ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ପୁଲିସ ଓ ପ୍ରଶାସନ ନୀରବଦ୍ରଷ୍ଟା ସାଜିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ:ବିଜେପି

ଭୁବନେଶ୍ୱର:ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ କ୍ଷମତା ଅକ୍ତିଆର ପାଇଁ ଶାସକ ବିଜୁ ଜନତା ଦଳ ସମସ୍ତ ପ୍ରକାରର ହୀନ ଉଦ୍ୟମ ଜାରି ରଖିଛି। ମିଛ ପ୍ରତିଶୃତିଠୁ ଆରମ୍ଭ କରି ଟଙ୍କା ବଣ୍ଟନ ଜରିଆରେ ଶାସକ ଦଳର ମନ୍ତ୍ରୀ ଓ ନେତାମାନେ ଭୋଟରମାନଙ୍କୁ ପ୍ରଭାବିତ କରିବାର ଅପପ୍ରୟାସ କରୁଛନ୍ତି। ଏ ସମସ୍ତ ପ୍ରସଙ୍ଗରେ କିଛି ସରକାରୀ କର୍ମଚାରୀମାନେ ଶାସକ ଦଳ ସପକ୍ଷରେ ପ୍ରଚାର କରିବା ସହିତ ସୁରକ୍ଷା ପ୍ରଦାନ କରୁଛନ୍ତି। ‘ଧରା ନ ପଡିଲେ ଭଲ, ଧରା ପଡିଲେ ସରକାରୀ ବାବୁମାନେ ସୁରକ୍ଷା ଦେବା ପାଇଁ ଅଛନ୍ତି’, ଏହି ଧାରାରେ ଶାସକ ବିଜେଡି କର୍ମୀମାନେ ସମସ୍ତ ପ୍ରକାରର ବେଆଇନ ଓ ଅଗଣତାନ୍ତ୍ରିକ କାର୍ଯ୍ୟ କରିଚାଲୁଛନ୍ତି। ଗତ କାଲିର ୩ଟି ଘଟଣା ଶାସକ ବିଜେଡିର ଅସଲ ଚେହେରାକୁ ପଦାରେ ପକାଇଛି। ଡାବୁଗାଁ ବିଧାୟକ ମନୋହର ଗାନ୍ଧାରୀଙ୍କ ଦ୍ୱାରା ଆଚରଣ ବିଧିକୁ ଉଲ୍ଲଙ୍ଘନ କରି ପୁରୁଷ ଭୋଟରଙ୍କୁ ଗାମୁଛା ଏବଂ ମହିଳା ଭୋଟରଙ୍କୁ ଶାଢୀ ଆଦି ବଣ୍ଟନ ସମୟରେ ସ୍ଥାନୀୟ ଲୋକଙ୍କ ପ୍ରବଳ ବିରୋଧ କାରଣରୁ ବାଧ୍ୟବାଧକାତାରେ ଗାଡି ପୁଲିସ ଦ୍ୱାରା ଜବତ୍ ହେବା ଏବଂ ପରବର୍ତ୍ତି ସମୟରେ ଚଞ୍ଚକତା କରି ଗାଡିକୁ ଛାଡିଦେବା ଘଟଣା ଏହାର ଜ୍ୱଳନ୍ତ ଉଦାହରଣ ବୋଲି ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାସ କହିଛନ୍ତି।
ରାଜ୍ୟ ସରକାରଙ୍କ ନିଶାମୁକ୍ତ ଆହ୍ୱାନ କେବଳ ଫମ୍ପା ଆୱାଜ। ଏହି ଫମ୍ପା ଆୱାଜ ଆହୁରି ଶାଣିତ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ। ନିଶାମୁକ୍ତ ପଞ୍ଚାୟତ ନିର୍ବାଚନ ବୋଲି ଘୋଷଣା କରିଥିବା ନିର୍ବାଚନ କମିଶନଙ୍କ ପ୍ରତିଶୃତି ବାସ୍ତବରେ କାର୍ଯ୍ୟକାରୀ ହେଉନାହିଁ। ଶାସକ ବିଜେଡି ଶାସନ କ୍ଷମତାର ଅପବ୍ୟବହାର କରି ଭୋଟରମାନଙ୍କୁ ଦେଶୀ ବିଦେଶୀ ମଦ ଦେଇ ପ୍ରଭାବିତ କରୁଛି। ଅବକାରୀ ଅଧିକାରୀ ଓ ପୁଲିସର ସହାୟତାରେ ପୂର୍ବରୁ ଘରେ ଘରେ ମଦ ଗଚ୍ଛିତ ରଖାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନିଜସ୍ୱ ଜିଲା ଗଂଜାମର ସାନଖେମୁଣ୍ଡି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଜିଲ୍ଲା ପରିଷଦ ଜୋନ-୬୨ ଅଧିନରେ କାଳନପଦର ଗ୍ରାମ ପଂଚାୟତ ମାଟିଆବାରୀ ଗ୍ରାମରେ ଥିବା ପମ୍ପହାଉସରେ ଶାସକ ବିଜେଡି ଦ୍ୱାରା ବିପୁଳ ପରିମାଣର ମଦ ଗଚ୍ଛିତ ରାଖାଯାଇଥିଲା। ଏହାକୁ ବିରୋଧ କରି ସ୍ଥାନୀୟ ଗ୍ରାମବାସୀ ବିଡିଓ ଏବଂ ପୋଲିସ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ। କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତେ ନୀରବଦ୍ରଷ୍ଟା ସାଜିଲେ। ବିରୋଧ କ୍ରମଶଃ ଉଗ୍ର ରୂପ ଧାରଣ କରିବା ପରେ କୈାଶଳକ୍ରମେ ମଧ୍ୟ ରାତ୍ରୀରେ ପୋଲିସ ଆସି ସମସ୍ତ ମଦକୁ ନେଇ ପଳାଇଥିଲେ। ତେଣୁ ଏହା ନିଶାମୁକ୍ତ ନୁହେଁ, ବରଂ ନିଶାଯୁକ୍ତ ପଂଚାୟତ ନିର୍ବାଚନ ହେବାକୁ ଯାଉଛି ବୋଲି ଶ୍ରୀ ଦାସ କହିଛନ୍ତି।

prayash

ମିଛ ରାସନ କାର୍ଡ ଏବଂ ମିଛ ବାର୍ଦ୍ଧକ୍ୟ ଭତ୍ତା କାର୍ଡ ସହ ଟଙ୍କା ବଣ୍ଟନ କରି ଶାସକ ବିଜେଡି ନେତା ଓ କର୍ମୀମାନେ ଭୋଟରମାନଙ୍କୁ ପ୍ରଭାବିତ କରିବା ଦଣ୍ଡନୀୟ ଅପରାଧ। ମୁଖ୍ୟମନ୍ତ୍ରୀଙ୍କ ନିଜସ୍ୱ ଜିଲ୍ଲା ଗଂଜାମର ବିଭିନ୍ନ ଅଂଚଳ ସମେତ ରାଜ୍ୟର ବହୁ ସ୍ଥାନରେ ଏଭଳି ଦଣ୍ଡନୀୟ କାର୍ଯ୍ୟ ଶାସକ ବିଜେଡିର କାର୍ଯ୍ୟକର୍ତ୍ତାମାନେ କରୁଛନ୍ତି। ମାତ୍ର ନିର୍ବାଚନ ଦାୟିତ୍ୱରେ ଥିବା ପୁଲିସ ଓ ପ୍ରଶାସନ ନୀରବଦ୍ରଷ୍ଟା ସାଜିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏଭଳି ଘଟଣା ଗଂଜାମ ଜିଲା ସାନଖେମୁଣ୍ଡି, ଧରାକୋଟ ବ୍ଲକ ଅନ୍ତର୍ଗତ ଝାଡବନ୍ଧ ଗ୍ରାମରେ ଶାସକ ବିଜେଡିର ଦଳୀୟ ପ୍ରାର୍ଥୀ ଓ କାର୍ଯ୍ୟକର୍ତାମାନେ ଭୋଟରମାନଙ୍କୁ ମିଛ ରାସନ ଓ ବାର୍ଦ୍ଧକ୍ୟ କାର୍ଡ ସହିତ ୫୦୦ ଟଙ୍କାର ପ୍ରଲୋଭନ ଦେଇ ପ୍ରଭାବିତ କରୁଛନ୍ତି। ଏହା ସଂପୂର୍ଣ୍ଣ ଭାବେ ଅଗଣତାନ୍ତ୍ରୀକ ବୋଲି ଶ୍ରୀ ଦାସ କହିଛନ୍ତି।
ରାଜ୍ୟ ନିର୍ବାଚନ କମିଶନ ବିହୀତ ପଦକ୍ଷେପ ଗ୍ରହଣ କରନ୍ତୁ ଏବଂ ଆସନ୍ତା କାଲି ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଦୋଷୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୁଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉଦାହରଣ ସୃଷ୍ଟି କରନ୍ତୁ ବୋଲି ଶ୍ରୀ ଦାସ କହିଛନ୍ତି। ଏହି ପ୍ରତିନିଧି ଦଳରେ ଅନ୍ୟତମ ରାଜ୍ୟ ମୁଖପାତ୍ର ସୋନାଲି ସାହୁଙ୍କ ସମେତ ରବିଶଙ୍କର ପଟ୍ଟନାୟକ, ଜୟନ୍ତ ଜେନା, ସୁଜିତ କୁମାର ଦାସ୍ ଏବଂ ମହେନ୍ଦ୍ର ପ୍ରଧାନ ପ୍ରମୁଖ ସାମିଲ ଥିଲେ।

kalyan agarbati

Comments are closed.