ସାବରୀମାଳା ହିଂସାରେ ଗିରଫ ସଂଖ୍ୟା ୧୩୬୯କୁ ବୃଦ୍ଧି
ଥିରୁଭାନନ୍ତପୁରମ : ସାବରୀମାଳାସ୍ଥିତ ଆୟାପ୍ପା ମନ୍ଦିରରେ ପରମ୍ପରା ଭାଙ୍ଗି ଦୁଇ ଜଣ ମହିଳାଙ୍କ ପ୍ରବେଶକୁ ନେଇ କେରଳରେ ଗୁରୁବାର ବନ୍ଦ ପାଳନ ସମୟରେ ସୃଷ୍ଟିହୋଇଥିବା ବ୍ୟାପକ ହିଂସାକାଣ୍ଡ ଘଟଣାରେ ଗିରଫ ସଂଖ୍ୟା ୧୩୬୯ରେ ପହଞ୍ଚିଛି। କେବଳ କୋଚି, ଏର୍ଣ୍ଣାକୁଲମ୍ ଓ ଆଲ୍ଲାପୂଜାରୁ ସର୍ବାଧିକ ଗିରଫ ହୋଇଛନ୍ତି। ଏହାଛଡ଼ା ଇଡୁକି ସମେତ ବିଭିନ୍ନ ଅଞ୍ଚଳରୁ ୭୧୭ଜଣଙ୍କୁ ଅଟକ ରଖାଯାଇଛି। ପାଲ୍ଲାକାଡ଼ଠାରେ ଗୁରୁବାର ଜାରି ହୋଇଥିବା ନିଷେଧାଦେଶ ବଳବତ୍ତର ରହିଛି। ସେଠାରେ ଉତ୍ତେଜନା ଲାଗିରହିଥିବାରୁ ସ୍ଥାନୀୟ ଜିଲାପାଳ ପରିସ୍ଥିତିରେ ସୁଧାର ଆଣିବା ଲକ୍ଷ୍ୟରେ ସର୍ବଦଳୀୟ ବୈଠକ ଡକାଇ ଆଲୋଚନା କରିଛନ୍ତି।
ଅପରପକ୍ଷରେ ବୁଧବାର ଦୁଇ ମହିଳାଙ୍କ ପ୍ରବେଶକୁ ନେଇ ଅଶାନ୍ତ ପରିସ୍ଥିତି ତମି ନ ଥିବାବେଳେ ଅନ୍ୟ ଜଣେ ମହିଳା ଏହି ମନ୍ଦିରରେ ପ୍ରବେଶ କରିଥିବା ପୁଲିସ କହିଛି। ଶଶିକଳା ନାମ୍ନୀ ଶ୍ରୀଲଙ୍କାର ଜଣେ ୪୬ବର୍ଷୀୟ ମହିଳା ଗୁରୁବାର ରାତି ୧୧ଟାରେ ମନ୍ଦିରରେ ପ୍ରବେଶ କରି ମନ୍ଦିର ଗର୍ଭଗୃହରେ ପ୍ରାର୍ଥନା କରିଥିବା ପୁଲିସ କହିଛି। ପୁଲିସ ତାଙ୍କର ପ୍ରବେଶ ସଂକ୍ରାନ୍ତ ଭିଡିଓ ମହଜୁଦ ରଖିଥିବା କହିଛି; ମାତ୍ର ଏହାକୁ ଶଶିକଳା ଅସ୍ବୀକାର କରିଛନ୍ତି। ସ୍ବାମୀ ଶ୍ରବଣନ୍ ଏବଂ ପୁତ୍ର ଦର୍ଶନଙ୍କ ସହିତ ସାବରୀମାଳା ଆସିଥିବା ଶଶିକଳା ପାମ୍ବାଠାରେ କହିଛନ୍ତି ଯେ ଭକ୍ତମାନେ ତାଙ୍କୁ ବିରୋଧ କରି ନ ଥିଲେ ମଧ୍ୟ ପୁଲିସ ତାଙ୍କୁ ମନ୍ଦିର ଆଡକୁ ଯିବାକୁ ନ ଦେଇ ମରକୂଟ୍ଟମଠାରୁ ଫେରାଇ ଦେଇଥିଲା। ତାଙ୍କ ପୁତ୍ର ଓ ସ୍ବାମୀ କେବଳ ମନ୍ଦିର ଭିତରକୁ ଯାଇଥିଲେ। ୪୧ ଦିନିଆ ବ୍ରତ ପାଳନ ସତ୍ତ୍ବେ ପୂଜା ପାଇଁ ପୁଲିସ ତାଙ୍କୁ ମନ୍ଦିରକୁ ଯିବାକୁ ଦେଇ ନ ଦେବାରୁ ଶଶିକଳା କ୍ଷୋଭ ପ୍ରକାଶ କରିଛନ୍ତି।
ଅପରପକ୍ଷରେ ସୁପ୍ରିମକୋର୍ଟ ରାୟ ବିରୋଧରେ ଆନ୍ଦୋଳନ ଚଳାଇଥିବା ସାବରୀମାଳା କର୍ମ ସମିତି ପକ୍ଷରୁ ବିକ୍ଷୋଭ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଘୋଷଣା କରାଯାଇଛି। ରାଜ୍ୟର ବାମପନ୍ଥୀ ସରକାର ଓ କିଛି ବିଧର୍ମୀ ସଂଗଠନ ପକ୍ଷରୁ ମନ୍ଦିରର ପରମକ୍ପରା ନଷ୍ଟ କରିବା ଉଦ୍ୟମ ଚାଲିଛି; ଏହାର ଏନ୍ଆଇଏ ତଦନ୍ତ କରାଯିବାକୁ ସମିତି ପକ୍ଷରୁ ଦାବି କରାଯାଇଛି। ଏହାକୁ ବିଜେପି ଓ ଆରଏସ୍ଏସ୍ ପକ୍ଷରୁ ସମର୍ଥନ କରାଯାଇଛି।
ଅନ୍ୟଏକ ଘଟଣାକ୍ରମେ କାୟାଲ ନାମକ ଜଣେ ମହିଳା ନିଜକୁ କିନ୍ନର ବୋଲି ଦର୍ଶାଇ ଶୁକ୍ରବାର ପୂର୍ବାହ୍ଣ ୬ଟାରେ ମନ୍ଦିରରେ ପ୍ରବେଶ ଉଦ୍ୟମ କରିଥିଲେ; କିନ୍ତୁ ପୁଲିସ ତାଙ୍କୁ ଅଧାବାଟରୁ ଫେରାଇ ଦେଇଛି। କାୟାଲ ପ୍ରଥମେ ଶାଢି ପିନ୍ଧି ଆସିଥିଲେ ମଧ୍ୟ ପରେ ପୋଷାକ ପରିବର୍ତ୍ତନ କରି ପୁରୁଷଙ୍କ ବେଷରେ ପ୍ରବେଶ ଉଦ୍ୟମ କରିଥିଲେ। ନିକଟରେ ୪ ଜଣ କିନ୍ନର ଏହି ମନ୍ଦିରରେ ପୂଜା କରି ଚର୍ଚ୍ଚାକୁ ଆସିଥିଲେ। ସବୁ ବୟସର ମହିଳାଙ୍କ ପ୍ରବେଶ ସପକ୍ଷରେ ସେପ୍ଟେମ୍ବର ୨୮ର ସର୍ବୋଚ୍ଚ ଅଦାଲତଙ୍କ ରାୟକୁ ଆୟପ୍ପା ସମର୍ଥକଙ୍କ ଦୃଢ ବିରୋଧ ସତ୍ତ୍ବେ ବିନ୍ଦୁ ଆମିନି(୪୨) ଏବଂ କନକଦୁର୍ଗା (୪୪) ଗୁରୁବାର ପ୍ରଥମ କରି ଏହି ମନ୍ଦିରରେ ପ୍ରବେଶ କରିଥିଲେ। ଏହି ଘଟଣାକୁ ନେଇ କେରଳରେ ବିଜେପି, ଆରଏସ୍ଏସ୍ ଓ ଅନ୍ୟ ହିନ୍ଦୁ ସଂଗଠନଗୁଡ଼ିକ ଦ୍ବାରା ବନ୍ଦ ଡାକରା ଦିଆଯାଇଥିଲା। ଗୁରୁବାର ବନ୍ଦ ପାଳନ ହିଂସାତ୍ମକ ରୂପ ଧାରଣ କରିଥିଲା।