ସମକାଳର ପଞ୍ଜାବୀ କବିତା ଜଗତରେ
ମୋହନଜିତ୍ ସିଂହ ଏକ ସ୍ପର୍ଦ୍ଧିତ ସ୍ବର। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କୋଣାର୍କକୁ ଆଧାର କରି ସେ ରଚନା କରିଥିବା କବିତା ପୁସ୍ତକ ‘କୋଣେ ଦା ସୂରଯ’ ୨୦୧୮ ମସିହା ପାଇଁ ମର୍ଯ୍ୟାଦାଜନକ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇଁ ମନୋନୀତ ହୋଇଛି। ଆସନ୍ତା ଜାନୁଆରୀ ୨୯ ତାରିଖରେ ନୂଆଦିଲ୍ଲୀଠାରେ ଏକାଡେମୀ ପକ୍ଷରୁ ଆୟୋଜିତ ସ୍ବତନ୍ତ୍ର ସମାରୋହରେ ମୋହନଜିତ୍ଙ୍କୁ ପୁରସ୍କୃତ କରାଯିବ। ଏହି ପରିପ୍ରେକ୍ଷୀରେ ତାଙ୍କୁ ସାକ୍ଷାତ କରିଥିଲେ
ବିଭୂତି ପତି…
ପ୍ରଶ୍ନ: ଓଡ଼ିଶା ଏବଂ ଓଡ଼ିଶାର କଳା, ସାହିତ୍ୟ, ଭାସ୍କର୍ଯ୍ୟ ଉପରେ ଆପଣଙ୍କ ମତ କ’ଣ ?
ଉତ୍ତର: ଓଡ଼ିଶାର ପ୍ରତିଟି ପାଣି, ପବନ ଓ ପଥରରେ ଭରି ରହିଛି କାବ୍ୟ-କବିତା-କଳାର ରମ୍ୟ ରୂପ। ଓଡ଼ିଶାର ପ୍ରତି ମଣିଷର ପ୍ରାଣ ପୁଲକିତ ହୁଏ ସାହିତ୍ୟର ସମ୍ଭାରରେ। ଅତୀତ କଳିଙ୍ଗର କାରୁକାର୍ଯ୍ୟ ଓ କଳା ମାଧୁର୍ଯ୍ୟ ଭାରତର ସାହିତ୍ୟ ସମ୍ଭାରକୁ ସମୃଦ୍ଧ କରିଛି। ଓଡ଼ିଶାର ସାହିତ୍ୟ ଦେଶର ସାହିତ୍ୟିକଙ୍କୁ ପ୍ରେରଣା ଯୋଗାଇ ସ୍ୱାଧୀନତା ଆନ୍ଦୋଳନରେ ଭାରତୀୟ ସମାଜରେ ସ୍ୱତନ୍ତ୍ରତା ଛାଡ଼ିଯାଇଛି। ଉତ୍କଳର କାରୁକୀର୍ତ୍ତିକୁ ବାଦ୍ ଦେଇ ଭାରତର କଳା-ସଂସ୍କୃତି-ସାହିତ୍ୟର ଇତିହାସ ଲେଖି ହେବ ନାହିଁ ।
କବିତା ପୁସ୍ତକ ‘କୋଣେ ଦା ସୂରଯ’ ପାଇଁ ଆପଣ ୨୦୧୮ ମସିହା ପାଇଁ ଏକାଡେମୀ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏଥିରେ କୋଣାର୍କ ଗାଥା ଉଲ୍ଲେଖ କରାଯାଇଛି। କୋଣାର୍କ ଉପରେ କାବ୍ୟ-କବିତା ଲେଖିବାକୁ କାହିଁକି ମନ ବଳାଇଲେ ?
୧୯୮୩ ମସିହାର କଥା। ମୁଁ ଭାରତ ଭ୍ରମଣରେ ବାହାରିଥିଲି। ଭାରତ ଭ୍ରମଣ ଅବସରରେ ଓଡ଼ିଶାର ପୁରୀ ଓ କୋଣାର୍କ ଦେଖିବାକୁ ସୁଯୋଗ ପାଇଲି। ପୁରୀ ଓ କୋଣାର୍କ ଦର୍ଶନ ବେଳେ ହଠାତ୍ କୋଣାର୍କ ନିକଟରେ ମୁଁ ଅତ୍ୟନ୍ତ ଭାବପ୍ରବଣ ହୋଇଯାଇଥିଲି। କୋଣାର୍କର ଘୋଡ଼ା ଓ ରଥ ମୋ’ ମନକୁ ବାନ୍ଧିଦେଲେ। ସେଠାରୁ ଫେରି ଏଲୋରା, ଅଜନ୍ତା, ନଟରାଜ ସମେତ ଭାରତର ପ୍ରତିଟି ରାଜ୍ୟର ବିଭିନ୍ନ ଦର୍ଶନୀୟ ସ୍ଥାନ ପରିଭ୍ରମଣ କଲୁ; କିନ୍ତୁ ମୋ ମନ ରହିଯାଇଥିଲା କୋଣାର୍କରେ। ମୁଁ ହୋଇଯାଇଥିଲି ଆନମନା। ଅନ୍ୟାନ୍ୟ ସ୍ଥାନ ପରିଦର୍ଶନରେ ମୋ ମନ ଲାଗିନଥିଲା। ମୁଁ ବ୍ୟଗ୍ର ହୋଇଉଠୁଥିଲି ଯେତେ ଶୀଘ୍ର ଏହି ଭାରତ ଦର୍ଶନ ପର୍ଯ୍ୟଟନ ଶେଷ ହେବ ମୁଁ କିପରି ଆଉ ଥରେ କୋଣାର୍କ ଦର୍ଶନରେ ଯିବି ଏବଂ ଏହା ଉପରେ ଏକ କାବ୍ୟ ରଚନା କରିବି।
କୋଣାର୍କକୁ ନେଇ ଆପଣ ହଠାତ୍ ଏତେ ଭାବପ୍ରବଣ ହେବାର କିଛି ନିର୍ଦିଷ୍ଟ କାରଣ ରହିଥିଲା କି ?
କୋଣାର୍କ ଦେଖିବା ପରେ ମୋର ମାନସ ପଟରେ ଏହାର କାରୁକାର୍ଯ୍ୟ ଓ ସୂକ୍ଷ୍ମ ଅବବୋଧ ଆନ୍ଦୋଳିତ ହେଲା। ଚେତନା ସ୍ତରରେ ମୁଁ ବିହ୍ବଳିତ ହେଲି ଏବଂ ଏହାର ନାନ୍ଦନିକ ଅବବୋଧ ଓ ଭଗ୍ନରାଜିକୁ ନେଇ ଏକ କାବ୍ୟିକ ରୂପ ଦେବାରେ ନିଜକୁ ମନୋନିବେଶ କଲି। ଆଜି ଏହା ଏକାଡେମୀ ପୁରସ୍କାର ଲାଭ କରିଥିବାରୁ କୋଣାର୍କକୁ ଭାରତୀୟ ସାହିତ୍ୟ ଜଗତରେ ଏକ ସ୍ୱତନ୍ତ୍ର ସମ୍ମାନ ମିଳିଛି।
କୋଣାର୍କ କାବ୍ୟ ସୃଷ୍ଟି ନେଇ ଅଧିକ କିଛି କହିବେ କି?
ଭାରତ ଦର୍ଶନରୁ ଯେତେବେଳେ କୋଣାର୍କ ଦର୍ଶନ ସାରି ଫେରିଥିଲି, ମୋତେ ଲାଗିଥିଲା କୋଣାର୍କର ସେଇ କାଳଜୟୀ ରଥ ଓ ଘୋଡ଼ା ଯାହା ବିଶ୍ୱକୁ ଆଚମ୍ବିତ କରିଛି, ସତେ ଯେପରି ମୋ’ ପଛେପଛେ ଗୋଡ଼ାଉଛନ୍ତି। ପ୍ରଥମେ ମୁଁ ଏକ ଛୋଟ କବିତା ଲେଖିଲି; ତଥାପି କିଛି ପରିବର୍ତ୍ତନ ହେଲାନି। ଏକଥା ମୁଁ ମୋର ପତ୍ନୀ କୁଲଦୀପ୍ କୌର ଓ ମୋର ଅନ୍ତରଙ୍ଗ ବନ୍ଧୁ ସ୍ୱର୍ଗତ ପ୍ରଫେସର ଶାନ୍ତିଦେଭ୍ଙ୍କୁ କହିଲି। କୁଲଦୀପ୍ କହିଲେ ଆଉ ଥରେ କୋଣାର୍କ ବୁଲି ଆସ। ଶାନ୍ତିଦେଭ୍ କହିଲେ ତମେ କୋଣାର୍କ ଯାଅ ଏବଂ ଏକ ବଡ଼ ସାହିତ୍ୟ କୃତି ସୃଷ୍ଟି କରିବାରେ ମନୋନିବେଶ କର। ଏହା ନ ହେଲେ କୋଣାର୍କର ରଥ ଓ ଘୋଡ଼ାର କାରୁକାର୍ଯ୍ୟ ତୁମର ପିଛା ଛାଡ଼ିବନି। ଶାନ୍ତିଦେଭ୍ଙ୍କଠାରୁ କୋଣାର୍କର କିମ୍ବଦନ୍ତୀ ଉପରେ ଅନେକ କଥା ଜାଣିଲି। ଏ ଭିତରେ ହଠାତ୍ ଅନେକବାର ମୁଁ ଖିଆଲି ମନନେଇ କୋଣାର୍କ ଚାଲିଯାଇଛି। ଏପରିକି ଘରେ ନ ଜଣାଇ ଭୁଲିଯାଇ ଚାଲିଯାଏ; ପରେ ଜଣାଇଦିଏ। ଏହିପରି ମୋର ଅବବୋଧେର କୋଣାର୍କ ରଚନା ଆରମ୍ଭ ହୋଇଯାଇଥିଲା।
କୋଣାର୍କର ସଫଳତା ଓ ସମ୍ମାନକୁ ନେଇ କ’ଣ କହିବେ ?
ଦୀର୍ଘ ଆଠ ବର୍ଷରୁ କିଛି ଅଧିକ ସମୟ ଲାଗିଥିଲା କୋଣାର୍କ ପୁସ୍ତକ ପାଇଁ। ଏହି ପୁସ୍ତକର କାବ୍ୟ କବିତାରେ ଭରିରହିଛି ଅନେକ ଲୋକକଥାର ବିଶ୍ୱାସ, ଆବେଗ ଓ ଭାବନା। କବି ମନର କଳ୍ପନା, ସ୍ଥାନୀୟ କିମ୍ବଦନ୍ତୀ ଓ ଇତିହାସକୁ ନେଇ କୋଣାର୍କର କାବ୍ୟ କବିତା ରଚନା ହୋଇଛି। ଯେତେବେଳେ ଧରମା ମା’ ଗର୍ଭରେ ରହିଛି ଏବଂ ଧରମାର ବାପା ବାଦଶାହଙ୍କ (ରାଜାଙ୍କ) ଡାକରାରେ କୋଣାର୍କ ଗଢ଼ିବାକୁ ଯାଇଛନ୍ତି ଏବଂ ଠିକ୍ ସେହିପରି ଜଣେ ଶିଳ୍ପୀର ବାହାଘରର ତିନିଦିନ ପୂର୍ବରୁ ସେହି ଶିଳ୍ପୀ ନିଜର ବାହାଘର ବନ୍ଦ କରି କୋଣାର୍କ ଗଢ଼ିବାକୁ ଯାଇଛନ୍ତି – ସ୍ୱାମୀ ସ୍ତ୍ରୀ ର ସମ୍ପର୍କ କିପରି ଚ୍ଛିନ୍ନ ହୋଇଛି, ପ୍ରେମିକପ୍ରେମିକାର ପ୍ରେମ ଭଟ୍ଟା ପଡ଼ିଛି, ଏହାକୁ ନେଇ ମୋ ପ୍ରାଣ କାନ୍ଦି ଉଠିଛି। ଏପରିକି ନିଜେ ଜୀବନ ଯନ୍ତ୍ରଣାରେ ଜର୍ଜରିତ ହୋଇ ପାଷାଣକୁ ଜୀବନ୍ତ କରିଥିବେ ସେଇ ଦୃଶ୍ୟ ମୋତେ ଆନ୍ଦୋଳିତ କରିଥିଲା।
କିଛି ଶିଳ୍ପୀ କୋଣାର୍କକୁ ନେଇ ଦ୍ୱିତୀୟ କୋଣାର୍କ ଗଢ଼ିବାର କଥା କହିଛନ୍ତି। ଏହାକୁ ନେଇ କ’ଣ କହିବେ?
ଦେଖନ୍ତୁ, ନକଲି କେବେ ଅସଲି ହୋଇପାରିବନି। ନକଲ ସବୁବେଳେ ନକଲ। କେବଳ କୋଣାର୍କ ନୁହେଁ, ତାଜମହଲ ସମେତ ଭାରତର ବିଭିନ୍ନ ପ୍ରାଚୀନ କୀର୍ତ୍ତିକୁ ନେଇ ଏପରି ନକଲ କରି ଗଢ଼ିବାର ଚର୍ଚ୍ଚା ହେଉଛି। ବର୍ତ୍ତମାନର ଆଧୁନିକ ବିଜ୍ଞାନ ଓ ମେସିନ୍ର ଯୁଗରେ ଏପରି ନକଲ କରିବା କିଛି ଅସମ୍ଭବ ନୁହେଁ; କିନ୍ତୁ ପ୍ରାଚୀନ କୀର୍ତ୍ତିର ଆଶ୍ଚର୍ଯ୍ୟ କେବଳ ଅସଲିରେ ହିଁ ରହିବ। ହାତକଳାର ମନଲୋଭା ଦୃଶ୍ୟ ମେସିନ୍ର ଯୁଗରେ ମନକୁ କିଣିବା ସମ୍ଭବ ନୁହେଁ।
କୋଣାର୍କ ପୁସ୍ତକ ସମ୍ମାନର ଶ୍ରେୟ ଓ ସମର୍ପଣ ଆପଣ କାହାକୁ କରିବେ ?
ଭଗବାନ ସୂର୍ଯ୍ୟଦେବଙ୍କ ସେହି ରଥ ଓ ଘୋଡ଼ାଙ୍କୁ ଦେବାକୁ ଚାହିଁବି। ଭାରତର କୋଣଅନୁକୋଣ ଓ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଥିବା ପ୍ରତିଟି ଓଡ଼ିଆଙ୍କ ପାଇଁ ଏହି ସମ୍ମାନ ସମର୍ପିତ। ଏହାର ଶ୍ରେୟ ପତ୍ନୀ କୁଲଦୀପ୍ କୌର ଏବଂ ବନ୍ଧୁ ପ୍ରଫେସର ଶାନ୍ତିଦେଭ୍ଙ୍କୁ ମଧ୍ୟ ନ ଦେଇ ରହିପାରୁନାହିଁ।
ସଫ୍ଦରଜଙ୍ଗ ଏନ୍କ୍ଲେଭ, ନୂଆଦିଲ୍ଲୀ
bibhujournalist@gmail.com



