www.samajalive.in
Tuesday, December 9, 2025
23.1 C
Bhubaneswar

ଆମ ଧର୍ମବନ୍ତ ନେତାଙ୍କ ଧର୍ମ

ଓଁପ୍ରକାଶ ପାଣିଗ୍ରାହୀ

ଗତ ପାଞ୍ଚଟି ବିଧାନସଭା ନିର୍ବାଚନ ପୂର୍ବରୁ ଏକ ନୂଆକଥା ଦେଖାଗଲା। ବିଭିନ୍ନ ଦଳର ନେତାମାନେ ନିଜକୁ ପକ୍କା ହିନ୍ଦୁ ପ୍ରମାଣ କରିବାକୁ ଖୁବ୍‌ କସରତ କଲେ। ବିଜେପିବାଲା ତ ରାମ ମନ୍ଦିର ଦାବିରେ ହଲ୍ଲା କରିବା ସ୍ବାଭାବିକ, କିନ୍ତୁୁ ବିଶୁଦ୍ଧ ଧର୍ମନିରପେକ୍ଷ ବୋଲି ଦାବି କରୁଥିବା କଂଗ୍ରେସୀ ନେତାମାନେ ମଧ୍ୟ ଚିତା, ଚନ୍ଦନ ଉପବୀତ ଧାରଣ କଲେ। ରାମଲାଲା ଭୋଲେବାବାଙ୍କ ଭକ୍ତ ସାଜିଲେ; ମନ୍ଦିର ମଠଗୁଡ଼ିକରେ ଭିଡ଼ କଲେ।
ଭୋଟଯୁଦ୍ଧର ସେଇ ଘଡ଼ିସନ୍ଧିବେଳେ ବାବୁ ନବେନ୍ଦ୍ର ନାଥଙ୍କ ଶ୍ୟାଳକ ଅବନୀ ବାବୁ ଆମ୍‌ ଆଦମୀ ପାର୍ଟିରୁ ଡିଆଁମାରିଲେ ବିଜେପିକୁ। ଓଡ଼ିଆ ଲୋକ ହେଲେବି ସେ ଛତିଶଗଡ଼ର ବିଳାସପୁର ସହର ବାସିନ୍ଦା। ସେଠି ରାଜ୍ୟ ରାଜନୀତିର ପୁରୁଣା ଖେଳାଳି। ଅତୀତରେ ଥରେ କଂଗ୍ରେସରୁ ବିଧାୟକ ହୋଇଥିଲେ। ତା’ପରେ ଥରକୁଥର ହାରିବାରେ ଅତିଷ୍ଠ ହୋଇ ଆମ୍‌ ଆଦମୀରେ ମିଶିଲେ। ତାଙ୍କ ମନ୍ଦ କପାଳକୁ, ‘ଆପ୍‌’ ମଧ୍ୟ ଉଧେଇଲା ନାହିଁ। ଏଥର ପଦ୍ମକୁ ଆଶ୍ରା କଲେ। ଶେଷକୁ ତାହା ମଧ୍ୟ ଛତିଶଗଡ଼ରେ ମଉଳି ଗଲା। ହେଲେ ରାଜନେତାଙ୍କ ଆଶା ଓ ବୈତରଣୀ ନଦୀ। ଆଗାମୀ ନିର୍ବାଚନରେ ଦଳୀୟ ଟିକଟକୁ ଆଖି ଆଗରେ ରଖି ଏବେ ସାଜିଛନ୍ତି ଗୈରିକ ବସନ ଶୋଭିତ ନୈଷ୍ଠିକ ରାମଭକ୍ତ। ୟେତ ଗଲା ନବବାବୁଙ୍କ ଶଳାଙ୍କ ରାଜନୀତି ଚରିତ୍ର ପଞ୍ଜିକା। ଏପଟେ ତାଙ୍କ ସଢ଼ୁ ପଦବାବୁ ଦକ୍ଷିଣ ଓଡ଼ିଶା ମାଓ ଇଲାକାରେ ଭଲ ଚାକିରିରେ ଥିଲେ। ତିନିଟି ରାଜ୍ୟରେ କଂଗ୍ରେସର ଜିତାପଟ ହାୱା ଦେଖି ଚାକିରି ଛାଡ଼ି ନିକଟରେ କଂଗ୍ରେସରେ ମିଶିଛନ୍ତି। ମାଓ ଇଲାକାରେ ଚାକିରିରେ ଶଢ଼ିବା ଅପେକ୍ଷା ରାଜନୀତିରେ ଭାଗ୍ୟ ପରଖିବା ଭଲ ବୋଲି କହନ୍ତି। କଂଗ୍ରେସର କର୍ତ୍ତାମାନେ ତାଙ୍କୁ ଟିଭି ପରଦାରେ ଉପାୟନ ପିନ୍ଧାଇ ଦଳରେ ମିଶାଇଥିବାରୁ ବିଧାୟକ ଟିକଟ ଖଣ୍ଡେ ମିଳିଯିବ ବୋଲି ଆଶା। ଆଜିକାଲି ରାହୁଲଙ୍କ ଆଦର୍ଶରେ ଶିବଭକ୍ତ ବ୍ରାହ୍ମଣ ବେଶରେ ଗୁୁପ୍ତେଶ୍ବର, ଶାବର ଶ୍ରୀକ୍ଷେତ୍ର ଆଦି ମନ୍ଦିର ଭ୍ରମଣର ଭିଡ଼ିଓ ଗଣମାଧ୍ୟମକୁ ଛାଡ଼ୁଛନ୍ତି।
ଦୁଇ କରିତ୍‌କର୍ମା ଶଳା ଏବଂ ସଢ଼ୁ ନବବାବୁଙ୍କ ନୂଆ ଘର ପ୍ରତିଷ୍ଠା ଉତ୍ସବକୁ ନିମନ୍ତ୍ରିତ ହୋଇଆସିଥିଲେ। ଆସିଲେତ ଭଲ କଥା, କିନ୍ତୁ ସମସ୍ୟା ହେଲା। ମୁହାଁମୁହିଁ ହେବାପରେ ହିନ୍ଦୁତ୍ବ ରାଜନୀତି ଉପରେ ଚଲେଇଲେ ତୁତୁ-ମେମେ। ଅବନୀବାବୁ ଦୃଢ଼ ଯୁକ୍ତି କଲେ; ଦେବଦେବୀ ପୂଜାର୍ଚ୍ଚନା ଆମ ବିଜେପି ଦଳୀୟ ସଂସ୍କୃତିର ଅଂଶ। ରାମମନ୍ଦିର ପ୍ରତିଷ୍ଠା ଆନ୍ଦୋଳନ ଆଜିର ନୁହେଁ, ଦୁଇ ଦଶନ୍ଧି ପୂର୍ବର, କିନ୍ତୁ ତୁମ କଂଗ୍ରେସ ଦଳର ସୁବିଧାବାଦୀ ଭକ୍ତିଯୋଗ ଦିନେନାଇଁ କାଳେନାଇଁ, ଗହ୍ମାପୂନେଇଁରେ ମାଈଁ ମାଈଁ। କେବଳ ଭୋଟ ବେଳେ ମନ୍ଦିର-ମଠ କଥା ମନେ ପକାଉଛ ଭୋଟରଙ୍କୁ ଭୂତେଇବା ପାଇଁ। କସ୍ମିନ୍‌ କାଳେ ହିନ୍ଦୁ ସଂସ୍କାର ନଥାଇ ଆଜି ହିନ୍ଦ୍ବତ୍ବ ନାଟକ କରୁଛ। ବିରକ୍ତ ହୋଇ ପଦବାବୁ ଉତ୍ତର ଦେଲେ, ‘ତୁମ କଥା ଶୁଣି ଭାବୁଛି, ମୋଦୀଙ୍କୁ ହିନ୍ଦୁ ଧର୍ମର ଆଧାର ଜଣାନାହିଁ କହି ରାହୁଲ କିଛି ଭୁଲ୍‌ କହିନାହାନ୍ତି। ଆମ କଂଗ୍ରେସ ଦଳ ଆରମ୍ଭରୁ ହିନ୍ଦୁ ସଂସ୍କାରରେ ସମୃଦ୍ଧ। ଗାନ୍ଧୀଙ୍କ ଅହଂିସା ଆନ୍ଦୋଳନରେ ଗୀତା, ଗୋମାତା ଓ ଶ୍ରୀରାମକଥାର ପ୍ରଭାବ କିଏ ନଜାଣେ? ପଟେଲ, ରାଜେନ୍ଦ୍ର ପ୍ରସାଦ, ରାଜଗୋପାଳାଚାରୀ ପ୍ରମୁଖ ସବୁ ବଡ଼ ନେତାଙ୍କ ରାଜନୀତିରେ ହିନ୍ଦୁ ନୈଷ୍ଠିକତାର ଛାପ ଥିଲା। ଇନ୍ଦିରା-ରାଜୀବ ମଧ୍ୟ ମନ୍ଦିର-ମଠ ବୁଲି ପୂଜାର୍ଚ୍ଚନା କରୁଥିଲେ। ନରସିଂହ ରାଓ କେବଳ ଭକ୍ତ ନଥିଲେ, ବାବାଜୀ ମାତାଜୀଙ୍କ ସହ ନିୟମିତ ପରାମର୍ଶ କରୁଥିଲେ। କେବଳ ନେହେରୁ କୌଣସି ଧାର୍ମିକତା ପ୍ରଦର୍ଶନର ପକ୍ଷପାତୀ ନଥିଲେ। ଅଥଚ କଂଗ୍ରେସ ସଂସ୍କାର କେବେବି ହିନ୍ଦୁ ବିରୋଧୀ ନଥିଲା। ସେହି ପରମ୍ପରାକୁ ଆଗକୁ ବଢ଼ାଇ ରାହୁଲ ‘ଦତ୍ତାତ୍ରେୟ’ ଗୋତ୍ରୀ ‘ଶିବଭକ୍ତ’ ସାଜି ଯଦି ମନ୍ଦିର ବୁଲିଲେ, ତେବେ କୋଉ ବେଦଟା ଅଶୁଦ୍ଧ ହୋଇଗଲା?’
ନବବାବୁଙ୍କ ଶ୍ବଶୁର, ସେବାନିବୃତ୍ତ ପ୍ରଫେସର ଆଚାର୍ଯ୍ୟ କହିଲେ- କେହି କାହାକୁ ଦୋଷ ଦେବା ନିରର୍ଥକ। କାରଣ ଭୋଟ ପଶାପାଲିରେ ଜିତିବାକୁ ମୁଖ୍ୟତଃ ତିନିଟି କାର୍ଡ ଖେଳିବା ଛଡ଼ା ଏବେ ଅନ୍ୟଗତି ନାହିଁ। ପ୍ରଥମ- ମନ୍ଦିର ମଠ ନାଁରେ ହିନ୍ଦୁଭୋଟ କେନ୍ଦ୍ରୀକରଣ କାର୍ଡ। ଦ୍ବିତୀୟ- ଜାତି, ଜନଜାତି ନାଁରେ ହିନ୍ଦୁଭୋଟ ବିଭାଜନ କାର୍ଡ। ତୃତୀୟ- ଧର୍ମନିରପେକ୍ଷତା ନାଁରେ ସଂଖ୍ୟାଲଘୁ ତୁଷ୍ଟିକରଣ କାର୍ଡ। ରାଜନୈତିକ ପାଣିପାଗ ଦେଖି ଏହି ତିନିଟି କାର୍ଡରୁ ବଛାଯାଏ। ମନ୍ଦିର-ମଠ କାର୍ଡର ପଲା ଏବେ ଖୁବ୍‌ ଭାରୀ। ତେଣୁ ଆଗାମୀ ନିର୍ବାଚନରେ ମଧ୍ୟ ଅଧିକାଂଶ ଦଳ ସେଇ କାର୍ଡ ଖେଳିବେ। ଏପଟେ ପୁଣି ଧର୍ମକୁ ଭୋଟବ୍ୟାଙ୍କ ପାଇଁ ଉପଯୋଗ କରିବା ମନା; କାରଣ ସମ୍ବିଧାନ ଅନୁଯାୟୀ ଭାରତ ‘ସେକ୍ୟୁଲାର’ ଗଣତନ୍ତ୍ର। ଇଂରାଜୀ ଶବ୍ଦ ‘ସେକ୍ୟୁଲାର’କୁ ଧର୍ମନିରପେକ୍ଷ ବୋଲି ଆମେ ବୁଝିଥାଉ, ଯଦିଓ ଏହା ଠିକ୍‌ ଅର୍ଥ ନୁହେଁ। ଶବ୍ଦକୋଷ ଅନୁଯାୟୀ ତା’ର ଅସଲ ଅର୍ଥ- ସରକାର ଓ ଶାସନକୁ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିୟାନ ଭଳି ନିର୍ଦିଷ୍ଟ ‘ଧର୍ମପନ୍ଥ’ର ପ୍ରଭାବରୁ ଅଲଗା ରଖିବା। ଏ ପ୍ରସଙ୍ଗରେ ଇଂରାଜୀ ଶବ୍ଦ ‘ରିଲିଜିଅନ’ ଓ ‘ଧର୍ମ’ ମଧ୍ୟରେ ପାର୍ଥକ୍ୟ ପ୍ରଣିଧାନଯୋଗ୍ୟ। ‘ରିଲିଜିଅନ’ କହିଲେ ‘ଧର୍ମ’ ନୁହେଁ, ବରଂ ‘ଧର୍ମପନ୍ଥ’ ବୋଲି ବୁଝିବା ଉଚିତ ହେବ। ଅର୍ଥାତ୍‌ ମହାପୁରୁଷଙ୍କ ପ୍ରଚାରିତ ଆଧ୍ୟାତ୍ମିକତା ଓ ଧର୍ମାଚରଣ ବିଧି ସଂକଳିତ ପନ୍ଥାର ଅନୁବନ୍ଧନ। ଅନ୍ୟପକ୍ଷରେ ‘ଧର୍ମ’ କହିଲେ ବୁଝାଏ ବ୍ୟକ୍ତିର ଚିନ୍ତା, ଚେତନା ଓ ଆଚରଣରେ ଶୁଦ୍ଧତା ତଥା ନ୍ୟାୟ, ନିରପେକ୍ଷତା ଓ ନୀତିନିଷ୍ଠତାର ପ୍ରବୃତ୍ତି। ନବବାବୁ ସମର୍ଥନ କରି କହିଲେ, ‘ଅତୀତରେ ଧର୍ମନିରପେକ୍ଷତା ଭାରତୀୟ ସଂସ୍କାରର ଅଂଶ ଥିବା ସତ୍ତ୍ବେ ଶାସକମାନେ ଧର୍ମକୁ ଧାରଣ କରି ଶାସନ କରୁଥିଲେ। ତିନିହଜାର ବର୍ଷ ତଳର ଉପନିଷଦୀୟ ଯୁଗରେ ରାଜଧର୍ମ, ପ୍ରଜାଧର୍ମ ତଥା ମାନବଧର୍ମ ପାଳନ ଶ୍ରେଷ୍ଠ ସାମାଜିକ ସଂକଳ୍ପ ଥିଲା। ‘ସର୍ବେ ଭବନ୍ତୁ ସୁଖିନଃ’, ‘ବସୁଧୈବ କୁଟୁମ୍ବକଂ’, ‘ଅସତୋ ମା ସଦ୍‌ଗମୟ; ‘ସର୍ବଭୂତସ୍ଥମ୍‌ ଆତ୍ମନଃ’ ଆଦି ଉପନିଷଦୀୟ ବାର୍ତ୍ତା ଓ ଚେତନା ଏହାର ପ୍ରମାଣ। ପରବର୍ତ୍ତୀ କାଳରେ ଅବଶ୍ୟ ସଂପ୍ରଦାୟକରଣ ଯୋଗୁଁ ହିନ୍ଦୁତ୍ବରେ ମଧ୍ୟ ଧର୍ମପନ୍ଥବାଦ ପ୍ରାଧାନ୍ୟ ଲାଭ କଲା। ଆଜି ଭାରତୀୟ ଗଣତନ୍ତ୍ର ସେଭଳି ଧର୍ମପନ୍ଥିକ ପକ୍ଷପାତିତା ଦ୍ବାରା କବଳିତ। ତାହାର ପ୍ରତିକାର ପାଇଁ ଅତୀତରେ ବାଜପେୟୀ ମୋଦୀଙ୍କ ନିର୍ଦେଶ କରିଥିବା ‘ରାଜଧର୍ମ’ ଆଜି ବି ପ୍ରାସଙ୍ଗିକ। ତା’ଛଡ଼ା ମୋଦୀଙ୍କୁ ରାହୁଲଙ୍କ କଟାକ୍ଷ ପରିପ୍ରେକ୍ଷୀରେ କୁହାଯାଇପାରେ- ‘ଧର୍ମ’ର ଆଧାର ଜଣା ଅଛି ବୋଲି ସାବ୍ୟସ୍ତ କରିବାକୁ ଭୋଟଋତୁରେ ନେତାଙ୍କ ଘନଘନ ମନ୍ଦିର ଭ୍ରମଣ ଆଦୌ ଜରୁରୀ ନୁହେଁ।
ଶେଷରେ ଅବନୀବାବୁ ଓ ପଦବାବୁ ନିଷ୍ପୃହ ଭଙ୍ଗୀରେ ମତଦେଲେ, ‘ଧର୍ମର ଆଧାର ଜାଣିବା ପାଇଁ ତ ଭବିଷ୍ୟତ ପଡ଼ିଛି’, କିନ୍ତୁ ହାଲ୍‌କୁ ଭୋଟ୍‌ବାତ୍ୟା ମାଡ଼ି ଆସୁଥିବାବେଳେ ତୁରନ୍ତ ନିଜକୁ ଧର୍ମବନ୍ତ ସାବ୍ୟସ୍ତ କରିବାକୁ ମନ୍ଦିର ବୁଲିବା ଛଡ଼ା ଆମର ଅନ୍ୟ ଗତି ନାହିଁ।
ପ୍ରଫେସର, କିମ୍‌ସ ମେଡ଼ିକାଲ କଲେଜ, ଭୁବନେଶ୍ବର

Hot this week

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

ଜନଗଣନା ପାଇଁ ଜାନୁଆରୀ ୧୫ ସୁଦ୍ଧା ହେବେ କାର୍ଯ୍ୟକର୍ତ୍ତା ନିଯୁକ୍ତି

ସମାଜ ଲାଇଭ ଡ଼େସ୍କ : ୨୦୨୭ ଜନଗଣନା ପାଇଁ ଆଗାମୀ ଜାନୁଆରୀ...

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

Related Articles

Popular Categories