ଅବ୍ୟବସ୍ଥା ମଧ୍ୟରେ କଲମପୁର ପୁଲିସ ଥାନା

ନିଜେ ତ ଅସୁରକ୍ଷିତ ଅନ୍ୟକୁ ସୁରକ୍ଷା ଦେବ କେମିତି ?

କଲମପୁର: ଅନେକ ଅନୁରୋଧ ଏବଂ ଦାବି ପରେ କଲମପୁର ବ୍ଲକ ମୁଖ୍ୟ କାର୍ଯ୍ୟାଳୟଠାରେ ଗତ ୯ ଜାନୁଆରୀ ୨୦୨୩ରେ ପ୍ରତିଷ୍ଠା ହେଲା ପୁଲିସ ଥାନା। ଫାଣ୍ଡିକୁ ଉନ୍ନିତ କରାଯାଇ ପୁଲିସ ଥାନାର ମାନ୍ୟତା ଦିଆଗଲା। ଜଣକ ପରେ ଜଣେ ଏପରି ତିନିଜଣ ଥାନା ଅଧିକାରୀ ଏହି ପୁଲିସ ଥାନାର ଦାୟିତ୍ୱ ନେଲେଣି। ପ୍ରାୟ ଏକ ବର୍ଷ ହେବ ନୂତନ ଥାନା କାର୍ଯ୍ୟାଳୟ ନିର୍ମାଣ ଚାଲିଛି, ଯାହା ଅସମ୍ପୂର୍ଣ୍ଣ। ତେଣୁ ପୁରୁଣା ତଥା ବିପଦସଂକୁଳ ଅବସ୍ଥାରେ ଥିବା ପୂର୍ତ୍ତ ବିଭାଗର ବଙ୍ଗଳାରେ ଏବେ ଥାନା କାର୍ଯ୍ୟ ଚାଲିଛି। ଏହାର ପରିସରରେ ସାପ ବିଛାର ପ୍ରାଦୁର୍ଭାବ ରହିଛି। କୌଣସି ମୁଦାଲାକୁ ଆଣି ରାତିରେ ଅଟକ ରଖିବା ନିରାପଦ ନୁହେଁ। ଖୋଦ ରାତିରେ ଦାୟିତ୍ୱରେ ଥିବା କର୍ମଚାରୀ ମଧ୍ୟ ନିରାପଦରେ ରହିପାରନ୍ତି ନାହିଁ। କଲମପୁର ବ୍ଲକକୁ ଲାଗି ରହିଛି ମାଓ ଅଧ୍ୟୁଷିତ ଥୁଆମୁଳ ରାମପୁର ଏବଂ କର୍ଲାପାଟ ଥାନା ଅଞ୍ଚଳ। କଲମପୁର ଥାନା ଅଞ୍ଚଳରେ କୌଣସି ଅପ୍ରୀତିକର ଘଟଣା ଘଟିନଥିଲେ ମଧ୍ୟ ଏହି ଅଞ୍ଚଳ ଦେଇ ଅନେକ ସମୟରେ ସାହାଜଖୋଲ ଜଙ୍ଗଲ ମଧ୍ୟରେ ଗମନା ଗମନ ହୋଇଥାଏ। ଅନ୍ୟପଟେ କର୍ମଚାରୀ ରହିବା ପାଇଁ ବାସଗୃହ ଅଭାବ। ଭଡ଼ାରେ ଘର ମିଳିବା ମଧ୍ୟ କଷ୍ଟ ସାଧ୍ୟ, ଯାହା କର୍ମଚାରୀଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ। କଲମପୁରକୁ ବଦଳି ହୋଇ ଆସିବା ପାଇଁ ଅନେକ ସମୟରେ କର୍ମଚାରୀ ଅମଙ୍ଗ ହୁଅନ୍ତି ସେମାନଙ୍କ ପାଇଁ ଘର ଅଭାବ ଯୋଗୁଁଁ।

ସେହିଭଳି ଏକ ଥାନା ପାଇଁ ଜଣେ ଭାରପ୍ରାପ୍ତ ଥାନା ଅଧିକାରୀଙ୍କ ସମେତ ଦୁଇ ଜଣ ଏସ.ଆଇ. ଦୁଇ ଜଣ ଏ.ଏସ.ଆଇ ଜଣେ ହାବିଲଦାର ପଦବୀ ସହ ୮ଜଣ କନଷ୍ଟେବଳ ଆବଶ୍ୟକ କିନ୍ତୁ ଥାନା ପ୍ରତିଷ୍ଠା ଦିନରୁ କେବଳ ଜଣେ ଆଇ.ଆଇ.ସି, ଜଣେ ଏସ.ଆଇ. ଜଣେ ଏ.ଏସ.ଆଇ ଏବଂ ମାତ୍ର ୩ଜଣ କନଷ୍ଟେବଳରେ ଥାନା ପରିଚାଳନା କରାଯାଉଛି। ଏହାସହ ଏହି ଥାନା ଅଧିନରେ ଥିବା ବଡକୁଟୃ ପୁଲିସ ଫାଣ୍ଡିରେ ମଧ୍ୟ ଜଣେ ମାତ୍ର ଏସ.ଆଇ ଓ ଦୁଇ ଜଣ କନଷ୍ଟେବଳଙ୍କ ଦ୍ୱାରା ଫାଣ୍ଡି ପରିଚାଳନା କରାଯାଉଛି। କଲମପୁର ଥାନାର ଚାରିଦିଗରେ ଥୁଆମୁଳ ରାମପୁର, ଜୟପାଟଣା, କୋକସରା, ଜୁନାଗଡ଼ ଏବଂ କର୍ଲାପାଟ ଥାନା ରହିଛି। ପ୍ରାୟ ୫୦କିଲୋମିଟର ପରିସରରେ ୧୫ ଗୋଟି ପଞ୍ଚାୟତର ଆଇନ ଶୃଙ୍ଖଳା ଦାୟିତ୍ୱ କଲମପୁର ଥାନା ଉପରେ। ଏହି ସମସ୍ତ ଅଞ୍ଚଳ ପରିଦର୍ଶନ କରି ଅପରାଧ ନିୟନ୍ତ୍ରଣ କରିବା ପାଇଁ ଆବଶ୍ୟକ କର୍ମଚାରୀ ଏବଂ ଯାନ ଅଭାବ ରହୁଛି। ଏଭଳି ସ୍ଥିତିରେ କଲମପୁର ଥାନା ଅଧିନରେ କଲମପୁର ଏବଂ ବିଜମରାଠାରେ ରହିଛି ଭାରତୀୟ ଷ୍ଟେଟ ବ୍ୟାଙ୍କର ଶାଖା, ବଡକୁଟୃ ଏବଂ ମଣ୍ଡଳଠାରେ ରହିଛି ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ, ପୁଣି କଲମପୁରଠାରେ ରହିଛି ଭବାନୀପାଟଣା ସମବାୟ ବ୍ୟାଙ୍କର ଶାଖା। ଏହି ସମସ୍ତ ବ୍ୟାଙ୍କର ସୁରକ୍ଷା ପାଇଁ ପୁଲିସ ବଳ ମୁତୟନ ଆବଶ୍ୟକ ରହୁଛି।

ସେହିପରି କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସହ ବନ୍ଧକନା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଏବଂ କର୍ମଚାରୀଙ୍କ ସୁରକ୍ଷା ପାଇଁ ପୁଲିସ ବଳର ଆବଶ୍ୟକ। ପୁଣି କଲମପୁର ବ୍ଲକ କାର୍ଯ୍ୟାଳୟ ଏବଂ ତହସିଲ କାର୍ଯ୍ୟାଳୟରେ ମଧ୍ୟ ପୁଲିସର ସୁରକ୍ଷା ଦରକାର ହେଉଛି। କଲମପୁର ମୁଖ୍ୟ ବଜାରରେ ଟ୍ରାଫିକ ସମସ୍ୟା, ମଦ୍ୟପର ରେରେକାରକୁ ଦମନ ପାଇଁ ପୁଲିସର ଆବଶ୍ୟକ। କଲମପୁରଠାରେ ଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସମେତ ଅରେବେଡା ବିଜମରା, ମଣ୍ଡଳଠାରେ ଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଞ୍ଚଳରେ ରୋଡ୍‌ ରୋମିଓଙ୍କ ପ୍ରାଦୁର୍ଭାବ। ତେଣୁ ଏଥିପାଇଁ ପୁଲିସ ବଳର ଆବଶ୍ୟକ ରହିଛି। କିନ୍ତୁ ସ୍ୱଳ୍ପ ସଂଖ୍ୟକ ପୁଲିସରେ ଏ ସମସ୍ତ ବ୍ୟବସ୍ଥା କିଭଳି ସମ୍ପାଦିତ ହେବ ? ପୁଣି କଲମପୁର ଅଞ୍ଚଳ ଦେଇ ରୀତିମତ ଚୋରା ଚାଲାଣକାରୀ ଗଞ୍ଜେଇ ଏବଂ ହାତ ରନ୍ଧା ମଦ ଚାଲାଣ କରୁଛନ୍ତି। ସ୍ୱଳ୍ପ ସଂଖ୍ୟକ ପୁଲିସ ଏବଂ ଯାଞ୍ଚ ପାଇଁ ଯାନ ବାହାନ ଅଭାବ ଚୋରା ଚାଲାଣକାରୀଙ୍କ ପାଇଁ ସୁବିଧାଜନକ ହେଉଛି। ତେଣୁ ତୁରନ୍ତ ଏଥିପ୍ରତି ଗୁରୁତ୍ୱ ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

Comments are closed.