ବ୍ୟାଙ୍କ ଅଫ ମହାରାଷ୍ଟ୍ରର ପରିଚାଳନା ନିର୍ଦେଶକଙ୍କ ସମେତ ୬ ଗିରଫ

0

ନୂଆଦିଲ୍ଲୀ : ପୁଣେ ପୁଲିସ୍‍ର ଆର୍ଥିକ ଅପରାଧ ଶାଖା ଏକ ୩୦୦୦ କୋଟି ଟଙ୍କାର ଋଣ ଖିଲାପି ମାମଲାରେ ବ୍ୟାଙ୍କ ଅଫ ମହାରାଷ୍ଟ୍ରର ବର୍ତ୍ତମାନର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦେଶକଙ୍କ ସମେତ ୬ ଜଣଙ୍କୁ ବୁଧବାର ଗିରଫ କରିଛି। ପୁଲିସ୍‍ ସୂଚନା ଅନୁସାରେ ବ୍ୟାଙ୍କର ବର୍ତ୍ତମାନର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦେଶକ ରବୀନ୍ଦ୍ର ପି.ମରାଠେ, କାର୍ଯ୍ୟକାରୀ ନିର୍ଦେଶକ ରାଜେନ୍ଦ୍ର ଗୁପ୍ତା, ଆଞ୍ଚଳିକ ପ୍ରବନ୍ଧକ ନତ୍ୟାନନ୍ଦ ଦେଶପାଣ୍ଡେ, ବ୍ୟାଙ୍କର ପୂର୍ବ ମୁଖ୍ୟ ପରିଚାଳନା ନିର୍ଦେଶକ ସୁଶୀଳ ମହନୋତ, ସିଏ ସୁନୀଲ ଘାଟପାଣ୍ଡେ, କୁଲକର୍ଣ୍ଣି କମ୍ପାନୀ କର୍ମଚାରୀ ରାଜୀବ ନେୱାସ୍କରଙ୍କୁ ଗିରଫ କରାଯାଇଛି। ଦେଶପାଣ୍ଡେଙ୍କୁ ଅହମଦାବାଦ, ମହନୋତଙ୍କୁ ଜୟପୁର ଏବଂ ଅନ୍ୟମାନଙ୍କୁ ପୁଣେରୁ ଗିରଫ ପରାଯାଇଥିବା ପୁଲିସ୍‍ ସୂତ୍ରରୁ ପ୍ରକାଶ। ସମସ୍ତଙ୍କ ବିରୋଧରେ ଦୁର୍ନୀତି ନିରୋଧୀ ଆଇନ ଅନୁସାରେ ମାମଲା ରୁଜୁ କରାଯାଇଛି। ପୁଲିସ୍‍ ଉପାୟୁକ୍ତ (ସାଇବର ଏବଂ ଆର୍ଥିକ ଅପରାଧ) ସୁଧିର ହରେମାଥ କହିଛନ୍ତି ଯେ ରିୟଲ ଇଷ୍ଟେଟ୍‍ ଡେଭଲପର ତଥା ଡିଏସ୍‍କେ ଗ୍ରୁପ୍‍ ମୁଖ୍ୟ ଡି.ଏସ୍‍ କୁଲକର୍ଣ୍ଣି ଏବଂ ତାଙ୍କ ପତ୍ନୀଙ୍କ ବିରୋଧରେ ରୁଜୁ ଏକ ଠକାମି ମାମଲାରେ ଯାଞ୍ଚ ବେଳେ ବହୁ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଥିଲା। ଋଣ ଦେବା ଆଳରେ ବ୍ୟାଙ୍କ ଅଧିକାରୀମାନେ କୁଲକର୍ଣ୍ଣିଙ୍କ ସହ ମିଶି ଠକେଇର ଯୋଜନା କରିଥିଲେ। ଏଥିରେ ପାଖାପାଖି ୨,୦୪୩ କୋଟି ଟଙ୍କାର ଠକେଇ ହୋଛି। ପ୍ରାୟ ୩୩୦୦୦ ନିବେଶକଙ୍କ ଏବଂ ଜମାକାରୀଙ୍କୁ ଠକାଯାଇଛି। ବ୍ୟାଙ୍କ କର୍ମଚାରୀମାନେ ଡିଏସ୍‍କେ ଗ୍ରୁପ୍‍ର ବେଆଇନ୍‍ ଆର୍ଥିକ କାରବାରରେ ସହଯୋଗ କରିଥିଲେ ଓ ବେଆଇନ୍‍ ଭାବେ ଋଣ ପ୍ରଦାନ କରିଥିଲେ। ଉଲ୍ଲେଖ ଯେ ୪,୦୦୦ ନିବେଶକଙ୍କଠାରୁ ୧,୧୫୪ କୋଟି ଟଙ୍କା ଠକିବା ଏବଂ ୨,୮୯୨ କୋଟି ଟଙ୍କାର ବ୍ୟାଙ୍କ ଋଣକୁ ବେଆଇନ ଭାବେ ହେରଫେର କରିବା ଅଭିଯୋଗରେ ଚଳିତ ବର୍ଷ ଫେବୃଆରୀରେ ଡିଏସ୍‍ କୁଲକର୍ଣ୍ଣି ଏବଂ ତାଙ୍କ ପତ୍ନୀ ହେମନ୍ତିଙ୍କୁ ଗିରଫ କରାଯାଇଛି।

Leave A Reply