ଆରମ୍ଭ ହେଲାଣି ନିର୍ବାଚନ ପ୍ରସ୍ତୁତି, ସେକ୍ଟର ଅଫିସରଙ୍କ ତାଲିମ ଶିବିର

ଇଭିଏମ୍‍ ସଚେତନତା କେନ୍ଦ୍ର ଉଦ୍‍ଘାଟିତ

ଆଠଗଡ: ୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଏହି ପରିପ୍ରେକ୍ଷୀରେ ୮୯-ଆଠଗଡ ଓ ୮୭-ବଡମ୍ବା ବିଧାନସଭା ନିର୍ବାଚନ ମଣ୍ଡଳି ଦ୍ୱୟର ସମସ୍ତ ବ୍ଲକ ଓ ଏନଏସିର ସେକ୍ଟର ଅଫିସର ଓ ଥାନା ଅଧିକାରୀମାନଙ୍କର ଏକ ତାଲିମ ଶିବିର ବ୍ଲକ ସମ୍ମିଳନୀ କକ୍ଷରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ନିର୍ବାଚନ ମଣ୍ଡଳିଦ୍ୱୟର ରିଟର୍ଣ୍ଣି ଅଫିସର ତଥା ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ଅଧ୍ୟକ୍ଷତା କରି ସେକ୍ଟର ଅଫିସରମାନଙ୍କ କର୍ତ୍ତବ୍ୟ, ଦାୟିତ୍ୱ ଓ କାର୍ଯ୍ୟଶୈଳି ବିଷୟରେ ବୁଝାଇଥିଲେ।

ସେକ୍ଟର ଅଫିସରମାନଙ୍କ ଅଧିନରେ ଥିବା ସମସ୍ତ ବୁଥ୍‍ ଗୁଡିକର ସ୍ଥିତି ପରଖି ନିହାନ୍ତି ଆବଶ୍ୟକୀୟ ସୁବିଧା ସୁଯୋଗ ଉପଲବ୍ଧ ଅଛି କି ନାହିଁ ଜଣାଇବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହିପରି ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥଗୁଡିକୁ ଚିହ୍ନଟ ପୂର୍ବକ ସଚେତନ ରହିବା ପାଇଁ ପରାମର୍ଶ ଦିଆଯାଇଥିଲା। ସହକାରୀ ଉପଜିଲ୍ଲାପାଳ ମାନସ କୁମାର ବେହେରା, ଉପଖଣ୍ଡ ଆରକ୍ଷୀ ଅଧିକାରୀ ରବିନ୍ଦ୍ର କୁମାର ମଲ୍ଲିକଙ୍କ ସମେତ ସମସ୍ତ ଥାନାର ଆଇଆଇସି ଓ ସେକ୍ଟର ଅଫିସରମାନେ ଉପସ୍ଥିତ ଥିଲେ।

prayash

ଆସନ୍ତା ସାଧାରଣ ଓ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ସେଥିପାଇଁ ପ୍ରସ୍ତୁତି ପର୍ବ ପରିପ୍ରେକ୍ଷୀରେ ଗୁରୁବାର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟରେ ଏକ ଇଭିଏମ୍‍ ସଚେତନତା କେନ୍ଦ୍ର ଉଦ୍‍ଘାଟନ ହୋଇଯାଇଛି। ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ଏହି କେନ୍ଦ୍ରକୁ ଉଦ୍‍ଘାଟନ କରି ଭୋଟରମାନଙ୍କୁ ଇଭିଏମ୍‍ ଓ ଭିଭି ପ୍ୟାଟ ମେସିନର ବ୍ୟବହାର ସଂପର୍କରେ ସଚେତନତା ଉଦ୍ଦେଶ୍ୟରେ ଏହି କେନ୍ଦ୍ର କାର୍ଯ୍ୟ କରିବ ବୋଲି କହିଥିଲେ।

ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିର୍ବାଚନ ଦାୟିତ୍ୱରେ ଥିବା ସହକାରୀ ଜିଲ୍ଲାପାଳ ମାନସ କୁମାର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବହୁ ଭୋଟର ଇଭିଏମ ମେସିନ ବ୍ୟବହାର କିପରି କରାଯିବ ସେ ସଂପର୍କରେ ଅବଗତ ହୋଇଥିଲେ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିର୍ବାଚନ ସହାୟକ ସୂର୍ଯ୍ୟମଣି ସାହୁ ଓ ବରିଷ୍ଠ ସହାୟକ ଶ୍ରୀନିବାସ ଧଳସାମନ୍ତ ଭୋଟରମାନଙ୍କୁ ଏ ସଂପର୍କରେ ସଚେତନ କରିଥିଲେ।

Comments are closed.