ବିଚାରପତି ନିଯୁକ୍ତିରେ ବିଳମ୍ବକୁ ନେଇ ପରସ୍ପରକୁ ଦୋଷ ଦେଲେ କେନ୍ଦ୍ର ଓ ସୁପ୍ରିମକୋର୍ଟ

0

ନୂଆଦିଲ୍ଲୀ : ଦେଶର ବିଭିନ୍ନ ହାଇକୋର୍ଟରେ ପାଖାପାଖି ୩୮% ବିଚାରପତି ପଦ ଖାଲି ପଡିଛି । ମାତ୍ର ବିଚାରପତି ନିଯୁକ୍ତିରେ ଅହେତୁକ ବିଳମ୍ବ ହେବାରେ ଲାଗିଛି । ଶୁକ୍ରବାର ବିଚାରପତି ନିଯୁକ୍ତିରେ ବିଳମ୍ବକୁ ନେଇ କେନ୍ଦ୍ର ସରକାର ଓ ସୁପ୍ରିମୋକୋର୍ଟ ପରସ୍ପରକୁ ଦୋଷାରୋପ୍‌ କରିଛନ୍ତି । କେନ୍ଦ୍ର ସରକାର ଶୁକ୍ରବାର ସୁପ୍ରିମକୋର୍ଟରେ ନିଜ ପକ୍ଷ ରଖି ସର୍ବୋଚ୍ଚ ଅଦାଲତର କଲେଜିୟମ୍‌ ଆବଶ୍ୟକୀୟ ସଂଖ୍ୟଙ୍କ ବିଚାରପତିଙ୍କ ନାମ ସୁପାରିଶ କରୁନଥିବା କହିଛନ୍ତି । ଏପଟେ ସୁପ୍ରିମକୋର୍ଟ ସୁପାରିଶ ନାମକୁ ଅନୁମୋଦନ ପ୍ରଦାନରେ କେନ୍ଦ୍ର ଅହେତୁକ ବିଳମ୍ବ କରୁଥିବା ଓ ପକାଇ ରଖୁଥିବା କହିଛନ୍ତି । ସୂଚନା ଅନୁସାରେ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ମେଘାଳୟ, ତ୍ରିପୁରା, ମଣିପୁର ହାଇକୋର୍ଟରେ ମାତ୍ର ୨ଟି ଲେଖାଏଁ ବିଚାରପତି କ୍ଷମତା ରହିଥିବାବେଳେ ମାତ୍ର ଗୋଟିଏ ଲେଖାଏଁ ବିଚାରପତି ଅଛନ୍ତି । ଏଭଳି କ୍ଷେତ୍ରରେ ଜଣିକିଆ ଖଣ୍ଡପୀଠର ରାୟ ବିରୋଧରେ ଅନ୍ୟ ଖଣ୍ଡପୀଠରେ ଆବେଦନ କରିବାକୁ କୌଣସି ମଞ୍ଚ ନାହିଁ । ଫଳରେ ମୋକଦ୍ଦମାକାରୀ ତାଙ୍କ ଆବେଦନକୁ ଗୁଆହାଟୀ ହାଇକୋର୍ଟଙ୍କୁ ସ୍ଥାନାନ୍ତର କରିବାକୁ ସୁପ୍ରିମକୋର୍ଟ ନିକଟରେ ଗୁହାରୀ କରୁଛନ୍ତି । ବିଚାରପତି ମଦନ ବି ଲୋକୁର ଏବଂ ଜଷ୍ଟିସ୍‌ ଦୀପକ ଗୁପ୍ତାଙ୍କ ଖଣ୍ଡପୀଠ କହିଥିଲେ ଯେ କଲେଜିୟମ ଦ୍ୱାରା ଅନେକ ନାମ ସୁପାରିଶ କରାଯାଇଛି, ହେଲେ ସରକାର ଏପର୍ଯ୍ୟନ୍ତ ସବୁ ପକାଇ ରଖିଛନ୍ତି । କେନ୍ଦ୍ରର ପକ୍ଷ ରଖି ଆଟର୍ଣ୍ଣି ଜେନେରାଲ କେ ଭେଣୁଗୋପାଳ କହିଥିଲେ ଯେ ଏ ବିଷୟରେ ତଥ୍ୟ ସଂଗ୍ରହ କରିବାକୁ ପଡ଼ିବ। ଏହାସହ ଭେଣୁଗୋପାଳ କହିଥିଲେ ଯେ କେତେକ ହାଇକୋର୍ଟରେ ୪୦ ଲେଖାଏଁ ବିଚାରପତି ପଦ ଖାଲିପଡିଛି । ହେଲେ କଲେଜିୟମ ନିଯୁକ୍ତି ପାଇଁ ମାତ୍ର ୩ଟି ନାମ ସୁପାରିଶ କରୁଛି ଓ ବିଚାରପତି ପଦ ପୂରଣ ପାଇଁ ସରକାର ବିଳମ୍ବିତ କରୁଥିବା ଅଭିଯୋଗ କରାଯାଉଛି । ଏହା ଉପରେ ଖଣ୍ଡପୀଠ କହିଥିଲେ ଯେ କଲେଜୟିମ ଦ୍ୱାରା ସୁପାରିଶ ନାମକୁ ଅନୁମୋଦନ ଦେବାରେ ସରକାର ବିଳମ୍ବ କରୁଛନ୍ତି । ଏପର୍ଯ୍ୟନ୍ତ ଅନେକ ନାମ କେନ୍ଦ୍ର ପାଖରେ ପଡିରହିଛି । ଏନେଇ ଏକ ସତ୍ୟପାଠ ଦାଖଲ କରିବାକୁ ଖଣ୍ଡପୀଠ କେନ୍ଦ୍ରକୁ ନିର୍ଦେଶ ଦେଇଛନ୍ତି ।
ପ୍ରକାଶ ଯେ ଜାନୁଆରୀ ୧୦ ତାରିଖରେ ସୁପ୍ରିମକୋର୍ଟ କଲେଜିୟମ୍‌ ଜଷ୍ଟିସ ଯୋଶେଫ ଓ ବରିଷ୍ଠ ଓକିଲ ଇନ୍ଦୁ ମାଲହୋତ୍ରାଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦେବାଲାଗି ସରକାରଙ୍କୁ ସୁପାରିସ କରିଥିଲେ। ଏପ୍ରିଲ ୨୬ରେ ସରକାର ଇନ୍ଦୁ ମାଲହୋତ୍ରାଙ୍କ ନାମକୁ ଅନୁମୋଦନ କରିବା ପୂର୍ବକ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦେଇଥିଲେ। ତେବେ ଜଷ୍ଟିସ ଯୋଶେଫଙ୍କ ନାମକୁ ସରକାର ଫେରାଇ ଦେବା ପୂର୍ବକ ଏହା ଉପରେ ପୁନର୍ବିଚାର କରିବାକୁ କଲେଜିୟମ୍‌ଙ୍କୁ କହିଥିଲେ। ଏହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ଏବେ ସୁପ୍ରିମକୋର୍ଟ ସୁପାରିଶ ନାମକୁ ଅନୁମୋଦନ ଦେବାରେ ସରକାର କାହିଁକି ବିଳମ୍ବ କରୁଛନ୍ତି ତାର ଅନୁଧ୍ୟାନ କରିବେ ।

Leave A Reply