ପିପିଲି ପୌରାଞ୍ଚଳରେ ବିଜେଡର ଜନସଂପର୍କ ପଦଯାତ୍ରା
ପିପିଲି:ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ବିଜେଡି ପକ୍ଷରୁ ରାଜ୍ୟର କୋଣ ଅନୁକୋଣରେ ଜନସଂପର୍କ ପଦଯାତ୍ରା ଚାଲିଥିବା ବେଳେ ବିଧାୟକ ରୁଦ୍ରପ୍ରତାପ ମହାରଥୀ ଗୁରୁବାର ପିପିଲି ପୌରାଞ୍ଚଳରେ ବିଜେଡି କର୍ମୀ, ସମର୍ଥକ ଓ ଦଳୀୟ ନେତୃବୃନ୍ଦଙ୍କୁ ନେଇ ଜନସଂପର୍କ ପଦଯାତ୍ରାରେ ଯାଇ ଲୋକଙ୍କ ସମସ୍ୟା ବୁଝିଛନ୍ତି। ପିପିଲି ଏନ୍ଏସି ପୌରାଧ୍ୟକ୍ଷ ସେକ୍ ବାବୁଙ୍କ ନେତୃତ୍ୱରେ ଏହି ପଦଯାତ୍ରା ସ୍ଥାନୀୟ ଦଳୀୟ କାର୍ଯ୍ୟାଳୟ ଠାରୁ ବାହାରି ୧୬ଟି ଯାକ ୱାର୍ଡର ବିଭିନ୍ନ ସାହି, ବସ୍ତି ପରିକ୍ରମା କରିଥିଲା। ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭା ମାଧ୍ୟମରେ ନବୀନ ସରକାରଙ୍କ ବିଭିନ୍ନ ଲୋକାଭିମୁଖି ଯୋଜନା ଓ ବିକାଶମୂଳକ କାର୍ଯ୍ୟକ୍ରମ ସଂପର୍କରେ ଲୋକଙ୍କୁ ଅବଗତ କରାଯାଇଥିଲା। ପ୍ରତ୍ୟେକ ଗ୍ରାମରେ ଯୁବ ଓ ମହିଳା ଗୋଷ୍ଠୀଙ୍କ ପକ୍ଷରୁ ଶ୍ରୀମହାରଥୀଙ୍କୁ ଉଚ୍ଛ୍ୱତ୍ସିତ ସଂବର୍ଦ୍ଧନା ଦିଆଯାଇଥିବା ବେଳେ ସେ ସାଧାରଣ ଲୋକଙ୍କ ସମସ୍ୟା ସଂପର୍କରେ ସେମାନଙ୍କ ଠାରୁ ପଚାରି ବୁଝିଥିଲେ।
ଶେଷରେ ଖଣ୍ଡିଆଗିରି ଗ୍ରାମ ଠାରେ ଏହି ପଦଯାତ୍ରା ଶେଷ ହୋଇଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପିପିଲି ପୌର ଉପାଧ୍ୟକ୍ଷା ଭାଗ୍ୟବତୀ ମହାରଣା, ବରିଷ୍ଠ ବିଜେଡି ନେତା ଗନ୍ଧର୍ବ ପରିଡା, ଶରତ କୁମାର ବେହେରା, ଗନ୍ଧର୍ବ ପ୍ରଧାନ, ଅଜୟ ମହାରଣା, ସେକ୍ ଆବିଦ ଉଦ୍ଦିନ, ଜିଲା ପରିଷଦ ସଭ୍ୟ ଧରଣୀଧର ସାହୁ, ପୁରୀ ଜିଲା ଯୁବ ବିଜେଡି ସଭାପତି ନାରାୟଣ ସ୍ୱାଇଁ, ଜିଲା ବିଜେଡି ସାଧାରଣ ସଂପାଦକ କିଶୋର ଛୋଟରାୟ, ଯୁବନେତା ବିଶ୍ୱଜିତ ଦାଶ, ସୁନିଲ ବରାଳ ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.