bjd gruha runa

ଜାତୀୟ ଟିକାକରଣ ଦିବସରୁ ଦିଆଯିବ ୧୨-୧୪ ବର୍ଷ ପିଲାଙ୍କୁ କୋଭିଡ ଟିକା

BJD Bijuli 480×75 Mob

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ୍‍ ମାର୍ଚ୍ଚ ୧୬ ଠାରୁ ୧୨ରୁ ୧୪ ବର୍ଷ ବୟସ୍କ ପିଲାମାନଙ୍କୁ କୋଭିଡ-୧୯ ପ୍ରତିଷେଧକ ଟିକା ମାଗଣାରେ ଦିଆଯିବ। ଏଥିସହିତ ସମସ୍ତ ସରକାରୀ କୋଭିଡ ଟିକାକରଣ କେନ୍ଦ୍ରରେ ଜାତୀୟ ଟିକାକରଣ ଦିବସ ପାଳନ କରାଯିବ। ପିଲାମାନଙ୍କୁ ହାଇଦ୍ରାବାଦସ୍ଥିତ ବାୟୋଲୋଜିକ ଇ ଲିମିଟେଡ ଦ୍ୱାରା ବିକଶିତ କୋର୍ବେଭାକ୍ସ ଟିକା ଦିଆଯିବ। ମାର୍ଚ୍ଚ ୧୬ ତାରିଖ ପୂର୍ବାହ୍ନ ୯ଟାରୁ ଅନଲାଇନ ପଞ୍ଜୀକରଣ ମାଧ୍ୟମରେ କିମ୍ବା ସିଧାସଳଖ ଟିକାକରଣ କେନ୍ଦ୍ରକୁ ଯାଇ ହିତାଧିକାରୀମାନେ ଟିକା ନେଇପାରିବେ। ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ସହିତ ଏକ ଭିଡିଓ କନଫରେନସିଂ ଜରିଆରେ ଆୟୋଜିତ ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ୧୨-୧୩ ବର୍ଷ ଏବଂ ୧୩ରୁ ୧୪ ବର୍ଷ ବୟସ ବର୍ଗ ଅର୍ଥାତ୍‍ ଯେଉଁମାନେ ୨୦୦୮, ୨୦୦୯ ଏବଂ ୨୦୧୦ରେ ଜନ୍ମ ନେଇଛନ୍ତି ଏବଂ ୧୨ ବର୍ଷରୁ ଅଧିକ ବୟସ ଟପିସାରିଛନ୍ତି ସେମାନଙ୍କୁ ୧୬ ମାର୍ଚ୍ଚ ୨୦୨୨ ଠାରୁ କୋଭିଡ ୧୯ ଟିକା ଦେବା ଲାଗି କେନ୍ଦ୍ର ସରକାର ଗତକାଲି ନିଷ୍ପତି ନେଇଥିଲେ। ଏହା ବ୍ୟତୀତ ସବୁ ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ହିତାଧିକାରୀମାନଙ୍କୁ ବୁଷ୍ଟର ଡୋଜ୍‍ ଟିକା ଦିଆଯିବାକୁ ନିଷ୍ପତି ନିଆଯାଇଥିଲା। ଏଥିପାଇଁ ପୂର୍ବ ଦୂରାରୋଗ୍ୟ ବ୍ୟାଧି ସର୍ତାବଳୀକୁ ଉଚ୍ଛେଦ କରାଯାଇଛି। ବୁଷ୍ଟର ଡୋଜ୍‍ ଟିକାକରଣ ପାଇଁ ସରକାର କେତେକ ନିୟମ ଧାର୍ଯ୍ୟ କରିଛନ୍ତି। ପୂର୍ବରୁ ହିତାଧିକାରୀ ଯେଉଁ ଟିକାର ଦୁଇଟି ଡୋଜ୍‍ ନେଇଥିବେ, ଦ୍ୱିତୀୟ ଡୋଜ୍‍ ଟିକା ନେବାର ୯ ମାସ ବା ୩୬ ସପ୍ତାହ ପରେ ସେହି ଟିକାର ବୁଷ୍ଟର ଡୋଜ୍‍ ଟିକା ନେବେ। ଏଥିପାଇଁ ବିସ୍ତୃତ ନିର୍ଦ୍ଦେଶାବଳୀ ଏବଂ ପରିଚାଳନା ମାର୍ଗଦର୍ଶିକା ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କୁ ପଠାଇ ଦିଆଯାଇଛି।

ଟିକାକରଣ ତାରିଖ ଦିନ କେବଳ ଯେଉଁ ହିତାଧିକାରୀମାନେ ୧୨ ବର୍ଷରୁ ଅଧିକ ବୟସ ଅତିକ୍ରମ କରିସାରିଥିବେ ସେହିମାନଙ୍କୁ କୋଭିଡ ଟିକା ଦିଆଯିବ। ଯେଉଁ ହିତାଧିକାରୀମାନେ କୋୱିନ୍‍ ପୋର୍ଟାଲରେ ପଞ୍ଜୀକରଣ କରିଥିବେ କିନ୍ତୁ ୧୨ ବୟସ ଅତିକ୍ରମ କରିନଥିବେ ସେମାନଙ୍କୁ ଟିକା ଦିଆଯିବ ନାହିଁ। ଏ ସମ୍ପର୍କରେ ରାଜ୍ୟମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି। ୧୨-୧୪ ବର୍ଷ ବୟସର ହିତାଧିକାରୀଙ୍କ କ୍ଷେତ୍ରରେ ଯେପରି ଟିକାର ମିଶ୍ରଣ ହେବ ନାହିଁ ସେଥିପ୍ରତି ଧ୍ୟାନ ରଖିବା ଲାଗି କୁହାଯାଇଛି। ଏଥିପାଇଁ ଟିକାପ୍ରଦାନକାରୀ ଏବଂ ଟିକାକରଣ ଦଳକୁ ପ୍ରଶିକ୍ଷଣ ଦିଆଯିବାର ଆବଶ୍ୟକତା ରହିଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଅନ୍ୟ ଟିକା ସହ ମିଶ୍ରଣକୁ ଏଡ଼ାଇବା ଲାଗି ଟିକାକରଣ କେନ୍ଦ୍ର ଗୁଡ଼ିକରେ ୧୨ରୁ ୧୪ ବର୍ଷ ବୟସ୍କ ପିଲାମାନଙ୍କ ପାଇଁ ପୃଥକ ସମର୍ପିତ ଟିକାକରଣ ଅଧିବେଶନ ଆୟୋଜନ କରିବା ଲାଗି ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି। ୧୨-୧୪ ବର୍ଷଙ୍କୁ କୋର୍ବେଭାକ୍ସ ଟୀକାର ୨ ଡୋଜ ୨୮ ଦିନର ବ୍ୟବଧାନରେ ଦିଆଯିବ। ସେହିପରି ୧୪ରୁ ୧୮ ବର୍ଷ ବୟସ୍କଙ୍କୁ କୋଭାକ୍ସିନ ଟିକା ଦିଆଯିବ।

ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କୁ ସୂଚିତ କରାଯାଇଛି ଯେ କୋୱିନ୍‍ ପୋର୍ଟାଲରେ ହିତାଧିକାରୀଙ୍କ ଜନ୍ମ ବୟସ ଉଲ୍ଲେଖ କରିବା ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଉଛି। ତେଣୁ ପ୍ରାରମ୍ଭିକ କିଛିଦିନ ପର୍ଯ୍ୟନ୍ତ ୧୨ ବର୍ଷରୁ ଅଧିକ ବୟସ ବର୍ଗର ହିତାଧିକାରୀଙ୍କର ପ୍ରକୃତ ଜନ୍ମ ତାରିଖ ଯାଞ୍ଚ କରିବାର ଦାୟିତ୍ୱ ସମ୍ପୂର୍ଣ୍ଣ ଭାବେ ଟିକା ପ୍ରଦାନକାରୀ ଏବଂ ଯାଞ୍ଚ କର୍ତୃପକ୍ଷଙ୍କ ଉପରେ ରହିବ। କୋୱିନ ପୋର୍ଟାଲରେ ସଠିକ ଜନ୍ମ ତାରିଖ ରେକର୍ଡ କରିବାର ପ୍ରକ୍ରିୟା ବର୍ତମାନ ଜାରି ରହିଛି। ଥରେ ଏହା କାର୍ଯ୍ୟକାରୀ ହୋଇଗଲେ, ଯେଉଁମାନେ ସୁପାରିସ କରାଯାଇଥିବା ବୟସରେ ପହଞ୍ଚି ନଥିବେ ସେମାନଙ୍କର ପଞ୍ଜୀକରଣ ସିଷ୍ଟମରେ ଗ୍ରହଣୀୟ ହେବ ନାହିଁ।

ଟିକାକରଣ ଧିମେଇ ଯାଇଥିବାରୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଚିନ୍ତା ପ୍ରକଟ କରାଯାଇଛି। ୬୦ ବର୍ଷରୁ ଅଧିକ ବୟସ୍କ ସବୁ ହିତାଧିକାରୀଙ୍କୁ ତୁରନ୍ତ କୋଭିଡ ୧୯ ଟିକାର ଦୁଇଟି ଡୋଜ୍‍ ଦେବାକୁ ରାଜ୍ୟମାନେ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି। ଯୋଗ୍ୟ ହିତାଧିକାରୀମାନଙ୍କୁ ତୁରନ୍ତ ଟିକା ଦେବା ପାଇଁ ଜିଲ୍ଲା ଏବଂ ବ୍ଲକ ସ୍ତରରେ ନିୟମିତ ସମୀକ୍ଷା କରିବା ଲାଗି ପରାମର୍ଶ ଦିଆଯାଇଛି।

Comments are closed.