ସର୍ବୋଚ୍ଚ ସ୍ତରରେ ଦୁର୍ନୀତି

0

ବିପିନ ବିହାରୀ ମିଶ୍ର

ଯେ କୌଣସି ଦେଶରେ ଦୁର୍ଭିକ୍ଷ, ବାତ୍ୟା, ବନ୍ୟା, ଭୂମିକମ୍ପ, କ୍ୟାନସର, ମଧୁମେହରୋଗ ଯେତିକି କ୍ଷତି ଘଟାଏ ତା’ଠାରୁ ଅଧିକ କ୍ଷତି କରେ ଦୁର୍ନୀତି। ଦୁର୍ନୀତି ହେଉଛି ଦେଶବିରୋଧୀ, କାରଣ ଅନେକ ଟଙ୍କା ବିଦେଶକୁ ଚାଲିଯାଏ। ଦୁର୍ନୀତି ହେଉଛି ଗରିବବିରୋଧୀ (ବିଶେଷତଃ ଜନମଙ୍ଗଳ ରାଜ୍ୟରେ) ଯେହେତୁ ଲୋକକଲ୍ୟାଣ ଯୋଜନାର ସମସ୍ତ ଅର୍ଥ କିମ୍ବା ସୁଫଳ ଲୋକଙ୍କ ପାଖରେ ପହଞ୍ଚେ ନାହିଁ। ଶହେ ଟଙ୍କାରୁ ମାତ୍ର ପନ୍ଦର ଟଙ୍କା ପହ​‌େ​‌ଞ୍ଚ ବୋଲି ଭୂତପୂର୍ବ ପ୍ରଧାନମନ୍ତ୍ରୀ ସ୍ବର୍ଗତ ରାଜୀବ ଗାନ୍ଧୀ ସ୍ବୀକାର କରିଥିଲେ। ଯେହେତୁ କୌଣସି ଯୋଜନା କିମ୍ବା କାର୍ଯ୍ୟକ୍ରମ ଶତକଡ଼ା ଶହେ ଲକ୍ଷ୍ୟ ହାସଲ କରି ହୁଏନାହିଁ ତେଣୁ ଦୁର୍ନୀତି ହେଉଛି ପ୍ରଗତି-ବିରୋଧୀ। ହିସାବ କରାଯାଏ ଯେ ଯଦି ଆମ ଦେଶରେ ଦୁର୍ନୀତି ରହିବ ନାହିଁ ତେବେ ଅଭିବୃଦ୍ଧି ହାର ଶତକଡ଼ା ୧ କିମ୍ବା ୨ ଅଧିକ ହୁଅନ୍ତା, କିନ୍ତୁ ଦୁର୍ନୀତି ଅଛି, ଅତୀତରେ ଥିଲା ଓ ଭବିଷ୍ୟତରେ ରହିବ। ପରିମାଣ କମିପାରେ। ଦୁର୍ନୀତିର ମୂଳୋତ୍ପାଟନ କରିବା କଷ୍ଟ। ତଳସ୍ତରରେ ଦୁର୍ନୀତି ରହିଛି। ଏପରିକି ଚାଣକ୍ୟଙ୍କ ସମୟରେ ଥିଲା। ଭାରତର ଶ୍ରେଷ୍ଠ ବୁଦ୍ଧିଜୀବୀ ଚାଣକ୍ୟ ହତାଶ ହୋଇ କହିଥିଲେ ‘ଯେଭଳି ମାଛର ପାଣିପିଇବା ବନ୍ଦ କରାଯାଇପାରିବ ନାହିଁ ସେହିପରି ରାଜକର୍ମଚାରୀଙ୍କର ଦୁର୍ନୀତି ସଂପୂର୍ଣ୍ଣ ଭାବେ ବନ୍ଦ କରାଯାଇ ପାରିବ ନାହିଁ। ମାଛ ପାଣି ପିଅନ୍ତୁ, କିନ୍ତୁ ପୋଖରୀକୁ ଶୁଖେଇ ଦିଅନ୍ତୁୁ ନାହିଁ।’
ଦୁର୍ନୀତିର ଭୟାବହ ପରିଣାମ ସମସ୍ତେ ଜାଣନ୍ତି। ଏହା ଅତି ଭୟଙ୍କର ହୋଇଉଠେ ଯଦି ସର୍ବୋଚ୍ଚ ସ୍ଥାନରେ ଦୁର୍ନୀତି ହୁଏ। ଯଦି ଦେଶର ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ଓ ପ୍ରଦେଶର ରାଜ୍ୟପାଳ କିମ୍ବା ମୁଖ୍ୟମନ୍ତ୍ରୀ ଦୁର୍ନୀତିଗ୍ରସ୍ତ ହେବେ ଏଥିରୁ ନାହିଁ ବଡ଼ ବିପତ୍ତି। ଦୁର୍ଭାଗ୍ୟର କଥା ଯେ ଏମାନଙ୍କ ମଧ୍ୟରୁ ଅନେକ ଦୁର୍ନୀତିଗ୍ରସ୍ତ। କେତେକ ଧରାପଡ଼ୁଛନ୍ତି, କେତେକ ଖସି ଯାଉଛନ୍ତି। ନିକଟରେ ପାକିସ୍ତାନର ଭୂତପୂର୍ବ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍‌, ତାଙ୍କ ଝିଅ ଓ ଜ୍ବାଇଁଙ୍କୁ କାରାଦଣ୍ଡ ଦିଆଯାଇଛି। ତାଙ୍କୁ ପୂର୍ବରୁ ସୁପ୍ରିମକୋର୍ଟ ଚିରଦିନ ପାଇଁ ରାଜନୀତିରୁ ବାସନ୍ଦ କରିଥିଲା। ତାଙ୍କର ଲଣ୍ଡନରେ ବହୁ ସମ୍ପତ୍ତି ଅଛି। ଏଇ ଅଳ୍ପ କେତେଦିନ ପୂର୍ବରୁ ମାଲେସିଆର ନିକଟରେ ନିର୍ବାଚନରେ ପରାଜିତ ହୋଇଥିବା ପ୍ରଧାନମନ୍ତ୍ରୀ ନଜିନ୍‌ଙ୍କୁ ପୁଲିସ ଖୋଜି ବାହାର କଲା ଓ ସେ ବର୍ତ୍ତମାନ ଜେଲରେ। ତାଙ୍କ ନାଁରେ ହଜାରହଜାର କୋଟି ଟଙ୍କାର ସମ୍ପତ୍ତି ଠୁଳ କରିଥିବାର ନଜିର ଅଛି। ତାଙ୍କ ବିଷୟରେ ମାଲେସିଆର ଖବରକାଗଜ ଦି’ଷ୍ଟାର ଓ ଟାଇମ୍‌ସ ନାଓ ରେ ବିଶଦ ବିବରଣୀ ବାହାରୁଛି। ପଡ଼ୋଶୀ ରାଜ୍ୟ ଥାଇଲାଣ୍ଡରେ ଏକ ବିସ୍ମୟକର ପରିସ୍ଥିତି ଘଟିଛି। ନିକଟରେ ନିର୍ବାଚିତ ହୋଇଥିବା ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ହେବାରୁ ଖୋଲାଖୋଲି ଭାବରେ ଓ ନିର୍ଭୟରେ ଦୁର୍ନୀତି ବିଭାଗର ମୁଖ୍ୟ ତଦନ୍ତ କରୁଛନ୍ତି ଓ ସେ ନିରପେକ୍ଷ ଭାବେ ତଦନ୍ତ କରିବେ କି ବୋଲି ସାମ୍ବାଦିକମାନେ ପଚାରିବାରୁ ଉତ୍ତରଦେଲେ ‘‘ମୋ ଭକ୍ତି ସରକାରଙ୍କଠାରେ, କୌଣସି ବ୍ୟକ୍ତିବିଶେଷଠାରେ ନୁହେଁ।’’ ଏକଥା ସମସ୍ତ ଗଣତାନ୍ତ୍ରିକ ରାଜ୍ୟର ସବୁ ସରକାରୀ କର୍ମଚାରୀ ଶିଖିବା କଥା। ଭାରତରେ ଆମେ ସରକାରଙ୍କର ଅଧସ୍ତନ ହୋଇସାରି ରାଜନୈତିକ ଦଳର ମଧ୍ୟ ଅଧସ୍ତନ ହୋଇ ରହିଛେ ଓ ହାତମିଳା ଦୁର୍ନୀତି ଖୁବ୍‌ ଚାଲିଛି। ଯେଉଁଦିନ ଲୋକଙ୍କର ଆଖି, କାନ ଓ ପାଟି ଫିଟିବ ଓ ସରକାରୀ କର୍ମଚାରୀ, ବ୍ୟକ୍ତିବିଶେଷ ଅପେକ୍ଷା ଆଇନକୁ ବେଶ୍‌ ସମ୍ମାନ ଦେବେ ସେଦିନ ଏ ଦେଶ ସୁବର୍ଣ୍ଣ ଭୂମି ହୋଇଯିବ।
ଦକ୍ଷିଣ କୋରିଆର ଭୂତପୂର୍ବ ରାଷ୍ଟ୍ରପତି (ସେ ଦେଶରେ ରାଷ୍ଟ୍ରପତି ସର୍ବେସର୍ବା) ପାର୍କଗାଇନେଙ୍କୁ ଦୁର୍ନୀତି ଅଭିଯୋଗରେ ପ୍ରଥମେ ପଦଚ୍ୟୁତ କରାଗଲା ଓ ତାଙ୍କର ବିଚାର ଚାଲିଛି। ଆମେରିକାରେ ଅନେକ ରାଜ୍ୟପାଳ ଓ ମେୟର ଦୁର୍ନୀତି ଅଭିଯୋଗରେ ଜେଲ୍‌ ଯାଇଛନ୍ତି। ନିକାରାଗୁଆ (ମଧ୍ୟଆମେରିକା) ଏକ ଗରିବ ଦେଶ। ସେ ଦେଶର ରାଷ୍ଟ୍ରପତି ଥିଲେ (୧୯୯୭-୨୦୦୨) ଆର୍ନଲଡୋ ଆଲେମନ। ସେ ପାଞ୍ଚ ବର୍ଷ କ୍ଷମତାରେ ରହିବା ମଧ୍ୟରେ ପ୍ରାୟ ହଜାରେ କୋଟି ଟଙ୍କାର ସମ୍ପତ୍ତି ଅର୍ଜନ କରି ବିଦେଶରେ ରଖିଲେ। ତାଙ୍କୁ ୨୦ ବର୍ଷ ଜେଲ୍‌ ହୋଇଗଲା। ପେରୁର ରାଷ୍ଟ୍ରପତି ପୁଞ୍ଜିମୋରୀ ଦଶବର୍ଷ ଶାସନ କଲେ ଓ ପାଞ୍ଚହଜାର କୋଟି ଟଙ୍କାର ସଂପତ୍ତି ଅର୍ଜନ କରି ୨୧ ବର୍ଷ ଜେଲଦଣ୍ଡ ଭୋଗୁଛନ୍ତି। ସର୍ବିଆର ରାଷ୍ଟ୍ରପତି ମିଲୋସେଭିକ୍‌ ଅତି କମ୍‌ରେ ଦଶହଜାର କୋଟି ଅର୍ଜନ କଲେ ଓ କୋଇଲି ବିଭିନ୍ନ ବସାରେ ଅଣ୍ଡା ଦେବାପରି ବାରଟି ବିଦେଶ ରାଷ୍ଟ୍ରରେ ବେନାମି ସମ୍ପତ୍ତି ରଖିଲେ। ତାଙ୍କର ବିଚାର ଚାଲିଥିବାବେଳେ ସେ ମରିଗଲେ, ତେଣୁ ତରିଗଲେ। ଏ ସମସ୍ତଙ୍କଠାରୁ ଅତି ଭୟଙ୍କର ଥିଲେ ଟ୍ୟୁନିସିଆର ରାଷ୍ଟ୍ରପତି ବେନ୍‌ ଅଲ୍ଲୀ (୧୯୮୭-୨୦୧୧)। ସବୁଠାରୁ ବଡ଼ ଲୁଣ୍ଠନକାରୀ ଏହି ଭଦ୍ରଲୋକ ପ୍ରାୟ ଦୁଇଲକ୍ଷ କୋଟି ଟଙ୍କା ଅର୍ଜନ କରି ସାଉଦିଆରବ ପଳାଇଲେ। ତାଙ୍କଠାରୁ ଜବତ ହୋଇଥିବା ସମ୍ପତ୍ତି ମଧ୍ୟରେ ୫୫୦ଟି ଜମି, ୪୮ମୋଟର ଲଞ୍ଚ, ୪୦୦ ଛୋଟ ବଡ଼ ଶିଳ୍ପ ଏବଂ ଅନେକ ସେୟାର। ତାଙ୍କୁ ସାଉଦି ଆରବ ଆଶ୍ରୟ ଦେଲା। ପଳାତକ, ବିଶେଷତଃ ଦୁର୍ନୀତିଗସ୍ତଙ୍କୁ ଆଶ୍ରୟ ଦେବାରେ ସାଉଦିଆରବ ବଡ଼ ଉଦାର। ବେନ ଅଲ୍ଲୀଙ୍କ ଅନୁପସ୍ଥିତିରେ ତାଙ୍କୁ ୩୫ ବର୍ଷ ଜେଲଦଣ୍ଡ ଦିଆଯାଇଛି। ଏହି ଚତୁର ଲୋକ ସାଉଦିଆରବ ବ୍ୟାଙ୍କରେ ବହୁତ ଟଙ୍କା ରଖିଛନ୍ତି ଓ ଗଲାବେଳେ ଦେଢ଼ଟନ୍‌ ସୁନା ନେଇ ଯାଇଛନ୍ତି। ତାଙ୍କ ଦେଶର ସମୁଦାୟ ଆୟ ଯେତିକି ବେନ୍‌ ଅଲ୍ଲୀଙ୍କର ଆୟ ତାହାର ଏକ ଚତୁର୍ଥାଂଶ।
କଙ୍ଗୋର ମବୁଟୁ ରହିଲେ ୧୯୬୫ ରୁ ୯୭ ପର୍ଯ୍ୟନ୍ତ। ଶାସନରେ ବିଖ୍ୟାତ ସ୍ବାଧୀନତା ସଂଗ୍ରାମୀ ପାଟ୍ରିସ ଲୁମୁମ୍ବାଙ୍କୁ କାନସେସ୍‌ ସହରରେ ହାତକଡ଼ି ପକେଇ ଟ୍ରକ ପଛଆଡ଼େ ବସେଇ ସହରସାରା ବୁଲେଇ ସାରିବାପରେ ମାରିଦେବାରେ ୟାଙ୍କର ଭୂମିକା ଥିଲା। ପ୍ରାୟ ୫୦ହଜାର କୋଟିଟଙ୍କାର ସମ୍ପତ୍ତି ଅର୍ଜନ କଲେ, କିନ୍ତୁ ଦଇବ ସହିଲା ନାହିଁ। ସେ ମରକ୍କୋ ପଳେଇଲେ ଓ ସେଇଠାରେ ୧୯୯୭ରେ କର୍କଟ​​‌େ​‌​‌ର ମଲେ।
ଫିଲିପାଇନ୍ସର ଭୂତପୂର୍ବ ରାଷ୍ଟ୍ରପତି ପର୍ଡ଼ିନାଣ୍ଡ ମାର୍କସ୍‌ ଯେତିକି ଦୁର୍ନୀତିଗସ୍ତ ସେତିକି ସୌଖୀନପ୍ରିୟ। ୩୧ ବର୍ଷ ଶାସନରେ ରହିବା ପରେ ଚାରିପାଞ୍ଚଲକ୍ଷ କୋଟିଟଙ୍କାର ସମ୍ପତ୍ତି ଅର୍ଜନ କଲେ। ବିଦେଶରେ ଅନେକ ବ୍ୟାଙ୍କରେ ଟଙ୍କା ରଖିଲେ। କେତେକ କମ୍ପାନୀ କିଣିଲେ ଓ ଠିକଣା ସମୟରେ ଦେଶ ଛାଡ଼ି ପଳେଇଗଲେ। ତାଙ୍କ ବାସସ୍ଥାନ ଯାହାକୁ ରାଜବାଟୀ କୁହାଯାଉଥିଲା ସେଥିରୁ ଏକହଜାର ହଳ ଜୋତା, (ତାଙ୍କ ସ୍ତ୍ରୀଙ୍କର) ୮୮୮ହ୍ୟାଣ୍ଡ ବ୍ୟାଗ୍‌, ୭୦ ଦାମିକା କଳାଚଷମା ଓ ୧୦୦ ଉପରେ ବିଭିନ୍ନ ଅତର ମିଳିଲା। ଫିଲିପାଇନ୍ସ ସରକାର ପ୍ରାୟ ଅଧା ସମ୍ପତ୍ତି ଜବତ କରିସାରିଛନ୍ତି। ଏତେ ସମ୍ପତ୍ତି ଅର୍ଜିବା ସତ୍ତ୍ବେ ମାର୍କସ ଇଣ୍ଡୋନେସିଆର ସୁହାର୍ତ୍ତୋଙ୍କ ସହିତ ସମକକ୍ଷ ହୋଇପାରିଲେ ନାହିଁ। ସୁହାର୍ତ୍ତୋ ଜଣେ ଜେ​‌େ​‌ନରାଲ ଥିଲେ ଓ ୧୯୬୭ରୁ ୧୯୯୮ ଶାସନକଲେ। ତାଙ୍କ ସମୟରେ ଦେଶ ବେଶ୍‌ ଆଗେଇଲା; ତାଙ୍କ ଚେଷ୍ଟା ଅପେକ୍ଷା ପେଟ୍ରୋଲ ଓ ଗ୍ୟାସ ମିଳିବାହେତୁ କିନ୍ତୁ ଦେଶ ଆଗେଇବା ସାଙ୍ଗରେ ସେ ବେଶ୍‌ ଆଗେଇଲେ ଓ ସମ୍ପତ୍ତି ଠୁଳ କଲେ ଯାହାର ପରିମାଣ ହେବ ଚାରିପାଞ୍ଚ ଲକ୍ଷ କୋଟି ଟଙ୍କା। ପୃଥିବୀର କୌଣସି ନେତା ଏତେ ସମ୍ପତ୍ତି ଠୁଳ କରିପାରି ନଥିଲେ, କିନ୍ତୁ ଯେତିକି ସମ୍ପତ୍ତି ଜବତ ହେଲା ତାହା ବହୁତ କମ୍‌। ତାଙ୍କ ବିରୋଧରେ ବହୁତ ମାମଲା ହେଲା ଓ ମାମଲା ବିଚାର ଚାଲୁଥିବା ସମୟରେ ସେ ମରିଗଲେ, କିନ୍ତୁ ତାଙ୍କ ପୁଅ ଟମିଙ୍କୁ ପନ୍ଦର ବର୍ଷ ଜେଲ୍‌ ହେଲା।
ଏସବୁ ଦୁର୍ନୀତି ଦେଖିଲେ ଆଖିବୁଜି ହୋଇଯିବ। ସୌଭାଗ୍ୟକୁ ଆମ ଦେଶରେ ସର୍ବୋଚ୍ଚ ସ୍ତରରେ ଦୁର୍ନୀତି ଅଭିଯୋଗ ବହୁତ କମ୍‌ ଓ ଯେଉଁ ଅଭିଯୋଗ ହୋଇଛି ତାହା ପ୍ରମାଣିତ ହୋଇ ନାହିଁ। ରାଜୀବ ଗାନ୍ଧୀଙ୍କ ବିରୋଧରେ ବୋଫର୍ସ ଦୁର୍ନୀତି ଅଣାଯାଇଥିଲା। ଗଲା ୩୦ ବର୍ଷ ହେଲା ସେ କଥା କେବେ କେମିତି ଉଙ୍କି ମାରୁଛି, କିନ୍ତୁ ପ୍ରମାଣ ମିଳୁନାହିଁ। ନରସିଂହ ରାଓଙ୍କ ବିରୋଧରେ ଯେଉଁ ଅଭିଯୋଗ ହୋଇଥିଲା ସେଥିରେ କୌଣସି ପ୍ରମାଣ ନଥିଲା ବୋଲି ସୁପ୍ରିମକୋର୍ଟ ରାୟ ଦେଇଥିଲେ। ଅତୀତରେ କେତେକ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ନାଁରେ ଅଭିଯୋଗ ହୋଇଛି। କଂଗ୍ରେସ ସରକାର ସମୟରେ ସୁରେଶ କାଲମାଡ଼ି, କାନିମୋଝି, ମାରାନ୍‌ ପ୍ରମୁଖଙ୍କ ନାଁରେ ହୋଇଥିବା ଅଭିଯୋଗର ପ୍ରମାଣ ମିଳିଛି। ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଥିବା ଲାଲୁପ୍ରସାଦ ବର୍ତ୍ତମାନ ଜେଲ୍‌ରେ। ତାମିଲନାଡ଼ୁର ବହୁଦିନ ମୁଖ୍ୟମନ୍ତ୍ରୀ ଥିବା ଓ ସ୍ବର୍ଗତ ଜୟଲଳିତା ଓ ତାଙ୍କ ସଙ୍ଗିନୀ ଶଶିକଳାଙ୍କୁ ଭିଜିଲାନ୍ସ ଜଜ୍‌ ଦୋଷୀ ସାବ୍ୟସ୍ତ କଲେ। ହାଇକୋର୍ଟ ଯଥେଷ୍ଟ ପ୍ରମାଣ ନାହିଁ ବୋଲି ଖଲାସ କଲେ, କିନ୍ତୁ ସୁପ୍ରିମକୋର୍ଟ ଦୋଷୀ ବୋଲି ଘୋଷଣା କଲେ। ଜୟଲଳିତାଙ୍କୁ ୧୦୦କୋଟି ଟଙ୍କା ଜୋରିମାନା ଆଦେଶ ଦିଆଯାଇଥିଲା।
ଆମଦେଶରେ ଦୁର୍ନୀତି ହେଲେ ଦୁଇପ୍ରକାର ସ୍ବର ଶୁଣାଯାଏ ଯଥା- ‘ଖାଇଗଲା’- ‘ଧରଧର’ ଓ ‘ଭଲ ହେଲା’ ‘ବିଚରାକୁ ଫସେଇ ଦିଆଗଲା।’ ଜୟଲଳିତା ଓ ଲାଲୁଙ୍କ କ୍ଷେତ୍ରରେ ସେଇଆ ହୋଇଛି। ଜୟଲଳିତାଙ୍କ ମୂର୍ତ୍ତିର ପାଦରେ ହଜାରହଜାର ଲୋକ ମୁଣ୍ଡିଆ ମାରୁଛନ୍ତି। ଲାଲୁଙ୍କର ସମର୍ଥକଙ୍କ ସଂଖ୍ୟା ବଢ଼ୁଛି। ଜେଲ୍‌ଗଲେ ସହାନୁଭୂତି ନିଶ୍ଚୟ ବଢ଼ିବ ଓ ସେଥିପାଇଁ ପାକିସ୍ତାନର ନୱାଜ ସରିଫ୍‌ ପାକିସ୍ତାନ ଫେରି ଜେଲ ଯିବାପାଇଁ ଉଚିତ ମଣିଲେ।
ଆମ ଭାଗ୍ୟ ଭଲ ଯେ ବର୍ତ୍ତମାନର କେନ୍ଦ୍ରସରକାରଙ୍କ କୌଣସି ସଦସ୍ୟଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ହୋଇନାହିଁ। ଅନେକ ମୁଖ୍ୟମନ୍ତ୍ରୀ (ନବୀନ ପଟ୍ଟନାୟକ, ମମତା ବାନାର୍ଜୀ)ଙ୍କ ବିରୋଧରେ ମଧ୍ୟ ଦୁର୍ନୀତି ଅଭିଯୋଗ ନାହିଁ। ତେବେ ଉପର ସ୍ତରର ସଚ୍ଚୋଟତା ତଳେ ପରିଲକ୍ଷିତ ହେଉନାହିଁ। ଏବେ ଜଣେ ଆରଟିଓଙ୍କ ଘରୁ ପ୍ରାୟ ୪କୋଟି ଟଙ୍କାର ସମ୍ପତ୍ତି ମିଳିଛି ବୋଲି ଖବରକାଗଜରେ ପ୍ରକାଶ ପାଇଛି । ଯେକୌଣସି ଆଦେଶଟିଏ ପାଇବାକୁହେଲେ ପି.ସି.ଦେବାକୁ ପଡ଼ୁଛି। ପୂର୍ବେ ପିସିକୁ କୁହାଯାଉଥିଲା ପର୍ସେଣ୍ଟେଜ୍‌; ଏବେ ସମ୍ମାନଜନକ ବ୍ୟାଖ୍ୟା କରାଯାଉଛି ପ୍ରୋସେସିଂ ଚାର୍ଜେସ୍‌। ଢଳକ୍ଷେତ୍ରରେ ଦୁର୍ନୀତିରେ ଗରିବଲୋକ ବେଶୀ କ୍ଷତିଗ୍ରସ୍ତ ହୁଅନ୍ତି, ତେଣୁ ସରକାରଙ୍କର ଧରପଗଡ଼ ପ୍ରକ୍ରିୟାକୁ ବିନା ବାଛବିଚାରରେ ଅଧିକ ସକ୍ରିୟ କରାଯାଉ।

Leave A Reply