ହନୁମାନ ମନ୍ଦିର ପୁନଃ ପ୍ରତିଷ୍ଠା ଦାବି
ସମ୍ବଲପୁର : ସମ୍ବଲପୁରର ବୁର୍ଲା ଠାରେ ରାସ୍ତା ପ୍ରଶସ୍ତିକରଣ ନିମନ୍ତେ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି । ଏହି କ୍ରମରେ ଇନ୍ଦିରା ଗାନ୍ଧୀ ମାର୍କେଟ ନିକଟରେ ବେସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଥିବା ଶ୍ରୀ ହନୁମାନ ମନ୍ଦିରକୁ ଭାଙ୍ଗି ଦିଆଯାଇଛି । ଏଣୁ ବଜରଙ୍ଗ ଦଳ, ପଶ୍ଚିମ ପ୍ରାନ୍ତ ତରଫରୁ ଏହାର ପୁନଃ ନିର୍ମାଣ ପାଇଁ ଜିଲା ପ୍ରଶାସନ ନିକଟରେ ଦାବି କରାଯାଇଛି । ଗୁରୁବାର ଜିଲା ପ୍ରଶାସନକୁ ଦିଆଯାଇଥିବା ଦାବିପତ୍ର ଅନୁଯାୟୀ, ଅଞ୍ଚଳରେ ଦୀର୍ଘ ୧୫ ବର୍ଷରୁ ଉର୍ଦ୍ଧ ଭକ୍ତ ମାନଙ୍କ ସଂଗୃହିତ ରାଶିରୁ ଏକ ବିରାଟ ହନୁମାନ ମନ୍ଦିରର ନିର୍ମାଣ କରାଯାଇଥିଲା । ଦୈନିକ ଶତାଧିକ ଭକ୍ତ ଆସି ପୂଜାର୍ଚ୍ଚନା କରୁଥିବା ବେଳେ ରାସ୍ତା ପ୍ରଶସ୍ତିକରଣ ପାଇଁ ଏହି ମନ୍ଦିରକୁ ଭଙ୍ଗା ଯାଇଛି । ବିକାଶ କାର୍ଯ୍ୟକୁ ସ୍ୱାଗତ ବଜରଙ୍ଗ ଦଳ ପକ୍ଷରୁ କରାଯାଉଥିବା ବେଳେ ଦୀର୍ଘ ଦିନରୁ ପୂଜା ପାଇ ଆସୁଥିବା ଶ୍ରୀ ହନୁମାନଙ୍କ ମନ୍ଦିରକୁ ନିକଟସ୍ଥ ଅନ୍ୟତ୍ର ସ୍ଥାନକୁ ସ୍ଥାନାନ୍ତରିତ କରାଯାଉ । ଏହା ଫଳରେ ହଜାର ହଜାର ଭକ୍ତ ଶ୍ରୀ ହନୁମାନଙ୍କ ପୂଜାର୍ଚ୍ଚନା କରି ଉପକୃତ ହେବେ। ତେଣୁ ଯଥା ଶିଘ୍ର ନିକଟସ୍ଥ ଏକ ସ୍ଥାନକୁ ମନ୍ଦିରକୁ ସ୍ଥାନାନ୍ତରିତ କରାଯାଉ ବୋଲି ବଜରଙ୍ଗ ଦଳ ପକ୍ଷରୁ ଦାବି କରାଯାଇଛି। ଦାବିପତ୍ର ପ୍ରଦାନ ସମୟରେ ପ୍ରାନ୍ତ ସଂଯୋଜକ ଇଂ ସୁଧିର ରଞ୍ଜନ ବହିଦାର, ରବି ନାରାୟଣ ବରଡା, ଦୀପକ କୁମାର ଦାଶ, କରଣ କେଶବ, ଭବେଶ ନାୟକ, କୁନ୍ଦନ ଶର୍ମା, ବିକି କୁମାର, ତ୍ରିନାଥ ଭୋଇ ଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ।
Comments are closed.