ସହଦେବ ନାୟକଙ୍କ ମୁଣ୍ଡକାଟି ବିଭତ୍ସ ହତ୍ୟା ଘଟଣା: ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ଗୁଇନ୍ଦା ବିଭାଗ ବିଫଳ
ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ସାଧାରଣ ଲୋକ ଘରୁ ବାହାରିବାକୁ ଭୟ କରୁଛନ୍ତି, ପୁଲିସ୍ ପ୍ରଶାସନ ସାଧାରଣ ଲୋକଙ୍କୁ ସୁରକ୍ଷା ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି। କାରଣ ପୁଲିସ୍ ପ୍ରଶାସନ ବିଜେପିର ନେତା, ମନ୍ତ୍ରୀଙ୍କୁ ସୁରକ୍ଷା ଦେବାରେ ବ୍ୟସ୍ତ ରହୁଛି ଏବଂ ସାଧାରଣ ଲୋକଙ୍କ କଥା ଭୁଲିଯାଇଛି। ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ୯୦ ପ୍ଲାଟୁନ ପୋଲିସ୍ ଫୋର୍ସ, ଆଣ୍ଟିଟେରୋରିଜନ ସ୍କ୍ୱାର୍ଡ଼ ଓ ୫୦୦ ପୁଲିସ୍ ଅଫିସର ନିୟୋଜିତ ହୋଇଛନ୍ତି। ରାଜଧାନୀର ସବୁ ଅଞ୍ଚଳରେ ପୁଲିସ୍ ଫୋର୍ସ ମୁତୟନ ହେବା ସତ୍ତ୍ୱେ ଗୁରୁବାର ସକାଳ ସମୟରେ ରାଜଧାନୀର ରାଜରାସ୍ତାରେ ସହଦେବ ନାୟକ ନାମକ ଜଣେ ଯୁବକଙ୍କ ମୁଣ୍ଡକାଟି ବିଭତ୍ସ ହତ୍ୟା କରାଯାଇଛି, ଯାହା ଗୁଇନ୍ଦା ବିଭାଗର ବିଫଳତାକୁ ପଦାରେ ପକାଇ ଦେଇଛି ବୋଲି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଦାନ ଅଭିଯୋଗ କରିଛନ୍ତି।
ସେହିପରି ଗତ କିଛିଦିନ ବାଲେଶ୍ୱର ଜିଲା ରେମୁଣାରେ ଦୁଇଜଣ ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼ ମାରୁଥିବାର ଦୃଶ୍ୟ ସାମନାକୁ ଆସିଥିଲା। ପଟିଆର ରଘୁନାଥପୁର ଅଞ୍ଚଳରେ ଖ୍ରଷ୍ଟିଆନ ଧର୍ମର ଲୋକଙ୍କ ଉପରେ କିପରି ଆକ୍ରମଣ ହୋଇଥିଲା ତାହା ସମସ୍ତେ ଜାଣିଥିବେ। ଖୋର୍ଦ୍ଧାରେ ମଧ୍ୟ କିଛଦିନ ତଳେ ଜଣେ ମୁସଲମାନ ଲୋକଙ୍କୁ ଦିନ ଦ୍ୱିପ୍ରହରରେ ମାରି ଦିଆଯାଇଥିଲା ବୋଲି ସେ କହିଛନ୍ତି।
ଓଡ଼ିଶାରେ ସବୁଆଡ଼େ ଦିନକୁ ଦିନ ହତ୍ୟା, ଚୋରି, ଡକାୟତି, ଦୁଷ୍କର୍ମ ଓ ନାରୀ ନିର୍ଯ୍ୟାତନା ଭଳି ଅପରାଧ ବଢିବାରେ ଲାଗିଛି। ନିତ୍ୟ ବ୍ୟବହାର୍ଯ୍ୟର ଜିନିଷ ଦରଦାମ ବୃଦ୍ଧି ସାଧାରଣ କଥା ହୋଇଗଲାଣି। କିଛିମାସ ତଳେ କନ୍ଧମାଳ ଜିଲା ମଣ୍ଡିପଙ୍କା ଗ୍ରାମରେ ଆମ୍ବ ଟାକୁଆ ଜାଉ ଖାଇ ଦୁଇଜଣ ମୃତ୍ୟୁବରଣ କରିଥିଲେ ଏବଂ ଅନେକ ଗୁରୁତର ଆହତ ହୋଇଥିଲେ ମଧ୍ୟ ସରକାର ନିଦାବିଷ୍ଣୁ ସାଜିଛନ୍ତି। ଏହିସବୁ ଅନ୍ୟାୟ ଓ ଅତ୍ୟାଚାରକୁ ଘଣ୍ଟ ଘୋଡ଼ାଇବା ପାଇଁ ପ୍ରବାସୀ ଭାରତୀୟ ସମ୍ମିଳନୀ ପାଳନ କରାଯାଉଛି। ଯାହାଦ୍ୱାରା ସରକାର ଓଡ଼ିଶାକୁ ଭାରତ ମାନଚିତ୍ରରେ ଏକ ଉନ୍ନତ ରାଜ୍ୟ ହିସାବରେ ଦେଖାଇବାକୁ ଚେଷ୍ଟା କରୁଛି, ବାସ୍ତରେ ଏହା ଏକ ଏକ ଷଡ଼ଯନ୍ତ୍ର ଅଟେ। ଏହିସବୁ ଘଟଣା ପ୍ରତିବାଦରେ ଛାତ୍ର କଂଗ୍ରେସ ପୁଲିସ୍ ମହାନିର୍ଦ୍ଦେଶକ ଓ ମୁଖ୍ୟମନ୍ତ୍ରୀଙ୍କ ତୁରନ୍ତ ଇସ୍ତଫା ଦାବି କରିଛି।
ଏହା ସତ୍ତ୍ୱେ ଯଦି ରାଜ୍ୟ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି, ତେବେ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରାଯିବ ଏବଂ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଜବାବ ନିଆଯିବ ବୋଲି କୁହାଯାଇଛି। ଯେଉଁ ଦଳ ଏହି ମାଟିରେ ଜନ୍ମ ହୋଇଥିବା ମଣିଷକୁ ସମ୍ମାନ ଦେଇପାରୁନି, ସେଭଳି ଦଳ କେବେବି ଓଡ଼ିଆ ମାଟିକୁ ସମ୍ମାନ ଦେଇପାରିବ ନାହିଁ। ଏହି ସାମ୍ବାଦିକ ସମ୍ମିନଳୀରେ ଉଦିତ ପ୍ରଧାନଙ୍କ ସମେତ ଶୁଭମ ରାଜ, କାର୍ତ୍ତିକେଶ୍ୱର କାଣ୍ଡି ଏବଂ ସୁନିଲ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.