ଦୁଇଟି ପୃଥକ ସ୍ଥାନରୁ ଏଟିଏମ୍‍ ଲୁଟ୍‍

0

ପିପିଲି/ନିରାକାରପୁର: ପୁରୀ ଜିଲା କଣାସ ଥାନା ଅଧୀନ ଜଙ୍କିଆ ଗଡସାହି ଚାରିଛକ ଓ ନିରାକାରପୁର ନୂଆ ଜଗନ୍ନାଥ ସଡ଼କ ନିକଟରେ ଥିବା ଆକ୍ସିସ୍‍ ବ୍ୟାଙ୍କ ଏଟିଏମ୍‍ ଭାଙ୍ଗି ୨୬ ଲକ୍ଷ ଟଙ୍କା ଲୁଟ୍‍ ହୋଇଛି। ଏହି ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଦୁଇଟି ଯାକ ଲୁଟ୍‍ ସମାନ ପ୍ରକାରରେ ହୋଇଥିବାରୁ ଏହା ପଛରେ କୌଣସି ଽାକେଟ କାମ କରୁଥିବା ପୁଲିସ ଅନୁମାନ କରୁଛି। ଏହି ଦୁଇଟି ଏଟିଏମର ଦୂରତା ୧୫ ରୁ ୨୦ କିମି ହେବ।
ଶନିବାର ବିଳମ୍ବିତ ରାତିରେ ଚାରିଛକ ବଜାରଠାରେ ଥିବା ଆକ୍ସିସ ବ୍ୟାଙ୍କ ଏଟିଏମ୍‍କୁ ଦୁର୍ବୃତ୍ତମାନେ ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି। ଏହି ଘଟଣାଟି ସମଗ୍ର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ତେବେ ଲୁଟେରାଙ୍କ ସମ୍ପର୍କରେ ପୁଲିସକୁ କୌଣସି ସୁରାକ ମିଳିପାରି ନ ଥିବା ଜଣାଯାଇଛି। ସୂଚନା ମୁତାବକ ନୂଆ ଜଗନ୍ନାଥ ସଡକର ଜଙ୍କିଆ ଗଡସାହି ଚାରିଛକ ବଜାରରେ ଥିବା ଏହି ଏଟିଏମ୍‍ର ଲୁହା ସଟର ପକାଇ ଦୁର୍ବୃତ୍ତମାନେ ଲୁଟିବାରେ ସଫଳ ହୋଇଥିଲେ। ଗ୍ୟାସ କଟର ଦ୍ୱାରା ଏଟିଏମ୍‍ ମେସିନକୁ କାଟିବା ପରେ ତା ମଧ୍ୟରେ ରଖାଯାଇଥିବା ଟଙ୍କାକୁ ଲୁଟି ନିଆଯାଇଥିବା ସୂଚନା ମିଳିଛି। ଏ ସମ୍ପର୍କରେ ଖବର ପାଇ ପିପିଲି ଏସ୍‍ଡିପିଓ ଦିଲୀପ କୁମାର ତ୍ରିପାଠୀ, କଣାସ ଓଆଇସି ସଞ୍ଜୟ ନାୟକ ପ୍ରମୁଖ ପୁରୀରୁ ସାଇଣ୍ଟିଫିକ୍‍ ଟିମ୍‍ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ଜଣାଯାଇଛି। ତେବେ ଏଟିଏମ୍‍ରେ କେତେ ଟଙ୍କା ଥିଲା ଜଣାପଡ଼ି ନାହିଁ। ଆନୁମାନିକ ଭାବେ ୧୦ରୁ ୧୫ ଲକ୍ଷ ଟଙ୍କା ଥିଲା।
ସେହିପରି ନିରାକାରପୁର ବଜାର ଶରଣକୁଳ-ପୁରୀ ନୂଆଜଗନ୍ନାଥ ସଡକ ପାର୍ଶ୍ବରେ ଥିବା ଆକ୍ସିସ ବ୍ୟାଙ୍କ ଏଟିଏମ୍‍ରୁ ଶନିବାର ରାତିରେ ବଡଧରଣର ଲୁଟ୍‍ ହୋଇଛି। ଦୁର୍ବୃତ୍ତମାନେ ଗ୍ୟାସ କଟରରେ ଏଟିଏମ ମେସିନକୁ କାଟି ୧୧ଲକ୍ଷ ୨୨ହଜାର ୯୦୦ଶହ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ପ୍ରାୟ ରାତି ୪ଟାରେ ଏହି ଘଟଣା ଘଟିଛି। ଦୁର୍ବୃତ୍ତମାନେ ଏଟିଏମ୍‍ରେ ଲାଗିଥିବା ସିସିଟିଭି କ୍ୟାମେରାକୁ ଭାଙ୍ଗି ଦେଇଛନ୍ତି। ଜନଗହଳିପୂର୍ଣ୍ଣ ରାସ୍ତାରେ ଏହି ଘଟଣା ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି। ଖବରପାଇ ସକାଳୁ ନିରାକାରପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପରେ ଖୋର୍ଦ୍ଧା ଏସପି ଦୀପ୍ତି ରଞ୍ଜନ ରାୟ,ବାଲୁଙ୍ଗା ଏସ୍‍ଡିପିଓ ସୁଭାଷ ଚନ୍ଦ୍ର ପଣ୍ଡା ଘଟଣାସ୍ଥଳ ପରିଦର୍ଶନକରି ତଦନ୍ତକୁ ତ୍ୱରାନିତ୍ୱ କରିଛନ୍ତି। ପୁରୀରୁ ସାଇଣ୍ଟିଫିକ୍‍ ଟିମ୍‍, ବ୍ୟାଙ୍କ କର୍ତ୍ତୃପକ୍ଷ,ଏଟିଏମ୍‍ ଦାୟିତ୍ୱରେ ଥିବା କମ୍ପାନୀ କର୍ମଚାରୀମାନେ ଆସି ତଦନ୍ତରେ ସହାୟତା କରିଛନ୍ତି। ସେହିପରି ପୁରୀ ଜିଲା ଗଡିଶାଗୋଦା ଥାନା ଜଙ୍କିଆ ଗଡସାହି ବଜାରରେ ଥିବା ସେହି ଏକ୍ସିସ ବ୍ୟାଙ୍କର ଆଉ ଏକ ଏଟିଏମ୍‍ରୁ ୨୬ଲକ୍ଷ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଦୁଇଟି ଯାକ ଏଟିଏମରୁ ସମାନ ଢଙ୍ଗରେ ଲୁଟ୍‍ ହୋଇଥିବା ଅଭିଯୋଗ ହୋଇଛି।

prayash

Leave A Reply