ମହାଭିଯୋଗ ସମ୍ବନ୍ଧରେ ଆଗୁଆ ମନ୍ତବ୍ୟ ମାମଲାର ଶୁଣାଣି ଜୁଲାଇରେ

0

ନୂଆଦିଲ୍ଲୀ : ସଂସଦରେ ମହାଭିଯୋଗ ନୋଟିସ୍‌ ଆଗତ ହେବା ପୂର୍ବରୁ ଏହି ପ୍ରସଙ୍ଗରେ ସଂସଦ ବାହାରେ ଆଲୋଚନା କରିବାର ଔଚିତ୍ୟ ଉପରେ ପ୍ରଶ୍ନ ଉଠିଥିବାବେଳେ ଏଭଳି କାର୍ଯ୍ୟକଳାପରୁ ସାଂସଦମାନଙ୍କୁ ନିବୃତ୍ତ କରିବା ନିମନ୍ତେ କୌଣସି ନିର୍ଦେଶାବଳୀ ଜାରି କରିବାକୁ ସୁପ୍ରିମକୋର୍ଟ ସୋମବାର ମନା କରିଛନ୍ତି। ପ୍ରଧାନ ବିଚରାପତି ଦୀପକ ମିଶ୍ରଙ୍କ ବିରୋଧରେ ଏପ୍ରିଲ ୨୦ରେ ମହାଭିଯୋଗ ପ୍ରସ୍ତାବ ସମ୍ବନ୍ଧୀୟ ନୋଟିସ୍‌ ରାଜ୍ୟସଭାରେ ଆଗତ ହୋଇଥିଲା; କିନ୍ତୁ ଏହା ପୂର୍ବରୁ ଏ ସମ୍ବନ୍ଧୀୟ ଏକ ଚିଠାପ୍ରସ୍ତାବ ମାର୍ଚ୍ଚ ୨୭ରେ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ମହାଭିଯୋଗ ସମ୍ବନ୍ଧରେ ସାଂସଦମାନେ ଆଗୁଆ ଆଲୋଚନା କରିବା ଦ୍ୱାରା ବିଚାର ବିଭାଗ ଉପରେ ପ୍ରଭାବ ପଡିଥିବା ଦର୍ଶାଇ ‘ନ୍ୟାୟ ପାଇବାର ପ୍ରୟାସରେ’ ନାମକ ସଂଗଠନ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ଆବେଦନ କରାଯାଇଥଲା। ମହାଭିଯୋଗ ପ୍ରକ୍ରିୟା ଆରମ୍ଭ ପୂର୍ବରୁ ସାଂସଦଙ୍କ ଆଚରଣ ନିୟନ୍ତ୍ରଣ ନିମନ୍ତେ ଦିଗ ନିର୍ଦେଶାବଳୀ ଜାରି କରିବାକୁ ସଂସ୍ଥା ପକ୍ଷରୁ ସର୍ବୋଚ୍ଚ ଅଦାଲତଙ୍କୁ ନିବେଦନ କରାଯାଇଥିଲା। ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି, ମହାଭିଯୋଗ ପ୍ରକ୍ରିୟା ଆରମ୍ଭ ହୋଇ ନ ଥିବାବେଳେ ଏ ବିଷୟରେ ଆଗୁଆ ମନ୍ତବ୍ୟ ଦେବାକୁ ରାଜ୍ୟସଭାର ନିୟମରେ ମଧ୍ୟ ନିଷେଧ କରାଯାଇଛି। ତେବେ ଏହି ଆବେଦନ ଉପରେ ଜରୁରୀକାଳୀନ ଶୁଣାଣି କରିବାର ଆବଶ୍ୟକତା ନ ଥିବା ବିଚାରପତି ଏ. କେ ସିକ୍ରି ଏବଂ ବିଚାରପତି ଅଶୋକ ଭୂଷଣ ଦର୍ଶାଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ମାସ ତୃତୀୟ ସପ୍ତାହରେ ହେବ।

Leave A Reply