୧୨୩ କୋଟିଙ୍କୁ ମିଳିଛି ଆଧାର

0

ନୂଆଦିଲ୍ଲୀ : ଦେଶରେ ଗତ ନଭେମ୍ବର ୩୦ ସୁଦ୍ଧା ମୋଟ ୧୨୩କୋଟି ଆଧାର ପରିଚୟପତ୍ର ପ୍ରଦାନ କରାଯାଇଛି। ରାଜ୍ୟସଭାରେ ବୁଧବାର ଏହି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ହଂସରାଜ ଆହିର। ୨୦୧୧ ଜନଗଣନା ଅନୁସାରେ ଦେଶର ଜନସଂଖ୍ୟା ୧୨୧କୋଟି ୮ଲକ୍ଷ ୫୪ହଜାର ୯୭୭ ଥିବାବେଳେ ମୋଟ ୧୨୨କୋଟି ୯୦ଲକ୍ଷଙ୍କୁ ଆଧାର ପ୍ରଦାନ କରାଯାଇଛି। ଏଥିମଧ୍ୟରେ ପାଞ୍ଚ ବର୍ଷରୁ କମ୍‌ ୬କୋଟି ୭୧ଲକ୍ଷ ଶିଶୁ ରହିଥିବାବେଳେ ୫ରୁ ୧୮ବର୍ଷ ମଧ୍ୟରେ ୨୯କୋଟି ୨ଲକ୍ଷ ଅଛନ୍ତି ବୋଲି ଆହିର କହିଛନ୍ତି। ଗତ ବର୍ଷ ମୋଟ ୨କୋଟି ୮ଲକ୍ଷ ୯୮ହଜାର ୨୨୮ ଶିଶୁ ଜନ୍ମଗ୍ରହଣ କରିଥିବାବେଳେ ଦେଶରେ ୨୦୧୬ରେ ଜନ୍ମହାର ୨୦.୪ ଓ ମୃତ୍ୟୁହାର ୬.୪ ଥିବା ସେ ସୂଚନା ଦେଇଛନ୍ତି।
ଅପରପକ୍ଷରେ ସୁପ୍ରିମକୋର୍ଟ ରାୟ ଅନୁସାରେ ଆଧାର ସଂଯୋଗ ଇଚ୍ଛାଧୀନ କରାଯିବା ସଂକ୍ରାନ୍ତ ସଂଶୋଧନ ବିଧେୟକ ବୁଧବାର ଲୋକସଭାରେ ଆଗତ ହୋଇଛି। କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଆଧାର ଆଇନରେ ଉପରୋକ୍ତ ସଂଶୋଧନ ପାଇଁ ପ୍ରସ୍ତାବ ଆଗତ କରିବା ସହ ଏହା ସୁରୁଖୁରୁରେ ଗୃହୀତ ହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି। ଏହି ବିଧେୟକ ଗୃହୀତ ହେଲେ ମୋବାଇଲ ଫୋନ୍‌ ଓ ବ୍ୟାଙ୍କ ଏକାଉଣ୍ଟ ସହିତ ଆଧାର ସଂଯୋଗ ଇଚ୍ଛାଧୀନ ହେବା ପ୍ରସଙ୍ଗ ଆଇନଗତ ସ୍ବୀକୃତି ଲାଭ କରିବ। ଏହା ବ୍ୟତୀତ ସରକାର ଖୁବ୍‌ ଶୀଘ୍ର ତଥ୍ୟ ସୁରକ୍ଷା ସମ୍ପର୍କିତ ଏକ ବିଧେୟକ ଆଗତ କରିବେ ବୋଲି ଶ୍ରୀ ପ୍ରସାଦ ସୂଚନା ଦେଇଛନ୍ତି। ପ୍ରତ୍ୟକ୍ଷ ଅର୍ଥ ପ୍ରଦାନ (ଡିବିଟି) କାର୍ଯ୍ୟକ୍ରମ ସହିତ ଆଧାର ସଂଯୋଗ ଯୋଗୁଁ ୯୦ହଜାର କୋଟି ସଞ୍ଚୟ ହୋଇଥିବା ମନ୍ତ୍ରୀ କହିଛନ୍ତି।

Leave A Reply