ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ନୂଆ-ଓ କାର୍ଯ୍ୟକ୍ରମ ଉଦଯାପିତ

ଗୋପାଳପୁର :  ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ବିଜୁ ପଟ୍ଟନାୟକ ଅଡିଟୋରିଅମ ଠାରେ ଆଜି ଅପରାହ୍ଣରେ ନୂଆ-ଓ ପକ୍ଷରୁ କ୍ରୀଡା, ସାଂସ୍କୃତିକ, ସାମଜିକ କାର୍ଯ୍ୟକ୍ରମ ଉଦଯାପନ ହୋଇଯାଇଛି।  କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ଡା ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଯୋଗ ଦେଇ କାର୍ଯ୍ୟକ୍ରମ ଉପରେ  ଆଲୋକପାତ କରିଥିଲେ ।
ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ମହାନଗର ନିଗମର ମେୟର ସଂଘମିତ୍ରା ଦଳେଇ ଯୋଗ ଦେଇ ଛାତ୍ର ଛାତ୍ରୀଙ୍କୁ ଭବିଷ୍ୟତର ସରକାର ଗଠନରେ ଗୁରୁ ଦାୟିତ୍ୱ ରହିଥିବା କହିଥିଲେ। ପିଜି କାଉନସିଲ ଅଧକ୍ଷ ପ୍ରଫେସର ସୁଶାନ୍ତ କୁମାର ବରାଳ, କୁଳସଚିବ ସଚ୍ଚିଦାନନ୍ଦ ନାୟକ ପ୍ରମୁଖ ଯୋଗ ଦେଇଥିଲେ। ସ୍ୱତନ୍ତ୍ର ଅତିଥି ଭାବେ ବରିଷ୍ଠ ଓଡ଼ିଆ ଚଳଚିତ୍ର ଅଭିନେତା ଡ଼.ପ୍ରଦ୍ୟୁମ୍ନ ଲେଙ୍କା ଯୋଗ ଦେଇ ଛାତ୍ର ଛାତ୍ରୀମାନଙ୍କୁ ପରିଶ୍ରମ, ସମାନୁବର୍ତ୍ତିତ ହୋଇ ନିଜ ଚରିତ୍ର ନିଜେ ଗଠନ କରିବା ସହ ଉଚ୍ଚ ସପ୍ନ ଦେଖି ଲକ୍ଷ୍ୟ ସ୍ଥଳରେ ପହଁଚିବା ପାଇଁ ପରାମର୍ଶ ଦେବା ସହ ଭଲ ମଣିଷ ହୋଇ ନିଜର, ପରିବାରର ଏବଂ ବିଶ୍ଵବିଦ୍ୟାଳୟର ଟେକ ରଖିବାକୁ କହିଥିଲେ।  ତାଙ୍କ ଚଳଚିତ୍ରର ଅଭିନୟ ଏବଂ ଡାଇଲଗ ଶୁଣାଇ ଥିଲେ।
କାର୍ଯ୍ୟକ୍ରମର ନୋଡାଲ ଅଫିସର ପ୍ରଫେସର ଗଣେଶ ସେଠୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସାଂସ୍କୃତିକ ସଂଯୋଜିକା ଡ.ସରିତା ଦାଶ ସଭା ପରିଚାଳନା କରିଥିଲେ। ଜୟନ୍ତ କୁମାର ପଣ୍ଡା, ଚିନୁ ବୋହିଦାର,  ନେହା ପାଣ୍ଡେ, ସରୋଜ କୁମାର ଦାଶ, ରାଜେଶ ମହାନ୍ତି, ମିହିର କୁମାର ତ୍ରିପାଠୀ ସହଯୋଗ କରିଥିଲେ। ଏହି ଅବସରରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଉପ ପରୀକ୍ଷା ନିୟନ୍ତ୍ରକ ଡ଼. ସତ୍ୟବ୍ରତ ପାତ୍ର, ଉପ କୁଳସଚିବ ଡ଼. ବାବୁଜୀ ସାମଲଙ୍କ ସମେତ ବିଶ୍ବବିଦ୍ୟାଳୟ କର୍ମଚାରୀ, ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।

Comments are closed.