କା’ର ଆଧୁନିକ ରୂପ

0

କା’ ଆମ ଓଡିଆ ଜନଜୀବନରେ ଏକ ସୁପରିଚିତ ଧାରା। ଜଣେ ଅନ୍ୟ ଜଣକୁ ନିଜ ତରଫରୁ ପ୍ରତିନିଧିତ୍ୱ କରିବାକୁ ଯେଉଁ କ୍ଷମତା ଅର୍ପଣ କରେ ତାକୁ ଆମେ କା’ ଦେବା କହୁ। ଆଗେ ଗାଁ ଗହଳରେ ଯେବେ କୋଠ ଚାଷ ହଉଥିଲା, କ୍ଷେତ ଜଗିବାର ଦାୟିତ୍ୱ ସମସ୍ତଙ୍କର ଥିଲା। ତେଣୁ ସମସ୍ତେ ପାଳିକରି କ୍ଷେତ ଜଗିବାକୁ ଯାଉଥିଲେ। କେହି ଯଦି କୌଣସି କାରଣରୁ ଯାଇନପାରୁଥିଲା ସେ ତା’ ତରଫରୁ ନିଜ ପୁଅ, ପୁତୁରା କି ହଳିଆକୁ କ୍ଷେତ ଜଗିବାକୁ ପଠାଉଥିଲା। କବାଡି ଖେଳରେ ଜଣେ ଖେଳାଳୀ ଆଘାତପ୍ରାପ୍ତ ହେଲେ ସେ ତା ବଦଳରେ ଖେଳିବାକୁ ଅନ୍ୟ ଜଣକୁ କା’ ଦେଉଥିଲା। ମହାଭାରତର ଅଜ୍ଞାତବାସ ସମୟରେ ଭୀମ ମଣ୍ଡାଖିଆ ଅସୁରକୁ ମାରିବାକୁ ଗଲାବେଳେ ସେମିତି ପାଳିଆ ହେଇ ଯାଇଥିଲେ। ସେଇଭଳି ମହାଭାରତରେ ପଶାଖେଳ ବେଳେ ଦୁର୍ଯ୍ୟୋଧନ ସ୍ଥାନରେ କା’ ହେଇ ଖେଳିଥିଲେ ଶକୁନି। ରାମାୟଣରେ ସୀତାଙ୍କ କା’ ରୂପେ ଯଜ୍ଞରେ ବସିଥିଲେ ସୁବର୍ଣ୍ଣସୀତା। ଆମ ପୂଜା ପଦ୍ଧତିରେ କେହି ପୂଜାରେ ବସି ନପାରିଲେ ତା ବଦଳରେ ବସେ ବିଷ୍ଟର ଗୁଆ। ପୁରୋହିତଙ୍କୁ ମଧ୍ୟ ଯଜମାନ ତରଫରୁ ପୂଜା କରିବାକୁ ବା ଆହୁତି ଦେବାକୁ କା’ ଦିଆଯାଏ।
ଯୁଗ ଯେତେ ବଦଳୁଚି କା’ର ରୂପରେଖ ମଧ୍ୟ ବଦଳୁଚି। ଆଇନ ପାଠରେ ତାକୁ ପାୱାର ଅଫ ଆଟର୍ଣ୍ଣି କୁହାଯାଉଛି। ଜଣେ ଯଦି ବୟସାଧିକ୍ୟ କାରଣରୁ ରୋଗାକ୍ରାନ୍ତ ହେବା କାରଣରୁ ହେଉ ବା ଦୀର୍ଘ ଅନୁପସ୍ଥିତି ଜନିତ କାରଣରୁ ହେଉ ନିଜ ଜମିବାଡି ଓ ସଂପତ୍ତି ତାଙ୍କ ତରଫରୁ ପରିଚାଳନା କରିବାକୁ ଅନ୍ୟ କାହାକୁ ଆଇନଗତ ଅଧିକାର ପ୍ରଦାନ କରନ୍ତି ତାକୁ ପାୱାର ଅଫ ଆଟର୍ଣ୍ଣି କୁହାଯାଏ। ଅଫିସରେ ବଡ ଅଫିସର ସାନ ଅଫିସରଙ୍କୁ ଡେଲିଗେସନ ଅଫ୍‍ ପାୱାର କରନ୍ତି। କୋର୍ଟ କଚେରୀରେ ଓକିଲ ଯୋଉ ମହକିଲଙ୍କ ତରଫରୁ ଲଢୁଛନ୍ତି ତାହା ଏକପ୍ରକାର କା’ ନୁହେଁ ତ ଆଉ କଣ ?
ଆଜିକାଲି ମାତୃତ୍ୱ ପାଇଁ ମଧ୍ୟ କ୍ଷମତାର୍ପଣ କରିହେଉଛି। ଅତ୍ୟାଧୁନିକ ମା’ ମାନେ କାର୍ଯ୍ୟବ୍ୟସ୍ତତା ଯୋଗୁ ହେଉ ବା ସୌନ୍ଦର୍ଯ୍ୟ ହାନି ଆଶଙ୍କାରେ ହେଉ ମାତୃତ୍ୱ ଦାୟିତ୍ୱ ଅନ୍ୟ ମହିଳାଙ୍କୁ ପ୍ରଦାନ କରୁଛନ୍ତି। ଦାୟିତ୍ୱ ଗ୍ରହଣ କରୁଥିବା ମା’ ଗର୍ଭରେ କେବଳ ଭ୍ରୁଣ ସଂରୋପିତ କରାଯାଏ ଏବଂ ସେ ଦଶମାସ ଗର୍ଭଧାରଣ କରି ଶିଶୁ ଜନ୍ମହେଲା ପରେ ମୂଳ ମା’ଙ୍କୁ ସନ୍ତାନ ପ୍ରତ୍ୟର୍ପଣ କରନ୍ତି। ଏଭଳି କା’ରେ ଗର୍ଭଧାରଣ କରୁଥିବା ମା’ଙ୍କୁ ସରୋଗେଟ୍‍ ମଦର କୁହାଯାଉଛି। ଆହ୍ଲାବାଦ, ଗୟା ଆଦି ଜାଗାରେ ମଧ୍ୟ ଏଭଳି ଅନେକ ସଂସ୍ଥା ଗଢିଉଠିଲାଣି ଯେଉଁମାନଙ୍କୁ ଅନ୍‍ଲାଇନ୍‍ରେ ଅର୍ଡର ଦେଲେ ସେମାନେ ଆପଣଙ୍କ ତରଫରୁ ପିତୃଶ୍ରାଦ୍ଧ, ପିଣ୍ଡଦାନ ଆଦି କରିଦେଇପାରିବେ। କେବଳ ଏଥିପାଇଁ ଲୋଡା ଏକ କ୍ଷମତାପତ୍ର ଏବଂ ଆବଶ୍ୟକୀୟ ଦେୟ। ଏବେ ବୋଲବମର ଋତୁ ଚାଲିଲେ ରାସ୍ତାଘାଟ ସବୁ କାଉଡିଆମୟ ହେଇଯାଉଛି। ସେମାନେ କେତେ କଷ୍ଟ ସହି ମାନସିକ ପୂରଣ ପାଇଁ ଏତେ ବାଟ କେମିତି ଖାଲିପାଦରେ ଚାଲୁଛନ୍ତି ଭାବିଲେ ଆଶ୍ଚର୍ଯ୍ୟ ଲାଗେ। ତେଣୁ ଯିବା ପାଇଁ ଇଚ୍ଛା ରଖୁଥିଲେ ମଧ୍ୟ ଅନେକଙ୍କର ସାହସ ଜୁଟେନା। କଥା ପ୍ରସଙ୍ଗରେ ଏକଥା ଜଣେ ବଂଧୁଙ୍କୁ କହୁ କହୁ ସେ କହିଲେ ଆପଣଙ୍କୁ କିଏ ଚାଲିଚାଲିଯିବାକୁ କହୁଚି ? ଆପଣ କା’ ଦେଇଦେଲେ ଆପଣଙ୍କ ବଦଳରେ ଚାଲିଚାଲି ଯିବାକୁ ଲୋକ ମିଳିଯିବେ। ଆପଣ କେବଳ ଘାଟରୁ ପାଣିଘଟ ଟି ଆଣି ତାଙ୍କ ବାହୁଙ୍ଗିରେ ଥୋଇବେ ଏବଂ ନିଜ ଆୟୋଜନରେ ଗାଡିମଟର ଧରି ନିର୍ଦ୍ଧାରିତ ମନ୍ଦିର ପାଖରେ ଯାଇ ଲାଇନ୍‍ରେ ରହିବେ। କା’ ଧରିଥିବା କାଉଡିଆ ତାର ଚାଲିଚାଲି ଯାଇ ସେଠି ଆପଣଙ୍କୁ ବାହୁଙ୍ଗି ହସ୍ତାନ୍ତର କରିବ। ଏଥି ନିମନ୍ତେ ସେ ତାର ଯାହା ପାରିଶ୍ରମିକ ନେବା କଥା ନେବ। ଏକଥା ଶୁଣି ମତେ ଆଚମ୍ବିତ ଲାଗିଲା। ଇଏ କି ଭକ୍ତି ? ଏଥିରେ ବା କି ପୁଣ୍ୟ ଅର୍ଜନ ହେବ ??
ସାହିତ୍ୟ କ୍ଷେତ୍ରରେ ମଧ୍ୟ କା’ ଚାଲିଲାଣି। ଧରାଯାଉ ଆପଣଙ୍କର ଡକ୍‍ଟରେଟ ଡିଗ୍ରୀ ଦରକାର। ଥେସିସ ତିଆରି କରିବା ଲୋକ ଅଛନ୍ତି। ରେଜିଷ୍ର୍ଟ୍ରେସନ ପରେ ସେମାନଙ୍କୁ ଆପଣ କା’ ଦେବେ, ବଇନା ବି ଦେବେ। ବାସ୍‍ ସେ ତାର କାମରେ ଲାଗିଯିବ। ନିର୍ଦ୍ଧାରିତ ସମୟ ଭିତରେ ସେ ଥେସିସ ତିଆରି କରି ଥୋଇଦେବ। ଇଣ୍ଟରଭିଉ ପାଇଁ କଣ କଣ ପ୍ରଶ୍ନ ହେଇପାରେ ତା ବି ସେ ଉତ୍ତର ସହ ତିଆରି କରି ଦେଇଦେବ। ବାସ୍‍ ତାକୁ ହିଁ ପଢି ଆପଣ ଇଣ୍ଟରଭିଉର ସାମ୍ନା କରିବେ ଓ ନିଜ ନାଁ ପୂର୍ବରୁ ‘ଡକ୍ଟର’ ଲଗାଇ ବୁଲିବେ। ସାଧାରଣ ମାଟ୍ରିକ୍‍ ବା ଅନ୍ୟ ପରୀକ୍ଷାରେ ମଧ୍ୟ ଅନେକ ସମୟରେ କା’ ପରୀକ୍ଷର୍ଥୀ ଅନ୍ୟ ଜଣଙ୍କ ତରଫରୁ ପରୀକ୍ଷା ଦେଇ ପୋଲିସ ହାତରେ ଗିରଫ ହେବାର ଘଟଣା ଖବରକାଗଜରେ ନଜରକୁ ଆସେ।
ଆଜିକାଲି ବିମାନ ବନ୍ଦରରେ, ରେଳଷ୍ଟେସନରେ ଆପଣଙ୍କ ତରଫରୁ ଅତିଥିମାନଙ୍କୁ ସ୍ୱାଗତ କରିବା ପାଇଁ ଏଜେନସି ସବୁ ଖୋଲିଲାଣି। ଆପଣଙ୍କ ତରଫରୁ ସେମାନେ ଯାଇ ଆପଣଙ୍କ ଅତିଥିମାନଙ୍କୁ ଫୁଲତୋଡା ଦେଇ ସ୍ୱାଗତ କରି ଠିକଣା ସ୍ଥାନରେ ପହଂଚାଇବାର ଦାୟିତ୍ୱ ନେଉଛନ୍ତି। ଯଦ୍ୱାରା ଆପଣଙ୍କ ଅନୁପସ୍ଥିତି ଜନିତ ଅଭଦ୍ରାମିକୁ ଆପଣଙ୍କ ଅତିଥି ବାରିପାରିବେ ନାହିଁ। ବିବାହ, ବ୍ରତଘର, ଗୃହପ୍ରତିଷ୍ଠା ଏବଂ ଅନ୍ୟାନ୍ୟ ପାରଂପାରିକ ଉତ୍ସବରେ ନିମନ୍ତ୍ରଣ ପତ୍ର ବାଣ୍ଟିବା ଏକ କଷ୍ଟକର କାମ ନିଶ୍ଚୟ। ଏଥିପାଇଁ ମଧ୍ୟ କା’ ଏଜେନ୍‍ସି ସବୁ କାମ କରୁଛନ୍ତି। ସେମାନେ ଘରଘର ବୁଲି ନିମନ୍ତ୍ରଣପତ୍ର ଦେଇ ଆପଣଙ୍କ ନଯାଇ ପାରିଥିବା ଜନିତ ତ୍ରୁଟିମାର୍ଜନା କରିଆସିବେ।
ବଡବଡ ରକ୍ଷଣଶୀଳ ସହରରେ ଅବିବାହିତ ଲୋକମାନଙ୍କୁ ଘରଭଡା ସହଜରେ ମିଳେନା। ମାତ୍ର ବାହାହେଇଚି, ସ୍ତ୍ରୀକୁ ଆଣିବାକୁ ଘର ଖୋଜୁଚି କହିଲେ ଘର ମିଳିଯିବ। ଏ ଅଭାବକୁ ପୂରଣ କରିବା ପାଇଁ କା’ରେ ସ୍ତ୍ରୀ ମଧ୍ୟ ମିଳୁଛନ୍ତି। ଆଉ କ’ଣ କହିବା!
ranjank.das@rediffmail.com

Leave A Reply