ଭବାନୀପାଟଣା : କଳାହାଣ୍ଡିର ଇଷ୍ଟଦେବୀ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ତଥା ବିରଳ ଛତର ବିଜୟ ଯାତ୍ରା କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଇତିହାସରେ ପ୍ରଥମ କରି ବିନା ଭକ୍ତ ଓ ରକ୍ତରେ ଶନିବାର ଦିନ ଶାନ୍ତି ଶୃଙ୍ଖଳା ସହିତ ଅନୁଷ୍ଠିତ ହୋଇଯାଇଛି। ପୂର୍ବ ବର୍ଷପରି ଚଳିତ ବର୍ଷ କୌଣସି ପଶୁ ପକ୍ଷୀଙ୍କ ବିନା ରକ୍ତରେ ଭବାନୀପାଟଣା ସହରର ୪ କି.ମି ମୁଖ୍ୟ ରାଜରାସ୍ତା ଉପରେ ମାଁ ମାଣିକେଶ୍ୱରୀ ବିନା ଭକ୍ତଙ୍କ ଗହଣରେ କଡା ସୁରକ୍ଷା ବଳୟ ଭିତରେ ମୁଖ୍ୟ ମନ୍ଦିରକୁ ୨୪ ତାରିଖ ଶନିବାର ଭୋର୍ ୫ଟା ୩୦ରେ ପ୍ରବେଶ କରିଥିଲେ। ଛତରଯାତ୍ରାରେ ବଳି ପ୍ରଥା ବନ୍ଦ କରିବା ପାଇଁ ଓଡିଶା ହାଇକୋର୍ଟ ନିର୍ଦ୍ଦେଶନାମା ଦେଇଥିବାବେଳେ ଉକ୍ତ ନିର୍ଦ୍ଦେଶନାମାକୁ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମକୋର୍ଟ ରହିତାଦେଶ ଦେଇଥିଲେ। ଯାହାକୁ ନେଇ ଜିଲ୍ଲାବାସୀଙ୍କ ମନରେ ଖୁସିର ଲହରି ଖେଳିଯାଇଥିଲା। କିନ୍ତୁ ଚଳନ୍ତି ବର୍ଷ କରୋନା ସଂକ୍ରମଣକୁ ଆଖି ଆଗରେ ରଖି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୋଭିଡ୍-୧୯ ନିର୍ଦ୍ଦେଶନାମା ଅନୁଯାୟୀ ମାଣୀକେଶ୍ୱରୀଙ୍କ ଛତରଯାତ୍ରା ସହିତ କେବଳ ମା’ଙ୍କ ଜେନା ବାଜା ଓ ପ୍ୟାଲେସ କାର୍ଯ୍ୟାଳୟ ନିମନ୍ତ୍ରୀତ ମହାବୀର ସାଂସ୍କୃତିକ ଅନୁଷ୍ଠାନ ଘୁମୁରା ଦଳ ସହିତ ମୁଖ୍ୟ ମନ୍ଦିରକୁ ପ୍ରବେଶ କରିଥିଲେ। ଚଳିତ ବର୍ଷ ଅନ୍ୟ କୌଣସି ସାଂସ୍କୃତିକ ଦଳ ପୂର୍ବ ବର୍ଷପରି ଛତରଯାତ୍ରାରେ ଆସିବା ପାଇଁ ପ୍ରଶାସନ କଡା କଡି ଭାବେ ବାରଣ କରିଥିବାରୁ କୌଣସି ସାଂସ୍କୃତିକ ଦଳ ମାଁଙ୍କ ଆଗରେ ନିଜର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିପାରିନଥିଲେ।
ପ୍ରଶାସନ ତରଫରୁ ଅକ୍ଟୋବର ୨୩ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ଭବାନୀପାଟଣା ସହରକୁ ୧୪୪ ଧାରା କରାଯିବା ସହିତ ଅକ୍ଟୋବର ୨୩ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ଭବାନୀପାଟଣା ସହରର ସମସ୍ତ ପ୍ରବେଶ ପଥକୁ ସିଲ କରାଯାଇ ଭବାନୀପାଟଣା ବାହାରୁ କୌଣସି ଗାଡି ମୋଟର ଓ ଜନସାଧାରଣଙ୍କୁ ପ୍ରବେଶ କରିବାକୁ ଦିଆଯାଇନଥିଲା। ସେହିପରି ଭବାନୀପାଟଣା ସହରର ସମସ୍ତ ପଡାର ପ୍ରବେଶ ରାସ୍ତା ଓ ଜେନାଖାଲ ପଡାଠାରୁ ପରଦେଶିପଡା-ନୂଆ ବସ୍ଷ୍ଟାଣ୍ଡ-ଘୋଡା ଘାଟ ଛକ-ପ୍ୟାଲେସରୋଡ(ଜଗନ୍ନାଥ ମନ୍ଦିରପଡା)-ମାଣିକେଶ୍ୱରୀ ମନ୍ଦିର- ଷ୍ଟେଚ୍ୟୁଛକ ରାସ୍ତାର ସମସ୍ତ ପ୍ରବେଶ ପଥକୁ ସିଲ୍ କରାଯାଇ କୌଣସି ଲୋକଙ୍କୁ ଘରୁ ବାହାରିବାକୁ ଦିଆଯାଇନଥିଲା। ଜିଲ୍ଲା ପ୍ରଶାସନର ସବୁ ପ୍ରକାର କଟକଣାକୁ ଖାତିର ନକରି ଭକ୍ତମାନେ ନିଜର ଇଷ୍ଟଦେବୀ ମାଁ ମାଣିକେଶ୍ୱରୀଙ୍କୁ ଦର୍ଶନ ପାଇଁ ଘରୁ ବାହାରି ଆସି ବିଭିନ୍ନ ସ୍ଥାନରେ ଏବଂ ଘର ଉପରେ ଓ ଘରଦ୍ୱାର ମୁହଁରେ ରହି ମାଁଙ୍କୁ ପୂଜାର୍ଚ୍ଚନା କରିବା ସହିତ ଦର୍ଶନ କରିଥିଲେ। ମାନସିକ କରିଥିବା ଭକ୍ତମାନେ ଜେନାଖାଲରୁ ମାଣିକେଶ୍ୱରୀ ମନ୍ଦିର ମୁଖ୍ୟରାସ୍ତାକୁ ଛାଡିଦେଲେ ଅନ୍ୟାନ୍ୟ ରାସ୍ତାଗଳି ଏବଂ ସହର ବାହାରେ ବହୁ ପରିମାଣରେ ବୋଦା, ମେଣ୍ଢା, ପାରା, କୁକୁଡା ବଳି ଦେଉଥିବାର ଦେଖିବାକୁ ମିଳିଥିଲା। ପ୍ରଶାସନର କଟକଣା ଭକ୍ତର ଭାବନା ଓ ଭକ୍ତି ପାଖରେ ସଂପୂର୍ଣ୍ଣ ବିଫଳ ହୋଇଥିବା ଦେଖିବାକୁ ମିଳିଥିଲା। ପ୍ରଶାସନ କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତି ସୃଷ୍ଟିହେବାକୁ ଆଖିଆଗରେ ରଖି ପ୍ରଥମ କରି ତରବରିଆଭାବେ ଲୋକ ଶୋଇକି ଉଠିନଥିବା ପୂର୍ବରୁ ମା’ ଙ୍କ ଛତରକୁ ନେଇ ମନ୍ଦିର ଭିତରକୁ ପ୍ରବେଶ କରାଇବା ଘଟଣାକୁ ନେଇ ବହୁ ବୁଦ୍ଧିଜିବୀ ଓ ଭକ୍ତଙ୍କ ମନରେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ମିଳିଛି।
ମନ୍ଦିର ମୁଖ୍ୟରାସ୍ତାକୁ ଛାଡିଦେଲେ ଅନ୍ୟାନ୍ୟ ରାସ୍ତା, ଗଳି ଏବଂ ସହର ବାହାରେ ବହୁ ପରିମାଣରେ ବୋଦା, ମେଣ୍ଢା, ପାରା, କୁକୁଡା ବଳି ଦେଉଥିବାର ଦେଖିବାକୁ ମିଳିଥିଲା।
ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ୧୦ ପ୍ଲାଟୁନ ଫୋର୍ସ ସମେତ ଜଣେ ଅତିରିକ୍ତ ଏସ୍.ପି, ୪ ଜଣ ଡିଏସ୍ପି, ୧୪ ଜଣ ଇନ୍ସପେକ୍ଟର, ୧୯ ଜଣ ସବ୍ ଇନ୍ସପେକ୍ଟର, ୩୨ ଜଣ ଏ.ଏସ୍.ଆଇ., ୭୪ ଜଣ କନେଷ୍ଟବଳ, ୭୦ ହୋମଗାର୍ଡ ସମେତ ଏସ୍.ଓ.ଜି., ଡିଭିଏଫ୍ ଏବଂ ସିଆରପିଏଫ୍ ଜବାନ୍ ଙ୍କୁ ମୁତୟନ କରାଯାଇଥିଲା। ଆସନ୍ତା ୨୫ ତାରିଖ ମାଁମାଣିକେଶ୍ୱରୀଙ୍କର ଲାଖମରା ଓ ରାବଣପୋଡି ଉତ୍ସବ ଅନୁଷ୍ଠିତ ହେବ। ଭବାନୀପାଟଣା ସହରର ଗାନ୍ଧୀଛକ ଓ ରିଜର୍ଭ ପୋଲିସ ବ୍ୟତିତ ଅର୍କାବାହାଲିପଡା, ବାହାଦୁର ବଗିଚାପଡା, ସାପ୍ତାହିକ ହାଟପଦା (ଜନତା ପୂଜା ମଣ୍ଡପ), ମନ୍ଦାର ବଗିଚାପଡା, ପୁରୁଣା ବସଷ୍ଟାଣ୍ଡ, ପ୍ରଦେଶୀପଡା (ବାଲାଜୀ ମନ୍ଦିର ସମ୍ମୁଖ), ଇରିକେସନ କଲୋନୀ, ଗୋନ୍ତିଆପଡା ଏବଂ ନକଟିଗୁଡା (ଆରଟିଓ ଅଫିସ ସମ୍ମୁଖ) ୧୧ ଟି ସ୍ଥାନରେ କୋଭିଡ୍ ନିର୍ଦ୍ଦେଶନାମା ଅନୁଯାୟୀ ଦୁର୍ଗାପୂଜା ବିନା ଭକ୍ତରେ ଅନୁଷ୍ଠିତ ହୋଇଥିବା ବେଳେ ଜିଲ୍ଲାର ବିଭିନ୍ନ ବ୍ଲକରେ ମଧ୍ୟ ଶାନ୍ତି ଶୃଙ୍ଖଳା ସହିତ ଦୁର୍ଗାପୂଜା ଏବଂ ବିଶେଷ କରି ଜୁନାଗଡରେ ଲଙ୍କେଶ୍ୱରୀ, ଥୁଆମୂଳ ରାମପୁରର ମାଣିକେଶ୍ୱରୀ, ଧର୍ମଗଡର ଭଣ୍ଡାରଘରଣୀ, କୋକସରା ଓ ଆମପାଣିର ବୁଢାରାଜ, ବେହେରାର ଦନ୍ତେଶ୍ୱରୀ, କେସିଙ୍ଗାର ମାତାଜୀ ମନ୍ଦିରରେ ମଧ୍ୟ କରୋନା କଟକଣା ଓ ପ୍ରଶାସନର ନିର୍ଦ୍ଦେଶନାମା ଅନୁଯାୟୀ ବିନାଭକ୍ତରେ ନବରାତ୍ର ପୂଜା ଅନୁଷ୍ଠିତ ହୋଇଅଛି।



