ଏସ୍ପି-ବିଏସ୍ପି ମେଣ୍ଟ ବିଜେପିକୁ ଅଡ଼ୁଆ: ଅମିତ ଶାହା
ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଏସ୍ପି ଓ ବିଏସ୍ପି ମଧ୍ୟରେ ମେଣ୍ଟ ୨୦୧୯ ନିର୍ବାଚନରେ ବିଜେପି ପାଇଁ ଆହ୍ୱାନ ସୃଷ୍ଟି କରିପାରେ ବୋଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା କହିଛନ୍ତି। ଅପରପକ୍ଷରେ ଆମେଥି କିମ୍ବା ରାଏବରେଲିରେ କଂଗ୍ରେସକୁ ବିଜେପି ହରାଇବ ବୋଲି ଦୃଢ଼ୋକ୍ତି କରିଛନ୍ତି। ଏହି ଦୁଇ ଆସନରୁ ଗାନ୍ଧି ପରିବାରର ସଦସ୍ୟମାନେ ନିର୍ବାଚିତ ହୋଇ ଆସୁଛନ୍ତି।
ମୋଦି ସରକାରଙ୍କ ଚତୁର୍ଥବର୍ଷ ପୂର୍ତ୍ତି ଅବସରରେ ସାମ୍ବାଦିକଙ୍କୁ ସମ୍ବୋଧିତ କରିବା ଅବସରରେ ଶ୍ରୀ ଶାହା କହିଛନ୍ତି ଯେ ମହାରାଷ୍ଟ୍ରରେ ପୁରୁଣା ସହଯୋଗୀ ଶିବସେନା ସହିତ ମେଣ୍ଟ ଭାଙ୍ଗିବାକୁ ବିଜେପି ଚାହୁଁନାହିଁ। ତଥାପି ଶିବସେନା ଯଦି ମେଣ୍ଟରୁ ଓହରି ଯିବାକୁ ଚାହିଁବ ତେବେ ମହାରାଷ୍ଟ୍ରରେ ୨୦୧୯ରେ ବିଜେପି ଶିବସେନା ବିରୋଧରେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ଅଛି। ବିରୋଧୀ ମେଣ୍ଟ ସମ୍ପର୍କରେ ଶ୍ରୀ ଶାହା କହିଛନ୍ତି ଯେ ୨୦୧୪ରେ ମଧ୍ୟ ବିଜେପି ବିରୋଧରେ ସମ୍ମିଳିତ ସଂଗ୍ରାମ ହୋଇଥିଲା। କିନ୍ତୁ ସେମାନେ ବିଜେପିକୁ ରୋକିପାରି ନ ଥିଲେ। ଏଥର ମଧ୍ୟ ସେମାନେ ମିଳିତ ଭାବେ ବିଜେପିକୁ ହରାଇପାରିବେ ନାହିଁ। ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ତେଲେଙ୍ଗାନା, ତାମିଲନାଡ଼ୁ, କେରଳରେ ବିଜେପି ବିପୁଳ ସଂଖ୍ୟାରେ ଜୟଯୁକ୍ତ ହେବ ବୋଲି ସେ ଅନୁମାନ କରିଛନ୍ତି।