ଭୁବନେଶ୍ୱର : ରାଜ୍ୟରେ ଦୀର୍ଘଦିନ ଧରି ବିଜେଡ଼ି ଶାସନ ଗାଦିରେ ରହି ଚାଷୀଙ୍କୁ କଳାକନା ବୁଲାଇବା ପରେ ଏବେ କାଳିଆ ଯୋଜନା କରି ବାହାବାଃ ନେବାକୁ ବସିଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ରାଜ୍ୟ ସରକାରଙ୍କ କାଳିଆ ଯୋଜନାକୁ ସମାଲୋଚନା କରି ସାମାଜିକ ଗଣମାଧ୍ୟମରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ୧୯ବର୍ଷ ଧରି ବିଜେଡ଼ି ଚାଷୀଙ୍କ ପାଇଁ କ’ଣ କରିଛି ତା’ର ଉତ୍ତର ଆଗେ ଦିଅନ୍ତୁ। ଏବେ ରାଜ୍ୟର ସବୁବ୍ଲକରେ ୩୫ପ୍ରତିଶତ ଜଳସେଚନ ପହଞ୍ଚି ପାରି ନଥିବାବେଳେ ବିଜୁ କୃଷକ ବିକାଶ ଯୋଜନାରେ ୫୭ହଜାର ନଳକୂପ ଖନନରୁ ମାତ୍ର ୨୬ ହଜାର ହୋଇଛି। ୫ଟି ଶୀତଳ ଭଣ୍ଡାର ଯାହାର କ୍ଷମତା ୧୮.୫୦୦ମେଟ୍ରିକ ଟନ୍ କ୍ଷମତାକୁ ନେଇ ରାଜ୍ୟ ସରକାର ରାଜ୍ୟବାସୀଙ୍କ ଶସ୍ୟ ସଂରକ୍ଷଣ ରଖିବାକଥା କହୁଛନ୍ତି। କେଉଁ ଜିଲାରେ କେତେ ଚାଷୀ ଭୂମିହୀନ ତା’ର ତଥ୍ୟ ସରକାରଙ୍କ ପାଖରେ ନଥିବାବେଳେ କେଉଁ ଆଧାରରେ କାଳିଆ ଯେଜନା ସେମାନଙ୍କୁ ସହାୟତା ଦେବ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି।
ସେ କହିଛନ୍ତି ଯେ ଦେଶରେ ଚାଷୀମାନଙ୍କ ଆୟ ସହିତ ରାଜ୍ୟର ଚାଷୀଙ୍କ ଆୟ ତୁଳନା କଲେ ଓଡ଼ିଶା ୨୯ତମ ସ୍ଥାନରେ ରହିଛି। ୭୦ପ୍ରତିଶତ ଲୋକ କୃଷି ଓ ଏହା ସଲଗ୍ନ କାର୍ଯ୍ୟରେ ନିୟୋଜିତ ଥିବାବେଳେ ସେଥିରୁ ମାତ୍ର ୧୫ପ୍ରତିଶତ ଲୋକ ଅର୍ଥନୀତିରେ ଭାଗିଦାରୀ ଅଛନ୍ତି। ୧୯ବର୍ଷ ଶାସନ ପରେ ମଧ୍ୟ ଚାଷୀଙ୍କ ମେରୁଦଣ୍ଡ ଦୋହଲୁଛି। ରାଜ୍ୟରେ ଆଳୁ ମିଶନ ସମ୍ପୂର୍ଣ୍ଣ ବିଫଳ ହୋଇଛି। ୨୦୧୭-୧୮ ସୁଦ୍ଧା ୧୧.୨୫ଲକ୍ଷ ମେଟ୍ରି ଟନ୍ ଆଳୁ ଉତ୍ପାଦନ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବାବେଳେ ହେଲେ ତା’ର ପାଞ୍ଚ ଭାଗରୁ ଭାଗେ ଅର୍ଥାତ ୨.୬୮ଲକ୍ଷ ମେଟ୍ରିକଟନ୍ ଆଳୁ ଉତ୍ପାଦନ ହେଉଛି। ଶୀତଳ ଭଣ୍ଡାର ଅଭାବରୁ ଚାଷୀମାନେ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟ ଶାଗମାଛ ଦରରେ ବିକ୍ରି କରୁଛନ୍ତି। ଏଭଳିକି ଅଭାବି ବିକ୍ରିର ସମ୍ମୁଖୀନ ହୋଇ ଋଣ ଶୁଝି ନପାରି ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି। ଅନ୍ୟପକ୍ଷରେ ଅଣ୍ଡା ଉତ୍ପାଦନ ଲକ୍ଷ୍ୟଠାରୁ ବହୁ ପଛରେ ଥିବାବେଳେ ପିଆଜ ଚାହିଦାର ୧୦ପ୍ରତିଶତ ପୂରଣ କରିପାରୁ ନାହିଁ। ତେବେ ବିନା ଭାଗଚାଷୀ ଗଣନାରେ ସରକାର ଯେଉଁ କାଳିଆ ଯୋଜନା କରିଛନ୍ତି ତାହା ତାଙ୍କ କଳାକାରନାମାର ଏକ କଳାଫର୍ଦ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ଚାଷୀଙ୍କୁ କଳାକନା ବୁଲାଇବାପରେ କାଳିଆ ଯୋଜନା:ଧର୍ମେନ୍ଦ୍ର
Popular Categories



