ବେଆଇନ ଗଛକଟାକୁ ନେଇ ୩ ଗିରଫ, ୧୩ ବାଇକ୍ ଜବତ

ବଣାଇ: ଵଣାଇ ରେଞ୍ଜର ବଲାଙ୍ଗ ସେକ୍ସନ ଅନ୍ତର୍ଗତ ଵରଘାଟ ବିଟ୍ ଅଞ୍ଚଳରେ ବେଆଇନ ଗଛକଟାକୁ ନେଇ ବନବିଭାଗ ପକ୍ଷରୁ ୩ଜଣକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ସୂଚନା ଅନୁସାରେ ଗୁରୁବାର ଦିନ ବରଘାଟ ବିଟ୍ ଅଞ୍ଚଳରେ ଥିବା ବୁଢାପାହାଡ ସଂରକ୍ଷିତ ଜଙ୍ଗଲ ନିକଟରେ ଜମି ତିଆରି କରିବା ବାହାନାରେ ଜଙ୍ଗଲ କାଟୁଥିବା ଖବର ବଣାଇ ରେଞ୍ଜ ଅଧିକାରୀଙ୍କ ନିକଟରେ ପହଞ୍ଚିଥିଲା। ଖବର ପାଇ ସଙ୍ଗେ ସଙ୍ଗେ ବନ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଜଙ୍ଗଲରେ ତିନି ଏକରରୁ ଊର୍ଦ୍ଧ୍ୱ ସ୍ଥାନରେ ଥିବା ଶାଳ, ଚାର, ଅସନ, ଜାମୁ, ଅର୍ଜୁନ ଇତ୍ୟାଦି ୮୯୮ ଗଛକୁ କାଟି ସଫାକରି ଦେଇଥିବା ସେମାନେ ଦେଖିବାକୁ ପାଇଥିଲେ। ବନ କର୍ମଚାରୀଙ୍କୁ ଦେଖି ଗଛ କାଟୁଥିବା ଅଧିକାଂଶ ଲୋକ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ତେବେ ବନ କର୍ମଚାରୀମାନେ ଘଟଣା ସ୍ଥଳରୁ ୩ଜଣକୁ ଗିରଫ କରିଥିଲେ। ଏହାସହିତ ୧୩ ଗୋଟି ବାଇକ୍ ଓ ୧୨ ସାଇକେଲକୁ ଜବତ କରି ସେଗୁଡ଼ିକୁ ଵଣାଇଁ ରେଞ୍ଜ କାର୍ଯ୍ୟାଳୟ କୁ ଆଣିଥିଲେ।

prayash

ଗତକାଲି ରେଞ୍ଜ ଅଧିକାରୀ ସମସ୍ତ ଅଭିଯୁକ୍ତମାନଙ୍କୁ ପଚରାଉଚରା କରିବା ସହିତ ଘଟଣାର ତଦନ୍ତ କରି ଜଙ୍ଗଲ ଆଇନ୍ ଅନୁସାରେ ମାମଲା ରୁଜୁ କରି ୩ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଆଗାମୀ ଦିନରେ ଫେରାର ଥିବା ସମସ୍ତ ଅଭିଯୁକ୍ତମାନଙ୍କୁ ପର୍ଯ୍ୟାୟ କ୍ରମେ ଗିରଫ କରାଯିବ ବୋଲି ରେଞ୍ଜ ଅଧିକାରୀ ମନୋଜ କୁମାର ପାତ୍ର ପ୍ରକାଶ କରିଛନ୍ତି।

Comments are closed.