ବରିଷ୍ଠ ନାଗରିକମାନଙ୍କ ପ୍ରତି ସମ୍ବେଦନଶୀଳ ଓ ଯତ୍ନଶୀଳ ହେବା ଉପରେ ଗୁରୁତ୍ୱ

ବରିଷ୍ଠ ନାଗରିକ ଦିବସରେ ଆଇନ ସଚେତନତା

ଆଠଗଡ: ଆଠଗଡ ତାଲୁକ ଆଇନସେବା ସମିତି ଆନୁକୁଲ୍ୟରେ ରବିବାର ବରିଷ୍ଠ ନାଗରିକ ଦିବସ ଅବସରରେ ରାଜନଗର ପଞ୍ଚାୟତ କାର୍ଯ୍ୟାଳୟରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଆଇନସେବା ସମିତିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‍ ପ୍ରଦୀପ୍ତ କୁମାର ସାହୁ ଏହାକୁ ଉଦ୍‍ଘାଟନ କରିବା ସହ ଏଥିରେ ଅଧ୍ୟକ୍ଷତା କରି ବହୁ ସମୟରେ ଦେଖାଯାଉଛି ଯେ ବରିଷ୍ଠ ନାଗରିକମାନେ ବିଭିନ୍ନ ଉପାୟରେ ଉପେକ୍ଷିତ ହେଉଛନ୍ତି ବୋଲି ପ୍ରକାଶ କରିବା ସହ ବରିଷ୍ଠ ନାଗରିକମାନଙ୍କ ପ୍ରତି ସମ୍ବେଦନଶୀଳ ଓ ଯତ୍ନଶୀଳ ହେବା ଉପରେ ଗୁରୁତ୍ୱାରୋପ କରିଥିଲେ। ବରିଷ୍ଠ ନାଗରିକଙ୍କ ଅଧିକାର ପାଇଁ ଆଇନରେ ଥିବା ବ୍ୟବସ୍ଥା ସଂପର୍କରେ ସେ ଆଲୋକପାତ କରିଥିଲେ। ଏଥିରେ ସମ୍ମାନିତ ବକ୍ତା ଭାବେ ଜେଏମଏଫସି ସମ୍ବେଦନା ସନ୍ଦିପ ଯୋଗଦେଇ ବରିଷ୍ଠ ନାଗରିକମାନଙ୍କ ପାଇଁ ଆଇନରେ ଥିବା ବିଭିନ୍ନ ପ୍ରାବଧାନ ଓ ଅଧିକାର ସଂପର୍କରେ ବିସ୍ତୃତ ଭାବେ ଅବତାରଣା କରିଥିଲେ। ଉପେକ୍ଷିତ ବା ଅବେହେଳାର ଶିକାର ହେଉଥିବା ବରିଷ୍ଠ ନାଗରିକ ଆଇନ ସେବା ସମିତି ଜରିଆରେ ମାଗଣାରେ ଆଇନସେବା କିପରି ପାଇପାରିବେ ସେ ସଂପର୍କରେ ସେ ଅବଗତ କରାଇଥିଲେ। ଅନ୍ୟତମ ସମ୍ମାନିତ ବକ୍ତା ସହକାରୀ ଜିଲ୍ଲାପାଳ ଶୁଭକଲ୍ୟଣୀ ମହାପାତ୍ର ଏଥିରେ ଉଦ୍‍ବୋଧନ ଦେଇ ବରିଷ୍ଠ ନାଗରିକମାନଙ୍କ ପାଇଁ ସରକାରଙ୍କ ଦ୍ୱାରା ପ୍ରଣିତ ବିଭିନ୍ନ ଯୋଜନା ସଂପର୍କରେ ଅବତାରଣା କରିବା ସହ ଏହାର ସୁଯୋଗ ନେବା ପାଇଁ ପରାମର୍ଶ ଦେଇଥିଲେ। ରାଜନଗର ସରପଞ୍ଚ ରଶ୍ମିତା ପରିଡା ନିଜର ବକ୍ତବ୍ୟ ରଖିଥିଲେ। ଆଇନଜୀବୀ ଜ୍ଞାନ ପ୍ରକାଶ ଧଳସାମନ୍ତ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଅନ୍ୟତମ ଆଇନଜୀବୀ ଶ୍ରୀନିବାସ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଆଇନସେବା ସମିତିର ସହାୟିକା ରାଜଶ୍ରୀ ମହଲା, ସହଯୋଗୀ ବୀଣା ଦାସ, ପାରାଲିଗାଲ ସ୍ୱେଚ୍ଛାସେବୀ ଟିକିନା ସାହୁଙ୍କ ସମେତ ଅନ୍ୟ ସ୍ୱେଚ୍ଛାସେବୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

prayash

ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ଏଥିରେ ସହକାରୀ ଜିଲାପାଳ ମାନସ ରଞ୍ଜନ ବେହେରା ଓ ଅନ୍ୟତମ ସହକାରୀ ଜିଲ୍ଲାପାଳ ଶୁଭକଲ୍ୟାଣୀ ମହାପାତ୍ର ଯୋଗଦେଇ ବରିଷ୍ଠ ନାଗରିକମାନେ ବୋଝ ନୁହଁନ୍ତି ବରଂ ପରିବାର ତଥା ସମାଜର ପଥ ପ୍ରଦର୍ଶକ ଓ ଦିଗ୍‍ଦର୍ଶକ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଜେନାପଦା ପଞ୍ଚାୟତର ମାଟିକୋଟ ଗ୍ରାମର ୧୦୫ବର୍ଷ ବୟସ୍କ ବୟୋଜ୍ୟେଷ୍ଠ ନାଗରିକ କୁଞ୍ଜ ନାୟକଙ୍କୁ ଉଭୟ ସହକାରୀ ଜିଲ୍ଲାପାଳ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ଅବସରପ୍ରାପ୍ତ ଶିକ୍ଷକ ନୀଳମଣି ନାୟକ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବରିଷ୍ଠ କର୍ମଚାରୀ ସୂର୍ଯ୍ୟମଣି ସାହୁ, ନିରଞ୍ଜନ ବେହେରା ଓ ସତ୍ୟରଞ୍ଜନ ସେଣ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.