ପାଦ ପାଇଁ ‘ଆଙ୍କଲେଟ୍‍’

0

ଆଙ୍କଲ୍‍ ଲେଙ୍ଗ୍‍ଥ ଜିନ୍ସ, ଲେଗିଙ୍ଗ୍‍ସ ଏବଂ ସିଗାରେଟ୍‍ ପ୍ୟାଣ୍ଟ୍‍ସର ଚାହିଦା ବଢିଥିବା ବେଳେ ଏହାକୁ ଆଉଟିକେ ଆକର୍ଷକ କରିବା ଲାଗି ଆଙ୍କଲେଟ୍‍ ପରଖି ପାରନ୍ତି। ପାଦରେ ପିନ୍ଧାଯାଉଥିବା ପାଉଁଜି ଆଜିକାଲି ପୁରୁଣା ଚଳଣିରେ ସାମିଲ୍‍ ହେଲାଣି। କଲେଜ ଯାଉଥିବା ଯୁବତୀ ହୁଅନ୍ତୁ କି ଅତ୍ୟାଧୁନିକ ବିବାହିତା ମହିଳା- ସମସ୍ତଙ୍କର ପସନ୍ଦ ପାଲଟିଛି ଆଙ୍କଲେଟ୍‍। ପାଉଁଜି ଦୁଇଗୋଡରେ ପିନ୍ଧାଯାଉଥିବା ବେଳେ ଆଙ୍କଲେଟ୍‍ ଗୋଟିଏ ଗୋଡରେ ପିନ୍ଧାଯାଇପାରେ। ପାରମ୍ପରିକ ହେଉ କି ଆଧୁନିକ- ପ୍ରତ୍ୟେକ ପୋଷାକ ସହିତ ସୁନ୍ଦର ଲାଗେ ଆଙ୍କଲେଟ୍‍।

prayash

ଥିମ୍‍ ଆଙ୍କଲେଟ୍‍: ଏହି ଡିଜାଇନ୍‍ରେ ଗୋଲ୍‍ଡେନ କିମ୍ବା ସିଲ୍‍ଭର ମେଟାଲର ପତଳା ଚେନ୍‍ରେ ଲକେଟ୍‍ ଷ୍ଟାଇଲରେ ଲଭ୍‍, ମୁସାଫିର କିମ୍ବା ଏହିପରି କିଛି ଲେଖା ଥାଏ। ଯୁବତୀମାନେ ଏହାକୁ ଗୋଟିଏ ଗୋଡରେ ଷ୍ଟେଟମେଣ୍ଟ ଅଳଙ୍କାର ଭାବେ ପିନ୍ଧିଥାନ୍ତି। ଯୁବଗୋଷ୍ଠୀରେ ଏହି ଆଙ୍କଲେଟ୍‍ ଏକ ଭଲ ଉପହାର ଭାବେ ବେଶ୍‍ ପସନ୍ଦ କରାଯାଉଛି।

ଷ୍ଟ୍ରିଙ୍ଗ ଷ୍ଟାଇଲ: କୈଶୋରର ଚପଳ ସ୍ୱଭାବକୁ ଏଭଳି ଷ୍ଟାଇଲ ଖୁବ୍‍ ମାନେ। ଯେଉଁମାନେ ଗୋଲ୍‍ଡେନ୍‍ କିମ୍ବା ସିଲ୍‍ଭର ମେଟାଲର ଆଙ୍କଲେଟ୍‍ ପିନ୍ଧିବାକୁ ପସନ୍ଦ କରୁନାହାନ୍ତି, ସେମାନଙ୍କ ପାଇଁ ଏହା ଏକ ନୂଆ ବିକଳ୍ପ ହୋଇପାରିବ। ରେଶମୀ ସୂତା ଏବଂ ରଙ୍ଗିନ୍‍ ମାଳିରେ ତିଆରି ହୋଇଥିବା ଏହି ଆଙ୍କଲେଟ୍‍ ପାଦକୁ ସୁନ୍ଦର କରିଦିଏ।

ଲେୟାର ଡିଜାଇନ୍‍: ଏବକାର ଚଳଣିରେ ଲେୟାର ଡିଜାଇନ୍‍ର ଅଳଙ୍କାର ବେଶ୍‍ ଚାହିଦାରେ ରହିଛି। ଆଙ୍କଲେଟ୍‍ରେ ବି ଲେୟାର ଷ୍ଟାଇଲ ସୁନ୍ଦର ଦେଖାଯାଏ। ପାରମ୍ପରିକ ଏବଂ ପାଶ୍ଚାତ୍ୟ ଉଭୟ ପୋଷାକରେ ଏହା ଭଲ ମାନେ। ପୋଷାକର ପ୍ରକାର ଅନୁସାରେ ଯୁବତୀମାନେ ଏହାକୁ ଗୋଟିଏ କିମ୍ବା ଦୁଇଟି ଗୋଡରେ ପିନ୍ଧିପାରିବେ।

ସାତରଙ୍ଗୀ ଆଙ୍କଲେଟ୍‍: କଲେଜ ଯାଉଥିବା ଯୁବତୀଙ୍କ ମଧ୍ୟରେ ଏହି ରଙ୍ଗିନ୍‍ ରେନ୍‍ବୋ ବ୍ୟାଣ୍ଡ୍‍ ଆଙ୍କଲେଟ୍‍ର ଖୁବ୍‍ ଚାହିଦା ରହିଛି। ରଙ୍ଗିନ ହୋଇଥିବାରୁ ଯେକୌଣସି ପୋଷାକରେ ପିନ୍ଧାଯାଇପାରେ। ଏବେ ଆଙ୍କଲେଟ୍‍କୁ ବ୍ୟାଗ୍‍ ଏବଂ ମୋବାଇଲ କଭର ସହିତ ମ୍ୟାଚ୍‍ କରି ପିନ୍ଧିବାର ଟ୍ରେଣ୍ଡ ଚାଲିଛି।

ଚେନ୍‍ ଆଙ୍କଲେଟ୍‍: ଗୋଟିଏ କିମ୍ବା ଦୁଇଟି ଚେନ୍‍କୁ ନେଇ ହୋଇଥିବା ଏହି ଷ୍ଟାଇଲିଶ୍‍ ଆଙ୍କଲେଟ୍‍ର ବିଭିନ୍ନ ଡିଜାଇନ୍‍ ମଧ୍ୟରୁ ଯୁବତୀମାନେ ଗୋଲ୍‍ଡେନ୍‍ ବଦଳରେ ସିଲ୍‍ଭର ରଙ୍ଗକୁ ବେଶୀ ଆଦର କରୁଛନ୍ତି। ପାରମ୍ପରିକ ରଙ୍ଗିନ୍‍ ଜୁତିରେ ଏହି ଆଙ୍କଲେଟ୍‍ ଖୁବ୍‍ ସୁନ୍ଦର ଦିଶେ।

ମାଳି ଓ କଉଡି: କଳାଧଳା ମାଳିକୁ ନେଇ ତିଆରି ହୋଇଥିବା ଆଙ୍କଲେଟ୍‍ ସହିତ କଉଡିରେ ଗୁନ୍ଥା ହୋଇଥିବା ଡିଜାଇନ୍‍ ବି ଯୁବପିଢିଙ୍କର ପସନ୍ଦ ହେଉଛି। ଏହା ଏକପ୍ରକାର ଟ୍ରାଇବାଲ ଫେସନ୍‍ର ଅନ୍ତର୍ଭୁକ୍ତ।

ଫ୍ଲୋରାଲ ଡିଜାଇନ୍‍: ପ୍ରତ୍ୟେକ ଅଳଙ୍କାର ପରି ଆଙ୍କଲେଟ୍‍ ମଧ୍ୟ ଫୁଲ ଡିଜାଇନ୍‍ରୁ ବାଦ୍‍ ପଡିନାହିଁ। ଏଥିରେ ନୀଳରଙ୍ଗର ମାଳିରେ ହୋଇଥିବା ସାଜସଜ୍ଜା ଆହୁରି ଆକର୍ଷକ ଲାଗେ। ବାହାଘର ପରି ଅବସରରେ ପିନ୍ଧିବା ଲାଗି ଏହା ଖୁବ୍‍ ଭଲ ବିକଳ୍ପ।

Leave A Reply