ଆଜି ସମସ୍ତେ ପିଲା

0

ଚିନ୍ମୟ କୁମାର ହୋତା

prayash

ସେଦିନ ବଡ ସହରଟିର ସୁବୃହତ ମଲ୍‌ଟି ଝଲସୁଥିଲା ନାନା ରଙ୍ଗର ପରିପାଟୀ ଓ ଆଲୋକସଜ୍ଜା ଭିତରେ। ଏତେ ସାଜସଜ୍ଜା ଭିତରେ ଗୋଟିଏ କଥା ନିହାତି ଖାପଛଡା ଲାଗୁଥିଲା। ତାହା ଥିଲା ମଲ୍‌ ଭିତରେ ବୁଲୁଥିବା ପୁରୁଷ ଓ ସ୍ତ୍ରୀ ଲୋକଙ୍କର ବେଶପୋଷାକ। ବାପାମାନେ ହାଫ୍‌ପ୍ୟାଣ୍ଟ୍‌ ପିନ୍ଧି ବୁଲୁଥିବାବେଳେ ଛୋଟ ପିଲାମାନେ ପିନ୍ଧିଥିଲେ ଫୁଲ୍‌ପ୍ୟାଣ୍ଟ। କଲେଜ ଯିବା ସମୟର କଥା ମନେପଡିଗଲା। କଲେଜ ଯିବାର ଗୋଟିଏ ମୁଖ୍ୟ ଆକର୍ଷଣ ଥିଲା ହାଫ୍‌ପ୍ୟାଣ୍ଟରୁ ଫୁଲ୍‌ ପ୍ୟାଣ୍ଟ୍‌କୁ ଉନ୍ନତି। ଫୁଲପ୍ୟାଣ୍ଟ ଥିଲା ପିଲାମାନଙ୍କର ବଡ ହେଇଯିବାର ପ୍ରତୀକ। ଆମ ସମୟରେ ବୟସ୍କମାନେ ବାହାରେ ତ ଦୂରେ ଥାଉ, ଘରେ ମଧ୍ୟ ହାଫ୍‌ ପ୍ୟାଣ୍ଟ୍‌ ପିନ୍ଧିବା କଥା ଚିନ୍ତା କରି ପାରୁ ନଥିଲେ। ଆଜି ବୟସ୍କମାନେ ପିଲାଙ୍କ ପୋଷାକ ହାଫ୍‌ପ୍ୟାଣ୍ଟକୁ ଆପଣେଇ ନେଇଥିବା କଥାରୁ ମନକୁ ଆସିଲା କେବଳ ପୋଷାକ କାହିଁକି, ଆଚରଣ, ଚିନ୍ତାଧାରା ଓ ପ୍ରବୃତ୍ତିରେ ଆଜି ସମସ୍ତେ ଏଠି ପିଲା। ବୟସ୍କମାନେ ଅଧିକାଂଶ ସମୟ ସ୍ମାର୍ଟଫୋନ ନାମକ ଖେଳଣା ପଛରେ ବ୍ୟସ୍ତ। ଛୋଟପିଲାମାନେ ସତେ ଯେମିତି ବଡବଡିଆଙ୍କ ମାର୍ଗଦର୍ଶକ।
ଧରା ପୃଷ୍ଠରେ ମଣିଷ ଜନ୍ମ ନେଲା ଦିନଠାରୁ ଏଇ ମାତ୍ର ତିନିଶହ ବର୍ଷ ଆଗ ପର୍ଯ୍ୟନ୍ତ ଶୈଶବ ଥିଲା ନିହାତି ଅବହେଳିତ। ଛୋଟ ଶିଶୁ ଓ ଅପ୍ରାପ୍ତ ବୟସ୍କମାନଙ୍କୁ କଳା, ବିଜ୍ଞାନ, ସାହିତ୍ୟ କିମ୍ବା ଧର୍ମ, କୌଣସି କ୍ଷେତ୍ରରେ ଗୁରୁତ୍ବ ଦିଆଯାଉ ନଥିଲା। ମଣିଷ ପିଲାର ଶୈଶବକୁ ବିସ୍ମୃତିର ଏକ ଅଦରକାରୀ ସମୟ ବୋଲି ଧରି ନିଆଯାଉଥିଲା। ଏଥିପାଇଁ ଉଚ୍ଚ ଶିଶୁ ମୃତ୍ୟୁହାର, ତତ୍କାଳୀନ ଧାର୍ମିକ ଚିନ୍ତାଧାରା, ଜନ୍ମ ନିୟନ୍ତ୍ରଣ ରହିତ ବୃହତ୍ ପରିବାର ଓ ଅର୍ଥନୈତିକ ବାଧ୍ୟବାଧକତା ମୁଖ୍ୟତଃ ଦାୟୀ ଥିଲା। ଛୋଟ ପିଲାମାନଙ୍କୁ ବାପା, ମା’ ତଥା ସାମାଜିକ ଗୋଷ୍ଠୀ ପାଇଁ ଏକ ବୋଝ ବୋଲି ଧରିନିଆ ଯାଉଥିଲା। ଅବହେଳିତ ଏହି ଶୈଶବ ଅବସ୍ଥାରେ କିନ୍ତୁ ପିଲାମାନଙ୍କୁ ପରିବାରର ରୋଜଗାରରେ ଯୋଗଦାନ କରିବା ପାଇଁ ନାନା ବିପଦସଙ୍କୁଳ କାର୍ଯ୍ୟରେ ନିୟୋଜିତ କରାଯାଉଥିଲା।
ଶୈଶବ ପ୍ରତି ସମାଜର ଏହି ପକ୍ଷପାତିତା ପ୍ରାୟ ଦୁଇ ଶହ ବର୍ଷ ତଳେ ବଦଳିବାକୁ ଲାଗିଲା ଯେତେବେଳେ ଦାର୍ଶନିକମାନେ ମତ ଦେଲେ ଯେ ଏକ ସୁସ୍ଥ ଓ ସଫଳ ବ୍ୟକ୍ତିତ୍ୱ ଗଢିବା ପାଇଁ ମୂଳଦୁଆ ପକାଇବାର ପ୍ରକୃଷ୍ଟ ସମୟ କେବଳ ପିଲାବେଳ। ଏହି ଦାର୍ଶନିକମାନଙ୍କ ମତରେ ଶିଶୁଟିଏର ମନ ଗୋଟିଏ ଖାଲି ସିଲଟ ଭଳି, ଏହା ଜନ୍ମ ବେଳେ କିଛି ବି ପ୍ରାରବ୍ଧ ମାନସିକ ସାମଗ୍ରୀ ନେଇ ଆସି ନ ଥାଏ। ଏହି ତତ୍ତ୍ବର ପ୍ରସାର ଓ ସାମାଜିକ ସ୍ବୀକୃତି ପରଠୁଁ ଶିଶୁମାନଙ୍କ ଲାଳନପାଳନ, ଶିକ୍ଷାଦାନର ପଦ୍ଧତି, ସେମାନଙ୍କ ପ୍ରତି ବ୍ୟବହାର, ସବୁକିଛି ବଦଳିବାରେ ଲାଗିଲା। କାଳକାଳର ହତାଦର ଓ ଫିଙ୍ଗାଫୋପଡା ପରେ ଶୈଶବ ଯେମିତି ପ୍ରଥମ ଥର କରି ପାଇଲା ତା’ର ମାନ୍ୟତା ଓ ପରିଚୟ। ଊନବିଂଶ ଶତାବ୍ଦୀରେ ଏମିତି ଏକ ସମୟ ଆସିଲା ଯେତେବେଳେ ରୋମାଣ୍ଟିକ ଚେତନାଧର୍ମୀମାନେ ଘୋଷଣା କଲେ ଯେ ଶୈଶବ ହିଁ ବାସ୍ତବିକ ମଣିଷର ଜ୍ଞାନ ଓ ବୁଦ୍ଧିମତ୍ତାର ଉତ୍ସ। ଇଂରାଜୀ କବି ୱାର୍ଡସୱାର୍ଥ ତ ଲେଖି ପକାଇଲେ,“ବାଳୁତଟିଏ ହିଁ ବୟସ୍କ ମଣିଷର ପିତା” (ଦି ଚାଇଲ୍ଡ ଇଜ୍‌ ଦି ଫାଦର ଅଫ୍‌ ମ୍ୟାନ); ଯାହାର ଅର୍ଥ ହେଲା ବାଲ୍ୟକାଳ ହିଁ ମଣିଷର ଭବିଷ୍ୟତ ଚରିତ୍ର ଓ ଆଚରଣର ରୂପ ଦେଇଥାଏ।
ବାସ୍‌, ଏ ସବୁ ପରିବର୍ତ୍ତନ ଦ୍ବାରା ପିଲାଟିଏ ଯେମିତି ଶତାବ୍ଦୀ-ଶତାବ୍ଦୀର ଅବହେଳାର ପ୍ରତିଶୋଧ ନେଉଛି। ଏହି ପଟ୍ଟପରିବର୍ତ୍ତନ ଚରମ ଉତ୍କର୍ଷରେ ପହଞ୍ଚିଛି ଗୋଟିଏ ଦୁଇଟି ଦଶନ୍ଧି ଆଗରୁ। ଏବେ ପିଲାବେଳ ବୟସ୍କଙ୍କ ଇଲାକାକୁ କବଳିତ କରିବାକୁ ସତେ ଯେମିତି ଦୃଢପରିକର। ଗୋଟିଏ ବା ଅତି ବେଶୀରେ ଦୁଇଟି ସନ୍ତାନର ପରିବାରରେ ବାପା, ମା’ ପିଲାମାନଙ୍କୁ ମାତ୍ରାଧିକ ଗୁରୁତ୍ବ ଦେଉଛନ୍ତି, ଏଣେ ଇଣ୍ଟରନେଟର କ୍ରମବର୍ଦ୍ଧିଷ୍ଣୁ ପ୍ରଭାବ ଫଳରେ ପିଲାମାନେ ଖେଳକୁଦ ଓ ଘର ବାହାରେ ସାଙ୍ଗ ସାଥି ବନାଇବା ପ୍ରତି ବିମୁଖ ହେଉଛନ୍ତି। ତୀବ୍ର ପ୍ରତିଯୋଗିତାମୂଳକ ଜୀବନରେ ସଫଳକାମ ହେବାପାଇଁ ଅଭିଭାବକମାନେ ନିଜ ପିଲାମାନଙ୍କର ସମସ୍ତ ନ୍ୟାଯ୍ୟ-ଅନ୍ୟାଯ୍ୟ ଦାବି ବିନା ଦ୍ବିଧାରେ ମାନି ନେଉଛନ୍ତି। ପିଲାମାନେ ଗୋଟିଏ ଜିନିଷ ବ୍ୟବହାର କରିବା ଉଚିତ କି ଅନୁଚିତ, ସେ କଥା ଚିନ୍ତା ନ କରି ପିଲାଙ୍କ ମନରେ ଅଭାବବୋଧ ସୃଷ୍ଟି କରିବାକୁ ନ ଦେବା ପାଇଁ ଦାମୀଦାମୀ ଜିନିଷ ଯୋଗାଉଛନ୍ତି ଓ ନିଜନିଜର ପାରିଲାପଣିଆ ଜାହିର କରୁଛନ୍ତି। ଲୁହା କଅଁଳ ହେଲେ ବିଲେଇ କାମୁଡିବା ନ୍ୟାୟରେ କୋମଳମତି ପିଲାମାନେ ମଧ୍ୟ ବାପା ମା’ଙ୍କର ଉଦାରପଣିଆର ଫାଇଦା ଉଠାଉଛନ୍ତି, ନିଜନିଜ ଦାବି ଓ ଜିଦର ଚାପ ବଢାଇ। ତେଣୁ ଆଜିର ପରିବାରମାନଙ୍କରେ କିଣାକିଣି କିମ୍ବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପଛରେ ପିଲାମାନଙ୍କର ପ୍ରଚ୍ଛନ୍ନ ହାତ ରହୁଛି।
ସାମାଜିକ ଆଚରଣର ଏହି ମହତ୍ତ୍ବପୂର୍ଣ୍ଣ ପରିବର୍ତ୍ତନଟି ଉପରେ କିନ୍ତୁ ତୀକ୍ଷଣ ନଜର ରଖିଛି ବ୍ୟବସାୟର ଦୁନିଆ। ତେଣୁ ବେଶପୋଷାକ ହେଉ କି ଖାଦ୍ୟପେୟ, ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ହେଉ ଅଥବା ଦାମୀ କାର୍‌, ସବୁ କ୍ଷେତ୍ରରେ ବିଜ୍ଞାପନ ଓ ବିକ୍ରି ପାଇଁ ଛୋଟପିଲାମାନଙ୍କୁ ଲକ୍ଷ୍ୟବସ୍ତୁ କରାଯାଉଛି। ପିଲା ଚାହିଁଲେ ବଡମାନେ ମାନିବାକୁ ବାଧ୍ୟ। , ତେଣୁ ଆଜି ସମସ୍ତେ ପିଲା।
ସୌଭାଗ୍ୟ ନଗର, ଭୁବନେଶ୍ବର

kalyan agarbati
Leave A Reply