ଦ୍ବିତୀୟ କୋଣାର୍କ ନିର୍ମାଣ: ଏକ ବିଚାର
ପଞ୍ଚାନନ କାନୁନ୍ଗୋ
ବ୍ୟକ୍ତିଗତ ଉଦ୍ୟମରେ ଦ୍ୱିତୀୟ କୋଣାର୍କ ମନ୍ଦିର ନିର୍ମାଣର ପ୍ରସ୍ତାବ ଆସିବା ପରଠାରୁ ଏହାକୁ ନେଇ ଅନେକ ସପକ୍ଷ-ବିପକ୍ଷ ବିଚାର ସାମନାକୁ ଆସିବାରେ ଲାଗିଛି। ଅବଶ୍ୟ ଏପରି ବିତର୍କ ସ୍ୱାଗତଯୋଗ୍ୟ। କୌଣସି ଏକ ସାଧାରଣ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ସେ ସଂପର୍କରେ ବିସ୍ତୃତ ଆଲୋଚନା ହୋଇଯିବା ଅତ୍ୟନ୍ତ ଶୁଭଙ୍କର। ମାତ୍ର କୌଣସି ନକାରାତ୍ମକଭାବ ନେଇ ସମାଲୋଚନା ଅପେକ୍ଷା, କାର୍ଯ୍ୟର ଉପକାରିତା-ଅପକାରିତା ବା ସଂଭାବ୍ୟ ସଂକଟ ସବୁର ଆଲୋଚନା ହେବା ଦରକାର।
ଅନ୍ୟ ଏକ କୋଣାର୍କ ମନ୍ଦିର ନିର୍ମାଣ କରିବା ନିମନ୍ତେ ଦେଶର ବିଶିଷ୍ଟ ପଥର ଶିଳ୍ପୀ ଓ ରାଜ୍ୟସଭାକୁ ରାଷ୍ଟ୍ରପତିଙ୍କ ମନୋନୀତ ସଦସ୍ୟ ରଘୁନାଥ ମହାପାତ୍ର ପ୍ରକାଶ କରିଛନ୍ତି। ସେଥିପାଇଁ ସତ୍ୟବାଦୀ ନିକଟରେ ଜମି ଅଧିଗ୍ରହଣ କରିସାରିଥିବା ସର୍ବସାଧାରଣରେ ପ୍ରକାଶ କରିଛନ୍ତି। ସେ ରାଜା ମହାରାଜା କିମ୍ବା ଅତ୍ୟନ୍ତ ବିତ୍ତଶାଳୀ କର୍ପୋରେଟ ହାଉସର ଅଧିକାରୀ ନୁହନ୍ତି ଅବା ମୂଳ କୋଣାର୍କ ମନ୍ଦିର ନିର୍ମାଣ କରିବାର ଗଙ୍ଗବଂଶୀ ରାଜାମାନଙ୍କ ପରି ପ୍ରତିପତ୍ତି ଥାଇ ବାରବର୍ଷର ରାଜକୋଷ ଖର୍ଚ୍ଚ କରିବାର କ୍ଷମତା ତାଙ୍କ ପାଖରେ ନାହିଁ। ତାଙ୍କ ପାଖରେ ହୁଏତ ଅଛି ଭାଇବିରାଦର ଅଗଣିତ ଓଡ଼ିଆ ସ୍ଥପତିମାନଙ୍କ ସମର୍ଥନ ଓ ଖୁବ୍ ଗୋଟିଏ ବଡ଼ ଇଚ୍ଛାଶକ୍ତି। ଏପରି ଇଚ୍ଛାଶକ୍ତି ପଛରେ ଏକଜୁଟ୍ ହେବା ପରିବର୍ତ୍ତେ ଏ କଥାକୁ ନେଇ ଅନେକ ବାଦ ବିସମ୍ବାଦ ଦେଖିବାକୁ ମିଳୁଛି। ରାଜ୍ୟ ରାଜକୋଷ ନହେଉ ଅବା କେନ୍ଦ୍ରୀୟ ରାଜକୋଷ ନ ହେଉ, ଦେଶର ଧନୀମାନଙ୍କ ‘ଅର୍ଥଦାନ ତାଙ୍କର ଈପ୍ସିତ ପାଞ୍ଚଶହ କୋଟି ଅବା ତଦୂର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ଅଟକଳ ପୂରଣ କରିବାର ସମ୍ଭାବନା ଅଛି। ଏଥିରେ କିଛି ସାହାଯ୍ୟ ସହଯୋଗ ରାଜ୍ୟ ଓ କେନ୍ଦ୍ର ସରକାର କଲେ ଉତ୍ତମ କାର୍ଯ୍ୟବୋଲି ବିବେଚନା ହେବ ା ରାଜ୍ୟରେ ଥିବା ବଡ଼ ବ୍ୟବସାୟୀ, ପ୍ରତିଷ୍ଠାନ, ଶିଳ୍ପସାମ୍ରାଜ୍ୟ ସହଯୋଗର ହାତ ବଢ଼ାଇଲେ କାର୍ଯ୍ୟଟି ଅଧିକ ସହଜ ହେବ। ଐତିହାସିକ କୃପାସିନ୍ଧୁ ମିଶ୍ରଙ୍କ ଏକଦା ମତ ଥିଲା ଯେ କୋଣାର୍କ ମନ୍ଦିରର ଭଗ୍ନାବଶେଷ ବର୍ତ୍ତମାନ ରହିଅଛି। ମନ୍ଦିରଟି ପୂର୍ଣ୍ଣ ଅବସ୍ଥାରେ ଥିଲେ ନିଶ୍ଚୟ ଅଧିକ ଚିତ୍ତାକର୍ଷକ ହୋଇଥାନ୍ତା। ଓଡ଼ିଶାର ସବୁ ମନ୍ଦିର ମଧ୍ୟରେ ଏହା ବୃହତ୍ତମ ଥିଲା। ଆବୁଲ ଫାଜଲଙ୍କ ବିବରଣୀ ଏ ସଂପର୍କରେ ଚମତ୍କାର ତଥ୍ୟ ପ୍ରଦାନ କରିଥାଏ।
ଏହା ପଛରେ ସଂକୀର୍ଣ୍ଣ ଧାର୍ମିକ ଚିନ୍ତା ଆଦୌ ନାହିଁ। ସ୍ଥାପତ୍ୟର ପରାକାଷ୍ଠା ପୁନଃ ପ୍ରତିପାଦିତ କରିବା ହେଉଛି ମୂଳ ଉଦ୍ଦେଶ୍ୟ ା ରାଜ୍ୟର ହୃତ ଗୌରବର ପୁନଃଉଦ୍ଧାର ନିମନ୍ତେ ପ୍ରୟାସ। ମୂଳ କୋଣାର୍କ ନିର୍ମାଣ ବେଳର ସୂର୍ଯ୍ୟ ଉପାସନା ଅର୍କକ୍ଷେତ୍ରର ଧାର୍ମିକ ଚିନ୍ତାରେ ପ୍ରାଧାନ୍ୟ ରଖିଥିଲା ା ଆର୍ଯ୍ୟମାନେ ସୂର୍ଯ୍ୟଙ୍କୁ ଅନ୍ୟତମ ଦେବତାଭାବେ ପୂଜା କରୁଥିଲେ ମଧ୍ୟ ବ୍ରାତ୍ୟଭୂମି ଓଡ଼ିଶାରେ ସୂର୍ଯ୍ୟ ଅଦ୍ୱିତୀୟ ପରମେଶ୍ୱର ଭାବେ ପୂଜା ପାଉଥିଲେ। ଏହାଙ୍କ ଉପାସନା ଅତ୍ୟନ୍ତ ସରଳ ଥିଲା ଏବଂ ସକଳ ଜଗତର ଆତଯାତର ଏକହିଁ କାରଣ ବୋଲି ବିଶ୍ୱାସ ଥିଲା। ଏହି ଅର୍କକ୍ଷେତ୍ରର ମାହାତ୍ମ୍ୟ ଭିତରେ ଏହା କୁଷ୍ଠରୋଗ ନିରାକରଣ ସ୍ଥଳୀଭାବେ ବିଶ୍ୱାସ ସୃଷ୍ଟି କରିଥିଲା। ମୁସଲମାନମାନେ ଏହି ସ୍ଥାନକୁ ପବିତ୍ର ଜ୍ଞାନ କରୁଥିଲେ ା ଗଙ୍ଗବଂଶୀ ଏ ମାଟି ଅଧିକାର କରି ସ୍ଥାୟୀ ରାଜତ୍ୱ କରିବା ସମୟରେ ମାଟିର ଆଧ୍ୟାତ୍ମିକ ଚିନ୍ତାକୁ ସମ୍ମାନଦେଇ କୋଣାର୍କ ମନ୍ଦିର ଓ ଏଥିରେ ମୁଖ୍ୟ ଉପାସନାର ବ୍ୟବସ୍ଥା କରିଥିଲେ ବୋଲି ଅନେକ ଐତିହାସିକ ମନେ କରନ୍ତି। ସୂର୍ଯ୍ୟ ଉପାସନା ବହୁଜନବାଦୀ ଚେତନା ଥିଲା ଯେଉଁଥିପାଇଁ ଏ କ୍ଷେତ୍ରରେ କୌଣସି ଧାର୍ମିକ ପ୍ରତିବନ୍ଧକ ନଥିଲା। ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ଅବା ଏକାମ୍ର କ୍ଷେତ୍ର ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିରପରି ସେବକର କଠୋର ପ୍ରଥା ପ୍ରଚଳନ ପରମ୍ପରା ଏଠାରେ ଦେଖିବାକୁ ମିଳେନାହିଁ। ଏହା ଏକ ଧାର୍ମିକ ପର୍ଯ୍ୟଟନ କ୍ଷେତ୍ର ନ ହୋଇ ମୁକ୍ତ ପର୍ଯ୍ୟଟନ କ୍ଷେତ୍ରରେ ପରିଣତ ହେଲା।
କେବଳ କୋଣାର୍କ ନୁହେଁ, ଓଡ଼ିଶାରେ ମନ୍ଦିର ନିର୍ମାଣରେ ‘ଧାର୍ମିକ ଚେତନା’ ସେତେ ଅଧିକ ଉଗ୍ର ନଥିଲା। ସେଥିରେ ରାଜନୈତିକ ଉଦ୍ଦେଶ୍ୟ ଓ ଅର୍ଥନୈତିକ ଆବଶ୍ୟକତାର ପ୍ରାଧାନ୍ୟ ଥିବା ଲକ୍ଷ୍ୟ କରାଯାଇଥାଏ।
ପ୍ରାଚୀନ ନଗରମାନଙ୍କରେ ଅବା ରାଜଧାନୀ ସନ୍ନିକଟସ୍ଥ ଅଞ୍ଚଳରେ ନିର୍ମାଣ ହେଉଥିବା ମନ୍ଦିର ସବୁରେ ସେ ସମୟର ଅର୍ଥନୈତିକ ବିଚାର ଯୋଡ଼ାହୋଇ ରହିଥିଲା। ଲୋକଙ୍କୁ ରୋଜଗାର ଯୋଗାଇବା କେବଳ ନୁହେଁ, ଏହି ସ୍ଥଳପ୍ରତି ଅନେକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାର ଉଦ୍ଦେଶ୍ୟ ଏହା ପଛରେ ଥିଲା। ଏଥିରେ ଭୂଖଣ୍ଡର ଆୟ ବଢ଼ୁଥିଲା। କ୍ରୟ ବିକ୍ରୟ ବଢ଼ୁଥିଲା। ରାଜାଙ୍କର ମହଦାକାଂକ୍ଷା ସହିତ ଯୋଡ଼ିହୋଇ ରହିଥିଲା ତାଙ୍କର ରାଜନୈତିକ ଉଦ୍ଦେଶ୍ୟ ଓ ରାଜ୍ୟ ଅଭିବୃଦ୍ଧିର ଯୋଜନା। ପରବର୍ତ୍ତୀ ଶାସନ ସୂର୍ଯ୍ୟବଂଶୀ ରାଜତ୍ୱ କାଳରେ କ୍ଷେତ୍ରମାନଙ୍କର ପବିତ୍ରତା ସଂପର୍କରେ ପ୍ରଚାର ଅନେକ ଭାବରେ କରାଗଲା। ରାଜା ପୁରୁଷୋତ୍ତମ ଦେବଙ୍କ କାଞ୍ଚି ଅଭିଯାନ କିମ୍ବଦନ୍ତୀ ସମସ୍ତଙ୍କୁ ଚମତ୍କୃତ କରିଦେଲା। ସାହିତ୍ୟ ମାଧ୍ୟମରେ, ପଣ୍ଡିତମାନଙ୍କ ଯାତାୟାତ ବୃଦ୍ଧି, ଶଂକରାଚାର୍ଯ୍ୟ, ରାମାନୁଜ, ଶ୍ରୀ ଚୈତନ୍ୟ ଆଦିଙ୍କର ଆଗମନ ଓ ଅନେକ ସଂପ୍ରଦାୟର ତୀର୍ଥଯାତ୍ରୀମାନଙ୍କର ଆଗମନ ଫଳରେ, ବିଶେଷତଃ ଭୁବନେଶ୍ୱର ଓ ପୁରୀର ଅର୍ଥନୈତିକ ବିକାଶ ହେଲା। କ୍ଷେତ୍ରର ମାହାତ୍ମ୍ୟ ପ୍ରଚାରିତ ହେଲା। ତୀର୍ଥଯାତ୍ରୀ ଆସୁଥିବା ବାଟରେ ମଧ୍ୟ ସ୍ଥାନୀୟ ବାସିନ୍ଦାଙ୍କର ଆୟପନ୍ଥା ସକ୍ରିୟ ଥିଲା। ଗୋଟିଏ ସମୟରେ ବୌଦ୍ଧ ଶ୍ରମଣମାନଙ୍କର ଆଗମନ ଏ ମାଟିର ଦେବସ୍ଥଳୀକୁ ଚଳଚଞ୍ଚଳ କରିଥିଲା। ତେବେ ପରବର୍ତ୍ତୀ କାଳରେ ବୈଷ୍ଣବ ସଂପ୍ରଦାୟର ଆଗମନ ମଧ୍ୟ ଆର୍ଥିକ ସମୃଦ୍ଧିର ବାଟ ପ୍ରଶସ୍ତ କରିଥିଲା। ଗଙ୍ଗବଂଶୀ ବା ସୂର୍ଯ୍ୟବଂଶୀଙ୍କ ସମୟରେ ସ୍ଥାନର ମାହାତ୍ମ୍ୟ ବଢ଼ାଇବା ସହିତ ଧର୍ମଯାତ୍ରୀ, ତୀର୍ଥଯାତ୍ରୀଙ୍କୁ ଆକୃଷ୍ଟ କରିବାର ବାଟ ଖୋଲିଗଲା। ଖୁବ୍ ଭଲ ରୋଜଗାରର ପନ୍ଥା ଉନ୍ମୋଚିତ ହେଲା।
ପ୍ରତ୍ୟେକ ମନ୍ଦିରକୁ ଏବେ ବି ଲକ୍ଷ୍ୟ କଲେ ଅସଂଖ୍ୟ ସେବକଙ୍କ ନିଯୁକ୍ତି ଓ ରୋଜଗାର ବ୍ୟବସ୍ଥା ଆକଳନ କରାଯାଏ। ଗାଁ’ରେ ଥିବା ଦେବଦେବୀ ହୁଅନ୍ତୁ ଅବା ପ୍ରସିଦ୍ଧ ମନ୍ଦିରମାନଙ୍କରେ ଖଞ୍ଜା ହୋଇଥିବା ସେବକ ହୁଅନ୍ତୁ ମିଶାମିଶି ମୋଟ ଯେ କେତେ ଲକ୍ଷ ହେବେ କଳନା କରିହେବ ନାହିଁ। ଏହି ରୋଜଗାରୀ ବ୍ୟବସ୍ଥା ଭିତରେ କିଛି ଉତ୍ପାଦନମୁଖି ରୋଜଗାର (Productive employment) ଓ ଅଣ ଉତ୍ପାଦନମୁଖୀ (Non-Productive employment) ଯୋଡ଼ି ହୋଇ ରହିଥାଏ। ଉତ୍ପାଦନମୁଖୀ ରୋଜଗାର ଅବସ୍ଥା ଭିତରେ ମାଟିଦୀପ, ମାଟି ଘୋଡ଼ାଠାରୁ ଆରମ୍ଭକରି ବ୍ୟବହୃତ ମାଟିର କୁଡ଼ୁଆ ଆଦି କୁମ୍ଭାରଶ୍ରେଣୀୟ କାରିଗରକୁ ରୋଜଗାର ଯୋଗାଇଥାଏ। କୋଣାର୍କ ବେଢ଼ା ମଧ୍ୟରେ କେତେଗୁଡ଼ିଏ ଲୁହାକଡ଼ି ଦୃଶ୍ୟମାନ ହୁଏ। ସେ ସମୟରେ ଏଠିକାର କାରିଗର ଲୁହାକଡ଼ି ନିର୍ମାଣ କରୁଥିଲା। ଏହାର ପ୍ରମାଣ ଏଠାରେ ରହିଅଛି। ସ୍ଥପତିମାନେ ବ୍ୟବହାର କରୁଥିବା କଡ଼ି, ଜଂଜିର ନିହାଣ ଓ ବିଭିନ୍ନ ପ୍ରକାର ସୂଚୀ ଆଦି କମାରମାନେ ପ୍ରସ୍ତୁତ କରୁଥିଲେ ା ଠାକୁର, ଠାକୁରାଣୀ ମନ୍ଦିରରେ ଦାନ ହେଉଥିବା, ଘଣ୍ଟ, ଘଣ୍ଟା, ଘଣ୍ଟି, ପିତ୍ତଳ ହାଣ୍ଡି, ବା ସାମଗ୍ରୀ, ପିତ୍ତଳ କଂସା ବା ତମ୍ବା ତିଆରି ନାଗ ଆଦି କଂସା-ପିତ୍ତଳ ପ୍ରସ୍ତୁତକାରୀ ରୋଜଗାର ବ୍ୟବସ୍ଥା ରହିଛି। ଠାକୁରଙ୍କ ଲୁଗା, ଶାଢ଼ିଠାରୁ ଛୋଟ ବଳିତା ବିକାଳି ମଧ୍ୟ କିଛି ରୋଜଗାର ପାଇଥାଏ। ଫୁଲ ବିକାଳି ଭୋଗ ପ୍ରସ୍ତୁତକାରୀ ମଧ୍ୟ ଅନ୍ତର୍ଭୁକ୍ତ। ଏପରି ଅନେକ ସ୍ଥାନୀୟ ରୋଜଗାର ବ୍ୟବସ୍ଥା ଏହି ମନ୍ଦିର ବ୍ୟବସ୍ଥା ସହିତ ଯୋଡ଼ିହୋଇ ରହି ଆସିଛି। ଅଣଉତ୍ପାଦନକାରୀ ବ୍ୟବସ୍ଥାଟି ବ୍ରାହ୍ମଣ୍ୟଧର୍ମର ପ୍ରଭାବପରେ ବୃଦ୍ଧି ପାଇଥିଲା। ଏକ ସ୍ୱତନ୍ତ୍ର ଶ୍ରେଣୀ ସେବକଭାବେ ମନ୍ଦିରରେ ଉଭା ହେଲେ ଓ ପୂଜାର୍ଚ୍ଚନା ସହିତ ରାଜା ଜମିଦାରଙ୍କ ପ୍ରଦତ୍ତ ଜମିଜମା ଭୋଗକଲେ। କାଳକ୍ରମେ ଏମାନେ ମୁଖ୍ୟ ବନିଗଲେ। ଏଥିସହିତ ପରବର୍ତ୍ତୀ କାଳରେ ଯାତ୍ରୀମାନଙ୍କର ଦାନଦକ୍ଷିଣାରେ ଜୀବିକା ନିର୍ବାହ କଲେ। ଏମାନଙ୍କୁ ପୂଜକ କୁହାଯାଉ ଅବା ଆଧୁନିକ ପର୍ଯ୍ୟଟନ ବ୍ୟବସ୍ଥାର ସହାୟକ କୁହାଯାଉ, ଗୋଟିଏ ବଡ଼ ଧରଣର ରୋଜଗାର ବ୍ୟବସ୍ଥା ସୃଷ୍ଟି ହୋଇଛି। ବାହାରୁ ଆସୁଥିବା ପର୍ଯ୍ୟଟକମାନଙ୍କର ମୁଖ୍ୟ ଆକର୍ଷଣ ହେଉଛି ସ୍ଥାପତ୍ୟ-କଳା ମନ୍ଦିରମାନଙ୍କରେ ଥିବା ସୂକ୍ଷ୍ମ ପଥର କାରୁକାର୍ଯ୍ୟ ା ଯଦିଓ ଧାର୍ମିକ ସଂପର୍କ ଏଥିସହିତ ଯୋଡ଼ିହୋଇ ରହିଛି। ସାତଶହରୁ ଊର୍ଦ୍ଧ୍ବ ବର୍ଷତଳେ ନିର୍ମିତ ହୋଇଥିବା ମନ୍ଦିରସବୁ ଆଧୁନିକତାର ସ୍ପର୍ଶରେ ମଧ୍ୟଯୁଗୀୟ ଧାର୍ମିକ ବ୍ୟବସ୍ଥା କ୍ରମଶଃ ହରାଇବାରେ ଲାଗିଛି। ମନ୍ଦିରର କାରୁକାର୍ଯ୍ୟ ଦେଖିବାପାଇଁ ଦେଶବିଦେଶରୁ ଅଗଣିତ ପର୍ଯ୍ୟଟକ ପ୍ରତ୍ୟହ ଧାଇଁ ଆସୁଛନ୍ତି। ଧର୍ମସ୍ଥଳୀ ସବୁ ନିଜଗୁଣରେ ପର୍ଯ୍ୟଟନ ସ୍ଥଳୀର କେନ୍ଦ୍ର ପାଲଟିଛି। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି। ରୋଜଗାର ବଢ଼ାଉଛି। ମନ୍ଦିର ସହିତ ଧାର୍ମିକ ଭାବନା ଫିକା ପଡ଼ୁଛି। ଆଧୁନିକ କାଳରେ ରାଜନୈତିକ ଉଦ୍ଦେଶ୍ୟରେ ଜବରଦସ୍ତ ଭାବ ସୃଷ୍ଟି କରାଯାଉଛି, ଯେଉଁଥିପାଇଁ ପୀଠସବୁ ଦ୍ୱନ୍ଦ୍ୱଭିତରକୁ ଠେଲି ହୋଇଯାଉଛି। ତାହା ନକରି ମନ୍ଦିର ସହିତ ଯୋଡ଼ି ହୋଇଥିବା ଆକର୍ଷଣୀୟ ବ୍ୟବସ୍ଥା ସବୁର ଅଧିକ ପ୍ରୟୋଜନୀୟତା ଅଛି ବୋଲି ବିଚାର କରିବାକୁ ହେବ ା ଅମୃତସରର ସ୍ୱର୍ଣ୍ଣମନ୍ଦିରରେ ଥିବା ପବିତ୍ର ପୁଷ୍କରିଣୀ ପରି ବିନ୍ଦୁସାଗର, ମାର୍କଣ୍ଡପୋଖରୀ, ଇନ୍ଦ୍ରଦ୍ୟୁମ୍ନ ପୋଖରୀ, ନରେନ୍ଦ୍ର ପୁଷ୍କରିଣୀ ଆଦିକୁ ଧର୍ମ ମାର୍ଗରେ କାହାଣୀରେ ନ ଯୋଡ଼ି ଆକର୍ଷଣୀୟ ଓ ଉପଯୋଗୀ ଭାବେ ପ୍ରଦର୍ଶିତ କରାଗଲେ ଅନେକ ପର୍ଯ୍ୟଟକ ଆକର୍ଷିତ ହୁଅନ୍ତେ – ଅନେକ ରୋଜଗାର ବଢ଼ନ୍ତା। ଧାର୍ମିକ ପରମ୍ପରା ଉପରେ ସନ୍ଦେହ ଜମାଟ ବାନ୍ଧିଥିଲାବେଳେ ମୁକ୍ତ ଚିନ୍ତନ ନେଇ ସବୁ ମନ୍ଦିର ଚତୁଃପାର୍ଶ୍ବରେ ଅନେକ ଦର୍ଶନାଭିଳାଷୀ ପର୍ଯ୍ୟଟକ ଠୁଳ ହୁଅନ୍ତେ। ଦେଶତମାମ ନୂଆନୂଆ ମନ୍ଦିର ଗଢ଼ି ଉଠୁଛି। ଆମ୍ମା ଭଗବାନଙ୍କ ମାର୍ବଲ ମନ୍ଦିର ଅତ୍ୟନ୍ତ ଆକର୍ଷଣୀୟ। ଦିଲ୍ଲୀ ବା ଅହମ୍ମଦାବାଦର ସ୍ୱାମୀ ନାରାୟଣ ମନ୍ଦିର ଦେଖିବାକୁ ଅନେକ ଭିଡ଼ ଜମୁଛି। ତେବେ ଆଉ ଗୋଟିଏ କୋଣାର୍କ ନିର୍ମିତ ହେଲେ ସ୍ଥାନର ପ୍ରସିଦ୍ଧି ବଢ଼ିବା ସହିତ ଦେଶବିଦେଶର ଅନେକ ପର୍ଯ୍ୟଟକ ଏଠାକୁ ଆସିବେ। ଗୋଟିଏ ମନ୍ଦିର ଧ୍ୱଂସ ହୋଇଯିବା ପୂର୍ବରୁ ଆଉ ଗୋଟିଏ ନୂଆ ମନ୍ଦିର ଛିଡ଼ା ହେବ। ଅବଶ୍ୟ ତାହାର କାରୁକାର୍ଯ୍ୟ ପୂର୍ବ ମନ୍ଦିରର କାରୁକାର୍ଯ୍ୟ ସହିତ ସମତୁଲ୍ୟ ବା ଅଧିକ ଆକର୍ଷଣୀୟ ହେବା ଦରକାର।
ରଘୁନାଥ ମହାପାତ୍ରଙ୍କର ଆଉ ଗୋଟିଏ କୋଣାର୍କ ନିର୍ମାଣ ପ୍ରସ୍ତାବକୁ ନିଶ୍ଚୟ ସ୍ୱାଗତ କରିବା ଦରକାର ଓ ସହଯୋଗ ଦେବା ମଧ୍ୟ ଆବଶ୍ୟକ ମନେହୁଏ। ବର୍ତ୍ତମାନର ମନ୍ଦିରରେ ଲୁହା ଠେସା ଦେଇ, ମରାମତି କରି ଅବା ବାଲିଭରି ଅନେକ କାଳ ବଞ୍ଚାଇ ରଖିହେବ କି ? ବରଂ ସମସ୍ତ କାରୁକାର୍ଯ୍ୟକୁ ଅବିକଳ ନକଲ କରିବାର ସୁଯୋଗ ଥିବାବେଳେ କୋଣାର୍କ ପରି କୋଣାର୍କ ମନ୍ଦିରଟିଏ ଗଢ଼ି ତୋଳିଲେ କାହାର କ’ଣ କ୍ଷତି ହେଉଛି ? ଏକଥା ମନେରଖିବା ଉଚିତ୍ ଯେ ସେ ସମୟର ରାଜାମାନେ ଯାହା ସୃଷ୍ଟି କରିଥିଲେ ତାହାସବୁ ବର୍ଷବର୍ଷ ଧରି ଏ ଜାତିର ଆର୍ଥିକ ସ୍ଥିତିକୁ ସବଳ କରି ରଖିବାରେ ସହାୟକ ହୋଇଛି। ସେ ସମୟରେ ହୋଇଥିବା ଖର୍ଚ୍ଚର କେତେଗୁଣ କଡ଼ାଗଣ୍ଡା କରି ରାଜକୋଷକୁ ଫେରେଇ ଦେଲାଣି। ସ୍ଥପତି ବଂଚିବେ। ଜାତିର ସମ୍ମାନ ପୁନଃ ପ୍ରତିଷ୍ଠା ହେବ। ରାଜ୍ୟ ରାଜ୍ୟବାସୀଙ୍କର ଆୟ ବଢ଼ିବ। କ୍ଷତି କାହାର ହେବ କି ?