ବ୍ରଜ ବିହାରୀ ମହାନ୍ତି ମାନସିକ ଅନଗ୍ରସର ଟ୍ରଷ୍ଟର ବାର୍ଷିକ ଉତ୍ସବ
ଆଠଗଡ: ଆଠଗଡ ବ୍ଲକ ଅନ୍ତର୍ଗତ ଦୋରଡସ୍ଥିତ ବ୍ରଜବିହାରୀ ମହାନ୍ତିି ମାନସିକ ଅନଗ୍ରସର କଲ୍ୟାଣ ଟ୍ରଷ୍ଟର ବାର୍ଷିକ ଉତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି। ପରିଚାଳନା ଟ୍ରଷ୍ଟି ବୈକୁଣ୍ଠ ବିହାରୀ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ସରପଞ୍ଚଙ୍କ ପ୍ରତିନିଧି ସୁବାସ କୁମାର ଭୋଇ ମୁଖ୍ୟ ଅତିଥି, ସମିତି ସଭ୍ୟ ବିଦ୍ୟୁତି କୁମାରୀ ବେହେରା ଓ ଜାତୀୟ ଟ୍ରଷ୍ଟ ବୋର୍ଡର ସଦସ୍ୟ ଆଶିଷ କୁମାର, ଟ୍ରଷ୍ଟି ଜ୍ୟୋସ୍ନାରାଣୀ ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହି ଅନୁଷ୍ଠାନ ମାନସିକ ଅନଗ୍ରସର ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରି ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଯେଉଁ ନିରବଚ୍ଛିନ୍ନ ଉଦ୍ୟମ ଚଳାଇଛନ୍ତି ତାହା ବାସ୍ତବିକ ପ୍ରଶଂସନୀୟ ଓ ପ୍ରେରଣା ଦାୟକ ବୋଲି ମତବ୍ୟକ୍ତ କରିଥିଲେ। ପରିଚାଳନା ଟ୍ରଷ୍ଟି ଶ୍ରୀ ମହାନ୍ତି ୨୦୦୬ ମସିହାରୁ କାର୍ଯ୍ୟକାରୀ ହୋଇଥିବା ଏହି ଅନୁଷ୍ଠାନ କିପରି ଦିବ୍ୟାଙ୍ଗ ଓ ମାନସିକ ଅନଗ୍ରସରଙ୍କୁ ଶିକ୍ଷାଦାନ କରି ସେମାନଙ୍କୁ ନିଜ ଗୋଡରେ ଠିଆ ହେବା ପାଇଁ କାର୍ଯ୍ୟକ୍ରମ କରୁଛନ୍ତି ସେ ସଂପର୍କରେ ଆଲୋକପାତ କରିଥିଲେ।
ଏହାର ଉଦାହରଣ ସ୍ୱରୂପ ଏହି ସଂସ୍ଥାରେ ଶିକ୍ଷାଗ୍ରହଣ ଓ କ୍ରୀଡା ତାଲିମ ପାଇଥିବା କଳ୍ପନା ଜେନା ନିକଟରେ ଜର୍ମାନୀର ବର୍ଲିନ୍ ଠାରେ ଅନୁଷ୍ଠିତ ସ୍ୱତନ୍ତ୍ର ଅଲିମ୍ପିକ୍ସରେ ରୌପ୍ୟ ପଦକ ହାସଲ କରି କେବଳ ଆଠଗଡ ଓ ଓଡିଶା ନୁହେଁ ବରଂ ସମଗ୍ର ଦେଶ ପାଇଁ ଗୌରବ ଆଣିପାରିଛନ୍ତି ବୋଲି ଶ୍ରୀ ମହାନ୍ତି ପ୍ରକାଶ କରିଥିଲେ। ସୁବ୍ରତ ଶତପଥୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଶେଷରେ ପରିଚାଳକ ବିବେକାନନ୍ଦ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଅନୁଷ୍ଠାନର ଅନ୍ତେବାସୀ ଛାତ୍ରଛାତ୍ରୀ ଉଚ୍ଚକୋଟିର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଅନ୍ତେବାସୀଙ୍କ ଅଭିଭାବକ ଯୋଗଦାନ କରିଥିଲେ।
Comments are closed.