ମୁକ୍ତି ଅପେକ୍ଷାରେ ଶୁଆ
ସରକାରୀ ନିର୍ଦେଶରେ ବାଧ୍ୟତାମୂଳକ ଭାବେ ୭୭ଦିନ ଛୁଟି କାଟିବା ପରେ ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା ସିବିଆଇର ନିର୍ଦେଶକ ଆଲୋକ ବର୍ମା ସୁପ୍ରିମକୋର୍ଟଙ୍କ ନିର୍ଦେଶକ୍ରମେ ପୁଣି କାର୍ଯ୍ୟରେ ଯୋଗ ଦେଇଛନ୍ତି। ଗୋଟିଏପଟେ ସର୍ବୋଚ୍ଚ ଅଦାଲତ ତାଙ୍କୁ ନ୍ୟାୟ ପ୍ରଦାନ କରିଥିବାବେଳେ ଅନ୍ୟପଟେ ସ୍ବାଧୀନଭାବେ କାମ କରିବା ଉପରେ କଟକଣା ଲଗାଇଛନ୍ତି। ଚଳିତମାସ ଶେଷରେ ଶ୍ରୀ ବର୍ମା ଅବସର ନେଉଥିବାବେଳେ ଏକ ଉଚ୍ଚ କ୍ଷମତାସମ୍ପନ୍ନ କମିଟି ତାଙ୍କ ବିରୋଧରେ ଚାଲିଥିବା ସିଭିସି ତଦନ୍ତ ଘେନି ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ ନ’କରିବା ପର୍ଯ୍ୟନ୍ତ ସେ କାମଚଳା ମୁଖ୍ୟଭାବେ କାର୍ଯ୍ୟ କରିବେ ବୋଲି ଅଦାଲତ କହିଛନ୍ତି। ଏହି କାମଚଳା ବ୍ୟବସ୍ଥାରେ ସେ ସିବିଆଇର ଦୈନନ୍ଦିନ ଧରାବନ୍ଧା କାମ ତୁଲାଇବେ ଓ କୌଣସି ନୀତିଗତ ଓ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରିବେ ନାହିଁ। ସାତଦିନ ମଧ୍ୟରେ ଉଚ୍ଚକ୍ଷମତାସମ୍ପନ୍ନ କମିଟି ତାଙ୍କ ବିରୋଧରେ ଚାଲିଥିବା ଦୁର୍ନୀତି ମାମଲା ସମ୍ପର୍କରେ ନିଷ୍ପତ୍ତି ନେବେ ଓ ସେଇ ଆଧାରରେ ତାଙ୍କର ଅବଶିଷ୍ଟ ଚାକିରିକାଳର ଭାଗ୍ୟ ନିର୍ଦ୍ଧାରଣ ହେବ। ଏହି ଉଚ୍ଚ କ୍ଷମତାସମ୍ପନ୍ନ କମିଟିରେ ପ୍ରଧାନମନ୍ତ୍ରୀ, ବିରୋଧୀଦଳର ନେତା ଏବଂ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ମନୋନୀତ ଜଣେ ବରିଷ୍ଠ ବିଚାରପତି ସଦସ୍ୟ ରହିବେ। ପ୍ରଧାନମନ୍ତ୍ରୀ ତାଙ୍କ ସରକାରଙ୍କ ନିଷ୍ପତ୍ତିକୁ ସମର୍ଥନ କରି ସିଭିସି ତଦନ୍ତର ଫଳାଫଳକୁ ଅପେକ୍ଷା କରିବେ ଏବଂ ବର୍ମାଙ୍କୁ ସଂପୂର୍ଣ୍ଣ କ୍ଷମତା ଦେବାକୁ ନ’ଚାହିଁବା ସ୍ବାଭାବିକ। ଏଭଳି ସ୍ଥିତିରେ ଅନ୍ୟ ଦୁଇ ସଦସ୍ୟ ଶ୍ରୀ ବର୍ମାଙ୍କୁ ଅବଶିଷ୍ଟ ସମୟ ପାଇଁ ସଂପୂର୍ଣ୍ଣ କ୍ଷମତା ପ୍ରଦାନ କରିବା ସମ୍ଭାବନା କ୍ଷୀଣ ମନେହେଉଛି।
ବର୍ମାଙ୍କୁ ପୁନର୍ବାର ପଦାନସୀନ କରି ସର୍ବୋଚ୍ଚ ଅଦାଲତ ମୋଦୀ ସରକାରଙ୍କୁ ଏକ ଶକ୍ତ ଧକ୍କା ଦେଇଛନ୍ତି ବୋଲି କୁହାଯାଉଥିଲେ ହେଁ ଏହା ବାସ୍ତବରେ ବର୍ମାଙ୍କର ପୂର୍ଣ୍ଣ ବିଜୟ ନୁହେଁ। ସିବିଆଇର ମୁଖ୍ୟ ବର୍ମା ଓ ସ୍ବତନ୍ତ୍ର ନିର୍ଦେଶକ ଅସ୍ଥାନାଙ୍କ ମଧ୍ୟରେ ଯେଉଁ ଲଢ଼େଇ ଓ କନ୍ଦଳ ଚାଲିଥିଲା ତାହା ଯେ ଏହି ସଂସ୍ଥାର ଭାବମୂର୍ତ୍ତି ଉପରେ ଆଞ୍ଚ ଆଣିଥିଲା, ଏଥିରେ ସନ୍ଦେହ ନଥିଲା। ତେଣୁ ଉଭୟଙ୍କୁ ଛୁଟିରେ ପଠାଇବାକୁ ସରକାର ଯେଉଁ ନିଷ୍ପତ୍ତି ନେଇଥିଲେ ତା’ପଛରେ ସିଭିସିଙ୍କ ସୁପାରିସ ଥିଲା ବୋଲି କୁହାଯାଇଥିଲା। ସିଭିସି (କେନ୍ଦ୍ରୀୟ ସତର୍କତା ଆୟୋଗ) ପାଖରେ ସିବିଆଇର ମୁଖ୍ୟ ଓ ଅନ୍ୟାନ୍ୟ ଅଧିକାରୀ ଦୁର୍ନୀତି ମାମଲାରେ ଉତ୍ତରଦାୟୀ। ଯେହେତୁୁ ବର୍ମା ଓ ଅସ୍ଥାନା ପରସ୍ପର ବିରୋଧରେ ଗୁରୁତର ଦୁର୍ନୀତି ଅଭିଯୋଗ ଆଣିଥିଲେ, ତେଣୁ ସିଭିସି ତାହାର ତଦନ୍ତ କରୁଛନ୍ତି।
ଏହି ପ୍ରସଙ୍ଗରେ ବ୍ୟକ୍ତିଠାରୁ ଅନୁଷ୍ଠାନର ମହତ୍ତ୍ବ ଓ ଗୁରୁତ୍ବ ଅଧିକ। ସିବିଆଇ ଏକ ସର୍ବୋଚ୍ଚ ସ୍ବାଧୀନ ତଦନ୍ତକାରୀ ସଂସ୍ଥା ଭାବେ କାର୍ଯ୍ୟକରିବାକୁ ଅଭିପ୍ରେତ ହୋଇଥିଲେ ହେଁ ଏହା ସର୍ବଦା ସରକାରୀ ଚାପ ଓ ହସ୍ତକ୍ଷେପ ଯୋଗୁଁ ନିରପେକ୍ଷଭାବେ କାମ କରିବାରେ ପ୍ରତିବନ୍ଧକର ସମ୍ମୁଖୀନ ହେଉଥିଲା। ଏପରିକି ଖୋଦ୍ ସୁପ୍ରିମକୋର୍ଟ ଏହାକୁ ‘ପିଞ୍ଜରାବଦ୍ଧ ଶୁଆ’ ବୋଲି କେଇବାର ଆକ୍ଷେପ କରିଛନ୍ତି। ଏକ ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥାକୁ ବିନା ଚାପରେ, ନିରପେକ୍ଷଭାବେ କାମ କରିବାକୁ ସୁଯୋଗ ଦିଆଯିବା ଉଚିତ ବୋଲି ବର୍ମାଙ୍କ ମାମଲାରେ ସୁପ୍ରିମକୋର୍ଟ ଯାହା ସବୁ କହିଛନ୍ତି ସେଥିରେ ସନ୍ଦେହର ଅବକାଶ ନାହିଁ; ମାତ୍ର ପ୍ରଶ୍ନ ଉଠୁଛି ଏହି ବ୍ୟବସ୍ଥାଟି ନିଶ୍ଚିତ ହେବ କିପରି? ସିବିଆଇ ନିର୍ଦେଶକ ପଦ ଦୁଇବର୍ଷିଆ କରାଯାଇଥିଲେ ମଧ୍ୟ ତାଙ୍କୁ କାର୍ଯ୍ୟ କରିବାରେ ଆବଶ୍ୟକ ସୁରକ୍ଷା ଯୋଗାଣର ବ୍ୟବସ୍ଥା ହୋଇନାହିଁ। ସେହିପରି ତାଙ୍କ ନିଯୁକ୍ତିର ବିଧିବଦ୍ଧ ବ୍ୟବସ୍ଥା ଥିବାବେଳେ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଅପସାରିତ କରିବାର ନିର୍ଦିଷ୍ଟ ନୀତି ନିୟମ ନାହିଁ। ଏପଟେ ସ୍ବତନ୍ତ୍ର ନିର୍ଦେଶକ ନିଯୁକ୍ତି ବ୍ୟବସ୍ଥା କରି ରାଜନୈତିକ ଚାପ ପ୍ରୟୋଗର ବାଟ ମଧ୍ୟ ଖୋଲି ଦିଆଯାଇଛି ଏଥିପାଇଁ ଯେ ସିବିଆଇ ମୁଖ୍ୟଙ୍କ ପାଇଁ ଚେକ୍ ଓ ବାଲାନ୍ସ ବ୍ୟବସ୍ଥା ନ’ରହିଲେ ସେ ସରକାରଙ୍କ ପାଇଁ ବିପଦ ଏବଂ ସ୍ବେଚ୍ଛାଚାରୀ ହୋଇପାରନ୍ତି। କୁହାଯାଏ ଯେ ରାଫେଲ ମାମଲାର ତଦନ୍ତ ପାଇଁ ବର୍ମା ମସୁଧା କରିବାରୁ ତାଙ୍କୁ ଏ ଦଶା ଭୋଗିବାକୁ ପଡ଼ିଲା ଏବଂ ସେ ସରକାରଙ୍କ କୋପ ଦୃଷ୍ଟିରେ ପଡ଼ିଲେ।
ଏବେ ପ୍ରଶ୍ନ ଉଠୁଛି ପିଞ୍ଜରାବଦ୍ଧ ଶୁଆକୁ ମୁକ୍ତ କରାଯିବ କେମିତି? କୌଣସି ସରକାର ଏଇ ଶୁଆଙ୍କୁ ସ୍ବାଧୀନଭାବେ ଉଡ଼ିବାକୁ ଦେବାକୁ ଚାହିଁବେ ନାହିଁ। ତଥାପି ଜନତା ଚାହେଁ ଏହା ସ୍ବାଧୀନଭାବେ କାର୍ଯ୍ୟ କରୁ ଏବଂ ଏହାର ବିଶ୍ବସନୀୟତା ବଜାୟ ରଖୁ। ସର୍ବୋଚ୍ଚ ଅଦାଲତ ତାଙ୍କ କାର୍ଯ୍ୟ ସଂପାଦନ କରୁଛନ୍ତି; କିନ୍ତୁ ଜଟିଳ ରାଜନୀତି ଓ ସରକାରୀ ଜାଲ ଏତେ ଶକ୍ତିଶାଳୀ ଯେ ସିବିଆଇ ସଂପୂର୍ଣ୍ଣ ନିରପେକ୍ଷ ଓ ମୁକ୍ତ ହେବା ସହସା ସମ୍ଭବ ନୁହେଁ। ବର୍ମାଙ୍କ ଘଟଣା ଏ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି। ସେ ସଂପୂର୍ଣ୍ଣ ନ୍ୟାୟ ପାଇବେ କି ନାହିଁ ତା ଭିନ୍ନ କଥା; କିନ୍ତୁ ଏହା ସିବିଆଇକୁ ନିରପେକ୍ଷ କରିବାସହ ଏହାର ବିଶ୍ବସନୀୟତା ବଜାୟ ରଖିବାରେ ମୂଲ୍ୟବାନ ଅବଦାନ ଯୋଗାଇବ। ତାଙ୍କ ସାହସ ଓ ସଂଗ୍ରାମ ନିଶ୍ଚିତ ପ୍ରଶଂସନୀୟ। ଏବେ ଦେଖିବାକୁ ଅପେକ୍ଷା ସିବିଆଇକୁ କରାୟତ୍ତ କରି ରଖିବାକୁ ସରକାରଙ୍କ ଶକ୍ତି କିପରି ଡେଣା ମେଲାଉଛି।