ଆମେରିକାର ୨୯ଟି ଉତ୍ପାଦ ଉପରେ ଆମଦାନୀ ଶୁଳ୍କ ବୃଦ୍ଧି କଲା ଭାରତ

0

ନୂଆଦିଲ୍ଲୀ : ଆମେରିକାରୁ ଆମଦାନୀ ହେଉଥିବା ୨୯ଟି ଉତ୍ପାଦ ଉପରେ ଭାରତ ସରକାର ଆମଦାନୀ ଶୁଳ୍କ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନର ବାଣିଜ୍ୟ ଯୁଦ୍ଧ ନୀତିର ଜବାବରେ ଭାରତ ଏହି ପଦକ୍ଷେପ ନେଇଛି। ଆମେରିକା ବିଭିନ୍ନ ଦେଶରୁ ଆମଦାନୀ ହେଉଥିବା ବହୁ ଉତ୍ପାଦ ଉପରେ ଆମଦାନୀ ଶୁଳ୍କ ବୃଦ୍ଧି କରିଛି। ଭାରତରୁ ଆମେରିକାକୁ ରପ୍ତାନୀ ହେଉଥିବା ଇସ୍ପାତ ଉପରେ ଆମେରିକା ୨୫% ଏବଂ ଆଲୁମନିୟମ ଉତ୍ପାଦ ଉପରେ ୧୦% ଆମଦନୀ ଶୁଳ୍କ ବୃଦ୍ଧି କରିଛି। ମାର୍ଚ୍ଚ ୯ରୁ ଆମେରିକା ଯାଉଥିବା ଇସ୍ପାତ ଏବଂ ଆଲୁମନିୟମ ଉତ୍ପାଦ ପାଇଁ ଭାରତକୁ ଅଧିକ ଆମଦାନୀ ଶୁଳ୍କ ଦେବାକୁ ପଡୁଛି। ଏହି କାରଣରୁ ଭାରତକୁ ବର୍ଷକୁ ଅଧିକ ୨୪ କୋଟି ଡଲାର (ପ୍ରାୟ ୧୬୫୦ କୋଟି ଟଙ୍କା) ଦେବାକୁ ପଡୁଛି। ଉଲ୍ଲେଖ ଯେ ଭାରତ ପ୍ରତିବର୍ଷ ୧୦ ହଜାର କୋଟି ଟଙ୍କାର ଇସ୍ପାତ ଏବଂ ଆଲୁମନିୟମ ଆମେରିକାକୁ ରପ୍ତାନୀ କରୁଛି। ଆମେରିକାର ବାଣିଜ୍ୟ ଯୁଦ୍ଧ ନୀତିର ଜବାବରେ ଭାରତ ଗତ ସପ୍ତାହରେ ବିଶ୍ୱ ବାଣିଜ୍ୟ ସଂଘକୁ ୩୦ଟି ଉତ୍ପାଦ ଉପରେ ଆମଦନୀ ଶୁଳ୍କ ୫୦% ପର୍ଯ୍ୟନ୍ତ ବୃଦ୍ଧି ନେଇ ଏକ ତାଲିକା ପ୍ରଦାନ କରିଥିଲା। ଏହାପରେ ଭାରତ ସରକାର ଆମେରିକାରୁ ଆମଦାନୀ ହେଉଥିବା ୨୯ଟି ଉତ୍ପାଦ ଉପରେ ଆମଦାନୀ ଶୁଳ୍କକୁ ବୃଦ୍ଧି କରିଛନ୍ତି। ଅର୍ଥ ମନ୍ତ୍ରଣାଳୟର ସୂଚନା ଅନୁସାରେ ଆମେରିକାରୁ ଆସୁଥିବା ମଟର ଏବଂ ବଂଗାଳୀ ଚଣା ଉପରେ ୪୦% ଆମଦାନୀ ଶୁଳ୍କ ବୃଦ୍ଧି କରାଯାଇଛି। ପୂର୍ବରୁ ଏହି ଉତ୍ପାଦ ଉପରେ ୩୦% ଆମଦାନୀ ଶୁଳ୍କ ଆଦାୟ କରାଯାଉଥିବାବେଳେ ଏବେ ୭୦% ଆମଦାନୀ ଶୁଳ୍କ ଲାଗୁ କରାଯାଇଛି। ମସୁର ଡାଲି ଉପରେ ୩୦%, ବୋରିକ ଏସିଡ୍‍ ଉପରେ ୧୭.୫୦%, ଫସଫୋରିକ୍‍ ଏସିଡ୍‍ ଉପରେ ୧୦%, ଡାଇଗ୍ଲୋଷ୍ଟିକ୍‍ ରିଏଜେଣ୍ଟସ୍‍ ଉପରେ ୨୦%, ଏକପ୍ରକାର ସମୁଦ୍ର ଚିଙ୍ଗୁଡ଼ି ଆର୍ଟେମିଆ ଉପରେ ୩୦% ପର୍ଯ୍ୟନ୍ତ ଆମଦାନୀ ଶୁଳ୍କ ବୃଦ୍ଧି କରାଯାଇଛି। ଏହାସହ କେତେକ ନଟବୋଲ୍ଟ, ଲୁହା ଏବଂ ଇସ୍ପାତ ଉତ୍ପାଦ, ସେଓ, ପିଜୁଳି, ଷ୍ଟେନଲେସ୍‍ ଷ୍ଟିଲ ଉତ୍ପାଦ, ମିଶ୍ରଧାତୁ ଉତ୍ପାଦ, ଟ୍ୟୁବ୍‍ ପାଇପ୍‍ ଫିଟିଂ ଆଦି ଉତ୍ପାଦ ଉପରେ ଆମଦାନୀ ଶୁଳ୍କ ବୃଦ୍ଧି କରାଯାଇଛି। ୟୁରୋପିଆନ ସଂଘ ଆମେରିକା ଉତ୍ପାଦ ଉପରେ ଆମଦାନୀ ଶୁଳ୍କ ବୃଦ୍ଧି କରିବାର ଗୋଟିଏ ଦିନ ପରେ ଭାରତ ଏହି ପଦକ୍ଷେପ ନେଇଛି।

Leave A Reply