www.samajalive.in
Sunday, December 14, 2025
19.1 C
Bhubaneswar

ଆମ ଶିକ୍ଷାର ପ୍ରଗତି ଓ ଦୁର୍ଗତି

ବାସୁଦେବ ସାହୁ

ପ୍ରତି ଯୁଗରେ ଶିକ୍ଷା ପ୍ରଗତିର ବାହକ ଏବଂ ଦୁର୍ଗତିର ସମ୍ମୁଖୀନ। ଆଧୁନିକ ଯୁଗରେ ବିଜ୍ଞାନର ଦ୍ରୁତଗତି ଓ ଆନ୍ତର୍ଜାତିକ ସମ୍ପର୍କର ପ୍ରସାର ଆମ ଶିକ୍ଷା ଆଗରେ ଏକ ଆହ୍ବାନ। ଆମେ ପୃଥିବୀର ଅନ୍ୟ ଦେଶ ସଙ୍ଗରେ ପ୍ରତିଦ୍ବନ୍ଦ୍ବିତାରେ ଆଗେଇ ନଗଲେ ଏକ ଅନଗ୍ରସର ଦେଶର ନିନ୍ଦା ବହନ କରି ଚାଲୁଥିବୁ। ତେଣୁ ଦେଶର ଅର୍ଥନୀତି ଓ ସଂସ୍କୃତିକୁ ଗତିଶୀଳ ଏବଂ ପ୍ରଜ୍ବଳିତ ରଖିବା ପାଇଁ ଆମ ଶିକ୍ଷାକୁ ଅଗ୍ରଗାମୀ କରିବାକୁ ହେବ। ଶିକ୍ଷା ଏକ ପ୍ରବହମାନ ଧାରା ଏବଂ ଆମ ଅସ୍ମିତାର ନିର୍ଣ୍ଣାୟକ।
ଶିକ୍ଷାର ବ୍ୟାପ୍ତି ଓ ଦୀପ୍ତି:
ମଣିଷ ଜନ୍ମହେବାଠାରୁ ପୃଥିବୀର ସୌନ୍ଦର୍ଯ୍ୟ ଅବଲୋକନ କରି ମୁଗ୍ଧ, ବିସ୍ମିତ ହୁଏ ଏବଂ ସେତିକି ବେଳୁ ତା’ ମନରେ ଚିନ୍ତା ଜାଗ୍ରତ ହୁଏ। ଠିକ୍‌ ସେହିଭଳି ଦେଶ ତା’ର ପରିଚୟ ଦେଇଚାଲେ ନିଜର ଜ୍ଞାନଗରିମା ପ୍ରଦର୍ଶନ କରି। ଶିକ୍ଷାର ବ୍ୟାପ୍ତି ପ୍ରାଥମିକ ବିଦ୍ୟାଳୟଠାରୁ ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ। ତା’ର ଦୀପ୍ତି ଜାଜ୍ବଲ୍ୟମାନ ହୁଏ ସ୍ନାତକୋତ୍ତର ଶିକ୍ଷା ଓ ଗବେଷଣା ସ୍ତରରେ।
ଶିକ୍ଷାର ଥାଏ ଏକ ମୌଳିକ ଲକ୍ଷ୍ୟ ଏବଂ ତା’ର ପରିସ୍ଫୁଟନ ଆଣେ ମହନୀୟତା। ଉଦ୍ଦେଶ୍ୟ ହେଉଛି ଦେଶର ସଂସ୍କୃତି ବଜାୟ ରଖିବା ଓ ମାନବିକତାବୋଧ ବଳବତ୍ତର କରିବା।
ଶିକ୍ଷାର ଲକ୍ଷ୍ୟ ମଣିଷକୁ ସଂସ୍କୃତିସମ୍ପନ୍ନ ଓ କୌଣସି ବିଷୟରେ ବିଶେଷ ଜ୍ଞାନୀ କରିବା। ଏଥିପାଇଁ ଉଭୟ ପ୍ରାଥମିକ ବିଦ୍ୟା ଓ ମାଧ୍ୟମିକ ଶିକ୍ଷା ସ୍ତରରେ ପିଲାଙ୍କୁ ସ୍କୁଲରେ ଭର୍ତ୍ତିକରି ସେମାନଙ୍କୁ ଉଚିତ ଜ୍ଞାନ ଦେବା ଦରକାର। ଶିକ୍ଷାର ମାନ ବୃଦ୍ଧି ଏକାନ୍ତ ଆବଶ୍ୟକ। ଆମର ସଂସ୍କୃତି ଗୋଟିଏ ପିଢ଼ିରୁ ଅନ୍ୟପିଢ଼ିକୁ ସଂଚାରିତ ହୁଏ। ତା’ସହ ଆଧୁନିକ ବିଜ୍ଞାନରେ ଜ୍ଞାନ ଓ ଦୃଷ୍ଟିକୋଣ ସୃଷ୍ଟି କରିବା ଦରକାର। ଶିକ୍ଷା ଅର୍ଥ କେବଳ ସମ୍ବାଦ ପରିବେଷଣ ନୁହେଁ। ବହୁ ବିଷୟରେ ପିଲାଙ୍କୁ ଭାରାକ୍ରାନ୍ତ ନକରି ବାଞ୍ଛିତ ବିଷୟରେ ଠିକ୍‌ ଧାରଣା ଦେବା ଉଚିତ। ହ୍ବାଇଟ୍‌ହେଡ୍‌ଙ୍କ ମତରେ ଅଯଥା ବିଚାର ପିଲାଙ୍କ ମୁଣ୍ଡରେ ଭର୍ତ୍ତି ନକରି ଆହରିତ ଜ୍ଞାନକୁ କାର୍ଯ୍ୟରେ ଲଗାଇବା ପାଇଁ ପ୍ରେରଣା ଦେବା ଆବଶ୍ୟକ।
ଶିକ୍ଷାର ମାଧ୍ୟମ ରୂପେ ମାତୃଭାଷାକୁ ଶିକ୍ଷାବିତ୍‌ମାନେ ସୁପାରିସ କରିଛନ୍ତି। ଅବଶ୍ୟ ପଞ୍ଚମ ଶ୍ରେଣୀରୁ ମାତୃଭାଷା ବ୍ୟତୀତ ଅନ୍ୟ ଦୁଇଟି ଭାଷା ଶିଖା ଯାଇପାରେ। ଜଣେ ଶିକ୍ଷିତ ଲୋକ ଅାଞ୍ଚଳିକ ଓ ଆନ୍ତର୍ଜାତିକ ଭାଷା ଜାଣିବା ବାଞ୍ଛନୀୟ। ମାଧ୍ୟମିକ ଓ ଉଚ୍ଚପ୍ରାଥମିକ ସ୍ତରରେ ଏହା ଉପରେ ଗୁରୁତ୍ବାରୋପ କରିବା ଦରକାର। ଉଚ୍ଚମାଧ୍ୟମିକ ସ୍ତରରେ ସାହିତ୍ୟ, ଦର୍ଶନ, ଅର୍ଥନୀତି, ଇତିହାସ, ରାଜନୀତି, ବିଜ୍ଞାନାଦି ବିଷୟ ପଢ଼ାଯିବାର ବ୍ୟବସ୍ଥା ରହିବା ଦରକାର, କାରଣ ଏହା ବ୍ୟକ୍ତିକୁ ମଣିଷ ସମାଜ ବିଷୟରେ ସମ୍ୟକ ଧାରଣା ଦିଏ।
ଶିକ୍ଷା ବ୍ୟବସ୍ଥା ଛାତ୍ରଛାତ୍ରୀଙ୍କ ମନରେ ରହସ୍ୟ ଜାଣିବାର ସ୍ପୃହା ସୃଷ୍ଟି କରିବା ନିମନ୍ତେ ଉଦ୍ଦିଷ୍ଟ। କିଶୋରମାନଙ୍କର ଉଦାର ଓ ମାନବିକତାପୂର୍ଣ୍ଣ ବ୍ୟକ୍ତିତ୍ବ ସୃଷ୍ଟି କରିବାକୁ ଶିକ୍ଷକମାନେ ଚେଷ୍ଟା କରିବା ଉଚିତ୍‌। ଶିଶୁଟି ଯେପରି ମନଧ୍ୟାନ ଦେଇ ଖେଳେ ସେହିପରି ଉଚ୍ଚଶିକ୍ଷା ଓ ଗବେଷଣା କ୍ଷେତ୍ରରେ ମନଯୋଗ ଦେଇ ଅଧ୍ୟୟନ କଲେ ଜଣେ ବିଶେଷଜ୍ଞ ​‌େହ‌ାଇପାରିବ। ବିଶ୍ବବିଦ୍ୟାଳୟ ଏଥିପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିବା ବିଧେୟ । ହ୍ବାଇଟ୍‌ହେଡ୍‌ଙ୍କ ମତରେ, ବିଶ୍ବବିଦ୍ୟାଳୟ ତରୁଣ ଓ ବୟସ୍କଙ୍କୁ ଜ୍ଞାନ ଡୋରିରେ ବାନ୍ଧି ରଖିବାକୁ ଚେଷ୍ଟା କରିବା ଉଚିତ। କଳ୍ପନା ବିଷୟବସ୍ତୁଠାରୁ ଛିନ୍ନ ହେବା ଉଚିତ ନୁହେଁ।
ଆଧୁନିକ ବିଶ୍ବବିଦ୍ୟାଳୟ:-
୧୮୫୭ରେ କଲିକତା ବିଶ୍ବବିଦ୍ୟାଳୟ ସ୍ଥାପିତ ହେଲା, ଏହାହିଁ ଭାରତର ବିଶ୍ବବିଦ୍ୟାଳୟର ଶୁଭାରମ୍ଭ। ୧୮୧୭ରେ କଲିକତାର ପ୍ରେସିଡେନ୍ସି କଲେଜ ଓ ଗୌହାଟିର କଟନ କଲେଜ ଭାରତର ପ୍ରଥମ କଲେଜ। ଏହି କଲେଜ ଭାରତର ପରମ୍ପରାଗତ ଶିକ୍ଷା ସହ ଆଧୁନିକ ଶିକ୍ଷାର ସମନ୍ବୟ ଘଟାଇଲା। ଧର୍ମ, ବିଜ୍ଞାନ, ସ୍ତ୍ରୀ ଶିକ୍ଷାର ସୂତ୍ରପାତ ହେଲା ଏହି କଲେଜ ଦ୍ବାରା। ପାଶ୍ଚାତ୍ୟ ଶିକ୍ଷାର ପ୍ରବର୍ତ୍ତନ ଆମଦେଶରେ ନବଜାଗରଣ ଆଣିଦେଇଥିଲା।
ଦ୍ବିତୀୟ ମହାଯୁଦ୍ଧପରେ ବିଶ୍ବବିଦ୍ୟାଳୟ ଶିକ୍ଷାର ଦ୍ରୁତ ପ୍ରସାର ଘଟିଥିଲା, ଯୁକ୍ତରାଷ୍ଟ୍ର ଆମେରିକା ଏହାର ନେତୃତ୍ବ ନେଇଥିଲା। ଜାତିଧର୍ମ ନିର୍ବିଶେଷରେ ସମସ୍ତଙ୍କ ପାଇଁ ଶିକ୍ଷା ଉନ୍ମୁକ୍ତ ହେଲା। ୧୯୪୮ର ଘୋଷଣା କରାଯାଇଥିଲା ଶିକ୍ଷାପ୍ରାପ୍ତିର ଅଧିକାର ସମସ୍ତଙ୍କର। ସଂପ୍ରତି ଆବଶ୍ୟକ ହେଉଛି ସମସ୍ତଙ୍କ ନିକଟରେ ଶିକ୍ଷା ପହଞ୍ଚାଇବା ସହିତ ଶିକ୍ଷାର ମାନ ବୃଦ୍ଧି କରିବା।
ଶିକ୍ଷକର ସଫଳ ପ୍ରଚେଷ୍ଟା ହେଉଛି ତାଙ୍କର ଅଭିବ୍ୟକ୍ତି ଲିଖିତ ଆକାରରେ ଛାତ୍ରଙ୍କୁ ଦେବା ଏବଂ ତାଙ୍କସହ ସକ୍ରେଟିସ୍‌ଙ୍କ ପରି ପ୍ରଶ୍ନୋତ୍ତର କରିବା। ଛାତ୍ରମାନେ ତାଙ୍କର ମତ ପ୍ରକାଶ କରିବାକୁ ପୂର୍ଣ୍ଣ ସୁଯୋଗ ପାଇବା ଉଚିତ। ଆଇନଷ୍ଟାଇନ୍‌ଙ୍କ ମତରେ ଛାତ୍ରମାନେ ଜ୍ଞାନଅର୍ଜନ ସହିତ ମୂଲ୍ୟବୋଧ ଆହରଣ କରିବା ଆବଶ୍ୟକ। ଶିକ୍ଷାଦାନ ଏକ ଅମୂଲ୍ୟ ଉପହାର ବୋଲି ଛାତ୍ରମାନେ ଭାବିବା ଦରକାର।
ଭାରତର ବିଶ୍ବବିଦ୍ୟାଳୟମାନେ ଏହି ଲକ୍ଷ୍ୟ ପୂରଣ କରୁଛନ୍ତି କି? ଆମ ଶିକ୍ଷା ପ୍ରସାର କେତେଦୂର ସଫଳ ତାହା ଜାଣିବା ପାଇଁ ମାନବସମ୍ବଳ ବିକାଶ ମନ୍ତ୍ରଣାଳୟ ଓ ୟୁଜିସି କାର୍ଯ୍ୟକଳାପର ମୂଲ୍ୟାୟନ ଦରକାର।
ସଂଖ୍ୟା ଦୃଷ୍ଟିରୁ ଭାରତର ଉଚ୍ଚଶିକ୍ଷାନୁଷ୍ଠାନ ତିନିକୋଟି ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରୁଛି। ଏତେସଂଖ୍ୟକ ଛାତ୍ରଛାତ୍ରୀ ଅଷ୍ଟ୍ରେଲିଆ ସମେତ ୧୫୨ ଦେଶର ଲୋକସଂଖ୍ୟାଠାରୁ ଅଧିକ। ଆନନ୍ଦର କଥା ଅଧୁନା ଦଳିତ, ଆଦିବାସୀ, ମହିଳା- ସମସ୍ତେ ଶିକ୍ଷାଲାଭର ସୁଯୋଗ ପାଉଛନ୍ତି। ଶିକ୍ଷା ସାମାଜିକ ବିପ୍ଳବର କର୍ଣ୍ଣଧାର। ପ୍ରଶ୍ନଉଠେ ଶିକ୍ଷକ ସଂପ୍ରଦାୟ ସେମାନଙ୍କ କର୍ତ୍ତବ୍ୟ ସୁଚାରୁ ରୂପେ ସଂପାଦନ କରୁଛନ୍ତି କି? ଛାତ୍ରମାନଙ୍କ ବିଭିନ୍ନ ପ୍ରକାର ଉଚ୍ଚ ଆଶା ପୂରଣ କରିବା ପାଇଁ ସରକାର ଓ ୟୁଜିସି ଉପଯୁକ୍ତ ଶିକ୍ଷକ ଏବଂ ଶିକ୍ଷାପଦ୍ଧତି ଆବିଷ୍କାର କରିବାରେ ସଂପୂର୍ଣ୍ଣ ସଫଳ ହୋଇନାହାନ୍ତି। ଶିକ୍ଷାର ପ୍ରସାର ଯୋଗୁଁ ଉଚ୍ଚଶିକ୍ଷା କ୍ଷେତ୍ରରେ ୨୧ ପ୍ରତିଶତ ଯୁବକ ଛାତ୍ରରୂପେ ଚିହ୍ନିତ। ତଥାପି ଏହା ମଧ୍ୟମ ଆୟ ଦେଶର ୩୦%ଠାରୁ ଏବଂ ଉଚ୍ଚ ଆୟ ବିଶିଷ୍ଟ ଦେଶର ୪୦%ଠାରୁ କମ୍‌। ବୈଷୟିକ ଶିକ୍ଷାନୁଷ୍ଠାନରେ ଏବଂ ଅଣବୈଷୟିକ ମାନବୀୟ ବିଷୟ ଦର୍ଶନ- ଇତିହାସାଦିରେ ଯୋଗ୍ୟ ଶିକ୍ଷକଙ୍କର ଅଭାବ ପରିଲକ୍ଷିତ ହୁଏ। କୋଠାରି କମିସନ ମତାନୁସାରେ ଆମକୁ ଲୋକଙ୍କ ଚାହିଦାନୁସାରେ ଶିକ୍ଷାସଂଯୋଗର ପ୍ରସାରସହିତ ଶିକ୍ଷାର ମାନ ବଜାୟ ରଖିବାକୁ ପଡ଼ିବ। ଶିକ୍ଷା ମାଧ୍ୟମରେ ଆମ ସମ୍ବିଧାନର ଲକ୍ଷ୍ୟ, ସାମାଜିକ ନ୍ୟାୟ, ଆର୍ଥିକ ବିକାଶ, କଳାସ୍ଥାପତ୍ୟର ବିକାଶ ଘଟାଇବାକୁ ହେବ। ଉଚ୍ଚମାନର ଶିକ୍ଷାଦାନ ପାଇଁ ସରକାର ୪୫ଟି କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ସ୍ଥାପନ କରିଛନ୍ତି, ସେମାନଙ୍କ ମଧ୍ୟରେ ସମାନତା ଓ ସହଯୋଗ ରଖିବାକୁ ହେବ।
ଭାଷାପ୍ରଶ୍ନ:
ଉଚ୍ଚଶିକ୍ଷାର ମାଧ୍ୟମ ଏବେ ବହୁଳାଂଶରେ ଇଂରାଜୀ ହୋଇଛି। ସଂପ୍ରତି ଆଞ୍ଚଳିକ ଭାଷା ମାଧ୍ୟମରେ ଶିକ୍ଷାପ୍ରଦାନ ପାଇଁ ଦାବି ଜୋରଦାର ହେଲାଣି। ଲୋକଙ୍କର ଏହ ପ୍ରତ୍ୟାଶା ପୂରଣ ପାଇଁ ସରକାର ଓ ୟୁଜିସି ସମୁଚିତ ପଦକ୍ଷେପ ନେବା ଜରୁରୀ ହେଲାଣି। ବିଭିନ୍ନ ଭାଷାରେ ଉଚ୍ଚଶିକ୍ଷାର ପଦ (ଟର୍ମ) ଗୁଡ଼ିକ ଅନୁଦିତ ହେବାର ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କରାଯିବା ଦରକାର।
ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ମାନ ନିର୍ଦ୍ଧାରଣ: ଏବେ ଅନ୍ତର୍ଜାତୀୟ ସ୍ତରରେ ଆମ ବିଶ୍ବବିଦ୍ୟାଳୟ ପ୍ରଥମ ୨୦୦ଟି ଭିତରେ ନାହିଁ। ସେଥିପାଇଁ ଆମେ ନିନ୍ଦିତ ଅନ୍ତର୍ଜାତୀୟ ଦୃଷ୍ଟିରେ। ତେବେ ରାଙ୍କିଙ୍ଗ୍ ପଛ‌େର ଧାଇଁ ଆମର ଲକ୍ଷ୍ୟକୁ ଦୂରେଇ ଦେବା ଉଚିତ ନୁହେଁ। ହ୍ୟୁମେନିଟିସ, ଇତିହାସ, ଦର୍ଶନାଦି ବିଷୟରେ ଶିକ୍ଷା ଧାରେ ଓ କର୍ମାନୁସାରେ ହୁଏ। ରାଙ୍କ ପାଇବା ପାଇଁ ଅନ୍ୟ ପଦ୍ଧତି ଗ୍ରହଣ ଉଚିତ କି? ଏ ପ୍ରଶ୍ନଉଠେ।
ଆମ ଦେଶର ବିଭିନ୍ନ ଅଞ୍ଚଳ ଉନ୍ନତିର ବିଭିନ୍ନ ସ୍ତରରେ। ସମସ୍ତଙ୍କର ବିକାଶ ପାଇଁ ଆମର ସମ୍ବଳ ଗଣତାନ୍ତ୍ରିକ ପଦ୍ଧତିରେ ବାଣ୍ଟି​‌େ‌ଦବାକୁ ହେବ। ଆନ୍ତର୍ଜାତିକ ରାଙ୍କିଙ୍ଗ ପାଇ ପର୍ଯ୍ୟାପ୍ତ ସମ୍ବଳ ନିର୍ଦିଷ୍ଟ କେତେ ଶିକ୍ଷାନୁଷ୍ଠାନରେ ଖର୍ଚ୍ଚକରି ଅନ୍ୟ ଅନୁଷ୍ଠାନଗୁଡ଼ିକୁ ଅବହେଳା କରିହେବନି।
ସ୍ବାୟତ୍ତଶାସନ ପ୍ରଶ୍ନ: ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ସ୍ବାଧୀନ ଭାବେ କାର୍ଯ୍ୟକରିବାକୁ ୧୯୪୮ରେ ବିଶ୍ବବିଦ୍ୟାଳୟ କମିସନ ଚେୟାରମ୍ୟାନ ସର୍ବପଲ୍ଲୀ ରାଧାକୃଷ୍ଣନ୍‌ ମତ ଦେଇଥିଲେ। ରାଷ୍ଟ୍ର ଶିକ୍ଷାନୁଷ୍ଠାନକୁ ଆର୍ଥିକ ସାହାଯ୍ୟ ଦେବେ, କିନ୍ତୁୁ ଶିକ୍ଷାନୀତି- ପାଠ୍ୟକ୍ରମ ନିୟନ୍ତ୍ରଣ କରିବା ଅନୁଚିତ। ଅନେକ କ୍ଷେତ୍ରରେ ଶିକ୍ଷାଧିକାରୀମାନେ ମଧ୍ୟ ସରକାରୀ ନିୟନ୍ତ୍ରଣର ସମର୍ଥନ କରିଛନ୍ତି। ଏହା ସୁସ୍ଥ ଗଣତନ୍ତ୍ର ପ୍ରତି ଅନୁକୂଳ ନୁହେଁ।
ଭବିଷ୍ୟତ ପନ୍ଥା: ଭାରତର ବିଶ୍ବବିଦ୍ୟାଳୟର ବିସ୍ତାର ଖୁବ୍‌ ବଡ଼। ଦେଶରେ ୪୫ଟି କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଏବଂ ୩୨୧ଟି ରାଜ୍ୟସରକାର ସ୍ଥାପିତ ବିଶ୍ବବିଦ୍ୟାଳୟ ଏବଂ ୧୮୭ଟି ଘରୋଇ ବିଶ୍ବବିଦ୍ୟାଳୟ ରହିଛି। ଜ୍ଞାନର ନବୀକରଣ ଓ ବିକାଶ ପାଇଁ ବିଶ୍ବବିଦ୍ୟାଳୟ, ଶିକ୍ଷକ ଓ ଛାତ୍ରଙ୍କ ମଧ୍ୟରେ ସହଯୋଗ ଓ ମତ ଆଦାନପ୍ରଦାନ ଅବିରତ ହେବା ବାଞ୍ଛନୀୟ। ଶିକ୍ଷା ହେଉଛି ନିତ୍ୟନୂତନ କଳ୍ପନାଶକ୍ତି ସୃଷ୍ଟିର ଉତ୍ସ ଏବଂ ଏହା ଅଜଣାର ମୁକାବିଲା କରିବା ଶକ୍ତି ପ୍ରଦାନ କରିବାକୁ ସକ୍ଷମ ହେବା ଆବଶ୍ୟକ।
ଦିଲ୍ଲୀ ବିଶ୍ବବିଦ୍ୟାଳୟ ଓ ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟର ପ୍ରଖ୍ୟାତ ୨୦ ଜଣ ପ୍ରଫେସରଙ୍କ ଉପରୋକ୍ତ ମତ ବିଚାର୍ଯ୍ୟ।
ଶେଷକଥା: ଭାରତର ଶିକ୍ଷା କ୍ଷେତ୍ରରେ ପ୍ରସାର ପ୍ରଶଂସନୀୟ। ପ୍ରାଥମିକଠାରୁ ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ ଶିକ୍ଷାର ବ୍ୟାପ୍ତି ଦେଶର ଉନ୍ନତିରେ ନିଶ୍ଚିତଭାବେ ସହାୟକ ହୋଇଛି, ତଥାପି ଶିକ୍ଷାକ୍ଷେତ୍ରରେ ଆମକୁ ଆହୁରି ଆଗେଇବାକୁ ପଡ଼ିବ। ସମସ୍ତଙ୍କର ସହଯୋଗ ତ କାମ୍ୟ। ଅଧିକ କାମ୍ୟ ହେଉଛି ଶିକ୍ଷାଦାନରେ ଶିକ୍ଷକମାନଙ୍କର ଆନ୍ତରିକ ନିଷ୍ଠା, ଶିକ୍ଷାକୁ ବୃତ୍ତିରୂପେ ନନେଇ ଏକ ପ୍ରବୃତ୍ତିରୂପେ ନେବା।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories