏବଂ ଜଗତପୁର ମଦ୍ରାସାରୁ ଗିରଫ ଆତଙ୍କବାଦୀ ବାଂଲାଦେଶୀ ବୋଲି ଜଣାପଡ଼ିଛି। ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଆସାମ ଭଳି ରାଜ୍ୟଗୁଡ଼ିକରେ ତୁରନ୍ତ ଏନଆରସି ଲାଗୁ ହେବା ଆବଶ୍ୟକ।

Leave A Reply