ଖରାଦିନିଆ ରୋଗ

0

ଖରାଦିନ ଆରମ୍ଭ ହେବାମାତ୍ରେ ଶରୀରରେ ଏକାଧିକ ପରିବର୍ତ୍ତନ ଦେଖିବାକୁ ମିଳିଥାଏ। ପ୍ରବଳ ଗରମ ଏବଂ ଖରାରେ ଜୀବନ ଅସ୍ତବ୍ୟସ୍ତ ହୋଇପଡେ। ଏହି ସମୟରେ ବିଭିନ୍ନ ପ୍ରକାର ସଂକ୍ରାମକ ରୋଗ ବ୍ୟାପିଥାଏ। ଜାଣନ୍ତୁ, ଏହି ଋତୁରେ କେଉଁକେଉଁ ରୋଗ ଆକ୍ରମଣ କରିବାର ଆଶଙ୍କା ରହିଛି ଏବଂ ଏଥିରୁ କିପରି ସୁରକ୍ଷା ପାଇପାରିବେ-

ମିଳିମିଳା: ଏହା ଏକ ସାଧାରଣ ସଂକ୍ରମଣଜନିତ ରୋଗ। ଏହାର ପ୍ରଭାବ ସଂକ୍ରମଣ ହେବାର ବହୁଦିନ ପରେ ଦେଖାଯାଏ। ପାରାମିକ୍ସୋ ଭୂତାଣୁ ଯୋଗୁ ଏହି ରୋଗ ବ୍ୟାପେ। ଶରୀରର ରୋଗ ପ୍ରତିରୋଧକ କ୍ଷମତା କମ୍‍ ହୋଇଥିବା ବେଳେ ଏହି ଭୂତାଣୁ ଆକ୍ରମଣ କରିଥାଏ। ଏପରି ସ୍ଥିତିରେ ହାଲିଆ ଲାଗିବା, ଦେହହାତ ବିନ୍ଧିବା, ଚିଡ୍‍ଚିଡା ଲାଗିବା ପରି ଅନୁଭବ ହୁଏ। ଏହା ସହିତ ଶରୀରରେ ଲାଲ୍‍ ରଙ୍ଗର ଚକାଚକା ହୋଇ ଫଳିଯାଏ ଏବଂ ପ୍ରବଳ ଜ୍ୱର ହୁଏ। ଆଖି ଲାଲ୍‍ ପଡିଯିବା ସହ ପେଜୁଆ ଦେଖାଯାଏ ଏବଂ ଆଖିରୁ ପାଣି ବାହାରେ ଓ ଫୁଲିଯାଏ।

ଏହି ରୋଗରୁ ସୁରକ୍ଷା ପାଇବା ଲାଗି ପ୍ରତିଦିନ ସଜପାଣିରେ ଗାଧୋଇବା ଉଚିତ। ପ୍ରତିଦିନ ପୋଷାକ ବଦଳିବା ସହ ଢିଲା, ଧଳାରଙ୍ଗର ସୂତା ପୋଷାକ ପିନ୍ଧିବା ଦରକାର। ମିଳିମିଳା ପାଇଁ ପିଲାମାନଙ୍କୁ ପ୍ରତିଷେଧକ ଟିକା ଲଗାଯାଇଥାଏ।

ଜଣ୍ଡିସ୍‍: ଏହା ପ୍ରଥମେ ଯକୃତ ଏବଂ ତା’ପରେ ଶରୀର ସାରା ବ୍ୟାପିଥାଏ। ଆଖିର ଧଳାଅଂଶ ଏବଂ ନଖ ସହିତ ପରିସ୍ରା ହଳଦିଆ ଦେଖାଯିବା, ଦୁର୍ବଳ ଅନୁଭବ ହେବା, ବାନ୍ତି ଲାଗିବା, ମୁଣ୍ଡ ବ୍ୟଥା, ଭୋକ କମିଯିବା ଆଦି ଏହାର କେତେକ ସାଧାରଣ ଲକ୍ଷଣ। ଅନେକ ସମୟରେ ବାନ୍ତି ହୋଇଯାଏ, ପତଳା ଝାଡା ହୁଏ, ପେଟ ଫୁଲିଯାଏ ଏବଂ ମଳ ଅତ୍ୟନ୍ତ ଦୁର୍ଗନ୍ଧଯୁକ୍ତ ହୋଇଥାଏ। ନାଡିର ଗତି ଧୀର ହୋଇଯାଏ। ନିଦ ହୁଏନି ଏବଂ ରୋଗ ବେଶୀଦିନର ହୋଇଗଲେ ଶରୀର ଭୟଙ୍କର ଭାବେ କୁଣ୍ଡାଇ ହୁଏ।

ଏହାର ପ୍ରତିଷେଧକ ଭାବେ ସିଝାପାଣି ବା ଜୀବାଣୁମୁକ୍ତ ପାଣି ପିଇବା ଜରୁରୀ। ପାଣି ଯେପରି ପ୍ରଦୂଷିତ ନହୁଏ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ଜଣ୍ଡିସ୍‍ ଆକ୍ରାନ୍ତ ବ୍ୟକ୍ତି ବେଶୀ ଚଲାବୁଲା କଲେ ଏହି ଭୂତାଣୁ ଯକୃତକୁ ବିଶେଷ ପ୍ରଭାବିତ କରିଥାଏ। ତେଣୁ ଚଲାବୁଲା ଯେତେ କମ୍‍ କରିବେ ଭଲ। ଏହି ରୋଗରେ ଯକୃତ କୋଷରେ ଗ୍ଲାଇକୋଜେନ୍‍ ତଥା ରକ୍ତରେ ପ୍ରୋଟିନ୍‍ ପରିମାଣ କମିଯାଏ। ତେଣୁ ହାଲ୍‍କା ପ୍ରୋଟିନଯୁକ୍ତ ଖାଦ୍ୟ, ସର ନଥିବା କ୍ଷୀର କିମ୍ବା ପ୍ରୋଟିନେକ୍ସ, କାର୍ବୋହାଇଡ୍ରେଟ୍‍ସ ଅଧିକ ଥିବା ଖାଦ୍ୟ ରୋଗୀଙ୍କୁ ପର୍ୟ୍ୟାପ୍ତ ପରିମାଣରେ ଦିଆଯିବା ଉଚିତ।

ହାଡଫୁଟି: ଯେକୌଣସି ବୟସର ବ୍ୟକ୍ତିଙ୍କୁ ଏହି ରୋଗ ହୋଇପାରେ। ଏହା ଭଲ ହେବାକୁ ୧୦-୧୫ଦିନ ଲାଗିଯାଏ। କିନ୍ତୁ ଏଥିରେ ମୁହଁରେ ଯେପରି ଦାଗ ସୃଷ୍ଟି ହୁଏ ତାହା ଭଲ ହେବା ଲାଗି ୫-୬ମାସ ପର୍ୟ୍ୟନ୍ତ ଲାଗିପାରେ। ଏହି ରୋଗର ତୁରନ୍ତ ଉପଚାର କରାନଗଲେ ରୋଗୀର ମୃତ୍ୟୁ ହେବା ମଧ୍ୟ ଅସମ୍ଭବ ନୁହେଁ। ଭାରିସେଲା ଜୋଷ୍ଟର ଭୂତାଣୁ କାରଣରୁ ଏହି ରୋଗ ହୋଇଥାଏ। ସମଗ୍ର ଶରୀରରେ ଲାଲ୍‍ ଫୋଟକା ଭଳି ହୋଇ ଫଳିଯିବା ସହିତ କୁଣ୍ଡାଇ ହୁଏ। ଏହା ଫାଟିଗଲେ ଆହୁରି ଯନ୍ତ୍ରଣା ଦିଏ। ଜ୍ୱର, ଦେହହାତ ବିନ୍ଧିବା, ବାନ୍ତିହେବା ପରି ଲକ୍ଷଣ ବି ଦେଖାଯାଏ।

prayash

ଏଥିରୁ ସୁରକ୍ଷା ଲାଗି ଖାଦ୍ୟପେୟର ଧ୍ୟାନ ରଖିବା ସବୁଠାରୁ ଜରୁରୀ। ଖୋଲା ରଖାଯାଇଥିବା ଖାଦ୍ୟ ଆଦୌ ଖାଆନ୍ତୁନାହିଁ। ରୋଗୀଠାରୁ ଦୂରେଇ ରହିବା ଉଚିତ। ନଚେତ ଏହା ବ୍ୟାପିବ। ଅଧିକ ଖରାପ ଲାଗିବା ପୂର୍ବରୁ ତୁରନ୍ତ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।

ଗାଲୁଆ: ଏହା ଏକ ସଂକ୍ରାମକ ରୋଗ ଏବଂ ଶରୀରର ଭିନ୍ନଭିନ୍ନ ଭାଗକୁ ପ୍ରଭାବିତ କରିପାରେ। ପ୍ରାୟତଃ ଗାଲ ତଳେ ମାଢି ପାଖରେ ଥିବା ପ୍ୟାରୋଟିଡ୍‍ ଗ୍ରନ୍ଥିରେ ସଂକ୍ରମଣ ହୋଇ ଏହା ଆକ୍ରାନ୍ତ କରେ। ଏହି ଗ୍ରନ୍ଥି ଲାଳ ସୃଷ୍ଟି କରିଥାଏ। ସଂକ୍ରମଣ ଯୋଗୁ ଏଥିରେ ଫୁଲା ହୁଏ ଯାହାର ଲକ୍ଷଣ ପ୍ରାୟ ୧୫-୨୦ଦିନ ବିଳମ୍ବରେ ଦେଖାଯାଏ। ଗାଲୁଆର ଅଧିକାଂଶ ଲକ୍ଷଣ ଟନ୍‍ସିଲ ସହିତ ମିଶିଯାଉଥିବାରୁ ଅନେକେ ଏ ଦୁଇଟି ମଧ୍ୟରେ ପାର୍ଥକ୍ୟ ବାରିପାରନ୍ତି ନାହିଁ। ଜ୍ୱର, ମୁଣ୍ଡବ୍ୟଥା, ଭୋକ ନହେବା, ଦୁର୍ବଳତା, ଖାଦ୍ୟ ଚୋବାଇବା ଏବଂ ଗିଳିବାରେ ଯନ୍ତ୍ରଣା, ଗାଲ ଫୁଲିବା ଆଦି ଉଭୟ ଗାଲୁଆ ଏବଂ ଟନ୍‍ସିଲର ଲକ୍ଷଣ।

ଏହି ରୋଗରେ ଗରମ ପାଣି ଗଳଗଳ କରିବା, ଅମ୍ଳୀୟ ପଦାର୍ଥ ତଥା ଫଳରସ ସେବନ କରିବା ଏବଂ ପ୍ରଚୁର ପାଣି ପିଇବା ଲାଗି ପରାମର୍ଶ ଦିଆଯାଏ।

ହିଟ୍‍ ଷ୍ଟ୍ରୋକ୍‍: ଏଥିରେ ପୀଡିତଙ୍କ ଶରୀରର ତାପମାତ୍ରା ଅତ୍ୟଧିକ ଖରା ତଥା ଗରମ ଯୋଗୁ ବଢିଚାଲେ। ତେବେ ହିଟ୍‍ଷ୍ଟ୍ରୋକ୍‍ର ଆଉ କେତେକ କାରଣ ହେଉଛି- ଡିହାଇଡ୍ରେସନ୍‍, ଥାଇରଏଡ୍‍ ଅସନ୍ତୁଳନ, ଶରୀରରେ ରକ୍ତଶର୍କରା କମିବା, ମଦପାନ, ଉଚ୍ଚ ରକ୍ତଚାପ କିମ୍ବା ଅବସାଦ ପରି ରୋଗର ଉପଚାରରେ ବ୍ୟବହୃତ ଔଷଧର ପାର୍ଶ୍ବପ୍ରତିକ୍ରିୟା ଆଦି।

ଏଥିରୁ ସୁରକ୍ଷା ପାଇଁ ଟାଣ ଖରାରେ ବାହାରନ୍ତୁ ନାହିଁ। ଆବଶ୍ୟକ ହେଲେ ଛତା, ଟୋପି ତଥା ସନ୍‍ଗ୍ଲାସ ପିନ୍ଧି ଯାଆନ୍ତୁ। ଡିହାଇଡ୍ରେସନ ନହେବା ଲାଗି ପ୍ରଚୁର ପାଣି ପିଅନ୍ତୁ।

Leave A Reply