ନାବାଳିକା ଅସଦାଚରଣ ଘଟଣାରେ ପୁଲିସ୍ ଏସ୍ଆଇ ନିଲମ୍ବିତ
ଏଡାପାଲ: କେରଳରେ ଏକ ନାବାଳିକା ଅସଦାଚରଣ ଘଟଣାରେ ପୁଲିସ ଉଚ୍ଚ କର୍ତ୍ତୃପକ୍ଷ ତ୍ୱରିତ ଓ ଅଭିନବ ପଦକ୍ଷେପ ନେଇଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହିତ ସମ୍ପୃକ୍ତ ଥାନାର ସବ୍ ଇନ୍ସପେକ୍ଟରଙ୍କୁ ନିଲମ୍ବନ କରାଯାଇଛି। ତାଙ୍କ ବିରୋଧରେ ପୋକ୍ସୋ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଏକ ସିନେମା ହଲ୍ରେ ଜନୈକା ନାବାଳିକାଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ଆସିଥିଲା। ଏପ୍ରିଲ୍ ୧୮ ତାରିଖରେ ଘଟିଥିବା ଏହି ଘଟଣାର ସିସିଟିଭି ଫୁଟେଜ୍ ଏପ୍ରିଲ୍ ୨୬ ତାରିଖ ଦିନ ଚାଇଲ୍ଡ ଲାଇନ୍ ଅଧିକାରୀମାନେ ଦେଖିବା ପରେ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଅଭିଯୁକ୍ତ ଓ ପୀଡ଼ିତାଙ୍କ ମା’ଙ୍କୁ ଗିରଫ କରାଯାଇଥିଲା। ଏମ୍ କୁଟ୍ଟୀ ନାମକ ଅଭିଯୁକ୍ତ ଜଣକ ମା’ ଓ ଝିଅର ମଝି ସିଟ୍ରେ ବସି ଦୁଇ ଜଣଙ୍କୁ ଅସଦାଚରଣ କରିଥିବା ଫୁଟେଜ୍ରେ ଦେଖାଯାଇଥିଲା।ଏଭଳି ଘଟଣାରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ପୋକ୍ସୋ ଆଇନରେ ନିର୍ଦେଶ ରହିଛି। କିନ୍ତୁ ଘଟଣା ସମ୍ପର୍କରେ ନାବାଳିକା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ କାର୍ଯ୍ୟାନୁଷ୍ଠାନ ନେଇ ନଥିଲା। ତେଣୁ ଆଇନ୍ ଖିଲାପ ଅଭିଯୋଗରେ ଚଙ୍ଗାରାମକୁଲମ୍ ଥାନା ସବ୍ଇନ୍ସପେକ୍ଟର କେ ଜି ବାବିଙ୍କୁ ନିଲମ୍ବନ କରାଯାଇଛି। ମାଜିଷ୍ଟ୍ରେଟ୍ ଓ ଶିଶୁ ବିକାଶ କମିଶନ୍ଙ୍କ ଆଗରେ ନାବାଳିକାଙ୍କ ବୟାନ ରେକର୍ଡ କରାଯିବା ପରେ ବାଳାଶ୍ରୟକୁ ପଠାଯାଇଛି।