ମାଓବାଦୀ ନିପାତ, ବିପୁଳ ପରିମାଣର ଗୁଳି ଗୋଳା ଜବତ
ଡିଆଇଜିଙ୍କ ସାମ୍ବାଦିକ ସମ୍ମିଳନୀ
ଭବାନିପାଟଣା : ଏସଆଇଡ଼ବ୍ଲୁ ଟିମ ଦ୍ଵାରା ଗତ ମଙ୍ଗଳବାର ୩ ମାଓବାଦୀ ମୃତ୍ୟୁ ଘଟଣା ନେଇ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ୍ ପଣ୍ଡିତ ଏଠାରେ ସବିଶେଷ ସୂଚନା ଦେଇଛନ୍ତି। ମଙ୍ଗଳବାର ସକାଳେ ଏସଆଇଡ଼ବ୍ଲୁ ଟିମ୍ ସହ ଟାପରାଙ୍ଗ ଜଙ୍ଗଲରେ ମାଓବାଦୀଙ୍କର ଗୁଳି ବିନିମୟ ହେଇଥିଲା। ସେଥିରେ ୩ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ଏସଆଇଡବ୍ଲୁ ଡିଏସପି ଅତୁଲ ଦାସ ଆହତ ହେଇଥିଲେ। ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ରିଜର୍ଭ ପୁଲିସ ବ୍ୟାରେକରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଡିଆଇଜି ଏ ସଂକ୍ରାନ୍ତରେ ସୂଚନା ଦେଇ, ଗୁଳି ବିନିମୟ ପରେ ସେଠାରୁ ବନ୍ଧୁକ ଓ ବିପୁଳ ପରିମାଣର ଗୁଳି ଗୋଳା ଜବତ ହେଇଥିବା କହିଛନ୍ତି । ଘଟଣାସ୍ଥଳରୁ ଗୋଟିଏ ଏକେ- ୪୭ ରାଇଫଲ, ମାଗାଜିନ୍, ୧୩ ରାଉଣ୍ଡ ଗୁଳି, ଗୋଟିଏ ଅଟୋମେଟିକ ପିସ୍ତଲ୍, ଗୋଟିଏ ଦେଶୀ ବନ୍ଧୁକ, ୱାକି ଟକି, ଡିଟୋନେଟର, ମାଓ ପୋଷ୍ଟର, ମାଓ ସାମଗ୍ରୀ ଆଦି ଜବତ ହେଇଥିବା ସେ ସୂଚନା ଦେଇଥିଲେ। ଏ ସଂକ୍ରାନ୍ତରେ ମଦନପୁର-ରାମପୁର ଥାନାରେ ବିଭିନ୍ନ ଦଫାରେ ମାମଲା ରୁଜୁ ହେଇ ତଦନ୍ତ ଚାଲିଥିବା ଏହି ସାମ୍ବାଦିକ ସମ୍ମିଳନୀରେ ଡିଆଇଜି ରାଜେଶ୍ ପଣ୍ଡିତ ସୂଚନା ଦେଇଥିଲେ।
ସୂଚନା ଅନୁଯାୟୀ ଟାପରାଙ୍ଗ ଗାଁକୁ ବିଭିନ୍ନ ସମୟରେ ମାଓବାଦୀ ମାନେ ରାସନ୍ ସାମଗ୍ରୀ, ଔଷଧ ଆଦି ନେବାକୁ ଆସୁଥିଲେ। ଏହି ସୂଚନା ପାଇ ଏସଆଇଡ଼ବ୍ଲୁ ଟିମ୍ ସେହି ଅଞ୍ଚଳ ଉପରେ ନଜର ରଖିଥିଲା। ମଙ୍ଗଳବାର ଏସଆଇଡ଼ବ୍ଲୁ ଟିମ୍ ହାବୁଡ଼ରେ ମାଓବାଦୀ ପଡ଼ିବା ପରେ ଗୁଳି ବିନିମୟ ହେଇଥିଲା। ସେଥିରେ ତିନି ମାଓବାଦୀ ମୃତ୍ୟୁ ବରଣ କରିଥିଲେ। ତେବେ ମୃତ ମାଓବାଦୀଙ୍କ ପରିଚୟ ଜାଣିବା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲା ସମେତ ପଡୋଶୀ ଛତିଶଗଡ ପୋଲିସକୁ ଫଟୋ ପଠା ଯାଇଥିବା ଡିଆଇଜି କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ କଳାହାଣ୍ଡି ଏସପି ଅଭିଳାଷ. ଜି, କେସିଙ୍ଗା ଏସଡିପିଓ ରୋହିତ ବର୍ମା ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.