ଭୁବନେଶ୍ୱର ରନୱେ ୱିକ୍‌: ମୁଖ୍ୟ ଆକର୍ଷଣ ମିସ୍ ଇଣ୍ଡିଆ ରନର୍ସ ଅପ୍ ସିନାତା ଚୌହାନ୍‌ ଓ ଶ୍ରେୟା ପୁଞ୍ଜ

ରାମ୍ପରେ ଚାଲିଲେ ମଡ଼େଲ୍‌, ଡିଜାଇନରଙ୍କ ଆକର୍ଷଣୀୟ ପୋଷାକ ଡିଜାଇନ୍ ପରିବେଷଣରେ ଦର୍ଶକ ମନ୍ତ୍ରମୁଗ୍ଧ

ଭୁବନେଶ୍ୱର: ଆଡିକ୍‌ସନ ଫେଶନ ମ୍ୟାନେଜ୍‌ମେଣ୍ଟ ପକ୍ଷରୁ ଭୁବନେଶ୍ୱର ରନୱେ ୱିକ୍‌ର ନବମ ସଂସ୍କରଣ ସ୍ଥାନୀୟ ଏକ ତାରକା ହୋଟେଲରେ ଅନୁଷ୍ଠିତ ହୋଇଯାଇଛି । ଆଡ଼ିକ୍ସନ ଫେଶନ୍ ମ୍ୟାନେଜମେଣ୍ଟ ନିର୍ଦେଶକ ଜନ୍ ଅଜୟଙ୍କ ନିର୍ଦେଶନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଓବି ଆଣ୍ଡ ଓସିଡବ୍ଲ୍ୟୁଡବ୍ଲ୍ୟୁ ବୋର୍ଡ଼ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ଆଇଏନଡବ୍ଲ୍ୟୁଇସିର ଜାତୀୟ ଅଧ୍ୟକ୍ଷା ସୁକିର୍ତ୍ତୀ ପଟ୍ଟନାୟକ, ନବୀନ ଖଣ୍ଡୋଇ, ମୁଖ୍ୟ ଉପଦେଷ୍ଟା, ରନୱେ ୱିକ୍‌, ସୋମା ମହାନ୍ତି, ନିର୍ଦେଶକ, ଏସଏନଏମ ଗ୍ରୁପ୍ ପ୍ରମୁଖ ଉପସ୍ଥିତ ଥିଲେ।
ଶୋ’ର ମୁଖ୍ୟ ଆକର୍ଷଣ ଥିଲେ ଫେମିନା ମିସ୍ ଇଣ୍ଡିଆ ୨୦୨୨ର ଦ୍ୱିତୀୟ ରନର୍ସ ଅପ୍ ସିନାତା ଚୌହାନ୍‌, ଫେମିନା ମିସ୍ ଇଣ୍ଡିଆ ୨୦୨୩ର ଫାଷ୍ଟ ରନର୍ସଅପ୍ ଶ୍ରେୟା ପୁଞ୍ଜ ଓ ଓଲିଉଡ଼୍ ଅଭିନେତ୍ରୀ ଶିବାନୀ ସଂଗୀତା । ଫେଶନ୍ ଡ଼ିଜାଇନର ଆକର୍ଷଣୀୟ ପରିପାଟି ଦର୍ଶକଙ୍କୁ ମତୁଆଲା କରିଥିଲା। ଶୋ’ରେ ୧୦ ଜଣ ପ୍ରସିଦ୍ଧ ଡ଼ିଜାଇନର ନିଜର ଡ଼ିଜାଇନ୍ ଶୋକେସ୍ କରିଥିଲେ। ତାନିଆ ରାୟଙ୍କ ଡିଜାଇନ୍ ଲେବେଲ୍ ତାନିଆ ନବେ ଦର୍ଶକର ଫେଶନ ଉପରେ ଆଧାରିତ ଥିଲା।

ହ୍ୟାଣ୍ଡଲୁମ୍ ବ୍ୟବହାର କରି ଏହି ଡିଜାଇନ୍ ସବୁ ପ୍ରସ୍ତୁତ କରାଯାଇଥିଲା ଯାହା ଅତି ଆକର୍ଷଣୀୟ ଥିଲା। ଡିଜାଇନ୍ ଡାପରଡ଼େଲିର ଡ଼ିଜାଇନର୍ ଦେବାଙ୍ଗୀନି ବେହେରାଙ୍କ ଦ୍ୱାରା ପ୍ରଦର୍ଶିତ ଡିଜାଇନ୍‌ରେ ଏଲିଜାବେଥ୍‌ଙ୍କ ସମୟର କାଳ୍ପନିକ ଡିଜାଇନ୍ ଶୋକେସ୍ କରାଯାଇଥିଲା। ସରିନାଙ୍କ ଦ୍ୱାରା ପ୍ରସ୍ତୁତ ଦୁଆସ କ୍ରିଏସନ ପକ୍ଷରୁ ଗାଉନ୍ କଲେକ୍ସନ ପ୍ରଦର୍ଶନ କରାଯାଇଥିଲା। କ୍ଷୁଦ୍ର ଓ ଫ୍ଲିଟି ଡିଜାଇନଠାରୁ ଆରମ୍ଭ କରି ଲମ୍ବା ଏବଂ ଚମତ୍କାର ଗାଉନ୍ ପର୍ଯ୍ୟନ୍ତ ପ୍ରତ୍ୟେକ ମହିଳାଙ୍କୁ ଆତ୍ମବିଶ୍ୱାସ ଓ ଗ୍ଲାମରସ୍ ଅନୁଭୂତି ଦେବାଭଳି ଡିଜାଇନ୍ ପ୍ରସ୍ତୁତ କରାଯାଇଥିଲା। ସୋନାଲୀ ଡୋସନ୍‌ଙ୍କର ମାଲିକାନାରେ ଥିବା ଏଜେ ଫେଶନ୍ ଏକ ବ୍ରାଣ୍ଡ ଯେଉଁଥିରେ ପ୍ରସ୍ତୁତ ପୋଷାକ ପ୍ରେମର ନିଦର୍ଶନ ଦେଇଥାଏ। ଏକ ପ୍ରେମ କାହାଣୀର ଆରମ୍ଭ ଠାରୁ ସେମାନଙ୍କ ଜୀବନର ବିଭିନ୍ନ ପର୍ଯ୍ୟାୟକୁ ପୋଷାକ ମାଧ୍ୟମରେ ଏହି ସିକ୍ୱେନ୍ସରେ ପ୍ରଦର୍ଶିତ କରାଯାଇଥିଲା।

prayash

ଅସରଫ୍ ଅହମ୍ମଦ୍ ଡିଜାଇନ୍‌ର ନିର୍ଦେଶକ ଅସରଫ୍ ଅହମ୍ମଦ୍ ଦିଲ୍ଲୀରେ ଜଣେ ସେଲିବ୍ରିଟି ଡିଜାଇନର। ତାଙ୍କ ଦ୍ୱାରା ପ୍ରସ୍ତୁତ ଗାଉନ୍‌ର ଚମତ୍କାର ସଂଗ୍ରହ ଦର୍ଶକଙ୍କୁ ବିମୋହିତ କରିଥିଲା। ସେହିପରି ଆର୍ଥ ହୁଇଜ୍ ଡ଼ିଜାଇନ ଦ୍ୱାରା ପ୍ରସ୍ତୁତ ମାୟା ଡିଜାଇନରେ ଓଡ଼ିଶାର ଆଦିବାସୀ ହସ୍ତତନ୍ତ ଭଣ୍ଡାର, ଡ଼ଙ୍ଗରିଆ ସାଲ୍‌, କୋଟପାଡ଼ କଟନ ଓ ସାନ୍ତାଳୀ ପରିପାଟି ବ୍ୟବହାର କରି ପୋଷାକ ପ୍ରଦର୍ଶିତ କରାଯିବା ସହ ଟ୍ରାଇବାଲ ଫେସନରେ କ୍ରିଏଟିଭିଟି, ପ୍ରେମର ନିଦର୍ଶନ ଓ ହସ୍ତତିଆରି ଜୁଏଲରସ୍ ସୋ କେଶ କରାଯାଇଥିଲା । ସେହିପରି ଲେବେଲ ରୁତୁପର୍ଣ୍ଣାଙ୍କ ଦ୍ୱାରା ପ୍ରସ୍ତୁତ ଡିଜାଇନ୍ ଲେବେଲ ରୁତୁପର୍ଣ୍ଣୋରେ ପ୍ରଦର୍ଶିତ ସଂଗ୍ରହରେ ଜଙ୍ଗଲର ରହସ୍ୟମୟ ଗଭୀରତାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା।

ଡିଜାଇନର ସାଇକତ କୁମାରଙ୍କର ପ୍ରଦର୍ଶିତ ଡିଜାଇନ୍ ସାଇକତ ସନିରେ ଉଭୟ ପୁରୁଷ ଓ ମହିଳାଙ୍କର ବରଯାତ୍ରୀ ପୋଷାକ ଓ ଆସେସୋରିଜର ସଂଗ୍ରହ ଦେଖିବାକୁ ମିଳିଥିଲା। ଅରବିନ୍ଦ ଅମ୍ପୁଲାଙ୍କ ପ୍ରଦର୍ଶିତ ଡିଜାଇନ୍ ଅରବିନ୍ଦ ଅମ୍ପୁଲା କଚରରେ ଫ୍ଲୋରାଲ ଡ଼ିଜାଇନ ସହ ପୁଷ୍ପଗୁଚ୍ଛର ସୁକ୍ଷ୍ମ ଆକର୍ଷଣ ପାରାଡାଇଜ୍ ଥିମ୍ ଉପରେ ଆଧାରିତ ପ୍ରଦର୍ଶନ ଦର୍ଶକଙ୍କୁ ବିମୁଗ୍ଧ କରିଥିଲା। ଏଲସିଜେ କଲେକ୍ସନ ଦ୍ୱାରା ପ୍ରସ୍ତୁତ ଫେସନେବୁଲ୍ ଜୁଏଲାରି ମଡ଼େଲଙ୍କର ସୁନ୍ଦରତାକୁ ଅଧିକ ଆକର୍ଷଣୀୟ କରିବା ସହ ଦର୍ଶକଙ୍କୁ ମତୁଆଲା କରିଥିଲା। ଏହି କାର୍ଯ୍ୟକମରେ ଆଡ଼ିକ୍‌ସନ ଫେଶନ ମ୍ୟାନେଜମେଣ୍ଟର ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ।

Comments are closed.