‘ଜୟ ଅନୁସନ୍ଧାନ’ ପରେ?

0

ଗଙ୍ଗାଧର ସାହୁ

କୌଣସି ଜିନିଷର ଜୟଗାନ କରିବା ଅର୍ଥ ତା’ର ବିଜୟ କାମନା କରିବା ଓ ସ୍ୱାଗତ କରିବା । ‘ଜୟ ଅନୁସନ୍ଧାନ’ର ମାନେ ମଧ୍ୟ ସେୟା। ଅନୁସନ୍ଧାନମାନେ ଗବେଷଣାତ୍ମକ ଜ୍ଞାନ। ‘ଜୟ ଅନୁସନ୍ଧାନ’ ଅର୍ଥ ଗବେଷଣାତ୍ମକ ଜ୍ଞାନର ବିଜୟ ହେଉ। ଏହି ଉକ୍ତିର ପୃଷ୍ଠଭୂମି, ଯଥାର୍ଥତା ଓ ସମୟ ଉପଯୋଗିତା ଆଲୋଚନା କରିବା ପୂର୍ବରୁ ଜଣେ ରାଷ୍ଟ୍ରନାୟକଙ୍କର ଆହ୍ୱାନ କେତେ ମୂଲ୍ୟବାନ ବିଚାର କରିବା । ରାଷ୍ଟ୍ରର ରାଷ୍ଟ୍ରନାୟକମାନେ ଚିନ୍ତାନାୟକ ଓ ମାର୍ଗଦର୍ଶକ ଅଟନ୍ତି। ସେମାନଙ୍କ ଚିନ୍ତାଧାରା, କାର୍ଯ୍ୟପଦ୍ଧତି ଉଦ୍‌ବୋଧନ, ଆଚରଣ, ଉଚ୍ଚାରଣ ରାଷ୍ଟ୍ରର ଭାବମୂର୍ତ୍ତି ନିର୍ଣ୍ଣୟ କରିବା ସଙ୍ଗେସଙ୍ଗେ ପ୍ରଗତି ଓ ସମୃଦ୍ଧିର ପଥ ପରିଷ୍କାର କରେ। ଜନସାଧାରଣ ନିୟମିତ ବ୍ୟବଧାନରେ ଏହି ରାଷ୍ଟ୍ରନାୟକମାନଙ୍କୁ ନିର୍ବାଚିତ କରି ଦେଶ ତଥା ନିଜର ଭାଗ୍ୟକୁ ଏମାନଙ୍କ ହାତରେ ସମର୍ପି ଦିଅନ୍ତି।
ଭାରତବର୍ଷରେ ଯେଉଁ ରାଷ୍ଟ୍ରନାୟକମାନେ ଭାରତ ନିର୍ମାଣ ତଥା ରାଷ୍ଟ୍ର ଗଠନରେ ନିଜର ଛାପ ଛାଡିଯାଇଛନ୍ତି ସେମାନଙ୍କ ମଧ୍ୟରେ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ, ସୁଭାଷ ଚନ୍ଦ୍ର ବୋଷ, ସର୍ଦାର ବଲ୍ଲଭଭାଇ ପଟେଲ, ଲାଲ ବାହାଦୁର ଶାସ୍ତ୍ରୀ, ଅଟଳ ବିହାରୀ ବାଜପେୟୀ ଓ ଏ.ପି.ଜେ ଅବଦୁଲ କଲାମ ଅନନ୍ୟ ଓ ଅଭୁଲା ବ୍ୟକ୍ତିତ୍ୱ।
ଏହି ରାଷ୍ଟ୍ରନାୟକମାନଙ୍କର ମୁଖନିଃସୃତ ଗୋଟିଏଗୋଟିଏ ଶବ୍ଦ ରାଷ୍ଟ୍ରର ଦିଗ ନିର୍ଣ୍ଣୟ କରିବା ସହିତ ଜନସାଧାରଣଙ୍କୁ ରାଷ୍ଟ୍ରଭକ୍ତିରେ ଉଦ୍‌ବୁଦ୍ଧ କରଛି। ସୁଭାଷ ବୋଷଙ୍କ ଦିଲ୍ଲୀ ଚଲୋ, ମହାତ୍ମା ଗାନ୍ଧୀଙ୍କ ସତ୍ୟ ଓ ଅହିଂସା, ସର୍ବୋଦୟ, ଭାରତଛାଡ ଡାକରା, ନେହେରୁୁଙ୍କ ‘ଟ୍ରାଇଷ୍ଟ ଉଇଥ୍‌ ଡେଷ୍ଟିନି’ ଏବେବି ଉଚ୍ଚାରଣ ମାତ୍ରେ କମ୍ପନ ସୃଷ୍ଟି କରେ। ସେହିପରି ଲାଲବାହାଦୁର ଶାସ୍ତ୍ରୀ, ଯିଏ ଭାରତର ତତ୍କାଳୀନ ପରିସ୍ଥିତିକୁ ଦେଖି ୧୯୬୫ରେ ଦିଲ୍ଲୀର ରାମଲୀଳା ପଡିଆରେ ଉଦ୍‌ବୋଧନ ସମୟରେ “ଜୟ ଯବାନ ଜୟ କିଷାନ” ନାରା ଦେଇଥିଲେ। ଏହି ସମୟରେ ପଡୋଶୀ ପାକିସ୍ତାନ ଭାରତ ଉପରେ ଆକ୍ରମଣ କରିବାରୁ ଆମର ଯବାନମାନେ ନିଜର ଜୀବନକୁ ବଳିଦାନ ଦେଇ ରାଷ୍ଟ୍ର ରକ୍ଷା ପାଇଁ ଯୁଦ୍ଧ କରୁଥିଲେ। ଅନ୍ୟପଟରେ ଦେଶରେ ଜନସଂଖ୍ୟା ବୃଦ୍ଧି, ଆର୍ଥିକ ଅଭାବ, ବିଦେଶରୁ କରଜ, ଖାଦ୍ୟଶସ୍ୟ ଆମଦାନୀ ରୋକିବାକୁ ଯାଇ ସେ କୃଷକମାନଙ୍କୁ ମୁଣ୍ଡ ଝାଳ ତୁଣ୍ଡରେ ମାରି ଅଧିକରୁ ଅଧିକ ଖାଦ୍ୟଶସ୍ୟ ଉତ୍ପାଦନ ନିମନ୍ତେ ଆହ୍ୱାନ ଦେଲେ “ଜୟ ଜବାନ, ଜୟ କିଷାନ” । ଦେଶର ତତ୍କାଳୀନ ପରିସ୍ଥିତିରେ ଯବାନ ଓ କିଷାନ ଦୁଇ ଜଣଙ୍କର ରାଷ୍ଟ୍ରକୁ ପ୍ରଗତିଶୀଳ, ସ୍ଥିର, ସୁରକ୍ଷିତ ଓ ସ୍ୱାବଲମ୍ବୀ କରିବାରେ ଯଥେଷ୍ଟ ଭୂମିକା ଥିଲା ଏବଂ ସତକୁ ସତ ଏହାପରେ ପରେ ଆମ ଦେଶରେ ସବୁଜ ବିପ୍ଳବ ଦେଖାଦେଲା। ଆମ ଦେଶର ବୀର ଯବାନମାନେ ଯୁଦ୍ଧକରି ବାଂଲାଦେଶକୁ ଆଜାଦ୍ କରାଇଲେ ।
ସମୟ ଗଡି ଚାଲିଲା। ରାଷ୍ଟ୍ର ମଧ୍ୟ ଆଗେଇ ଚାଲିଲା। ଆଉ ଜଣେ ଜନନାୟକ ଅଟଳ ବିହାରୀ ବାଜପେୟୀ ଭାରତର ପ୍ରଧାନମନ୍ତ୍ରୀ ଭାବେ ଦେଶର ମଙ୍ଗ ଧରିଲେ। ତାଙ୍କର ଧୀଶକ୍ତି, ଦୂରଦୃଷ୍ଟି ଏବଂ ବାକ୍ ନିପୁଣତା ଅନନ୍ୟ ଓ ଅତୁଳନୀୟ। ଏହି ସମୟରେ ଭାରତର ପଡୋଶୀ ରାଷ୍ଟ୍ର ପାକିସ୍ତାନ, ଚୀନ ସବୁବେଳେ ସୀମା ଭିତରେ ଓ ସୀମା ବାହାରେ ଅସ୍ଥିରତା ସୃଷ୍ଟି କରିବାରେ ଲାଗିଥାନ୍ତି। ବାଜପେୟୀ ଏବଂ ଏ.ପି.ଜେ ଅବଦୁଲ କଲାମଙ୍କ ଯୋଡି ବିରଳ ଏବଂ ଭାରତବର୍ଷ ପାଇଁ ଏକ ଅନନ୍ୟ ଅବଦାନ। ପ୍ରଧାନମନ୍ତ୍ରୀ ବାଜପେୟୀ, କଲାମ ଯିଏ କି ସେ ସମୟର ମିସାଇଲ୍ ମ୍ୟାନ୍ ଭାବରେ ପରିଚିତ, ତାଙ୍କୁ ନେଇ ନିଜର ଆଣବିକ ପରୀକ୍ଷା ଯୋଜନାକୁ ଏପରି ଭାବରେ ତର୍ଜମା ଓ ସାକାର କଲେ ଯେ ଆମେରିକାର ହଜାରହଜାର ବୈଜ୍ଞାନିକ ୨୪ଘଣ୍ଟା ନାସା କମ୍ପ୍ୟୁଟର ଓ ଉପଗ୍ରହ ଆଗରେ ବସି ମଧ୍ୟ ତିଳେମାତ୍ର ସୁରାକ୍‌ ପାଇପାରିଲେ ନାହିଁ। ଏହି ପୋଖରାନ୍ ଆଣବିକ ପରୀକ୍ଷା ପରେପରେ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ ୧୯୯୮ରେ ଦେଶକୁ ସମ୍ବୋଧନ ମାଧ୍ୟମରେ “ଜୟ ବିଜ୍ଞାନ” ଆହ୍ୱାନ ଦେଇ ବିଜ୍ଞାନର ଜୟଯାତ୍ରା ଓ ଆବଶ୍ୟକତା ଉପରେ ଦେଶବାସୀଙ୍କୁ ଜଣାଇଦେଲେ। ହଁ, ଠିକ୍ ସେହି ମାର୍ଗରେ ଦେଶରେ ବିଜ୍ଞାନର ଅଭ୍ୟୁଦୟ ହେଲା। ବଜେଟର ବନ୍ଦୋବସ୍ତ ହେଲା। ଅନେକ କଳକାରଖାନା, ଆଇ.ଟି. କମ୍ପାନୀ, ଏମ୍‌ସ୍‌, ଜାତୀୟ ରାଜପଥ ଗୋଲଡେନ୍ କ୍ୱାଡ୍ରଲାଟେରାଲ ନିର୍ମାଣ କରାଗଲା । ଏହି ଜନନାୟକଙ୍କ ଦୂରଦୃଷ୍ଟିର ପ୍ରକୃତ ଲାଭ ଭାରତକୁ ମିଳିଲା। ଭାରତ ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା, ମହାକାଶ ଅଭିଯାନ କ୍ଷେତ୍ରରେ ଆମେରିକା, ରୁଷିଆ, ଚୀନ ସହିତ ବର୍ତ୍ତମାନ ସମକକ୍ଷ ହେଲା ।
ସମୟ ସ୍ରୋତରେ ଗତିକରି ଆମେ ବର୍ତ୍ତମାନ ୨୦୧୯ରେ ଉପନୀତ। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାନୁୁଆରୀ ୩ରେ ପଞ୍ଜାବର ଜଲନ୍ଧରଠାରେ ୧୦୬ ତମ ଭାରତୀୟ ବିଜ୍ଞାନ କଂଗ୍ରେସରେ ଉଦ୍‌ବୋଧନ ଦେଇ କହିଲେ “ଆଜିର ଆହ୍ୱାନ ଜୟ ଜବାନ, ଜୟ କିଷାନ, ଜୟ ବିଜ୍ଞାନ ଓ ଜୟ ଅନୁସନ୍ଧାନ”। ଅର୍ଥାାତ ସେ ଶାସ୍ତ୍ରୀଙ୍କ ଜୟ ଜବାନ ଜୟ କିଷାନ ଓ ବାଜପେୟୀଙ୍କ ଜୟ ବିଜ୍ଞାନ ସହିତ ଜୟ ଅନୁସନ୍ଧାନକୁ ଯୋଡିବାକୁ ଆହ୍ୱାନ ଦେଲେ। ତାଙ୍କ ମତରେ ଭାରତରେ ବିଜ୍ଞାନର ଅବଦାନ ଯୋଗୁ ୨୦୧୮ ମସିହାରେ ଚକ୍ଷୁହୀନଙ୍କ ପାଇଁ ଦୃଷ୍ଟିଯନ୍ତ୍ର, ଯୋନି କ୍ୟାନସର ଚିକିତ୍ସା, ପ୍ରାକୃତିକ ବିପର୍ଯ୍ୟୟ, ଯଥା ବାତ୍ୟା, ଭୂମିକମ୍ପ, ସୁନାମିର ପୂର୍ବାନୁମାନ ଯନ୍ତ୍ର ଉଦ୍ଭାବନ ହୋଇଛି। ଅନେକ ନୂଆ ଗବେଷଣାତ୍ମକ ସଂସ୍ଥାମାନ ସ୍ଥାପନ ହୋଇଛି, କିନ୍ତୁ ଦରକାର ଅଛି ଅଧିକରୁ ଅଧିକ ଗବେଷଣା ବା ଅନୁସନ୍ଧାନ । ତେଣୁ ଦେଶର ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଗବେଷଣାରତ ଅନୁଷ୍ଠାନମାନେ ଅନୁସନ୍ଧାନ ବ୍ରତୀ ହୋଇ ଦେଶକୁ ଆଗେଇ ନେବାକୁ ତାଙ୍କର ଆହ୍ୱାନ ସମୟ ଉପଯୋଗୀ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଦୂରଦୃଷ୍ଟି ସମ୍ପନ୍ନତାର ପରିଚୟ ପ୍ରଦାନ କରେ।
କିନ୍ତୁ ଅତ୍ୟନ୍ତ ଚିନ୍ତା, ପରିତାପ ଓ ଅନୁସନ୍ଧାନର ବିଷୟ ଯେ, ଏହି ୧୦୬ ତମ ଭାରତୀୟ ବିଜ୍ଞାନ କଂଗ୍ରେସ ଅଧିବେଶନରେ ହିଁ କେତେଜଣ ବିଜ୍ଞାନ ପ୍ରାଧ୍ୟାପକ, ଅଧ୍ୟାପକ, କୁଳପତି ଓ ବୈଜ୍ଞାନିକ ନିଜନିଜର ଭାଷଣରେ ବିଭିନ୍ନ ପ୍ରକାରର ବିବାଦୀୟ ମତ ପୋଷଣ କଲେ । ଏଥର ବିଜ୍ଞାନ କଂଗ୍ରେସର ଆଲୋଚ୍ୟ ବିଷୟ ଥିଲା “ଭବିଷ୍ୟତ ଭାରତ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା”; କିନ୍ତୁ ଏହି ସମ୍ମିଳନୀର ଏକ ଅଧିବେଶନରେ ବିଜ୍ଞାନ ଛାଡି ପୁରାଣ ବାବଦରେ ଅନେକ ବକ୍ତୃତା ଦିଆଗଲା। ଆନ୍ଧ୍ରପ୍ରଦେଶର କୁଳପତି ଜି. ନାଗେଶ୍ୱର ରାଓ ଯିଏକି ଜଣେ ରସାୟନ ବିଜ୍ଞାନର ପ୍ରଫେସର, ମତପୋଷଣ କଲେ ଯେ ମହାଭାରତରେ ଶହେ କୌରବ ଭାଇମାନେ ଗାନ୍ଧାରୀଙ୍କଠାରୁ ଜନ୍ମ ହୋଇ ନଥିଲେ। ଜଣେ ନାରୀପକ୍ଷେ ଜୀବନକାଳ ମଧ୍ୟରେ ଶହେଟି ପିଲା ଜନ୍ମ କରିବା ଅସମ୍ଭବ। ତେଣୁ କୈାରବ ଭ୍ରାତା ସେ ସମୟର ଟେଷ୍ଟଟ୍ୟୁବ ସନ୍ତାନଗଣ। ତାଙ୍କ ମତରେ ଯେଉଁ ଟେଷ୍ଟଟ୍ୟୁବ ବେବିର ଜ୍ଞାନ ଏକବିଂଶ ଶତାବ୍ଦୀର ବୈଜ୍ଞାନିକମାନେ ବାହାର କଲେ ତାହା ଭାରତବର୍ଷରେ ମହାଭାରତର ପୃଷ୍ଠଭୂମିରେ ଦ୍ୱାପର ଯୁଗରେ ସମ୍ଭବ ଥିଲା । ସେ ଏତିକିରେ ରହି ନ ଯାଇ ଆଉ ଗୋଟିଏ କଥା ମଧ୍ୟ କହିଲେ ତାହା ରାମାୟଣ ସହିତ ଜଡିତ । ତାଙ୍କ ମତରେ ରାବଣଙ୍କର ୨୪ ପ୍ରକାର ବ୍ୟୋମଯାନ ଥିଲା ଏବଂ ଶ୍ରୀଲଙ୍କାରେ ତ୍ରେତୟା ଯୁଗରେ ଉଡାଜାହାଜ ଅବତାରଣ କରିବା ପାଇଁ ଏୟାରପୋର୍ଟ ମଧ୍ୟ ଥିଲା । ରାମାୟଣ, ମହାଭାରତ ଛାଡି ନାଗେଶ୍ୱର ରାଓ ମହାଶୟ ଚାର୍ଲସ ଡାରଉଇନଙ୍କ ମତବାଦକୁ ମଧ୍ୟ ଚ୍ୟାଲେଞ୍ଜ କଲେ। ତାଙ୍କ କହିବା ଅନୁଯାୟୀ ହିନ୍ଦୁ ଧର୍ମଶାସ୍ତ୍ରରେ ବର୍ଣ୍ଣିତ ବିଷ୍ଣୁଙ୍କ ଅବତାର ଚାର୍ଲସ ଡାରଉଇନଙ୍କ ବର୍ଣ୍ଣିତ ବିବର୍ତ୍ତନବାଦର ବହୁ ପୂର୍ବରୁ ଭାରତରେ ସମ୍ଭବ ଥିଲା।
ଆଉ ଜଣେ ତାମିଲନାଡୁର ବୈଜ୍ଞାନିକ ଜେ.କେ. କୃଷ୍ଣନ୍ ତାଙ୍କ ଭାଷଣରେ ବ୍ୟକ୍ତ କଲେ ଯେ ନିଉଟନ ଓ ଆଇନଷ୍ଟାଇନଙ୍କ ମତବାଦଗୁଡିକ ଭୁଲ । ସେ ମାଧ୍ୟାକର୍ଷଣ ଶକ୍ତି ତରଙ୍ଗକୁ ‘ନରେନ୍ଦ୍ର ମୋଦୀ ତରଙ୍ଗ’ ଭାବେ ନାମକରଣ ସପକ୍ଷରେ ଯୁକ୍ତି ବାଢିଲେ । ବିଜ୍ଞାନ କଂଗ୍ରେସରେ ଏହିପରି ଅବୈଜ୍ଞାନିକ ମତବାଦ ଓ ପୁରାଣରେ ପ୍ରୋଟନ୍ ଖୋଜିବା ନୂଆ କଥା ନୁହେଁ । ବିଗତ ବର୍ଷମାନଙ୍କରେ ଭାରତ ବିଜ୍ଞାନ କଂଗ୍ରେସ ଅଧିବେଶନମାନଙ୍କରେ ଏହିଭଳି ବହୁ ବିବଦମାନ ମତପୋଷଣ କରାଯାଇଅଛି । ଗଣେଶଙ୍କ ହାତୀମୁଣ୍ଡ ସଂସ୍ଥାପନକୁ ପ୍ଲାଷ୍ଟିକ୍ ସର୍ଜରୀର ଉଦାହରଣ ଦେଇ ଭାରତୀୟ ସଂସ୍କୃତିରେ ବିଜ୍ଞାନର ସ୍ଥିତି କେତେ ପୁରୁଣା, ତାହା ଦର୍ଶାଇବାକୁ ଏକଦା ଜଣେ ପ୍ରମୁଖ ବିଜେପି ନେତା ଚେଷ୍ଟା କରିଥିଲେ, କିନ୍ତୁ ଖୋଦ୍ ବୈଜ୍ଞାନିକମାନେ ଯେତେବେଳେ ପୁରାଣ ଭିତରେ ବିଜ୍ଞାନ ଥିଲା ବୋଲି ଯୁକ୍ତି ବାଢ଼ନ୍ତି ସେହି ସମୟରେ ଆମକୁ ଚିନ୍ତା କରିବାକୁ ପଡ଼ିବ ଯେ ବୈଜ୍ଞାନିକର ଇଏ ଅନ୍ଧବିଶ୍ୱାସ ମାନସିକତା ନା ଅନୁସନ୍ଧାନ ମାନସିକତା । ହୁଏତ ଆସନ୍ତା ବର୍ଷମାନଙ୍କରେ େ​‌କୗଣସି ବିଜ୍ଞାନ କଂଗ୍ରେସରେ ଆଉ କେତେଜଣ ମତ ଦେବେ ଯେ ଭାରତବର୍ଷରେ ଆଗରୁ ଇଣ୍ଟରନେଟ୍ ଥିଲା, ଫେସବୁକ ଥିଲା, ହ୍ୱାଟସ୍‌ଆପ୍ ଥିଲା, କମ୍ପ୍ୟୁଟର ଥିଲା। ସାଧାରଣ ଲୋକ କହିବା ଓ ରାଷ୍ଟ୍ରନେତା ବା ପ୍ରଫେସର, ବୈଜ୍ଞାନିକମାନେ କହିବା ଭିତରେ ଅନେକ ତଫାତ୍ ରହିଛି । ବିଜ୍ଞାନ କଂଗ୍ରେସ ଅଧିବେଶନରେ ପୁରାଣ ଆଲୋଚନା କରାଗଲେ ଅନେକ ସମାଲୋଚକ ଏହାକୁ ଇଣ୍ଡିଆନ୍‌ ସାଇନ୍‌ସ କଂଗ୍ରେସ ନ କହି ଇଣ୍ଡିଆନ ମାଇଥୋଲୋଜି କଂଗ୍ରେସ କହୁଛନ୍ତି । ବିଜ୍ଞାନ ସମ୍ମିଳନୀରେ ବୈଜ୍ଞାନିକ ଚର୍ଚ୍ଚା ଛାଡି ପୌରାଣିକ କାଳ୍ପନିକ ଚର୍ଚ୍ଚା କରିବା, ​‌େ​‌କୗଣସି ବ୍ୟକ୍ତିପୂଜା କରିବା ସମ୍ମିଳନୀ ଉଦ୍ଦେଶ୍ୟ ପରିପନ୍ଥୀ । ମାତ୍ର ଏତିକି କୁହାଯାଇପାରେ ଯେ ଏହି ବିଶିଷ୍ଟ ବ୍ୟକ୍ତିମାନେ ଯଦି ଅନୁସନ୍ଧାନ କରି ବଳିଷ୍ଠ ପ୍ରମାଣ ସହିତ ନିଜର ଯୁକ୍ତି ଉପସ୍ଥାପନ କରନ୍ତେ ତେବେ ଭାରତ କାହିିଁକି, ସମଗ୍ର ପୃଥିବୀ ଭାରତ ଆଡକୁ ତାର ଦୃଷ୍ଟିନିକ୍ଷେପ କରନ୍ତା ଏବଂ ପୃଥିବୀର ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ରସାୟନ ବିଜ୍ଞାନ, ବସ୍ତୁ ବିଜ୍ଞାନ, ଜୀବବିଜ୍ଞାନ ସହିତ ମାଇଥୋଲୋଜି(ପୁରାଣପାଠ) ମଧ୍ୟ ବାଧ୍ୟତାମୂଳକ ବିଷୟ ହିସାବରେ ପଢାଯାଆନ୍ତା। ବିନା ତଥ୍ୟ ବିନା ପ୍ରମାଣରେ ଏ ପ୍ରକାର ଉକ୍ତିଗୁଡିକ ଗପ ସହିତ ସମାନ। ଏଭଳି ହାଲୁକା, ଖାମଖିଅାଲ, ପିଲାଳିଆମି, ଅଯୈାକ୍ତିକ, ଅବୈଜ୍ଞାନିକ ମତ ପରିବେଷଣକୁ ଭାରତ ବିଜ୍ଞାନ କଂଗ୍ରେସ ଅଧିବେଶନରେ ଶୁଣି ଅନେକ ବିଦ୍ୱାନ, ପରିବେଶବିତ୍, ମାନବଧର୍ମୀ, ବିଜ୍ଞାନପ୍ରେମୀମାନେ ଚକିତ ଓ ହତବାକ୍‌ ହୋଇ ପ୍ରଶ୍ନ କରୁଛନ୍ତି ଭାରତର ଗତି କୁଆଡେ, ଆଗକୁ ନା ପଛକୁ ? ଇଏ ଅନୁସନ୍ଧାନ ନା ଅନୁମାନ? ପ୍ରଧାନମନ୍ତ୍ରୀଙ୍କ “ଜୟ ଅନୁସନ୍ଧାନ” ଓ ଆନ୍ଧ୍ରପ୍ରଦେଶ କୁଳପତିଙ୍କ “ଜୟ ଅନୁମାନ” ଆହ୍ୱାନ ଗୋଟିଏ ମଞ୍ଚରେ ଦେଖି ଅନେକ ବୈଜ୍ଞାନିକ ଓ ଛାତ୍ରଛାତ୍ରୀ ଭ୍ରମରେ ପଡି ଦିଗହରା ହେଲାଭଳି ଲାଗୁଛନ୍ତିି। ତେବେ ବିଜ୍ଞାନର ଗତି ଆଗକୁଆଗକୁ। ଯେଉଁସବୁ ସମୟ ଉପ​‌େ​‌ଯାଗୀ ଆହ୍ୱାନ ରାଷ୍ଟ୍ରନାୟକମାନେ ଦେଇଥିଲେ ଯଥା ଜୟ ଜବାନ, ଜୟ କିଷାନ, ଜୟ ବିଜ୍ଞାନ, ଜୟ ଅନୁସନ୍ଧାନ ଏସବୁ କାହା ପାଇଁ ? ଯୁଦ୍ଧ ପାଇଁ? ନା । ଆଣବିକ ଶକ୍ତି ପାଇଁ ? ନା । ଘୃଣା ପାଇଁ ? ନା । ଅନ୍ଧବିଶ୍ୱାସ ପାଇଁ ? ନା । ସରଳ ଉତ୍ତର ହେଲା ମଣିଷ ଜାତିର ସୁଖ, ସମୃଦ୍ଧି, ଶାନ୍ତି, ମୈତ୍ରୀ ଓ ପ୍ରଗତି ପାଇଁ। ତେଣୁ ଜୟ ଜବାନ, ଜୟ କିଷାନ, ଜୟ ବିଜ୍ଞାନ, ଜୟ ଅନୁସନ୍ଧାନ ପରେ “ଜୟ ଅନୁମାନକୁ” ସ୍ଥାନ ଦିଆ ନଯାଇ ​‌େ​‌କୗଣସି ରାଷ୍ଟ୍ରନାୟକ ଅାହ୍ୱାନ ଦିଅନ୍ତୁ, “ଜୟ ଇନସାନ୍”, ଯାହା ମାନବ ଜାତିର କଲ୍ୟାଣ ପାଇଁ ଭାରତୀୟଙ୍କୁ ବ୍ରତୀ କରାଇବ ଓ ବିଶ୍ୱରେ ଭାରତର ମର୍ଯ୍ୟାଦାକୁ ବହୁଗୁଣିତ କରିବ ।

Leave A Reply