ଲାଞ୍ଜିଗଡ: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ରେଞ୍ଜ ଅଞ୍ଚଳରେ ବର୍ଷ ସାରା ଜଙ୍ଗଲୀ ହାତୀ ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି। ଦିନକୁ ଦିନ ଜଙ୍ଗଲୀ ହାତୀପଲ ଗାଁ ମୁହାଁ ହୋଇ ଫସଲ ନଷ୍ଟ କରିବା ସହ ଅନେକ ଲୋକଙ୍କ ଘରଦ୍ୱାର ଭଙ୍ଗାରୁଜା କରୁଛନ୍ତି ହାତୀପଲ। ହାତୀ ମଣିଷ ଲଢେ଼ଇ ଭିତରେ ଦୁର୍ଗମ ଅଞ୍ଚଳରେ ଲୋକେ ତ୍ରାହିତ୍ରାହି ଡାକୁଥିବା ବେଳେ ନିନ୍ଦାବିଷ୍ଣୁ ସାଜିଛି ବନ ବିଭାଗ।
ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୂଷାନାଲ ସେକ୍ସନ ବେନଗାଁ ପଞ୍ଚାୟତ ଅନ୍ତର୍ଗତ ଘୋଡା ପୋଖରୀ ଗାଁ ରେ। ସୂଚନା ମତେ ବେନଗାଁ ପଞ୍ଚାୟତ ଅନ୍ତର୍ଗତ ଘୋଡାପୋଖରୀ ଗାଁର ଧନୁର୍ଜୟ ହରିଜନଙ୍କ ପରିବାର କିଛି ବର୍ଷ ହେବ ବେନଗାଁ ପଞ୍ଚାୟତ ଅନ୍ତର୍ଗତ ଘୋଡାପୋଖରୀ ଗାଁରେ ରହି ଆସୁଥିଲେ। ହେଲେ ମଙ୍ଗଳବାର ବିଳମ୍ବିତ ରାତିରେ ୨୨ ଟିକିଆ ହାତୀପଲ ଝିମିରି ଜଙ୍ଗଲରୁ ଗାଁ ମୁହାଁ ହୋଇ ଗାଁ ନିକଟରେ ଭୀଷଣ ଗର୍ଜନ କରିଥିଲେ। ଗର୍ଜନ ଶୁଣି ପରିବାର ଜୀବନ ବିକଳରେ ଘର ଛାଡି ନିକଟସ୍ଥ ପଡୋଶୀ ଘରକୁ ପଳାଇବାରୁ ଅଳ୍ପକେ ବର୍ତ୍ତୀ ଯାଇଥିଲେ। ହେଲେ ସକାଳୁ ଘରକୁ ଆସିକି ଦେଖିଲା ବେଳକୁ ଏପଟେ ସର୍ବସ୍ୱାନ୍ତ କରି ଧନୁର୍ଜୟ ହରିଜନଙ୍କ ଘର ଭାଙ୍ଗିବା ସହିତ ଧାନ,ଚାଉଳ, ମାଣ୍ଡିଆ, ବିରି ଓ ଆସବାପତ୍ରକୁ ମାଡି ଚକଟି ଦେଇଥିବା ଦେଖିବାକୁ ମିଳିଛି। ବର୍ତମାନ ହାତୀପଲ ଗାଁ ନିକଟରେ ଥିବା ଝିମିରି ଜଙ୍ଗଲରେ ରହିଥିବା ବେଳେ ଲୋକେ ଲାଞ୍ଜିଗଡ ଠାରୁ ବେନଗାଁ ଦେଇ ସେହି ରାସ୍ତାରେ ଯାତାୟାତ ପାଇଁ ଭୟଭୀତ ହୋଇପଡିଛନ୍ତି। ଖବର ପାଇ ମୂଷାନାଲ ସେକ୍ସନ ବନପାଳ ଚିନ୍ତାମଣି ମାଝୀ ଏବଂ ବନ ବିଭାଗର ଏକ ଟିମ୍ ଘଟଣାସ୍ଥଳକୁ ଯିବା ସହିତ କ୍ଷୟକ୍ଷତିର ଆକଳନ କରିଥିବା ସୂଚନା ମିଳିଛି । ତେବେ ଉକ୍ତ ଅଞ୍ଚଳରେ ଏହି ଘଟଣା ବାରମ୍ବାର ଘଟୁଥିବା ବେଳେ କ୍ଷତିଗ୍ରସ୍ତ ପରିବାରକୁ ସରକାର ପକ୍ଷରୁ କ୍ଷତିପୂରଣ ଦେବାକୁ ଦୁଇ ପରିବାର ଆକୁଳ ନିବେଦନ କରିଛନ୍ତି ।



