ଏସ୍‍ଏସ୍‍ବି ଅଧ୍ୟାପକ ନିଯୁକ୍ତି ପରୀକ୍ଷା: ଉତ୍ତର ବିକଳ୍ପରେ ବ୍ୟପକ ତ୍ରୁଟି ଅଭିଯୋଗ

0

ଭୁବନେଶ୍ୱର : ଷ୍ଟେଟ୍‍ ସିଲେକ୍ସନ ବୋର୍ଡ ଦ୍ୱାରା ପରିଚାଳିତ ଅଣଅନୁଦାନପ୍ରାପ୍ତ ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟାପକ ନିଯୁ୍‍କ୍ତି ଲିଖିତ ପରୀକ୍ଷାର ଆନ୍ସର କି (ଉତ୍ତର ବିକଳ୍ପ) ମଙ୍ଗଳବାର ଅପରାହ୍ଣରେ ପ୍ରକାଶ ପାଇବା ସହ ବିବାଦ ଆରମ୍ଭ ହୋଇଛି।
ପ୍ରାୟ ବିଷୟରେ ପ୍ରକାଶିତ ଆନ୍ସର କି ଓ ଅନେକ ପ୍ରଶ୍ନ ଭୁଲଥିବା ପରୀକ୍ଷାର୍ଥୀମାନେ ଅଭିଯୋଗ କରିଛନ୍ତି। ଓଡ଼ିଆ ବିଷୟରେ ସର୍ବାଧିକ ପ୍ରଶ୍ନ ଓ ଆନ୍ସର କି ଭୁଲଥିବା ଆଶାୟୀମାନେ ଅଭିଯୋଗ କରିଛନ୍ତି। ସେହିପରି ଇତିହାସ ବିଷୟରେ ୨୨ରୁ ୨୩ଟି ପ୍ରଶ୍ନର ଆନ୍ସର କି ଓ ୫ଟି ପ୍ରଶ୍ନ ଭୁଲ ଥିବା ଆଶାୟୀମାନେ ଅଭିଯୋଗ କରିଛନ୍ତି। ୨୫ ତାରିଖ ଦିନ ୫ଟା ସୁଦ୍ଧା ଆନ୍ସର କି ନେଇ ଆପତ୍ତି ଜଣାଇବା ନିମନ୍ତେ ଏକ ବିଜ୍ଞପ୍ତି ଜାରି କରାଯାଇଛି। ବିଭାଗୀୟ ୱେବସାଇଟ୍‍ [email protected]ରେ ଅନଲାଇନ ମାଧ୍ୟମରେ ଅଭିଯୋଗ ଜଣାଇବା ପାଇଁ କୁହାଯାଇଛି। ତେବେ ଅଫଲାଇନ୍‍ ଅଭିଯୋଗ ଜଣାଇବା ନେଇ ସମସ୍ୟା ଦେଖାଦେଇଛି। ଏତେ ପରିମାଣର ଉତ୍ତର ବିକଳ୍ପ ଭୁଲକୁ ଅନଲାଇନ ଅଭିଯୋଗରେ ସଂଶୋଧନ କରାଯାଇ ପାରିବ କି ନାହିଁ ସେ ନେଇ ଛାତ୍ରଛାତ୍ରୀଙ୍କ ମନରେ ଆଶଙ୍କା ପ୍ରକାଶ ପାଇଛି। ଏପେଟ ଅଫଲାଇନ ଅଭିଯୋଗ ଜଣାଇବା ପାଇଁ ଧାର୍ଯ୍ୟ ଦିନ ମଧ୍ୟରୁ ୩ ଦିନ ଛୁଟି ପଡ଼ୁଛି। ୨୧ ଓ ୨୨ ଦୁଇ ଦିନ ଦୋଳ ଓ ହୋଲି ଛୁଟିଥିବାବେଳେ ୨୪ ତାରିଖ ରବିବାର ଛୁଟି ରହୁଛି। ଫଳରେ ସୋମବାର ଦିନ ୨୫ଟି ବିଷୟର ଛାତ୍ରଛାତ୍ରୀ ଏସ୍‍ଏସ୍‍ବି କାର୍ଯ୍ୟାଳୟରେ ଅଭିଯୋଗ ପାଇଁ ପହଞ୍ଚିବା ପରେ ପରିସ୍ଥିତି ଅଣାୟତ୍ତ ହେବ ବୋଲି ଆଶଙ୍କା କରାଯାଉଛି। ଅଭିଜ୍ଞ ଅଧ୍ୟାପକଙ୍କୁ ନେଇ ପ୍ରଶ୍ନ ପ୍ରସ୍ତୁତ କରାଯାଇଥିବା କୁହାଯାଉଥିବାବେଳେ ଏଭଳି ତ୍ରୁଟି ଏସ୍‍ଏସ୍‍ବିର ପାରଦର୍ଶିତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେଣୁ ପ୍ରତ୍ୟକ ବିଷୟର କିଛି ଅଧ୍ୟାପକଙ୍କୁ ନେଇ ଏକ କମିଟି ଗଠନ କରି ଉତ୍ତର ବିକଳ୍ପରେ ଥିବା ତ୍ରୁଟିର ସଂଶୋଧନ କରି ଆଉଥରେ ପ୍ରକାଶ କରିବାକୁ ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି।
ପ୍ରକାଶଯୋଗ୍ୟ ଯେ ଏସ୍‍ଏସ୍‍ବି ଦ୍ୱାରା ୨୫ଟି ବିଷୟର ଅଧ୍ୟାପକ ନିଯୁକ୍ତି ପାଇଁ ମାର୍ଚ୍ଚ ୧୦ରେ ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ପରୀକ୍ଷା ପରେ ଅନେକ ପ୍ରଶ୍ନ ଭୁଲଥିବା ପରୀକ୍ଷାର୍ଥୀମାନେ ଅଭିଯୋଗ କରିଥିଲେ। ଫଳରେ ମାର୍ଚ୍ଚ ୧୯ରେ ଉତ୍ତର ବିକଳ୍ପ ପ୍ରକାଶ ପାଇବ ବୋଲି ବିଭାଗୀୟ ୱେବସାଇଟରେ ନୋଟିସ୍‍ ବାହାରିଥିଲା। ଏବେ ଉତ୍ତର ବିକଳ୍ପ ବାହାରିବା ପରେ ନୂତନ ବିବାଦ ଆରମ୍ଭ ହୋଇଛି।

Leave A Reply