ଓଡ଼ିଆ ନବବର୍ଷରେ ମନୋରଞ୍ଜନ ଭିତ୍ତିକ କଳା, ସଂସ୍କୃତି ଓ ବାଣିଜ୍ୟର ଅଭିନବ ସଙ୍ଗମ

ପ୍ରଥମ ବୃହଦମ୍ବା ବୈଶାଖୀ ମହୋତ୍ସବ ଉଦଘାଟିତ

ବଡ଼ମ୍ବା : ବଡ଼ମ୍ବା କଲେଜ ପଡ଼ିଆରେ ପ୍ରଥମ ବୃହଦମ୍ବା ବୈଶାଖୀ ମହୋତ୍ସବ ଆରମ୍ଭ ହୋଇଛି। ବଡ଼ମ୍ବାର ଅଗ୍ରଣୀ ଯୁବ ଅନୁଷ୍ଠାନ କ୍ଲବ ବାଦଶାହା ଏବଂ କଚେରୀପଡ଼ା ସାହିବାସୀଙ୍କ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଉତ୍ସବକୁ ସ୍ଥାନୀୟ ବିଧାୟକ ଦେବୀପ୍ରସାଦ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ପବିତ୍ର ପଣାସଂକ୍ରାନ୍ତି ଅର୍ଥାତ୍ ଓଡ଼ିଆ ନବବର୍ଷ ପାଳନ ଅବସରରେ ଅନୁଷ୍ଠିତ ଏହି ମହୋତ୍ସବର ପରିକଳ୍ପନା ମନୋରଞ୍ଜନ ଭିତ୍ତିକ କଳା,ସଂସ୍କୃତି ଏବଂ ବାଣିଜ୍ୟର ଏକ ସଙ୍ଗମ ବୋଲି ମୁଖ୍ୟଅତିଥି ବିଧାୟକ ଶ୍ରୀ ମିଶ୍ର ନିଜ ଅଭିଭାଷଣରେ କହିଥିଲେ। ଉତ୍ସବ କମିଟିର ସଭାପତି ସଞ୍ଜୟ କୁମାର ସ୍ୱାଇଁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତି, ଜିଲାପରିଷଦ ସଦସ୍ୟ ରବିନ୍ଦ୍ର କୁମାର ସାହୁ, ସ୍ଥାନୀୟ ସମିତିସଭ୍ୟା ଗୋଲାପ ସାହୁ ,ସାହି(୩ନମ୍ବର ୱାର୍ଡ଼ ) ସଭାପତି ଦେବରାଜ ପାଟ୍ଟଶାଣୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହି ଅଭିନବ ଉତ୍ସବର ପ୍ରୟାସ ଗ୍ରୀଷ୍ମାବକାଶରେ ଲୋକଙ୍କ ମନରେ ସାଂସ୍କୃତିକ ସନ୍ଧ୍ୟାର ଶୀତଳ ପରଶ ଭରିଦେଉଥିବା ମତବ୍ୟକ୍ତ କରିଥିଲେ।

prayash

କାର୍ଯ୍ୟକ୍ରମ ଅବସରରେ ଓଡ଼ିଶା ଟେଲିଜଗତର ବିଶିଷ୍ଟ ଉପସ୍ଥାପିକା ସୋନାଲିଙ୍କ ମନଲାଖି ଉପସ୍ଥାପନା ସହିତ ଗାୟକ ତାରିକ ଅଜିଜ୍, ଗାୟିକା ରୋଜି, ହାସ୍ୟ ଅଭିନେତା ନଟିଆଙ୍କ ସମେତ ଭୁବନେଶ୍ୱର ଆରିୟାନ ଡ୍ୟାନ୍ସ ଗ୍ରୁପ ଚିତ୍ତାକର୍ଷକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ମହୋତ୍ସବ ଅବସରରେ ମୀନାବଜାର ସମେତ ୧୨୦ଟି ଷ୍ଟଲରେ ବାଣିଜ୍ୟ ମେଳା ପ୍ରଦର୍ଶିତ ହେଉଛି । ବଡ଼ମ୍ବା ସମେତ ଏହାର ପୁରପଲ୍ଲୀର ହଜାର ହଜାର ଦର୍ଶକଙ୍କ ସମାଗମ ପ୍ରତ୍ୟହ ସନ୍ଧ୍ୟାରେ ମହୋତ୍ସବକୁ ଲୋକାରଣ୍ୟ କରୁଛି । ସ୍ଥାନୀୟ ପୁଲିସ ପ୍ରଶାସନ ସହଯୋଗରେ ସପ୍ତାହେ ବ୍ୟାପି ଅନୁଷ୍ଠିତ ହେବାକୁଥିବା ଏହି ଉତ୍ସବକୁ ଲୋକମାନେ ମନଭରି ଉପଭୋଗ କରୁଥିବା ବେଳେ ପ୍ରତ୍ୟେହ ଓଡ଼ିଶା ସମେତ ପଡ଼ୋଶୀ ରାଜ୍ୟର ଲବ୍ଧପ୍ରତିଷ୍ଠିତ କଳାକାର ଏହି ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସଂସ୍କୃତି ସମ୍ପନ୍ନ ବଡ଼ମ୍ବା ଗଡ଼ଯାତରେ ଉତ୍ସବର ସଫଳତା କାମନା କରିବା ସହ ଜନସାଧାରଣଙ୍କ ସହଯୋଗ ଲାଗି ମହୋତ୍ସବ କମିଟିର ସମ୍ପାଦକ ସୁମିତ କୁମାର ଶତପଥୀ, ଉଦ୍ୟୋକ୍ତା ଚିନାତ୍ମା ମହାନ୍ତି, ସୁବ୍ରତ ପାଟ୍ଟଶାଣୀ, ସୁଶାନ୍ତ କୁମାର ପାଟ୍ଟଶାଣୀ, ସଞ୍ଜୟ କୁମାର ଶତପଥୀ, ଉପଦେଷ୍ଟା ବିରଞ୍ଚି କୁମାର ଜେନା, ପ୍ରଦୀପ କୁମାର ମହାପାତ୍ର ପ୍ରମୁଖ ଧନ୍ୟବାଦ ଅର୍ପଣ କରିଛନ୍ତି।

Comments are closed.