ନଦୀରୁ ଚୂଆ ଖୋଳି ପାଣି ସଂଗ୍ରହ କରୁଛନ୍ତି ଗ୍ରାମବାସୀ

ତିରଡ ଗାଁରେ ପିଇବା ପାଣି ସମସ୍ୟା ଉତ୍କଟ

ହରଭଙ୍ଗା : ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଢହ ଢହ ଖରାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଲାଣି। ଖରା ସାଙ୍ଗକୁ ଅଧିକାଂଶ ଗାଁରେ ପାନୀୟ ଜଳର ଉତ୍କଟ ସମସ୍ୟା ସାଧାରଣ ଲୋକଙ୍କ ଜନଜୀବନକୁ ବହୁମାତ୍ରାରେ ପ୍ରଭାବିତ କଲାଣି ।କୂଅ, ନଳକୂପ, ପୋଖରୀ, ନଦୀ, ନାଳ ଭଳି ଜଳ ଉତ୍ସଗୁଡିକରୁ ଜଳପତ୍ତନ ହ୍ରାସ ଯୋଗୁଁ ପ୍ରାୟତଃ ସବୁ ସ୍ଥାନରେ ପିଇବା ପାଣି ସମସ୍ୟା ମୁଣ୍ଡ ଟେକିଛି । ସରକାର ଲୋକଙ୍କୁ ପାନୀୟ ଜଳ ଭଳି ମୌଳିକ ସୁବିଧା ଯୋଗାଇବା ପାଇଁ ମାଳ ମାଳ ପ୍ରକଳ୍ପ ନିର୍ମାଣ କରିବା ସତ୍ୱେ ସେଗୁଡିକ ଖରାମାସର ନିଅଣ୍ଟିଆ ସମୟରେ ବହୁସ୍ଥାନରେ ପ୍ରକଳ୍ପ କାମକରୁ ନଥିବାରୁ ଅଧିକାଂଶ ସ୍ଥାନରେ ନଳକୂପ ଅଚଳ ପ୍ରଶାସନର ଗ୍ରୀଷ୍ମକାଳୀନ ପ୍ରସ୍ତୁତି ଉପରେ ବଡ ପ୍ରଶ୍ନଚିହ୍ନ ଲଗାଇଛି ।

prayash

ପାନୀୟ ଜଳର ଉତ୍କଟ ସମସ୍ୟା ଥିବା ଏଭଳି ଏକ ଚିତ୍ର ହରଭଙ୍ଗା ବ୍ଲକ କୁଶଙ୍ଗ ପଂଚାୟତ ଅର୍ନ୍ତଗତ ମହାନଦୀକୂଳିଆ ଗାଁ ତିରଡରେ ଦେଖିବାକୁ ମିଳିଛି । ପଂଚାୟତର ୧୨ ନମ୍ବର ଓାର୍ଡ ଅର୍ନ୍ତଗତ ତିରଡ ଗ୍ରାମର ପୁରୁଣା ତିରଡ, ମଝିସାହି, ନୂଆ ସାହି ଭଳି ତିନୋଟି ବସ୍ତିରେ ୬୦-୭୦ପରିବାରର ପ୍ରାୟ ୩ଶହ ପାଖାପାଖି ଲୋକ ବସବାସ କରନ୍ତି। ମଝିସାହିରେ ରହୁଥିବା ପ୍ରାୟ ୪୦ ପରିବାର ପାଇଁ ସାହିରେ ଲୋକଙ୍କ ପିଇବା ପାଣି ପାଇଁ ଏକମାତ୍ର ନଳକୂପ ରହିଛି। ମାତ୍ର ନଳକୂପ ଅଚଳ ଯୋଗୁଁ ଲୋକେ କୂଅ ପାଣି ନଦୀର ଚୂଆପାଣି ଉପରେ ନିର୍ଭର କରୁଛନ୍ତି।ସକାଳ ଓ ସଞବେଳେ ଲୋକେ ନଦୀରୁ ୨କିଲୋମିଟର ଚାଲି ଚାଲି ପିଇବା ପାଣି ସଂଗ୍ରହ କରୁଥିବା ଦେଖିବାକୁ ମିଳୁଛି । ଖରା ସମୟରେ ଉତ୍କଟ ପିଇବା ପାଣି ସମସ୍ୟା ଲୋକଙ୍କ ଜନଜୀବନକୁ ବେଶ ପ୍ରଭାବିତ କରିଥିବା ଗ୍ରାମର ରମା ବେହେରା,ସଞୁଲତା ବେହେରା, କିଶୋର ଦାସ,ଗଣେଷ ବେହେରା ପ୍ରମୁଖ ଅଭିଯୋଗ କରିଛନ୍ତି । ତୁରନ୍ତ ଏ ଦିଗରେ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟିଦେବାକୁ ଦାବି ହେଉଛି।

Comments are closed.