ଧର୍ମଯୁଦ୍ଧ ଓ ସନ୍ତ୍ରାସବାଦ

0

କିଶୋର ମେହେର

prayash

ମଣିଷର ସ୍ୱଭାବ ବଡ଼ ବିଚିତ୍ର। ସେ କେବେ ବି ବର୍ତ୍ତମାନକୁ ନେଇ ଖୁସି ନୁହେଁ। ଅତୀତ ତା’ପାଇଁ ସଦାସର୍ବଦା ସ୍ୱର୍ଣ୍ଣଯୁଗ। ଅତୀତ ତା’ର ବେଶୀ ପସନ୍ଦ, ଅଥଚ ବର୍ତ୍ତମାନ କଷ୍ଟପ୍ରଦ। ସେ ଆଗତ ଭବିଷ୍ୟତ ସଂପର୍କରେ ମଧ୍ୟ ଜାଣିବାପାଇଁ ଅତ୍ୟନ୍ତ ଆଗ୍ରହୀ। ଅନୁରୂପ ଭାବରେ ଅଧିକାଂଶ ମଣିଷଙ୍କ ପାଇଁ ବର୍ତ୍ତମାନ ଜୀବନଟି ଯେତେ ଗୁରୁତ୍ୱପୂର୍ଣ୍ଣ ନୁହେଁ, ବରଂ ଆଗାମୀ ଜୀବନ(ମୃତ୍ୟୁପରେ ଜୀବନ!) ତା ଅପେକ୍ଷା ବେଶୀ ଗୁରୁତ୍ୱପୂର୍ଣ୍ଣ। ଏ ପୃଥିବୀର ଜୀବନ ପର୍ଯ୍ୟାପ୍ତ ନୁହେଁ ବରଂ ସ୍ୱର୍ଗସୁଖ ବେଶୀ କାମ୍ୟ। ଏଣୁ ସ୍ୱର୍ଗକୁ ଯିବା ପାଇଁ, ସ୍ୱର୍ଗସୁଖ ପ୍ରାପ୍ତି ପାଇଁ ସେମାନଙ୍କ ଦୁର୍ବାର ଆଗ୍ରହ ଦୃଶ୍ୟହୁଏ।
ସ୍ୱର୍ଗର ରଙ୍ଗିନ ଚିତ୍ର ମଧ୍ୟ ଅଭାବ ନାହିଁ। ଆମ ତମାମ ଶାସ୍ତ୍ରପୁରାଣରେ (ସବୁଧର୍ମର) ସ୍ୱର୍ଗର ଚିତ୍ର ଚମତ୍କାର ଭାବରେ ବର୍ଣ୍ଣନା କରାଯାଇଛି। ସେଠି କୁଆଡ଼େ ସବୁକିଛି ଉପଲବ୍ଧ। ସୁଖ ହିଁ ସୁଖ। ଦୁଃଖର ଲେଶମାତ୍ର ନାହିଁ ସେଠାରେ; ଅନିନ୍ଦ୍ୟ ସୁନ୍ଦରୀ ଅପସରାଙ୍କ ସାନ୍ନିଧ୍ୟ, ସୁସ୍ୱାଦୁ ସୋମରସ ଓ ଚିର ଯୌବନତ୍ୱର ନିଶ୍ଚିତତା! ଇନ୍ଦ୍ରଭୁବନର ଦୃଶ୍ୟ କବି କଳ୍ପନାକୁ କରିଛି ଆଚ୍ଛାଦିତ!
କାଳେକାଳେ କିନ୍ତୁ କ୍ଷମତା ଓ ପ୍ରତିପତ୍ତିର ସୌଦାଗରମାନେ ଏ ଜଗତକୁ ନିଜ କବଜାକୁ ଆଣିବାପାଇଁ ଅନୁଗତ ଓ ଅନୁଗାମୀମାନଙ୍କୁ ସ୍ୱର୍ଗସୁଖର ସ୍ୱପ୍ନ ଦେଖାଇ ଆସିଛନ୍ତି। ପୃଥିବୀର ସବୁ ପ୍ରାନ୍ତର ସମର ଇତିହାସରେ ଏହାର ଅସୁମାରି ଉଦାହରଣ ଅବଶ୍ୟ ଦେଖିବାକୁ ମିଳେ। କ୍ଷମତା ଖେଳରେ ଏହା ଏକ ଅବ୍ୟର୍ଥ ଆୟୁଧ ହୋଇଛି। ଏବେବି ବିଭିନ୍ନ ମୁଲକରେ ଯୁଦ୍ଧଖୋର, କ୍ଷମତାପିପାସୁ ପିଶାଚଗଣ ଏହି ଆୟୁଧକୁ ବ୍ୟବହାର କରୁଛନ୍ତି। ଏକବିଂଶ ଶତାବ୍ଦୀରେ ବି ଏ ଗଦ ଶୁଙ୍ଘିବାକୁ ଲୋକଙ୍କ ଅଭାବ ହେଉନାହିଁ ତାହାହିଁ ଅବସୋସର କାରଣ!
ସମର ସଂସ୍କୃତି ବା ଯୁଦ୍ଧଖୋର ମନୋବୃତ୍ତିକୁ ମହିମାମଣ୍ଡିତ କରିବା ପାଇଁ ବୀର, ହୀରୋ ଭଳି ଶବ୍ଦମାନ ସୃଷ୍ଟି କରାଯାଇଥିଲା। ଯୁଦ୍ଧରେ ଶତ୍ରୁକୁ ପରାଜିତ କଲେ ତମେ ଧରାପୃଷ୍ଠରେ ଅୟସ କରିବ, ସବୁ ସୁଖ ଭୋଗ କରିବ, ଧନରତ୍ନ, ଦାସ-ଦାସୀ, ଅନିନ୍ଦ୍ୟ ସୁନ୍ଦରୀ ସ୍ତ୍ରୀ ଓ ସ୍ୱାଦିଷ୍ଟ ମଦିରା, ଅର୍ଥାତ ତ୍ରିଭୁବନର ସବୁ ଐଶ୍ୱର୍ଯ୍ୟ ଭୋଗ କରିବ। ଆଉ ପ୍ରାଣପାତ କଲେ? ତା ପାଇଁ ଏକ ଲୋଭନୀୟ ଶବ୍ଦ ଦେଖନ୍ତୁ – ବୀରଗତି! ତୁମେ ବୀରଗତିକୁ ପ୍ରାପ୍ତ ହେଲେ ସ୍ୱର୍ଗସୁଖ ଭୋଗ କରିବ। ସ୍ୱର୍ଗରେ ତୁମପାଇଁ ସବୁ ପ୍ରକାରର ସୁଖସୁବିଧାର ବ୍ୟବସ୍ଥା ରହିଛି; ବରଂ ମର୍ତ୍ତ୍ୟ ଅପେକ୍ଷା ସ୍ୱର୍ଗର ସୁଖ ଆହୁରି ଆକର୍ଷଣୀୟ। ଏଣୁ ଯୁଦ୍ଧରେ ସାମିଲ ହେଲେ ଲାଭ ହିଁ ଲାଭ। ଏ ଯୁଦ୍ଧ ଯେହେତୁ ଧର୍ମଯୁଦ୍ଧ ଏବଂ ଏହା ଯେହେତୁ ‘ସମାଜ କଲ୍ୟାଣ’ ପାଇଁ (ଅସଲରେ ଧନ ଓ କ୍ଷମତା ଲୋଭୀଙ୍କ ଲାଭ ପାଇଁ) ଆବଶ୍ୟକ, ଏଣୁ ପ୍ରଭୁଙ୍କ ନାମରେ ଏଥିରେ ସାମିଲ ହେବା ବୀରତ୍ୱ ପ୍ରଦର୍ଶନ କରିବା (ମଣିଷକୁ ମାରିବା, ନିରୀହା ମହିଳାଙ୍କୁ ଦୁଷ୍କର୍ମ କରିବା, ଶିଶୁଙ୍କୁ ବେସାହାରା କରିବା) ହେଲା ବିରୋଚିତ କାର୍ଯ୍ୟ। ଏ ସ୍ୱର୍ଗସୁଖ ନାମକ ଗଦ କାଳେକାଳେ ଚାଲାକ, ଚତୁର ଶାସକମାନେ ଆପଣା ଅନୁଗତମାନଙ୍କୁ ଶୁଙ୍ଘାଇ ଆସିଛନ୍ତି। ମଧ୍ୟଯୁଗରେ ଏ ଗଦ ବେଶ ପ୍ରଭାବଶାଳୀ ଥିଲା। ତମାମ ତଥାକଥିତ ଧର୍ମଯୁଦ୍ଧମାନଙ୍କରେ ଏହା ବେଶ ପ୍ରଭାବୀ ଥିଲା। ଦେଖାଯାଇଛି ଏକ ନିର୍ଦିଷ୍ଟ ଧର୍ମାବଲମ୍ବୀମାନଙ୍କ ଧର୍ମଗ୍ରନ୍ଥରେ ସ୍ୱର୍ଗର ଆକର୍ଷଣ ସଂପର୍କରେ ସେତେଟା ବର୍ଣ୍ଣନା ନାହିଁ। କେବଳ ଏଇ ଜୀବନକୁ ହିଁ ଏକମାତ୍ର ଓ ସବାଶେଷ ବୋଲି ଅନେକ ସ୍ଥଳରେ ବିଚାର କରନ୍ତି। ଏଣୁ ସେମାନେ ଏଇ ଜୀବନର ଅବଧି ମଧ୍ୟରେ ସବୁ ପ୍ରକାର ପାର୍ଥିବ ସୁଖକୁ ଏକାବେଳକେ ଭୋଗ କରିବାକୁ ଚାହାନ୍ତି। ଏଣୁ ଏମାନଙ୍କ ମଧ୍ୟରେ ମାନବ ବୋମା ସାଜି ମୃତ୍ୟୁକୁ (ବୀରଗତି) ଆଲିଙ୍ଗନ କରିବାକୁ ତୟାର ଥିବା ଯୋଦ୍ଧାଙ୍କ ଅଭାବ ପଡ଼େ, କିନ୍ତୁ ଅପର ପକ୍ଷେ “ଧର୍ମଯୁଦ୍ଧ(?) ଲଢ଼ୁଥିବା ଆଉ ଏକ ଧାର୍ମିକ ଗୋଷ୍ଠୀର କତିପୟ ଲୋକେ ସ୍ୱର୍ଗସୁଖ ପାଇବା ପାଇଁ ବେଶୀ ଆଗ୍ରହୀ। ସେମାନେ ଯେତେଶୀଘ୍ର ହେବ ଧର୍ମଯୁଦ୍ଧରେ ସାମିଲ ହୋଇ ବୀରଗତି ପ୍ରାପ୍ତ ହୋଇ ସୁଖର ଗନ୍ତାଘର ସ୍ୱର୍ଗରେ ପଦାର୍ପଣ କରିବେ ସେଥିପାଇଁ ବେଶୀ ବ୍ୟଗ୍ର। ଏଣୁ ସେମାନଙ୍କ ସକାଶେ ଏ ବର୍ତ୍ତମାନ ଜୀବନଟି ବରଂ ଏକ ବୋଝ। ଇହ ଜଗତର ସୁଖ ନିହାତି ତୁଚ୍ଛ। ପ୍ରକୃତ ସୁଖ ବରଂ ସ୍ୱର୍ଗରେ ମିଳିବ। ଜୀବନପ୍ରତି ଏଇ ଦୃଷ୍ଟିକୋଣ ଯୋଗୁଁ କେତେକ ନିର୍ଦିଷ୍ଟ ଧର୍ମଗୋଷ୍ଠୀର ଲୋକେ ଅପରପକ୍ଷର ତୋପ କମାଣ ଆଗରେ ଛିଡ଼ା ହେବାକୁ ମୋଟେ ପଛଘୁଞ୍ଚା ଦିଅନ୍ତି ନାହିଁ। ଦେହରେ ବୋମାଭିଡ଼ି ମାନବବୋମା ସାଜିବାକୁ ସେମାନଙ୍କୁ ବେଶୀ ସମୟ ଲାଗେନାହିଁ। ସେମାନେ ତା ପାଇଁ ଦୁଇଥର ଚିନ୍ତା ବି କରନ୍ତି ନାହିଁ। ସେମାନେ ଭାବନ୍ତି ଧର୍ମଯୁଦ୍ଧରେ ବିଜୟୀ ହେଲେ ମିଳିବ ବହୁ ଧନରତ୍ନ ସହ ଜୀବନକୁ ଉପଭୋଗ କରିବା ପାଇଁ ପର୍ଯ୍ୟାପ୍ତ ସୁଯୋଗ। ଆଉ ବୀରଗତି ପ୍ରାପ୍ତ ହେଲେ ସିଧାସଳଖ ସ୍ୱର୍ଗରେ ସ୍ଥାନଟିଏ ମିଳିବ। କବି ଲେଖିଛନ୍ତି: “ସଂଗ୍ରାମରେ ନାଶ ହେଲେ ସ୍ୱର୍ଗ ବାସ/ ଜିତିଲେ ଭୋଗ ସମ୍ପତ୍ତି, ପଶ୍ଚାତ୍‌ପଦ ହେଲେ ଅପଯଶ ଭଳି/ ସହଜେ ନରକ ଗତି”। ପୃଥିବୀର ଅଧିକାଂଶ ଯୁଦ୍ଧରେ ଶାସକ ଗୋଷ୍ଠୀଙ୍କ ଏଇ କୌଶଳଟିକୁ କାମରେ ଲଗାଯାଇଛି। ସେମାନଙ୍କ ଅଭିଧାନରେ ମଣିଷଙ୍କୁ ମାରିବା ହେଲା ବୀରତ୍ୱ ଓ ସେଇଠି ମରି ଶୋଇବା ହେଲା ବୀରଗତି ପ୍ରାପ୍ତି। ମନେହୁଏ ଏ ବିଚାରଧାରା ସେତେବେଳେ ସୃଷ୍ଟି ହୋଇଥିବ ଯେତେବେଳେ ମଣିଷ ବେଶୀବେଶୀ ଭୂମି ପାଇଁ ଲଢ଼େଇ ଆରମ୍ଭ କରିଥିବ। ଗୋଟିଏ ମଣିଷ ଆଉ ଗୋଟିଏ ମଣିଷ ଉପରେ ପ୍ରଭୁତ୍ୱ ଦେଖାଇବା ପାଇଁ ଆଗ୍ରହୀ ହୋଇଥିବ।
ପରିତାପର ବିଷୟ ମଧ୍ୟଯୁଗ ପରି ଆଜିର ଏ ବିଜ୍ଞାନ ଯୁଗରେ ବି ମଣିଷଙ୍କ ମନରୁ ସ୍ୱର୍ଗସୁଖ ପ୍ରାପ୍ତିର ତୃଷ୍ଣା ମେଣ୍ଟିନାହିଁ। ଶୀଘ୍ରାତିଶୀଘ୍ର ସ୍ୱର୍ଗସୁଖ ପ୍ରାପ୍ତି ପାଇଁ ସେମାନେ ଧାଇଁଯାଉଛନ୍ତି ସେଇ ତଥାକଥିତ ଧର୍ମଯୁଦ୍ଧ କ୍ଷେତ୍ରକୁ। ଧର୍ମଯୁଦ୍ଧ ନାମରେ ହାଣି ପକାଉଛନ୍ତି ହଜାରହଜାର ନିରୀହ ମଣିଷଙ୍କୁ। ପାଶବିକ ଯୌନକ୍ଷୁଧା ମେଣ୍ଟାଉଛନ୍ତି ମାତୃତୁଲ୍ୟ, ଭଗିନୀତୁଲ୍ୟ ନିରୀହା ଅବଳାଙ୍କୁ ଯୌନଦାସୀ କରି। ସମଗ୍ର ଜଗତକୁ ଗୋଟାପଣେ ହଜାରହଜାର ବର୍ଷ ପଛକୁ ଟାଣିନେବା ପାଇଁ ଏମାନଙ୍କ ଏ ପାଗଳାମୀ ଦେଖିଲେ ଆଦୌ ବିଶ୍ୱାସ ହେଉନାହିଁ ଯେ ମଣିଷ ଏଯାଏଁ ସଭ୍ୟ ହୋଇଛି!
କ’ଣ ପାଇଁ ଏ ସ୍ୱର୍ଗସୁଖ ପ୍ରାପ୍ତି ପାଇଁ ଦୁର୍ବାର ଆକର୍ଷଣ ଯୁବା ସମାଜକୁ ଘାରିଛି ସେ ସଂପର୍କରେ ସମାଜ ବିଜ୍ଞାନୀମାନେ ଗବେଷଣା କରିବା ଆବଶ୍ୟକ। କ’ଣ ପାଇଁ ଏ ଜଗତ ଅପେକ୍ଷା ଆଉ ଏକ ଜଗତଟି (ଅନିଶ୍ଚିତ ଓ ଅଦେଖା) ବେଶୀ ଆକର୍ଷଣୀୟ ହେଉଛି ତାର କାରଣ ଖୋଜାଯାଉ। ସମାଜ ବିଜ୍ଞାନୀମାନଙ୍କ ପାଇଁ ଏହା ଏକ ବଡ଼ ଆହ୍ୱାନ ବୋଲି ମନେହୁଏ।
ହିଂସା ଓ ରକ୍ତପାତ ସହ ପ୍ରକୃତ ଧର୍ମର କୌଣସି ସଂପର୍କ ନାହିଁ। ଧାର୍ମିକ ଲୋକ କେବେ ମଧ୍ୟ ରକ୍ତପାତ କରିପାରେ ନାହିଁ; ବ ରଂ ସେ ନିଜକୁ ପଛେ ନର୍କରେ ନିକ୍ଷେପ କରିବ, କିନ୍ତୁ ଅନ୍ୟ କାହାର ପୀଡ଼ାର କାରଣ ହେବନାହିଁ। ଉଦାର ପାଠକେ ଟିକିଏ ଚିନ୍ତା କରନ୍ତୁ ଚେତନାର କେଉଁ ସ୍ତରକୁ ଉନ୍ନୀତ ହେଲେ ଜଣେ କହିପାରେ- ‘ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ।’ ମନେହୁଏ ଏଇ ମହତ୍‌ ଭାବନା ହିଁ ବିଶ୍ୱଶାନ୍ତି ପ୍ରତିଷ୍ଠା ପାଇଁ ଏକ ଉତ୍ତମ ମାର୍ଗଦର୍ଶିକା।
ଡୁଙ୍ଗୁରିପାଲି, ଜି: ସୁବର୍ଣ୍ଣପୁର

kalyan agarbati
Leave A Reply