ବୁଥ୍‌ ବାହୁଡା ମତ: ହରିୟାଣା ଓ ଜାମ୍ମୁ-କାଶ୍ମୀ​ର‌ରେ କଂଗ୍ରେସ

ନୂଆଦିଲ୍ଲୀ : ହରିୟାଣା ବିଧାନସଭାର ୯୦ ଆସନ ପାଇଁ ଶନିବାର ଭୋଟଗ୍ରହଣ ଶେଷ ହେବାପରେ ବିଭିନ୍ନ ଚ୍ୟାନେଲ ପକ୍ଷରୁ ବୁଥ୍‌ ଫେରନ୍ତା ମତ ଅର୍ଥାତ୍‌ ଏକ୍‌ଜିଟ ପୋଲ୍‌ କରାଯାଇଛି। ତଦନୁଯାୟୀ ହରିୟାଣାରେ କଂଗ୍ରେସ ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ଯାଉଥିବାବେଳେ ଜାମ୍ମୁ-କାଶ୍ମୀରରେ ଏନ୍‌ସି (ନ୍ୟାସନାଲ କନ୍‌ଫରେନ୍ସ) ଓ କଂଗ୍ରେସ ମେଣ୍ଟ ସରକାର ଗଠନ କରିବା ଏକପ୍ରକାର ନିଶ୍ଚିତ ଜଣାପଡୁଛି। ଦୀର୍ଘ ବର୍ଷର ବ୍ୟବଧାନ ପରେ ଏହି ଦୁଇ ରାଜ୍ୟରେ କଂଗ୍ରେସ କ୍ଷମତାକୁ ଫେରୁଥିବାବେଳେ ବିଜେପିକୁ ଶକ୍ତ ଧକ୍କା ପହଞ୍ଚିଛି। ହରିୟାଣାରେ ସରକାର ଗଠନ କରିବାକୁ ହେଲେ ନିର୍ଦିଷ୍ଟ ଦଳ କିମ୍ବା ମେଣ୍ଟକୁ ଅତି କମରେ ୪୬ଟି ଆସନ ହାସଲ କରିବାକୁ ପଡିବ। ରିପବ୍ଲିକ ଭାରତ-ମ୍ୟାଟ୍ରିଜ ପକ୍ଷରୁ କରାଯାଇଥିବା ସର୍ଭେ ଅନୁଯାୟୀ ହରିୟାଣାରେ କଂଗ୍ରେସ ୫୫ରୁ ୬୨ଟି ଆସନରେ ବିଜୟୀ ହେବ ବୋଲି କୁହାଯାଇଛି। ବିଜେପିକୁ ୧୮ରୁ ୨୪ଟି ଆସନ ମିଳୁଥିବାବେଳେ ଆଇଏନଏଲ (ଇଣ୍ଡିଆନ ନ୍ୟାସନାଲ ଲୋକ ଦଳ)କୁ ୩ରୁ୬, ଜେଜେପି (ଜନନାୟକ ଜନତା ପାର୍ଟି)କୁ ୨ରୁ ୫ଟି ଏବଂ ଅନ୍ୟାନ୍ୟ ଦଳ ଓ ସ୍ବାଧୀନ ପ୍ରାର୍ଥୀଙ୍କୁ ୨ରୁ ୫ଟି ଆସନ ମିଳିବାର ସମ୍ଭାବନା ରହିଛି। ଏହି ସର୍ଭେ ରିପୋର୍ଟ କଂଗ୍ରେସକୁ ଆଶ୍ବସ୍ତି ଆଣି ଦେଇଛି। ଦୀର୍ଘ ୧୦ ବର୍ଷ ପରେ କଂଗ୍ରେସ ହରିୟାଣାରେ ସରକାର ଗଠନ କରିବା ନିଶ୍ଚିତ ଜଣାପଡୁଛି।
ଅପରପକ୍ଷରେ ଅଧିକାଂଶ ଚ୍ୟାନେଲର ସର୍ଭେ ରିପୋର୍ଟ ଜାମ୍ମୁ-କାଶ୍ମୀରରେ ଏନ୍‌ସି ଓ କଂଗ୍ରେସ ମେଣ୍ଟ ସପକ୍ଷରେ ଯାଉଥିବା ଜଣାପଡୁଛି। ଜାମ୍ମୁ-କାଶ୍ମୀର ବିଧାନସଭାର ମୋଟ ୯୦ ଆସନ ମଧ୍ୟରୁ ସରକାର ଗଠନ ନିମନ୍ତେ ୪୬ଟି ଆସନ ହାତେଇବା ଜରୁରୀ ହୋଇପଡିଛି। ମ୍ୟାଟ୍ରିଜ ଚ୍ୟାନେଲ ରିପୋର୍ଟ ଅନୁଯାୟୀ ଏନ୍‌ସି-କଂଗ୍ରେସ ମେଣ୍ଟ ୪୬ରୁ ୫୦ଟି ଆସନରେ ବିଜୟୀ ହେବ ବୋଲି କୁହାଯାଇଛି। ବିଜେପିକୁ ୨୩-୨୭ ଆସନ ମିଳୁଥିବାବେଳେ ପିଡିପି (ପିପୁଲ୍‌ସ ଡେମୋକ୍ରାଟିକ ପାର୍ଟି)କୁ ୭-୧୧ ଏବଂ ଅନ୍ୟାନ୍ୟ ଦଳଙ୍କୁ ୪-୬ ଆସନ ମିଳିବାର ସମ୍ଭାବନା ରହିଛି। ସୂଚନାଯୋଗ୍ୟ ପୂର୍ବ ନିର୍ବାଚନରେ ଏଠାରେ ବିଜେପି ଓ ପିଡିପିର ମେଣ୍ଟ ସରକାର କ୍ଷମତାରେ ରହିଥିଲା। ତେବେ ୨୦୧୯ରେ କେନ୍ଦ୍ର ସରକାର ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର କରିବା ସହ ଏହାକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରିଥିଲେ।

Comments are closed.