ରାମକଥା ଶୁଣିଲେ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ଋଷି ସନକ

‘ପ୍ରଧାନମନ୍ତ୍ରୀ ହେଲେ ବି ପ୍ରଥମେ ହିନ୍ଦୁ’

ଲଣ୍ଡନ : ଇଂଲଣ୍ଡର ପ୍ରଖ୍ୟାତ କେମ୍ବ୍ରିଜ୍‌ ବିଶ୍ବବିଦ୍ୟାଳୟରେ ଭାରତୀୟ ଆଧ୍ୟାତ୍ମିକ ଗୁରୁ ମୁରାରି ବାପୁ ରାମକଥା ଶୁଣାଇଥିଲେ। ଏହି କଥା ଶୁଣିବାକୁ ସେଠାରେ ପହଞ୍ଚିଥିଲେ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ଋଷି ସନକ। ରାମକଥା ଶୁଣିବା ନିମନ୍ତେ କେମ୍ବ୍ରିଜ ବିଶ୍ବବିଦ୍ୟାଳୟ ଆସିବାକୁ ଋଷି ସନକଙ୍କୁ ମୁରାରି ବାପୁ ନିମନ୍ତ୍ରଣ କରିଥିଲେ। ନିମନ୍ତ୍ରଣ ରକ୍ଷା କରି ସେ ସେଠାକୁ ଯାଇଥିଲେ। ପ୍ରବଚନସ୍ଥଳରେ ଋଷି ସନକ ୫ ମିନିଟ୍‌ ପାଇଁ ଉଦ୍‌ବୋଧନ ଦେଇଥିଲେ। ଇଂଲଣ୍ଡର ପ୍ରଧାନମନ୍ତ୍ରୀ ନୁହେଁ ଜଣେ ହିନ୍ଦୁ ଭାବେ ରାମକଥା ଶୁଣିବାକୁ ଆସିଥିବା ମୁରାରି ବାପୁଙ୍କୁ କହିଥିଲେ ଋଷି ସନକ। ପ୍ରଧାନମନ୍ତ୍ରୀ ହେଲେ ବି ପ୍ରଥମେ ହିନ୍ଦୁ ବୋଲି ସେ କହିଥିଲେ। ସେ ପ୍ରବଚନସ୍ଥଳରେ ୪୦ ମିିନିଟ୍‌ ରହିବା ସହ ପିଲାମାନଙ୍କୁ ପ୍ରସାଦ ବାଣ୍ଟିଥିଲେ। ଆରତି କରିବା ସହ ବିଭିନ୍ନ ଲୋକଙ୍କ ସହ ବାର୍ତ୍ତାଳାପ କରିଥ​‌ିଲେ। ରାମକଥା ଶୁଣିବା ସହ କିଛିସମୟ ଧ୍ୟାନ କରିଥିଲେ। ଏହି ପ୍ରବଚନ ଶୁଣିବାକୁ ଇଂଲଣ୍ଡ, ଆମେରିକା ଓ କାନାଡ଼ାର ବହୁ ବ୍ୟକ୍ତି ଯୋଗ ଦେଇଥିଲେ। ପରବର୍ତ୍ତୀ ସମୟରେ ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ମୁରାରି ବାପୁ କହିଥିଲେ ଋଷି ସନକଙ୍କ ସେଦିନର ଆଚରଣ ଅନ୍ୟ ଦେଶର ମୁଖ୍ୟମାନଙ୍କ ନିମନ୍ତେ ଏକ ଉଦାହରଣ।

Comments are closed.