ନିଖୁଣ କଳାର ଚିରନ୍ତନ ପ୍ରତୀକ.. ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରାର ଦ୍ଵିତୀୟ କୃଷ୍ଣ..
ଏବେ ବି ଦର୍ଶକଙ୍କୁ ମନେ ପକାଏ ଗୋଟିଏ ପଟେ କୃଷ୍ଣଙ୍କ ବଂଶୀ ଧ୍ଵନି ତ ଆଉ ଗୋଟିଏ ପଟେ ମୃଦଙ୍ଗର ଶବ୍ଦ
ରେଙ୍ଗାଲିକ୍ୟାମ୍ପ: ବିଂଶ ଶତାବ୍ଦୀର ପଞ୍ଚ ଦଶକରେ ଆରମ୍ଭ ହୋଇଥିବା ମୁକ୍ତ ରଙ୍ଗ ମଞ୍ଚ ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ଆଜି ଏକବିଂଶ ଶତାବ୍ଦୀର ତୃତୀୟ ଦଶକରେ ପହଞ୍ଚିଛି । ସମୟର ପରିବର୍ତ୍ତନ ଓ ଦର୍ଶକଙ୍କ ରୁଚି ସହ ଯାତ୍ରାର ରୂପରେଖ ବଦଳି ଯାଇଛି । ଇତି ମଧ୍ୟରେ ଅନେକ କଳାକାର ଚିର ନିଦ୍ରିତ ହୋଇ ମାଟିରେ ମିଶି ସାରିଛନ୍ତି । କଳାକାର ମରିଯାଏ, ହେଲେ ତାର କଳା ଚିରଦିନ ପାଇଁ ବଞ୍ଚି ରହେ ଦର୍ଶକଙ୍କ ହୃଦୟରେ । ଧନୁଯାତ୍ରାର ଦ୍ଵିତୀୟ କୃଷ୍ଣ ଭୂମିକାରେ ଅଭିନୟ କରିଥିବା ସ୍ବର୍ଗତ ଭିକାରି ଚରଣ ମିଶ୍ର ତନ୍ମଧ୍ୟରୁ ଜଣେ । ୧୯୪୮ ମସିହାରେ ଆରମ୍ଭ ହୋଇଥିବା ଧନୁଯାତ୍ରାର ଦ୍ଵିତୀୟ ଓ ବରଗଡ଼ର ଶେଷ କୃଷ୍ଣ(କାରଣ ପରବର୍ତ୍ତୀ ବର୍ଷରେ ଅମ୍ବାପାଲିକୁ ଯେତେବେଳେ ଗୋପପୁର କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା, ସେହିଦିନଠାରୁ ଅମ୍ବାପାଲିରୁ ହିଁ କୃଷ୍ଣ ଅଭିନୟ ପାଇଁ କଳାକାର ଚୟନ ହୋଇଆସୁଛି)। ପେଶା ଥିଲା ଶିକ୍ଷକତା କିନ୍ତୁ କଳା ଥିଲା ତାଙ୍କର ନିଶା । ସେ ଥିଲେ ପିତା ବଂଶୀଧର ମିଶ୍ର ଓ ମାତା କମଳା ଦେବୀଙ୍କ ସୁଯୋଗ୍ୟ ପୁତ୍ର।
୧୯୬୫ ମସିହାରୁ ୧୯୯୧ ମସିହା ପର୍ଯ୍ୟନ୍ତ ସେ ବରଗଡ଼ ହିନ୍ଦୀ ବାଳକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭାବେ ନିଷ୍ଠାର ସହ ତାଙ୍କର ଦାୟିତ୍ଵ ନିର୍ବାହ କରିଥିଲେ। ଅବସର ପରେ ମଧ୍ୟ ତାଙ୍କର ଶିଷ୍ୟ ସୁଲଭତା ଓ ଆଦର୍ଶ ଜୀବନ ଶୈଳୀ ଯୋଗୁଁ ବରଗଡ଼ବାସୀଙ୍କ ଅନୁରୋଧକ୍ରମେ ଗଣେଶ ବିଦ୍ୟା ମନ୍ଦିରରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନେକ ବର୍ଷ ଶିକ୍ଷକତା କରିଥିଲେ । ଆଜି ସେ ନାହାନ୍ତି, କିନ୍ତୁ ତାଙ୍କର ନିଖୁଣ କଳା ଆଜି ବି ଜନ ମାନସରେ ଅଭୁଲା ହୋଇ ରହିଛି । ସେ ଯେତେବେଳେ କୃଷ୍ଣ ଭୂମିକାରେ ଅଭିନୟ କରୁଥିଲେ, ତାଙ୍କର ସୁନ୍ଦର ଚେହେରା ଏବଂ ନିଖୁଣ ଅଭିନୟ ଲୋକଙ୍କୁ ଭାବମୟ କରିଦେଉଥିଲା । ଯାତ୍ରା ଆରମ୍ଭରୁ ଘର ଛାଡ଼ି ୧୧ ଦିନ ଧରି ତାଙ୍କୁ ତଳି ପଡ଼ା ସ୍ଥିତ ରାମଜୀ ମନ୍ଦିର କୁଟୀରରେ ରହିବାକୁ ପଡୁଥିଲା । ସେତେବେଳେ ସେ ବରଗଡ଼ ଜର୍ଜ ହାଇସ୍କୁଲର ନବମ ଶ୍ରେଣୀ ର ଛାତ୍ର ଥିଲେ । ବଡ ଭାଇ ମୁରାରି ମିଶ୍ର ବଳରାମ ଭୂମିକାରେ ଅଭିନୟ କରୁଥିଲେ । ଦୁଇ ଭାଇ କୃଷ୍ଣ ଓ ବଳରାମ ବେଶରେ ସଜ୍ଜିତ ହୋଇ ଯେତେବେଳେ ରଥରେ ପରିକ୍ରମା କରୁଥିଲେ ୮୦ରୁ ୯୫ ବର୍ଷର ବୃଦ୍ଧ ବୃଦ୍ଧାମାନେ ଭକ୍ତି ଭାବରେ ବିହ୍ଵଳିତ ହୋଇ ତାଙ୍କୁ ପୂଜା ଅର୍ଚ୍ଚନା କରୁଥିଲେ, ଏହା ଦେଖି ତାଙ୍କ ଆଖିରୁ ମଧ୍ୟ ଲୁହ ଝରି ଆସୁଥିଲା ସ୍ଵତଃ ସ୍ପୂର୍ତ୍ତ ଭାବେ।ଯାହା କି ଆଜି ଦେଖିବାକୁ ମିଳୁନାହିଁ । କେବଳ ପାରମ୍ପରିକ ରୀତି ନୀତିକୁ ଅନୁସରଣ କରାଯାଉଛି ।
ତାଙ୍କର ଅଭିନୟ ଦେଖି ସାଙ୍ଗ ସାଥୀ ତଥା ବିଦ୍ୟାଳୟର ଶିକ୍ଷକ ମାନେ ମଧ୍ୟ ଉଚ୍ଚ ପ୍ରଶଂସା କରୁଥିଲେ । କୃଷ୍ଣ ଭୂମିକାରେ ଅଭିନୟ କରି ପ୍ରଶଂସିତ ହୋଇଥିଲେ ତା ନୁହେଁ, ସେ ଥିଲେ ପଶ୍ଚିମ ଓଡ଼ିଶାର ଜଣେ ବିଶିଷ୍ଟ ମୃଦଙ୍ଗ ବାଦକ। ମୃଦଙ୍ଗର ତାଳ ହିଁ ଥିଲା ତାଙ୍କ ହୃଦୟର ସ୍ପନ୍ଦନ। ୧୯୫୦ ମସିହାରେ ୮ ଜଣ ମୃଦଙ୍ଗ ବାଦକଙ୍କ ମଧ୍ୟରୁ ସେ କେବଳ ଅପରାହ୍ନ ୫ଟାରୁ ସକାଳ ୮ଟା ପର୍ଯ୍ୟନ୍ତ ବିନା ବିରତିରେ କୀର୍ତ୍ତନ କରି ସ୍ଵର୍ଣ୍ଣ ପଦକ ପ୍ରାପ୍ତ କରିଥିଲେ । ସୁନ୍ଦରଗଡ଼ ଜିଲ୍ଲା ରଘୁନାଥ ପାଳିରେ କୀର୍ତ୍ତନ ପରିବେଷଣ କରି ଶ୍ରେଷ୍ଠ ବାହକ ରୂପେ ତାଙ୍କୁ ସ୍ଵର୍ଣ୍ଣ ପଦକ ମିଳିଥିଲା । ପୁରୀ, ବୃନ୍ଦାବନ ଓ ନବ ଦ୍ଵୀପ ଧାମ ଯାଇ ମଧ୍ୟ ସଙ୍କୀର୍ତ୍ତନ ପରିବେଷଣ କରି ଲୋକଙ୍କୁ ମୁଗ୍ଧ କରିଦେଇଥିଲେ । ସମ୍ବଲପୁର ଆକାଶ ବାଣୀ କେନ୍ଦ୍ର ଓ କଟକ ଦୂରଦର୍ଶନ କେନ୍ଦ୍ରରୁ ପ୍ରଚାରିତ ତାଙ୍କର କୀର୍ତ୍ତନ ମଧ୍ୟ ଲୋକଙ୍କ ହୃଦୟକୁ ବେଶ୍ ଛୁଇଁ ପାରିଥିଲା । ଏହା ବ୍ୟତୀତ ସେ କାଞ୍ଚି ଅଭିଯାନ, ଭାତ, ରଘୁ ଅରକ୍ଷିତ, ମଥୁରା ବିଜୟ, ଅଧିକାର, ଜୟ ପରାଜୟ, ଜୟଶ୍ରୀ ଆଦି ନାଟକରେ ଅଭିନୟ କରି ବର୍ଷୀୟାନ କଳାକାର ଭାବରେ ଅନେକ ସମ୍ମାନ ଓ ସମ୍ବର୍ଦ୍ଧନା ଲାଭ କରିଥିଲେ । ସେ ଯେ କେବଳ କଳା ପାଇଁ ପ୍ରସିଦ୍ଧି ଲାଭ କରିଥିଲେ ତା ନୁହେଁ, ଜନ ଗଣନା ସକାଶେ ଓଡ଼ିଶା ରାଜ୍ୟପାଳଙ୍କଠାରୁ ମଧ୍ୟ ବ୍ରୋଞ୍ଜ ପଦକ ହାସଲ କରି ଜଣେ ଦାୟିତ୍ଵ ସମ୍ପନ୍ନ କର୍ତ୍ତବ୍ୟ ନିଷ୍ଠ ଶିକ୍ଷକ ରୂପେ ଉଚ୍ଚ ପ୍ରଶଂସିତ ହୋଇଥିଲେ ।
ସାମ୍ପ୍ରତିକ ଏହି ଧନୁ ଯାତ୍ରାକୁ ରୋଚକ କରିବା ପାଇଁ ସାଜସଜ୍ଜା ତଥା ବହୁ ଆଡମ୍ବରପୂର୍ଣ୍ଣ କରାଯାଉଛି । କିନ୍ତୁ ଅତୀତର ଭାବ ଆଉ ଦେଖିବାକୁ ମିଳୁ ନଥିବା ଦର୍ଶକମାନେ ପ୍ରକାଶ କରିଛନ୍ତି । ଏବେ ବି ଧନୁଯାତ୍ରାରେ ଯେତେବେଳେ ଗୋପପୁରରୁ(ଆମ୍ବାପାଲି) କୃଷ୍ଣ ମଥୁରାକୁ ଆସନ୍ତି,ଲୋକେ ଅତୀତର ସେହି କୃଷ୍ଣ ବଳରାମକୁ ମନେ ପକାଇଥାନ୍ତି। ବୃଦ୍ଧ ବୃଦ୍ଧାମାନେ ଏବେ ବି କହନ୍ତି, ଆଉ ନାହିଁ ସେହି ସମୟର କୃଷ୍ଣ ବଳରାମଙ୍କ ଭାବ କି ଭାବନା । ପ୍ରକୃତରେ ତାଙ୍କର ସେଇ ଅଭିନୟ କେତେ ଜୀବନ୍ତ ନଥିଲା । ସେ ସମୟର ଏମିତି ଅନେକ କଳାକାରମାନଙ୍କ ନିଖୁଣ କଳାର ରକ୍ତ ବିନ୍ଦୁ ତଥା ବରଗଡ଼ର କାଙ୍ଗାଳି ନାଏକଙ୍କ ଉଦ୍ୟୋକ୍ତା କ୍ରମେ ଆଜି ଏହି ମୁକ୍ତ ରଙ୍ଗମଞ୍ଚ ଧନୁ ଯାତ୍ରା ବିଶ୍ଵ ପ୍ରସିଦ୍ଧି ଲାଭ କରିଛି । କିନ୍ତୁ ବଡ ପରିତାପର ବିଷୟ ସେମାନଙ୍କ ନାମ କେବଳ ଅତୀତର ଇତିହାସ ପୃଷ୍ଠା ହୋଇ ରହିଯାଇଛି । କିନ୍ତୁ ସେହି କଳାକାରମାନଙ୍କ ପରିବାର ପ୍ରତି ଆଦୌ ଦୃଷ୍ଟି ଦିଆଯାଉ ନାହିଁ। ଏମିତି କି ଆଜିର ଯୁବ ଗୋଷ୍ଠୀ ମଧ୍ୟ ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରାର ଉଦ୍ୟୋକ୍ତା କିମ୍ବା ସେହି କିମ୍ବଦନ୍ତୀ କଳାକାରମାନଙ୍କ ବିଷୟରେ ଅଜ୍ଞ, ଯାହା ଏକ ବିଡ଼ମ୍ବନାର ବିଷୟ ।
Comments are closed.