ସଂସ୍କୃତି, ଐତିହ୍ୟ ଓ ବିଭବ ବଞ୍ଚିରହିଲେ ଜାତି ଓ ସଭ୍ୟତା ବଞ୍ଚିବ
ଆଠଗଡ ମହୋତ୍ସବ ଉଦଘାଟିତ
ଆଠଗଡ: ଆଠଗଡ ଗଡଜାତ ପ୍ରାଚୀନ ସଂସ୍କୃତି, ପରମ୍ପରା, ଐତିହ୍ୟ ଓ କୀର୍ତ୍ତିରାଜି ଅତ୍ୟନ୍ତ ମହାନ । ଏହାକୁ ଆଜିର ପିଢି ଓ ଭବିଷ୍ୟତ ବଂଶଧରମାନଙ୍କ ପାଇଁ ଉଦ୍ଜୀବିତ ରହିବ ଜରୁରୀ । ଏହି ସବୁ ବିଭବ ବଞ୍ଚିରହିଲେ ସଭ୍ଯତା ବଞ୍ଚିବ ବୋଲି ଆଠଗଡ ମହୋତ୍ସବ ଉଦଘାଟନୀ ସନ୍ଧ୍ୟାରେ ମୁଖ୍ୟଅତିଥି ଭାବେ ଯୋଗଦେଇ କଟକ ସାଂସଦ ଭର୍ତ୍ତୃହରି ମହତାବ ମତବ୍ୟକ୍ତ କରିଥିଲେ । ଏ ଅଞ୍ଚଳର ପ୍ରଚୀନ ସଭ୍ୟତା, ଐତିହ୍ୟ ଓ ଶିଳ୍ପୀଙ୍କ କାରୁକାର୍ଯ୍ୟ ସମ୍ପର୍କରେ କହିବାକୁ ଯାଇ ସାଂସଦ ଶ୍ରୀ ମହତାବ ଆଠଶହ ଓ ହଜାରେ ବର୍ଷ ପୂର୍ବରୁ ଆଠଗଡର କନ୍ଦରପୁର ଅଞ୍ଚଳର ପାହାଡରୁ କିପରି ବିଶାଳ ପଥର ସବୁ କଟାଯାଇ ନଦୀପଥରେ ଯାଇ ପୁରୀ ଶ୍ରୀମନ୍ଦିର ଏବଂ କୋଣାର୍କ ମନ୍ଦିର ନିର୍ମାଣ ହୋଇଥିଲା ତାହା ବର୍ଣ୍ଣନା କରିଥିଲେ। ଏଥିରେ ମୁଖ୍ଯବକ୍ତା ଭାବେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଯୋଗଦାନ କରି ଆଠଗଡର ମହାନ କଳା, ସଂସ୍କୃତି, ପରମ୍ପରା, ଲୋକକଳାକୁ ଉଦ୍ଜୀବିତ ରଖିବା ଲାଗି ବ୍ୟାପକ ପ୍ରୟାସ କରାଯାଉଛି ଏବଂ ଏପରି ମହୋତ୍ସବ ଆୟୋଜନ ଦ୍ୱାରା ଏହାର ଅଧିକ ପ୍ରସାର ହେବା ସହିତ କଳାକାରଙ୍କୁ ପ୍ରୋତ୍ସାହନ ମିଳିବ ବୋଲି ପ୍ରକାଶ କରିଥିଲେ।
ଆଠଗଡ ମହୋତ୍ସବକୁ ଆହୁରି ପରିବ୍ଯାପ୍ତ ଓ ସରସ ସୁନ୍ଦର କରାଯିବ ବୋଲି ମନ୍ତ୍ରୀ ଶ୍ରୀ ସ୍ଵାଇଁ କହିଥିଲେ। ମହୋତ୍ସବ କମିଟିର ଆବାହକ ତଥା ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉଦଘାଟନୀ ଉତ୍ସବରେ ସମ୍ପାଦକ ତଥା ନଗରପାଳ ସସ୍ମିତା ରାଉତ, ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ହେମନ୍ତ କୁମାର ସ୍ବାଇଁ, ତିଗିରିଆ ବ୍ଲକ ଅଧ୍ୟକ୍ଷା ସନ୍ଧ୍ୟାରାଣୀ ନାୟକ, ଆଠଗଡ ବ୍ଲକ ଉପାଧ୍ୟକ୍ଷ ସୁବାସ ଚନ୍ଦ୍ର ମଲ୍ଲିକ, ପୂର୍ବତନ ନଗରପାଳ ସୁବର୍ଣ୍ଣମଞ୍ଜରୀ ଭଞ୍ଜ, ଜିଲ୍ଲାପରିଷଦ ସଭ୍ୟ ବଳଭଦ୍ର ବାଘ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଉଦବୋଧନ ଦେଇଥିଲେ।
ପ୍ରାରମ୍ଭରେ ଆଠଗଡ ଉପରେ ଗୀତିକାର ରାଧାନାଥ ଦାସଙ୍କ ଦ୍ୱାରା ରଚିତ ସ୍ବାଗତ ସଂଗୀତ ସ୍ଥାନୀୟ କଳାକାର ପରିବେଷଣ କରିଥିଲେ । କମିଟିର ସଭ୍ଯ ପାର୍ଥସାରଥୀ ପଟ୍ଟନାୟକ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଉପନଗରପାଳ ବି ଶୁଭ୍ରଶଙ୍କର ଜ୍ୟୋତି ଧନ୍ୟବାଦ ଅର୍ପଣ କରିଥିଲେ। କମିଟିର ସହ-ସଂଯୋଜକ ଯଶୋବନ୍ତ ବାରିକ, ପର୍ଶୁରାମ ବେହେରା, ନବକିଶୋର ରାଉତ, ପ୍ରକାଶ ରାଉତ ଓ ରଶ୍ମିରଞ୍ଜନ ସାହାଣୀଙ୍କ ସମେତ ଅନ୍ଯ ସମସ୍ତ ସଦସ୍ଯ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଅପରାହ୍ନ ୪ ଟାରେ ରଥଗଡା ଓ କନ୍ତୋଲରୁ ଦୁଇଟି ମଶାଲ ଶୋଭାଯାତ୍ରା ସହର ପରିକ୍ରମଣ କରି ମହୋତ୍ସବ ପଡିଆରେ ପହଞ୍ଚିବା ପରେ ଆନୁଷ୍ଠାନିକ ଭାବେ ମଞ୍ଚ ପୂଜା ସହିତ ମହୋତ୍ସବ ଶୁଭାରମ୍ଭ ହୋଇଥିଲା। ଏହି ଅବସରରେ ଉପଜିଲ୍ଲାପାଳ ଶ୍ରୀ ତରାଇ, ନଗରପାଳ ଶ୍ରୀମତି ରାଉତ ଓ ଅନ୍ଯ ଅଧିକାରୀମାନେ ସହର ମଧ୍ଯରେ ଥିବା ସମସ୍ତ ବରପୁତ୍ରଙ୍କ ପ୍ରତିମୁର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ।
ମନ ମୋହିଲା କଳାକାରଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ
ଆଠଗଡ ମହୋତ୍ସବ ପ୍ରଥମ ଦିନରେ ସ୍ଥାନୀୟ କଳାକାର, ଛାତ୍ରଛାତ୍ରୀ ଓ ବିଭିନ୍ନ କଳା ଅନୁଷ୍ଠାନ ଦ୍ୱାରା ବିବିଧ ସାଂସ୍କୃତିକ କାର୍ଯ୍ୟକ୍ରମ ଶହ ଶହ ଦର୍ଶକଙ୍କ ମନ ମୋହିଥିଲା । ରାଜ୍ଯ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ କଳାହାଣ୍ଡିର ଘୁମୁରା, ଗଜପତିର ସାନ୍ତାଳି ନୃତ୍ଯ, ଆଠଗଡର ଏବିସିଡି ଡ୍ୟାନ୍ସ ଗ୍ରୁପ, ପାୟଲ ଡ୍ୟାନ୍ସ ଗ୍ରୁପ, ଓମକାର୍ ଡ୍ୟାନ୍ସ ଗ୍ରୁପ, ବଲିଉଡ ଡ୍ୟାନ୍ସ ଗ୍ରୁପ ସହିତ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ଉଚ୍ଚକୋଟୀର ନୃତ୍ଯ ସଂଗୀତ ପରିବେଷଣ କରିଥିଲେ।
Comments are closed.