ଧର୍ମଶାସ୍ତ୍ରରେ ଅପମିଶ୍ରଣ

0

ପ୍ରିୟବ୍ରତ ଦାସ

prayash

ଲୋଭବଶତଃ ଦୁଧ, ତେଲ, ଛେନା, ମସଲା ଆଦି ଖାଦ୍ୟ ପଦାର୍ଥରେ ଅପମିଶ୍ରଣ କରାଯାଏ। ଲୋକେ ଅପମିଶ୍ରିତ ଖାଦ୍ୟ ଖାଇ ରୋଗଗ୍ରସ୍ତ ହୁଅନ୍ତି ଓ ବେଳେବେଳେ ମୃତ୍ୟୁମୁଖରେ ପଡ଼ନ୍ତି। ତେବେ ଖାଦ୍ୟରେ ଅପମିଶ୍ରଣର ପରିଣତି ସୀମାବଦ୍ଧ। ତାହା ସାମୟିକ ଭାବରେ ବିପତ୍ତି ଆଣିଥାଏ। ପରନ୍ତୁ ଧର୍ମଶାସ୍ତ୍ରରେ ଅପମିଶ୍ରଣ ହେବାଦ୍ବାରା ଜନସାଧାରଣ ଯୁଗଯୁଗ ଧରି ନିଜର କର୍ତ୍ତବ୍ୟ-ଅକର୍ତ୍ତବ୍ୟ ବୁଝିବାରେ ବିଭ୍ରାନ୍ତ ହୁଅନ୍ତି। ଶାସ୍ତ୍ରରେ ଥିବା ମୌଳିକ ଓ ପରବର୍ତ୍ତୀ ମିଶ୍ରଣ ପରସ୍ପର ବିପରୀତ ହେଲେ ସୁଦ୍ଧା ସହଜିଆ ଓ ନିକୃଷ୍ଟ ଆଚରଣ ଆପଣେଇ ନିଅନ୍ତି। ବୈଦିକ ଧର୍ମ, ଯାହା ଆଜିକାଲି ହିନ୍ଦୁଧର୍ମ ନାମରେ ପରିଚିତ, ତାହା ଲକ୍ଷଲକ୍ଷ ବର୍ଷର ପ୍ରାଚୀନ ଓ ସେଥିରେ ଅନେକ ଶାସ୍ତ୍ର ରଚିତ ହୋଇଛି। ସେହି ସକଳ ଶାସ୍ତ୍ରର ଆଧାର ବେଦ। ଅପୌରୁଷେୟ ରହସ୍ୟମୟ ବେଦବାଣୀରେ କିଛି ମିଶ୍ରଣ କରିବା ସମ୍ଭବ ହୁଏନାହିଁ। ତାହା ପ୍ରଚଳିତ ସଂସ୍କୃତ ଭାଷା ନୁହେଁ। ବେଦମନ୍ତ୍ରଗୁଡ଼ିକର ପ୍ରତ୍ୟେକ ଅକ୍ଷର, ପଦ ଓ ସେସବୁର କ୍ରମ ଅପୂର୍ବ କୌଶଳ, ଯଥା- ପଦପାଠ, ଘନପାଠ, ଜଟାପାଠ ଆଦି କେତେକ କ୍ରିୟା ଦ୍ବାରା ସୁରକ୍ଷିତ ରହିଛି। ଏହା ଦେଖି ପାଶ୍ଚାତ୍ୟ ଗବେଷକମାନେ ବିସ୍ମିତ ହେଉଛନ୍ତି। ପରବର୍ତ୍ତୀ କାଳରେ ବେଦର ଆଲୋକରେ ଋଷିମାନଙ୍କ ଦ୍ବାରା ରଚିତ ଉପନିଷଦ, ଦର୍ଶନଶାସ୍ତ୍ର, ବ୍ୟାକରଣ, ବୈଦ୍ୟଶାସ୍ତ୍ର ଆଦି ଗ୍ରନ୍ଥରେ ମିଶ୍ରଣ ହୁଏନାହିଁ, କାରଣ ଏସବୁରେ ଲୌକିକ ଆଚାର-ବିଚାର ଉଲ୍ଲେଖ ନାହିଁ।
ତେବେ କେଉଁ ଶାସ୍ତ୍ରରେ ଅପମିଶ୍ରଣ ହୋଇଛି? ମନୁଷ୍ୟର ଆଚାର-ବିଚାର, ଖାଦ୍ୟପେୟ, ପାରିବାରିକ, ସାମାଜିକ ଓ ଶାସନଗତ ବିଧିବିଧାନର ନିର୍ଦେଶ ରହିଥିବା ଗ୍ରନ୍ଥଗୁଡ଼ିକରେ ପରବର୍ତ୍ତୀ କାଳରେ ସ୍ବାର୍ଥୀ, ପକ୍ଷାପାତୀ ଓ ଦୁଷ୍ଟଲୋକେ ମିଶ୍ରଣ କରିଛନ୍ତି। ସରଳ ସଂସ୍କୃତ ଭାଷାରେ ଲିଖିତ ଏସବୁ ପୁସ୍ତକରେ ସ୍ବାର୍ଥୀ ଲୋକେ ଜାଲ୍‌ଶ୍ଳୋକ ଗଢ଼ି ନିଜର ଅନୁକୂଳ ରୀତିନୀତି ପ୍ରକ୍ଷେପ କରିଛନ୍ତି। ମାନବଜାତିର ବିଧିବିଧାନ ନିର୍ଦେଶ କରିଥିବା ପ୍ରଥମ ବିଧାୟକ ଥିଲେ ମହର୍ଷି ମନୁ। ତାଙ୍କ ପ୍ରଣୀତ ‘ମନୁସ୍ମୃତି’ ପରେ ଅନେକ ସ୍ମୃତିଶାସ୍ତ୍ର ରଚିତ ହୋଇଛି। ପରନ୍ତୁ ସେ ସବୁ ମନୁବଚନ ସମ୍ମୁଖରେ ନିଷ୍ପ୍ରଭ ହୋଇଛନ୍ତି। ୱିଣ୍ଟରନିଜ୍‌ ଲେଖିଛନ୍ତି- ‘ମନୁଷ୍ୟ ଓ ତାହାର ସମାଜ ପରିଚାଳନା ନିମନ୍ତେ ମନୁଙ୍କ ସନ୍ତୁଳିତ ଓ ଗମ୍ଭୀର ନିର୍ଦେଶଗୁଡ଼ିକ ସମାନ ଏପର୍ଯ୍ୟନ୍ତ ଆଉ କୌଣସି ଗ୍ରନ୍ଥ ପ୍ରଣୀତ ହୋଇନାହିଁ’ (ହିଷ୍ଟ୍ରି ଅଫ୍‌ ଇଣ୍ଡିଆନ ଲିଟ୍‌ରେଚର୍‌)। ଫ୍ରେଡିକ୍‌ ନିଜ ‘ଟ୍ବିଲାଟ୍‌ ଅଫ୍‌ ଦି ଆଇଡଲ’ ପୁସ୍ତକରେ ଉଲ୍ଲେଖ କରିଛନ୍ତି- ‘ମନୁସ୍ମୃତି ତୁଳନାରେ ଅନ୍ୟ ବିଧିବିଧାନଗୁଡ଼ିକ ତୁଚ୍ଛ’। ଭାରତୀୟ ଶାସ୍ତ୍ରଜ୍ଞମାନେ ମନୁସ୍ମୃତିକୁ ‘ଔଷଧମାନଙ୍କର ଔଷଧ’ ରୂପରେ ସମ୍ମାନିତ କରିଛନ୍ତି।’
ବର୍ତ୍ତମାନ ପ୍ରଚଳିତ ମନୁସ୍ମୃତିର ବାର ଅଧ୍ୟାୟରେ ପ୍ରାୟ ଦୁଇ ହଜାର ଶ୍ଳୋକ ରହିଛି। ତନ୍ମଧ୍ୟରୁ ପ୍ରାୟ ହଜାରେ ଶ୍ଳୋକ ପ୍ରକ୍ଷିପ୍ତ ରୂପରେ ପ୍ରମାଣିତ ହୋଇଛି। ଉପଲବ୍ଧ ପ୍ରାୟ ତିରିଶଟି ହସ୍ତଲିଖିତ ପୁସ୍ତକ ଅନୁଧ୍ୟାନ କଲେ ଜଣାଯାଏ ଯେ ପ୍ରତ୍ୟେକ ପରବର୍ତ୍ତୀ ପୋଥିରେ ଶ୍ଳୋକ ସଂଖ୍ୟା ଅଧିକ। ମନୁଙ୍କର ବେଦାନୁକୂଳ, ପକ୍ଷପାତ ରହିତ, ଗମ୍ଭୀର, ସନ୍ତୁଳିତ, ମୌଳିକ ଶ୍ଳୋକ ମଧ୍ୟରେ ସାମାନ୍ୟ, ନିରାଧାର, ଅବୈଦିକ, ବି​‌େ​‌ଦ୍ବଷପୂର୍ଣ୍ଣ ମିଶ୍ରଣ ଘଟିଛି। ‘ମନୁ ଏପରି କହିଛନ୍ତି’, ଏହା ମନୁଙ୍କ ଉପଦେଶ’- ଏପରି ବାକ୍ୟଗୁଡ଼ିକ କ’ଣ ମନୁପ୍ରଣୀତ? ଏହି କ୍ଷୁଦ୍ର ପ୍ରବନ୍ଧରେ ସମସ୍ତ ପ୍ରକ୍ଷେପ ଉଲ୍ଲେଖ କରିବା ସମ୍ଭବପର ନୁହେଁ। ଏଠାରେ ସଂକ୍ଷେପଣ (୧) ନାରୀ ​‌​‌ବି‌େ‌ଦ୍ବଷ ବିଷୟକ (୨) ଜାତିବି​‌େ​‌ଦ୍ବଷ ବିଷୟକ ଓ (୩) ମାଂସଭକ୍ଷଣ ବିଷୟ ମିଶ୍ରଣ ଆଲୋଚନା କରିବା।
(୧) ମନୁ ବେଦାଶ୍ରୟୀ ଥିଲେ। ବେଦ ନାରୀ ଗୌରବ କଥନରେ ମୁଖର। ମନୁସ୍ମୃତି (୩,୫୬-୬୨) ଶ୍ଳୋକରେ ଉଲ୍ଲେଖ ଅଛି- ‘ଯେଉଁ ପରିବାର ଓ କୁଳରେ ନାରୀମାନଙ୍କର ପୂଜା-ସତ୍କାର ହୁଏ, ସେଠାରେ ଦିବ୍ୟ ସନ୍ତାନ ଜନ୍ମ ନିଅନ୍ତି। ସେମାନେ ଅସମ୍ମାନିତ ହେବା ସ୍ଥଳର ସମସ୍ତ କ୍ରିୟା ନିଷ୍ଫଳ ହୁଏ। ଶୋକାତୁର ନାରୀମାନଙ୍କର ଅଭିଶାପରେ ସମାଜରେ ଉପଦ୍ରବ ହୁଏ x x x ନାରୀମାନେ ଗୃହ ଓ ରାଷ୍ଟ୍ରରେ ଅର୍ଥର ପରିଚାଳନା, ଯଜ୍ଞାଦି ଧାର୍ମିକ ଅନୁଷ୍ଠାନ, ପରିଚ୍ଛନ୍ନତା କାର୍ଯ୍ୟରେ ସକ୍ରିୟ ଭାଗ ନେବେ।’ ପରବର୍ତ୍ତୀ ପଞ୍ଚମ ଅଧ୍ୟାୟରେ ଅପ୍ରାସଙ୍ଗିକ ସ୍ଥଳରେ ଦୁଷ୍ଟ ଓ ପକ୍ଷପାତୀ ମିଶ୍ରଣ କରାଯାଇଛି- ‘ବ୍ୟଭିଚାରୀ, ଗୁଣରହିତ ପତିକୁ ମଧ୍ୟ ସ୍ତ୍ରୀ ଦେବତା ସମାନ ପୂଜା କରିବ। ପତି ମରିଯିବା ପରେ ଦ୍ବିତୀୟ ପତିପାଇଁ ଚିନ୍ତା କରିବ ନାହିଁ। କିନ୍ତୁ ଭାର୍ଯ୍ୟାର ମୃତ୍ୟୁ ପରେ ପତି ପୁଣି ବିବାହ କରିବ। (ପଞ୍ଚମ ଅଧ୍ୟାୟ ୧୫୪-୧୬୮)
(୨) ମନୁଙ୍କ ବିଚାର ହେଉଛି ଯେ ସମାନ ଜୀବମାନେ ଏକ ଜାତୀୟ। ତେଣୁ ମନୁଷ୍ୟ, ପଶୁ, ପକ୍ଷୀ, କୀଟ, ପତଙ୍ଗ ଓ ସରୀସୃପ- ଏହି ଛ’ପ୍ରକାର ଜାତି ଅଛନ୍ତି। ପ୍ରବୃତ୍ତି ଓ ଗୁଣକର୍ମରୁ ବର୍ଣ୍ଣ ନିର୍ଦ୍ଧାରିତ ହୁଏ, ଅଧ୍ୟୟନ-ଅଧ୍ୟାପକ ବ୍ରାହ୍ମଣର ପ୍ରବୃତ୍ତି ଓ ସାମାଜିକ କର୍ତ୍ତବ୍ୟ; ଦେଶରକ୍ଷା କ୍ଷତ୍ରିୟର ପ୍ରବୃତ୍ତି ଓ ସାମାଜିକ କର୍ତ୍ତବ୍ୟ। ସେହିପରି କୃଷିବାଣିଜ୍ୟାଦି ବୈଶ୍ୟର ଓ ବିଦ୍ୟାହୀନ ହୁଅନ୍ତେ ଶାରୀରିକ ସେବା ଶୂଦ୍ରର ପ୍ରବୃତ୍ତି ଓ ସାମାଜିକ କର୍ତ୍ତବ୍ୟ। (ପ୍ରଥମ ଅଧ୍ୟାୟ ୮୮-୯୧) ଯଦି ମନୁ ଜନ୍ମରୁ ବର୍ଣ୍ଣ ସ୍ବୀକାର କରିଥାଆନ୍ତେ, ତା’ହେଲେ ପ୍ରତ୍ୟେକ ବର୍ଣ୍ଣର ପୃଥକ୍‌ପୃଥକ୍‌ କର୍ତ୍ତବ୍ୟ କି ହେତୁ ନିର୍ଦ୍ଧାରଣ କରିଥାନ୍ତେ? (୧୦,୬୫)ରେ ସ୍ପଷ୍ଟୀକରଣ ଦିଆଯାଉଛି- ଶୂଦ୍ର ବା ଅପଠିତ ଜ୍ଞାନଲାଭ କରି ବ୍ରାହ୍ମଣ ହୁଏ। ବ୍ରାହ୍ମଣ ନୀଚ କର୍ମ କରି ଶୂଦ୍ର ହୁଏ। କ୍ଷତ୍ରିୟ ଓ ବୈଶ୍ୟଙ୍କ ସନ୍ତାନ ଉତ୍କୃଷ୍ଟ ବା ନିକୃଷ୍ଟ କର୍ମଦ୍ବାରା ତଦନୁକୂଳ ବର୍ଣ୍ଣ ପାଆନ୍ତି। ସମାଜରେ ଜନ୍ମଗତ ଜାତିପ୍ରଥା ପ୍ରଚଳିତ ହେବା ପରେ ମନୁସ୍ମୃତିରେ ମିଶ୍ରଣ କରାଗଲା। ‘ମନୁ ଏପରି କହିଛନ୍ତି- ଇତ୍ୟାଦି କଥନ ଦ୍ବାରା (୮-୨୧)ରେ ‘ଯେଉଁ ରାଜ୍ୟରେ ଶୂଦ୍ର ବିଚାରପତି ହୁଅନ୍ତି, ଗାଈ-ଗୋରୁ ପଙ୍କରେ ପଶି ମରିବା ପରି ସେହି ରାଜ୍ୟ ବିପନ୍ନ ହୁଏ। ’ ସେହିପରି (୮,୩୮୦)ରେ ‘ସମସ୍ତ ପାପରେ ଲିପ୍ତ ହେଲେ ସୁଦ୍ଧା ବ୍ରାହ୍ମଣକୁ ଦଣ୍ଡିତ କରିବ ନାହିଁ। (୯,୩୧୯)ରେ ବ୍ରାହ୍ମଣ କୁତ୍ସିତ କର୍ମ କରିସୁଦ୍ଧା ସର୍ବପୂଜ୍ୟ।’
(୩) ବେଦରେ ‘ଯଜ୍ଞ’ର ଅର୍ଥ ଅହିଂସକ କର୍ମ। ବେଦସେବକ ମନୁ ଅହିଂସାର ପ୍ରଚାର କରିଛନ୍ତି। ଲେଖିଛନ୍ତି- ଗୃହସ୍ଥ ଗୃହିଣୀ ଅଜ୍ଞାତରେ ନିଜ ଚୁଲି, ଚକି, ଝାଡ଼ୁ, ଢ଼ିଙ୍କି ଓ ପାଣିମାଠିଆ ସ୍ଥଳରେ କୀଟପତଙ୍ଗ ମରନ୍ତି। ସେଥିପାଇଁ ଦୈନିକ ପଞ୍ଚ ମହାଯଜ୍ଞ ବା ମହାକର୍ତ୍ତବ୍ୟ ପାଳନ କରିବେ। ମନୁସ୍ମୃତି (୫,୫୧)ରେ ଉଲ୍ଲେଖ ଅଛି- ‘ଜୀବବଧ ପାଇଁ ଅନୁମତି ଦେବା ବ୍ୟକ୍ତି, ଜୀବର ହତ୍ୟାକାରୀ, ହତ ଜୀବକୁ କାଟୁଥିବା ବ୍ୟକ୍ତି, ମାଂସବିକ୍ରେତା, ମାଂସ କ୍ରେତା, ପାଚକ ଓ ମାଂସାହାରୀ, ଏ ପ୍ରତ୍ୟେକେ ଘାତକ।’ ଏପରି ସ୍ଥଳେ ପରବର୍ତ୍ତୀ କାଳରେ ମାଂସସେବୀମାନେ ଜାଲ୍‌ଶ୍ଳୋକ ଲେଖି ପ୍ରକ୍ଷେପ କରିଛନ୍ତି- ‘ମଧୁପର୍କ, ଯଜ୍ଞ, ଶ୍ରାଦ୍ଧ ଓ ଦେବବର୍ମରେ ପଶୁବଧ କରିବ, ଅନ୍ୟଥା କରିବ ନାହିଁ- ଏକଥା ମନୁ କହିଛନ୍ତି’ (୫,୪୧)। ସେହିପରି (୫,୨୮) ଶ୍ଳୋକରେ ‘ମନ୍ତ୍ର ଦ୍ବାରା ଶୁଦ୍ଧ ହୋଇଥିବା ମାଂସ, ବ୍ରାହ୍ମଣ କାମନା କରୁଥିବା ଶାସ୍ତ୍ରବିଧିରେ ଅର୍ପିତ ମାଂସ ଭକ୍ଷଣ କରିବ।’ (୩,୨୬୯)ରେ ‘ପିତୃଗଣ ମାଛ ଖାଇ ଦୁଇମାସ, ହରିଣ ମାଂସ ଖାଇ ତିନିମାସ, ମେଷମାଂସ ଖାଇ ଚାରିମାସ ଓ ପକ୍ଷୀମାଂସରେ ପାଞ୍ଚମାସ ତୃପ୍ତ ହୁଅନ୍ତି।’
ଏହି ସଂକ୍ଷିପ୍ତ ପ୍ରବନ୍ଧରେ ନାରୀ ବି​‌େ​‌ଦ୍ବଷ,ଜାତି ବି‌େଦ୍ବଷ ଓ ମାଂସାହାର ବିଷୟକ ଅଳ୍ପ କେତୋଟି ପ୍ରକ୍ଷିପ୍ତ ଶ୍ଳୋକ ଉଦ୍ଧାର କରାଯାଇଛି। ପାଠକେ! ପୂର୍ବ ଜନ୍ମର ଶୁଭ କର୍ମ ଯୋଗୁଁ ଆମେ ଇହଜନ୍ମରେ ଆତ୍ମଦର୍ଶୀ ଋଷିମାନଙ୍କୁ ଆମର ପୂର୍ବପୁରୁଷ ରୂପରେ ପାଇଅଛେ। ସେମାନଙ୍କର ଅମୃତ ବଚନଗୁଡ଼ିକ ଭ୍ରଷ୍ଟ ମିଶ୍ରଣରୁ ରକ୍ଷା କରିବା ଉତ୍ତରାଧିକାରୀ ଭାବରେ ଆମର କର୍ତ୍ତବ୍ୟ ନୁହେଁ କି?
ଭୁବନେଶ୍ବର

kalyan agarbati
Leave A Reply