ରାଫେଲ କାରବାରର ସଂସଦୀୟ କମିଟିସ୍ତରୀୟ ତଦନ୍ତ ଦାବି କଲା କଂଗ୍ରେସ

0

ନୂଆଦିଲ୍ଲୀ : ଏନ୍‍ଡିଏ ସରକାର ୫୯,୦୦୦ କୋଟି ଟଙ୍କା କମ୍‍ ମୂଲ୍ୟରେ ରାଫେଲ ଯୁଦ୍ଧ ବିମାନ କ୍ରୟ କରୁଥିବା ନେଇ ସରକାରୀ ଦସ୍ତାବିଜ୍‍କୁ ଭିତ୍ତି କରି ଗଣମାଧ୍ୟମରେ ପ୍ରକାଶିତ ତଥ୍ୟ ରାହୁଲ ଗାନ୍ଧୀଙ୍କ ନେତୃତ୍ୱାଧୀନ କଂଗ୍ରେସକୁ ସନ୍ତୁଷ୍ଟ କରିପାରି ନାହିଁ। ଭାରତ ଓ ଫ୍ରାନ୍ସ ମଧ୍ୟରେ ଏହି ବିମାନ କାରବାର ସମ୍ବନ୍ଧରେ ଦଳ ସଂସଦୀୟ କମିଟିସ୍ତରୀୟ ତଦନ୍ତ ଦାବି କରିଛି। ବୋଫର୍ସ ମାମଲା ପରି ରାଫେଲ କାରବାରର ତଦନ୍ତ ପାଇଁ ମଧ୍ୟ ସଂସଦୀୟ ଯୁଗ୍ମ କମିଟି ଗଠନ କରାଯିବା ଉଚିତ ବୋଲି ଦଳର ବରିଷ୍ଠ ନେତା ମଲିକାର୍ଜୁନ ଖଡ୍‍ଗେ ଗଣମାଧ୍ୟମକୁ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ଯଦି ବାସ୍ତବରେ ଏହି ବିମାନ କମ୍‍ ମୂଲ୍ୟରେ କ୍ରୟ କରୁଛନ୍ତି ତା’ହେଲେ ସେ ତାହା ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ସମୟରେ ପ୍ରକାଶ କରିବା ଉଚିତ୍‍ ଥିଲା; କିନ୍ତୁ ଦୁର୍ନୀତିକୁ ଘଣ୍ଟ ଘୋଡାଇବାକୁ ଏବେ ବିଜେପି ନେତାମାନେ ବିଭ୍ରାନ୍ତିକର ମନ୍ତବ୍ୟ ଦେଉଛନ୍ତି ବୋଲି ଖଡ୍‍ଗେ ଦର୍ଶାଇଛନ୍ତି। ମୋଦୀଙ୍କ ପୂର୍ବ ଆଫ୍ରିକା ଗସ୍ତକୁ ସମାଲୋଚନା କରି ସେ କହିଛନ୍ତି, ସଂସଦୀୟ ଅଧିବେଶନ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ୫ ଦିବସୀୟ ବିଦେଶ ଗସ୍ତ କରିଛନ୍ତି। ଏହି ଗସ୍ତ ତାଙ୍କୁ ଆମନ୍ତ୍ରଣ ନ ଥିଲା। ଏହାକୁ ଏଡାଯାଇପାରିଥାଆନ୍ତା, ମାତ୍ର ଲୋକସଭାରେ ସଂଖ୍ୟାଗରିଷ୍ଠତା ଥିବାରୁ ସଂସଦୀୟ ଅଧିବେଶନକୁ ପଛରେ ପକାଇ ମୋଦୀ ବିଦେଶ ଗସ୍ତକୁ ପ୍ରାଥମିକତା ଦେଇଛନ୍ତି। ଅନ୍ୟପଟେ ରାଫେଲ କାରବାରକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ଅଣାଯିବ ବୋଲି କଂଗ୍ରେସ ପୂର୍ବରୁ ସୂଚନା ଦେଇଥିଲା। ତଥାପି ମୋଦୀଙ୍କ ବିଦେଶ ଗସ୍ତ କରିଥିବାରୁ ତାଙ୍କୁ ବିରୋଧୀ ଦଳ କଡ଼ା ସମାଲୋଚନା କରିଛି।

Leave A Reply