ବ୍ୟାଙ୍କିଙ୍ଗ ସେବା ଲାଗି ୫୦୦କୋଟି

ରାଜ୍ୟ କ୍ୟାବିନେଟ୍‌ରେ ୧୯ ପ୍ରସ୍ତାବକୁ ମୋହର

ଭୁବନେଶ୍ୱର : ରାଜ୍ୟର ସାମଗ୍ରିକ ବିକାଶକୁ ତ୍ବରାନ୍ବିତ କରିବା ଲାଗି ଶୁକ୍ରବାର ରାଜ୍ୟ କ୍ୟାବିନେଟ୍‌ରେ ୧୯ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ମଧ୍ୟାହ୍ନ ୧୨ଟାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଦୀର୍ଘଦିନ ଧରି ଅପହଞ୍ଚ ଥିବା ୪୩୭୩ ପଞ୍ଚାୟତରେ ବ୍ୟାଙ୍କିଙ୍ଗ ସେବା ପହଞ୍ଚାଇବା ପାଇଁ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯିବାକୁ ନିଷ୍ପତ୍ତି ହୋଇଛି। ଏଥିଲାଗି ୫୦୦କୋଟି ଟଙ୍କାର ବ୍ୟବସ୍ଥା କରାଯାଇଥିବାବେଳେ ପ୍ରତିବର୍ଷ ୧ଲକ୍ଷ ଯୁବବର୍ଗଙ୍କୁ ଦକ୍ଷ କରିବା ଏବଂ ବିଭିନ୍ନ ସ୍ଥାନ‌େ‌ର ଜବରଦଖଲରେ ଥିବା ଜମିକୁ ସମ୍ପୃକ୍ତ ଦଖଲକାରୀଙ୍କ ନାମରେ ପଟ୍ଟା କରିବା ଏବଂ ଜଟଣୀରେ କର୍କଟ କେନ୍ଦ୍ର ପ୍ରତିଷ୍ଠା ଭଳି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବମାନ ରହିଛି।
ରାଜ୍ୟ କ୍ୟାବିନେଟ୍‌ ବୈଠକ ସମ୍ପର୍କରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଥିଲେ ଯେ, ସି.ଏସ.ପି ପ୍ଲସ୍ ବ୍ୟାଙ୍କିଙ୍ଗ୍‌ ଆଉଟଲେଟ୍‌ ମାଧ୍ୟମରେ ରାଜ୍ୟର ସମସ୍ତ ୪୩୭୩ ବ୍ୟାଙ୍କବିହୀନ ପଞ୍ଚାୟତରେ ବ୍ୟାଙ୍କ ସେବା ଯୋଗାଇ ଦିଆଯିବ। ଓଡ଼ିଶାର ୪୩୭୩ଟି ବ୍ୟାଙ୍କ ବିହୀନ ପଞ୍ଚାୟତରେ ୫୦୦ କୋଟି ଟଙ୍କା ବଜେଟ ସହାୟତାରେ ୬ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଯଥା- ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ,

prayash

ୟୁକୋ ବ୍ୟାଙ୍କ, ୟୁନିଅନ୍‌ ବ୍ୟାଙ୍କ ଅଫ୍ ଇଣ୍ଡିଆ, ବ୍ୟାଙ୍କ ଅଫ୍ ବରୋଦା ଏବଂ ବ୍ୟାଙ୍କ ଅଫ୍ ଇଣ୍ଡିଆ ସହିତ ସମନ୍ବୟ ରକ୍ଷା କରି ‘ସି.ଏସ.ପି ପ୍ଲସ୍’ ବ୍ୟାଙ୍କିଙ୍ଗ୍ ଆଉଟଲେଟ୍ ଖୋଲିବା ଯୋଜନାକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି। ଆର୍ଥିକ ଅନ୍ତର୍ଭୁକ୍ତିକରଣ ଓଡ଼ିଶା ସରକାରଙ୍କ ଏକ ମୁଖ୍ୟ କାର୍ଯ୍ୟକ୍ରମ। ରାଜ୍ୟର ସର୍ବମୋଟ ୬୭୯୮ଟି ପଞ୍ଚାୟତ ମଧ୍ୟରୁ ଶତକଡ଼ା ୬୫ ଭାଗ ପଞ୍ଚାୟତରେ (୪୩୭୩ ପଞ୍ଚାୟତରେ) ସ୍ଥାୟୀ ବ୍ୟାଙ୍କ ଶାଖା ନାହିଁ। ଆର୍ଥିକ ଅନ୍ତର୍ଭୁକ୍ତିକରଣ ପାଇଁ ବ୍ୟାଙ୍କିଙ୍ଗ ଏକ ଅତ୍ୟାବଶ୍ୟକ ସେବା ହୋଇଥିବାରୁ, ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରେ ନିରବଚ୍ଛିନ୍ନ ବ୍ୟାଙ୍କିଙ୍ଗ ସେବା ପାଇଁ ଏକ ସ୍ଥାୟୀ ବ୍ୟାଙ୍କ ଶାଖାର ଆବଶ୍ୟକତା ରହିଛି। ବ୍ୟାଙ୍କ ବିହୀନ ପଞ୍ଚାୟତରେ ସ୍ଥାୟୀ ବ୍ୟାଙ୍କ ଶାଖାର ସ୍ଥାପନ କ୍ଷେତ୍ରରେ ଅଗ୍ରଗତି ଅତ୍ୟନ୍ତ ମନ୍ଥର ଏବଂ ନଗଣ୍ୟ , ତେଣୁ ସି.ଏସ.ପି ପ୍ଲସ୍‌ ବ୍ୟାଙ୍କିଙ୍ଗ ଆଉଟଲେଟ ମାଧ୍ୟମରେ ପ୍ରତ୍ୟେକ ଅପହଞ୍ଚ ପଞ୍ଚାୟତରେ ବ୍ୟାଙ୍କିଙ୍ଗ ସେବା ଯୋଗାଇବା ପାଇଁ ଓଡ଼ିଶା ସରକାର ନିଷ୍ପତ୍ତି ନେଇଛନ୍ତି। ବ୍ୟାଙ୍କିଙ୍ଗ ସେବା ପାଇଁ ଓଡ଼ିଶା ସରକାର ୫ବର୍ଷ ପର୍ଯ୍ୟନ୍ତ ନିଃଶୁଳ୍କ ଗୃହ ପ୍ରଦାନ କରିବେ। ୩ବର୍ଷ ପର୍ଯ୍ୟନ୍ତ ଆବର୍ତ୍ତୀ ଖର୍ଚ୍ଚ(ରିକରିଂ କ‌ଷ୍ଟ) ବହନ କରିବେ। ଏହାଦ୍ବାରା ସବୁ ବର୍ଗର ଲୋକେ ସୁବିଧାରେ ବ୍ୟାଙ୍କିଙ୍ଗ ସେବା ପାଇ ପାରିବେ।
ମୁଖ୍ୟଶାସନ ସଚିବ ପ୍ରଦୀପ ଜେନା କହିଥିଲେ ଯେ, ଆସନ୍ତା ୩ବର୍ଷ ମଧ୍ୟରେ ରାଜ୍ୟରେ ପ୍ରତିବର୍ଷ ଏକ ଲକ୍ଷ ଯୁବକଯୁବତୀଙ୍କୁ ଦକ୍ଷ କରିବା ପାଇଁ ୩୮୫.୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ନୂତନ ଉନ୍ନତ ଅଭିଲାଷା (ନୂଆ)ଓଡ଼ିଶା ଯୋଜନାକୁ କ୍ୟାବିନେଟ୍ ଅନୁମୋଦନ କରିଛି। ଉନ୍ନତମାନର ପ୍ରଶିକ୍ଷଣ, ଶିଳ୍ପ ସଂଯୋଗକୁ ପ୍ରୋତ୍ସାହିତ କରିବା ଏବଂ ନିଯୁକ୍ତି ଦକ୍ଷତା ବୃଦ୍ଧି କରି ଉଦୀୟମାନ କ୍ଷେତ୍ରରେ ଦକ୍ଷ ମାନବ ସମ୍ବଳର ଅଭାବ ଦୂର ଦିଗରେ ଏହି ଯୋଜନା କାର୍ଯ୍ୟ କରିବ। ପାରମ୍ପରିକ କ୍ଷେତ୍ର (ହସ୍ତଶିଳ୍ପ, ହସ୍ତତନ୍ତ, କୃଷି ଇତ୍ୟାଦି)ରେ ନୂତନ ଯୁଗର ଜ୍ଞାନକୌଶଳର ବ୍ୟବହାରରେ ଥିବା ଦକ୍ଷତା-ବ୍ୟବଧାନକୁ ଦୂର କରିବାରେ ଏହା ସହାୟକ ହେବ। ଏଥିରେ ଯୁବବର୍ଗଙ୍କ ପାଇଁ ନୂତନ ଦକ୍ଷତା, ବିଦ୍ୟମାନ ଛାତ୍ରଛାତ୍ରୀଙ୍କ ପାଇଁ ଆଡ୍ ଅନ୍ ସ୍କିଲ୍ ପାଠ୍ୟକ୍ରମ, ଉଚ୍ଚ ଶିକ୍ଷାନୁଷ୍ଠାନରେ ଯୁବକଙ୍କ ପାଇଁ ଡିଜିଟାଲ ଓ ଇ-ପାଠ୍ୟକ୍ରମ, ବିଭିନ୍ନ ଅନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ପାଇଁ ନିଯୁକ୍ତି ଦକ୍ଷତା ଇତ୍ୟାଦି ରଖାଯିବ। ରାଜ୍ୟର ୩୦ଟି ଜିଲାରେ କାର୍ଯ୍ୟକାରୀ ହେବାକୁ ଥିବା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଦକ୍ଷତା ଅନୁଷ୍ଠାନ (ଆଇଟିଆଇ, ପଲିଟେକ୍‌ନିକ୍ ଇତ୍ୟାଦି), ସରକାରୀ ଦକ୍ଷତା ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ, କ୍ଲଷ୍ଟର ମାଧ୍ୟମରେ ଦକ୍ଷତା, ରିସ୍କିଲିଂ ଏବଂ ଅପ୍ ସ୍କିଲିଂ ସୁଯୋଗ ଯୋଗାଇ ଦିଆଯିବ। ପ୍ରତିଷ୍ଠିତ ଶିଳ୍ପ ଏବଂ ପ୍ରଶିକ୍ଷଣ ପ୍ରଦାନକାରୀ, ଶିଳ୍ପ ସଂଘ ଇତ୍ୟାଦିଙ୍କୁ ନେଇ ଗଠିତ ବିଶ୍ବସନୀୟ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ସଂସ୍ଥାଗୁଡ଼ିକୁ ଭିନ୍ନ ଏବଂ ପ୍ରୋତ୍ସାହନଭିତ୍ତିକ ଆଭିମୁଖ୍ୟ ଉପରେ ଆଧାରିତ ଏକ ସକ୍ଷମ ନୀତି ଢାଞ୍ଚା ମାଧ୍ୟମରେ ଦକ୍ଷତା କାର୍ଯ୍ୟକ୍ରମ ପ୍ରଦାନ ପାଇଁ ନିୟୋଜିତ କରାଯିବ। ରାଜ୍ୟରେ ଅତ୍ୟାଧୁନିକ ପ୍ରଶିକ୍ଷଣ କେନ୍ଦ୍ର, ସୁସଜ୍ଜିତ ଲାବ୍ ଏବଂ ଏକ ସୁଦୃଢ଼ ଦକ୍ଷତା ପରିବେଶ ପ୍ରତିଷ୍ଠା ହେଲେ ‘ସ୍କିଲ୍ଟ-ଇନ୍- ଓଡ଼ିଶା’ ବ୍ରାଣ୍ଡକୁ ଆହୁରି ସୁଦୃଢ଼ କରିବାରେ ସହାୟକ ହେବ।
ରାଜ୍ୟରେ ପାହାଡ଼ିଆ ଓ ଅପହଞ୍ଚ ଇଲାକାରେ ତ୍ବରିତ ଟେଲିକମ୍ ସେବା ପହଞ୍ଚାଇବା ପାଇଁ ରାଜ୍ୟ ସରକାର ‘ଓଡ଼ିଶା ମୋବାଇଲ ଟାୱାର ଏବଂ ଟେଲିଗ୍ରାଫ ଲାଇନ ଓ.ଏଫ୍.ସି ଓ ରିଲେଟେଡ଼ ଟେଲିକମ୍ ଇନଫ୍ରାଷ୍ଟ୍ରକ୍ଟର ନୀତି-୨୦୧୭’ର ପ୍ରଣୟନ କରିଥିଲେ। ଏବେ ଏହାର ସଂଶୋଧନ କରାଯିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ପ୍ରସ୍ତାବର ମୂଳ ଲକ୍ଷ୍ୟ ହେଉଛି, ଏହାକୁ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଣିତ ‘ଇଣ୍ଡିଆନ ଟେଲିଗ୍ରାଫ୍ ରାଇଟ୍ ଅଫ୍ ୱେ ନିୟମ-୨୦୨୨’ସହ ସମନ୍ବୟ ରକ୍ଷା ଓ ଦୂରସଞ୍ଚାର ଭିତ୍ତିଭୂମିକୁ ସୁଦୃଢ଼ ଓ ସୁଗମ କରିବା ସଙ୍ଗେ ସଙ୍ଗେ ପରିଚାଳନାଗତ ସମସ୍ୟାର ସମାଧାନ କରି ରାଜ୍ୟରେ ୫ଜି ଇଣ୍ଟରନେଟ୍ ସେବାର ତ୍ବରିତ ପ୍ରସାର କରିବ।
ସେହିପରି ଖୋର୍ଦ୍ଧା ଜିଲାର ଜଟଣୀ ତହସିଲ ଅନ୍ତର୍ଗତ ପଦନପୁର, ବଡ଼ତୋଟା, ଭୀମପୁର ଓ ବେଲପଡ଼ା ମୌଜାରେ ମୋଟ ଏକର ୪୮.୮୪୨ ଡିସିମିଲ ସରକାରୀ ଜମିକୁ ବିନା କୌଣସି ଦେୟରେ ନାଇଜରକୁ ଟାଟା ମେମୋରିଆଲ କେନ୍ଦ୍ର ଦ୍ବାରା ଏକ କର୍କଟ ଚିକିତ୍ସା ଓ ଶିକ୍ଷା କେନ୍ଦ୍ର ପ୍ରତିଷ୍ଠା ନିମନ୍ତେ ଲିଜ୍‌ ସୂତ୍ରରେ ଯୋଗାଇ ଦେବା ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଦ୍ବାରା ଆଗତ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‌ ଅନୁମୋଦନ କରିଛନ୍ତି । ଏହାବାଦ୍ ବିଭିନ୍ନ ବିଭାଗର କ୍ୟାଡର ପୁନର୍ଗଠନ, ଓଡ଼ିଶା ସରକାରୀ ବେସରକାରୀ ସହଭାଗିତା ନୀତି-୨୦୨୩ ପ୍ରଣୟନ ଭଳି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‌ ଅନୁମୋଦନ କରିଛି।
ବ୍ୟାଙ୍କିଙ୍ଗ ସେବା ଲାଗି…

Comments are closed.