www.samajalive.in
Sunday, December 7, 2025
14.1 C
Bhubaneswar

ରହିମ୍‍ଙ୍କ ଶତକ; ବାଂଲାଦେଶର ବିପୁଳ ବିଜୟ

ଦୁବାଇ : ଶନିବାରଠାରୁ ଆରମ୍ଭ ହୋଇଛି ଏସିଆ କପ୍‍ କ୍ରିକେଟ୍‍ର ୧୪ଶ ସଂସ୍କରଣ। ଏହି ସଂସ୍କରଣରେ ପ୍ରଥମ ଶତକ ଅର୍ଜନ କରିଛନ୍ତି ବାଂଲାଦେଶର ମୁସ୍‍ଫିକୁର ରହିମ୍‍। ଫଳରେ ଶ୍ରୀଲଙ୍କା ବିପକ୍ଷରେ ବିପୁଳ ବିଜୟ ସହ ବାଂଲାଦେଶ ଅଭିଯାନ ଆରମ୍ଭ କରିଛି। ଗ୍ରୁପ୍‍ ‘ବି’ର ଏହି ମ୍ୟାଚ୍‍ରେ ରହିମ୍‍ ଓ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଶ୍ରୀଲଙ୍କାକୁ ୧୩୭ ରନ୍‍ରେ ବାଂଲାଦେଶ ପରାସ୍ତ କରିଛି। ରହିମ୍‍ଙ୍କ ଶତକ ଓ ମହମ୍ମଦ ମିଠୁନ୍‍ଙ୍କ ଅର୍ଦ୍ଧଶତକ ବଳରେ ବାଂଲାଦେଶ ପ୍ରଥମେ ବ୍ୟାଟିଂକରି ୪୯.୩ ଓଭରରେ ୨୬୧ ରନ୍‍କରି ଅଲ୍‍ଆଉଟ ହୋଇଥିଲା। ପରେ ବାଂଲାଦେଶର ବୋଲର ନିୟମିତ ୱିକେଟ ନେବାରୁ ଶ୍ରୀଲଙ୍କା ୩୫.୨ ଓଭରରେ ୧୨୪ ରନ୍‍କରି ଅଲ୍‍ଆଉଟ ହୋଇ ଯାଇଥିଲା।
ଶୀଲଙ୍କା ଓପ୍‍ନର ଉପୁଲ ତରଙ୍ଗା ଆକ୍ରମଣାତ୍ମକ ଭାବେ ଇନିଂସ ଆରମ୍ଭ କରିଥିଲେ ହେଁ ତାଙ୍କ ପତନ ସହ ଦଳର ବିପର୍ଯ୍ୟୟ ଆରମ୍ଭ ହୋଇ ଯାଇଥିଲା। ତରଙ୍ଗା ୧୬ ବଲ୍‍ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୨୭ ରନ୍‍ କରିଥିଲେ। କୁଶଳ ପରେରା ୧୧ ଓ ଅଧିନାୟକ ଆଞ୍ଜେଲୋ ମାଥ୍ୟୁସ୍‍ ୧୬ ରନ୍‍ କରିଥିଲେ। ଶ୍ରୀଲଙ୍କା ୬୯ ରନ୍‍ରେ ୭ଟି ୱିକେଟ ହରାଇବା ପରେ ଏହାର ପରାଜୟ ନିଶ୍ଚିତ ହୋଇ ଯାଇଥିଲା। ଦିଲ୍‍ରୁୱାନ ପରେରା ୨୯ ଓ ସୁରଙ୍ଗା ଲାକ୍‍ମଲ ୨୦ ରନ୍‍ କରିବାରୁ ଶ୍ରୀଲଙ୍କା ୧୨୪ ରନ୍‍ରେ ପହଞ୍ଚି ପାରିଥିଲା। ମସ୍ରଫି ମୋର୍ତାଜା, ମୁସ୍ତାଫିଜୁର ରେହ୍‍ମାନ ଓ ମେହ୍‍ଦି ହାସନ୍‍ ମିରାଜ୍‍ ୨ଟି ଲେଖାଏଁ ୱିକେଟ ନେଇଥିଲେ। ମୁସ୍‍ଫିକୁର ରହିମ୍‍ ପ୍ଲେୟର ଅଫ୍‍ ଦି ମ୍ୟାଚ୍‍ ହୋଇଥିଲେ। ରବିବାର ହଂକଂ-ପାକିସ୍ତାନ ମୁକାବିଲା ହେବ।
ଟସ୍‍ ଜିତି ବାଂଲାଦେଶ ବ୍ୟାଟିଂ ନେବା ପରେ ଆରମ୍ଭରୁ ଏହା ବିପର୍ଯ୍ୟୟ ଭୋଗିଥିଲା। ବର୍ଷେ ପରେ ଆନ୍ତର୍ଜାତିକ କ୍ରିକେଟକୁ ଫେରିଥିବା ଶ୍ରୀଲଙ୍କାର ଅଭିଜ୍ଞ ଫାଷ୍ଟବୋଲର ଲାସିଥ୍‍ ମାଲିଙ୍ଗା ମ୍ୟାଚ୍‍ର ପ୍ରଥମ ଓଭରରେ କ୍ରମାଗତ ୨ଟି ବଲ୍‍ରେ ବାଂଲାଦେଶର ଓପ୍‍ନର ଲିଟନ୍‍ ଦାସ ଓ ସଫଳତମ ଅଲ୍‍ରାଉଣ୍ଡର ସାକିବ୍‍ ଅଲ୍‍ ହାସନ୍‍ଙ୍କୁ ଆଉଟ କରି ଦେଇଥିଲେ। ପରବର୍ତ୍ତୀ ଓଭରର ଶେଷ ବଲ୍‍ରେ ତମିମ୍‍ ଇକ୍‍ବାଲ ଆହତ ହୋଇ ପାଭିଲିୟନ୍‍ ଫେରି ଯାଇଥିଲେ। ୩ୟ ଓଭରରୁ ପୂର୍ବତନ ଅଧିନାୟକ ମୁସ୍‍ଫିକୁର ରହିମ୍‍ ଓ ମହମ୍ମଦ ମିଠୁନ୍‍ ଇନିଂସ ସମ୍ଭାଳିବାର ପ୍ରୟାସ କରିଥିଲେ। ମିଠୁନ୍‍ ଆକ୍ରମଣାତ୍ମକ ବ୍ୟାଟିଂକରି ଶ୍ରୀଲଙ୍କାକୁ ଚକିତ କରିଥିଲେ। ମୁସ୍‍ଫିକୁର-ମିଠୁନ୍‍ ୩ୟ ୱିକେଟ ପାଇଁ ୧୩୧ ରନ୍‍ ଯୋଗ କରିଥିଲେ। ତେବେ ପୁଣିଥରେ ବାଂଲାଦେଶ ରାସ୍ତାରେ କଣ୍ଟା ସାଜିଥିଲେ ମାଲିଙ୍ଗା। ମୁସ୍‍ଫିକୁର-ମିଠୁନ୍‍ ଯୋଡ଼ି ଭାଙ୍ଗିବା ସହ ମାଲିଙ୍ଗା କ୍ରମାଗତ ୨ ଓଭରରେ ଆଉ ୨ଟି ୱିକେଟ ନେଇଥିଲେ। ଜୀବନର ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିବା ମହମ୍ମଦ ମିଠୁନ୍‍ ୬୮ ବଲ୍‍ରୁ ୨ଟି ଛକା ଓ ୫ଟି ଚୌକା ସହ ୬୩ ରନ୍‍ କରିଥିଲେ। ପରେ ଅଭିଜ୍ଞ ମହମ୍ମଦୁଲ୍ଲା ୧ ଓ ମୋସାଦେକ୍‍ ହୋସେନ୍‍ ୧ ରନ୍‍ ଲେଖାଏଁ କରି ବିଦାୟ ନେଇଥିଲେ। ପରେ ରହିମ୍‍ଙ୍କୁ ମେହ୍‍ଦି ହାସନ୍‍ ମିରାଜ୍‍ ଓ ଅଧିନାୟକ ମସ୍ରଫି ମୋର୍ତାଜା ସହାୟତା ଦେବାରୁ ରହିମ୍‍ ଜୀବନର ୬ଷ୍ଠ ଦିନିକିଆ ଶତକ ପୂରଣ କରିଥଲେ। ମେହ୍‍ଦି ହାସନ୍‍ ୧୫ ଓ ମୋର୍ତାଜା ୧୧ ରନ୍‍ କରିଥିଲେ। ୨୨୯ ରନ୍‍ରେ ବାଂଲାଦେଶ ୯ଟି ୱିକେଟ ହରାଇବା ପରେ ସମସ୍ତଙ୍କୁ ଚକିତକରି ତମିମ୍‍ ଇକ୍‍ବାଲ ପଡ଼ିଆକୁ ଓହ୍ଲାଇଥିଲେ। ତାଙ୍କ ଡାହାଣହାତ ଭାଙ୍ଗି ଯାଇଥିଲେ ହେଁ ତମିମ୍‍ ଗୋଟିଏ ହାତରେ ବ୍ୟାଟିଂ କରିଥିଲେ। ଏହି ସୁଯୋଗରେ ରହିମ୍‍ ଅନ୍ୟପଟେ ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖିଥିଲେ। ଶେଷ ଓଭରରେ ରହିମ୍‍ ଆଉଟ ହୋଇଥିଲେ। ଏହାପୂର୍ବରୁ ରହିମ୍‍ ୧୫୦ ବଲ୍‍ରୁ ୪ଟି ଛକା ଓ ୧୧ଟି ଚୌକା ସହ ୧୪୪ ରନ୍‍ କରିଥିଲେ। ଲାସିଥ୍‍ ମାଲିଙ୍ଗା ୪ଟି ଓ ଧନଞ୍ଜୟ ଡି ସିଲ୍‍ଭା ୨ଟି ୱିକେଟ ନେଇଥିଲେ।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories