ତଥାକଥିତ ସୁଖ ସେହି ସବୁ ବସ୍ତୁ, ସମ୍ପଦ ମଧ୍ୟରେ ନଥାଏ, ଯାହା ଆମକୁ ସୁଖପ୍ରଦ ବୋଲି ମନେ ହୋଇଥାଏ। ଯେଉଁମାନେ ଦୁଃସ୍ଥ ଅବସ୍ଥାରେ ଥା’ନ୍ତି, ସେମାନଙ୍କ ମଧ୍ୟରୁ ଅନେକେ ନିଜକୁ ସ୍ବଚ୍ଛଳବର୍ଗ ସହ ତୁଳନା କରି ଦୁଃଖୀ ହୋଇଥାନ୍ତି। ଅହରହ ଭାବୁଥାନ୍ତି ମୋ’ର ସେହିଭଳି ଧନସମ୍ପଦ ଥାଆନ୍ତା କି! ନିଜକୁ ଦେଖିବାର ଶୈଳୀ ଓ ତରିକା ଆମେ ଯେତେବେଳେ ଓଲଟାଇ ଦେଉ ସେତେବେଳେ ଜୀବନ ଆମକୁ ଭିନ୍ନ ଅନୁଭୂତ ହୋଇଥାଏ। ଫଳତଃ ନିଜକୁ ଅତି ନ୍ୟୂନ ମନେ କରିଥାଉ। ଏହା ଏଇଥି ପାଇଁ ହୋଇଥାଏ ଯେ ଆମେ ଆଗକୁ ଦେଖିଥାଉ, ପଛକୁ ଚାହିଁ ନଥାଉ। ପଛକୁ ଦୃଷ୍ଟିପାତ କଲେ ଆମେ ଦେଖିପାରିବା ଆମଠାରୁ ଢ଼େର ଦୟନୀୟ ଅବସ୍ଥାରେ ଲକ୍ଷଲକ୍ଷ ଲୋକ ଜୀବନନିର୍ବାହ କରୁଛନ୍ତି ଯେଉଁମାନଙ୍କର କି ମୁଣ୍ଡ ଗୁଞ୍ଜିବାକୁ ବାସ ନାହିଁ କି ପିନ୍ଧିବାକୁ ଭଲ ବସ୍ତ୍ର ଖଣ୍ଡିଏ ନାହିଁ। ସେମାନଙ୍କ ତୁଳନାରେ ଆମର ସୁଖସମ୍ପଦ ନ୍ୟୂନ ନୁହେଁ। ତଥାପି ଆମେ ମନଖୋଲି ହସି ପାରୁନା। ଅପରର ଶ୍ରୀ ଦେଖି ଦୁଶ୍ଚିନ୍ତାରେ, ବିଷଣ୍ଣ ଭାବରେ ଦିନ ବିତାଇଥାଉ। ସର୍ବଦା ଅନ୍ୟର ସମ୍ପଦ, ସୌଭାଗ୍ୟ, ପ୍ରତିପତ୍ତି, କ୍ଷମତା ସହ ଅବାଞ୍ଛିତ ତୁଳନା କରି ଅଯଥା ଦୁଃଖକୁ ଆମନ୍ତ୍ରଣ କରି ଆଣିଥାଉ।
ଆମ ଭିତରେ ଏଭଳି ଅନେକ ଅଛନ୍ତି ଯେଉଁମାନେ ରକ୍ତକୁ ପାଣି ଫଟାଇ ମୁଣ୍ଡଝାଳ ତୁଣ୍ଡରେ ମାରି କାମ କରୁଥିଲେ ବି ଠିକ୍ ଭାବରେ ପରିବାର ପ୍ରତିପୋଷଣ କରିପାରୁ ନାହାନ୍ତି। ନିଜର ସର୍ବନିମ୍ନ ଆବଶ୍ୟକତା ମେଣ୍ଟାଇବାରେ ସେମାନେ ଅକ୍ଷମ। କ୍ଷେତବାଡ଼ି, କଳକାରଖାନାରେ କାମ କରୁଥିବା ଅଗଣିତ ଶ୍ରମିକ, ପରିବାର ପ୍ରତିପୋଷଣ ଭିତରେ ନିଜ ପେଟକୁ ମୁଠାଏ ଖାଇବାକୁ ପାଇନଥାନ୍ତି, ପରିଧାନ କଥା ଛାଡ଼। ଭୌତିକ ଅଭିବୃଦ୍ଧିରେ ସୁଖ ନିହିତ ନଥାଏ। ଏହା କେବଳ ଆମର କଳ୍ପନା, ଭ୍ରମାତ୍ମକ ବିଚାରଧାରା। ସମସ୍ତଙ୍କର ଏହା ଧାରଣା ଯେ ଯେଉଁମାନଙ୍କ ପାଖରେ ପ୍ରଚୁର ଧନସମ୍ପଦ ଅଛି, ସେଇମାନେ ହିଁ ଏ ଦୁନିଆରେ ସୁଖୀ ମଣିଷ। ବାସ୍ତବରେ ସମ୍ପଦଶାଳୀ ମଣିଷମାନେ ସାଧାରଣ ମଣିଷ ଅପେକ୍ଷା ଅନେକ ଦୁଃଖୀ; ହେଲେ ସେମାନଙ୍କ ମନ ଭିତରର ଦୁଃଖ, ଉଦ୍ବେଗ, ଅବସୋସ ପ୍ରକାଶ କରି ନପାରି ସନ୍ତାପିତ ଅବସ୍ଥାରେ ଥା’ନ୍ତି। ବାହାରକୁ ସୁଖୀ ଜଣାଯାଉଥିବା ଏଇ ମଣିଷମାନେ ପ୍ରକୃତରେ କେତେ ଦୁଃଖୀ, ତାହା ସେଇମାନେ ହିଁ ଜାଣନ୍ତି। ଏହି ତଥାକଥିତ ବିତ୍ତଶାଳୀ, କ୍ଷମତାବାନ ବ୍ୟକ୍ତିମାନେ ହେଲେ ଗୋଲାପର କଣ୍ଟା ସଦୃଶ। ସମ୍ପଦ, କ୍ଷମତା ସହ ଦୁଃଖ, ଅଶାନ୍ତି, ଉଦ୍ବେଗ, ନିପାରିଲାପଣିଆ, କଣ୍ଟା ସଦୃଶ ରହିବ ହଁି ରହିବ। ଏହା ଧ୍ରୁବ ସତ୍ୟ। ନିଷ୍ପତ୍ତି ନିଜ ଉପରେ ନିର୍ଭର କରେ। ଯେଉଁ ପରିସ୍ଥିତିରେ ଅଛନ୍ତି, ସେହି ସ୍ଥିତିରେ ହସଖୁସିରେ ଅଢ଼େଇ ଦିନର ଜୀବନ ଅତିବାହିତ କରିବେ ନା ଅନ୍ୟର ସମ୍ପଦ ଦେଖି ସେହିଭଳି ହେବାପାଇଁ ବୃଥା ଚେଷ୍ଟା କରି ଦୁଃଖ, ସନ୍ତାପକୁ ଆମନ୍ତ୍ରଣ କରି ଆଣିବେ?
ଗୋଲାପର କଣ୍ଟା
Popular Categories



